ଭୀମସାରରେ ନବଜାତ ଶିଶୁଚୋରି
ବୁର୍ଲା : ଗତ ୨୬ ତାରିଖରେ ବୁର୍ଲା ଭୀମସାରରୁ ଏକ ୨ ଦିନର ନବଜାତଶିଶୁପୁତ୍ର ଚୋରି ଘଟଣା ଚାଞ୍ଚଲ୍ଯ ସୃଷ୍ଟିକରିଛି । ଏ ସମ୍ପର୍କରେ ସ୍ଥାନୀୟ ଥାନାରେ ଏତଲାକ୍ରମେ ପୁଲିସ୍ ଓ ଡାକ୍ତରଖାନା ପକ୍ଷରୁ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇ ତଦନ୍ତ କରାଯାଉଛି ।
ଗତ ୨୪ ତାରିଖରେ ଛତିଶଗଡର ମହାସମୁନ୍ଦ ଜିଲ୍ଲାର ବସନା ଥାନା ବଡସଜାପାଲି ଗ୍ରାମ ନିବାସୀ ମୋହନ ଦାସଙ୍କ ପତ୍ନୀ ସୀତାଙ୍କୁ ପ୍ରସବ ପାଇଁ ପ୍ରଥମେ ବରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯିବା ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଗତ ୨୫ ତାରିଖରେ ବୁର୍ଲା ଭୀମସାରରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ସାଙ୍ଗରେ ସୀତାଙ୍କ ଭଉଣୀ ମଧୁ ମଧ୍ୟ ଆସିଥିଲେ । ସେହିଦିନ ତାଙ୍କର ଏକ ଶିଶୁପୁତ୍ର ଜନ୍ମ ହୋଇଥିଲା । ପ୍ରସବ ପରେ ସମ୍ବଲପୁରର ବୋଲି କହି ଜଣେ
ଅଜଣାମହିଳା ଆସି ମଧୁଙ୍କ ସହ ବନ୍ଧୁତା ସୃଷ୍ଟି କରି ସାହାଯ୍ୟ କରିବା ଆଳରେ କୌଶଳକ୍ରମେ ଛୁଆଟିକୁ ଚୋରାଇ ନେଇଥିବା ବୁର୍ଲା ଭୀମସାର ଫାଣ୍ଡି ଓ ପରେ ଥାନାରେ ଶିଶୁଟିର ପିତାଙ୍କ ପକ୍ଷରୁ ଏତଲା ଦିଆଯାଇଥିବା ଓ ପ୍ରଥମ କରି ବୁର୍ଲା ବୀର ସୁରେନ୍ଦ୍ରସାଏ ମେଡିକାଲ କଲେଜ ହାସପାତାଳର ପ୍ରସୂତୀ ଓ ସ୍ତ୍ରୀ ରୋଗ ଉଆର୍ଡରୁ ଏଭଳି ଅଭାବନୀୟ ଘଟଣା ଘଟିଥିବା ପ୍ରକାଶ ।
ଆନ୍ତଃରାଜ୍ୟଦଲାଲ୍ ଙ୍କ ଦ୍ବାରା ଆନ୍ତର୍ଜାତୀୟ ରାକେଟ୍ ସଂପୃକ୍ତ ?
ଉଲ୍ଲେଖନୀୟ ଯେ , ଏଇ ଅଳ୍ପଦିନ ମଧ୍ୟରେ ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ ଏମସିଏଚ୍ ରୁ ଏକ ଶିଶୁପୁତ୍ର , ଲାଠୋର ସୁନାମୁଦି ଉପସ୍ବାସ୍ଥ୍ୟ କେନ୍ଦ୍ରରେ ଜନ୍ମିତ ଶିଶୁକନ୍ୟା ଓ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜନ୍ମିତା ଶିଶୁକନ୍ୟାଟିର ଯଥାକ୍ରମେ ଅଢେଇଲକ୍ଷ ଟଙ୍କାରେ ବିକ୍ରି ଉଦ୍ୟମ / ଲକ୍ଷାଧିକ ଟଙ୍କାରେ ବିକ୍ରି ଅଭିଯୋଗ ଓ ଷ୍ଟାମ୍ପ ପେପରରେ ଲେଖାଇ ୨୦ ହଜାର ଟଙ୍କାରେ ବିକ୍ରି ଇତ୍ୟାଦି ଘଟଣା ଲୋକଲୋଚନକୁ ଆସିଛି । ଏଥିରେ ପୁଲିସ୍ ଓ ଶିଶୁ ସୁରକ୍ଷା ୟୁନିଟ୍ ଓ ସିଡବ୍ଲୁସି ପକ୍ଷରୁ ମାମଲା ମଧ୍ୟ ଋଜୁ ହୋଇଛି । ଲାଠୋର ଥାନାରେ ଋଜୁ ମାମଲାରେ ଜଣେ ସ୍ବାସ୍ଥ୍ୟକର୍ମୀଙ୍କ ସମେତ ଦଲାଲ୍ ଓ କ୍ରେତାଙ୍କୁ ଗିରଫ କରାଯାଇଛି । ପୂର୍ବରୁ ମଧ୍ୟ ବଲାଙ୍ଗୀର ଜିଲ୍ଲାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଟିଟିଲାଗଡ ସହରର ହାଟପଦାପଡାରେ ଏଭଳି ମାମଲା ଘଟିଥିବା ଜଣାପଡିଛି । ଏ ସମ୍ପର୍କରେ ଗଣମାଧ୍ୟମରେ ବିଭିନ୍ନ ଚର୍ଚ୍ଚା ମଧ୍ୟ ପ୍ରକାଶ ପାଇଥିଲା । ଏପରିକି ବଲାଙ୍ଗୀର ଡିସିପିୟୁ – ସିଡବ୍ଲୁସିର କେତେକ ସଦସ୍ୟାଙ୍କ ମଧ୍ୟରେ ସୃଷ୍ଟ ଆରୋପରୁ ସୂଚନା ମିଳିଥିବା ସୂତ୍ରରୁ ଏକ ଗୁରୁତର ଅଭିଯୋଗ ପ୍ରକାଶ ପାଇ ‘ଏଥିରେ ଆନ୍ତଃରାଜ୍ୟ ଦଲାଲ୍ ଙ୍କ ଜରିଆରେ ଅନ୍ତର୍ଜାତୀୟ ଶିଶୁବିକ୍ରି ରାକେଟ୍ ଜଡିତ ରହିଥିବା ଅଭିଯୋଗ ଓ ଆଶଙ୍କା ପ୍ରକାଶ ପାଇ ସରକାର କ୍ରାଇମବ୍ରାଞ୍ଚ ତଦନ୍ତ କରନ୍ତୁ ‘ ବୋଲି ଜନମତ ପ୍ରକାଶ ପାଇଥିଲେ ହେଁ , ଅଦ୍ୟାବଧି ସରକାର ନିଦାବିଷ୍ଣୁ ପାଲଟି ବସି ରହିଛନ୍ତି !
ଏ ସମ୍ପର୍କରେ ବୁଦ୍ଧିଜୀବୀ ମହଲରେ ତର୍ଜମାରୁ ପ୍ରକାଶ ଯେ , ମାରୁଆଡି ବା ଧନୀକ ବ୍ୟବସାୟୀଶ୍ରେଣୀୟ ଲୋକେ ଏଭଳି ଅସହାୟା ବିଧବା ଆଦିବାସୀ ମହିଳା , ଗରିବ ମଜୁରିଆ , ଦାଦନଶ୍ରମିକ ପରିବାର ଇତ୍ୟାଦିର ନବଜାତ ଶିଶୁଙ୍କୁ ଲୁଚାଇ ଏତେ ଏତେ ଟଙ୍କାରେ କିଣି / ଚୋରାଇ / ନେଉଥିବା କାରଣରୁ ଏହା ଆଦୌ ପୋଷ୍ୟସନ୍ତାନ ଗ୍ରହଣ ହୋଇ ନପାରେ ! ବରଂ ଏହାପଛରେ ଉପରୋକ୍ତ ଅନ୍ୟ କୌଣସି କାରଣ ରହିଥାଇପାରେ ! ଏହାକୁ ନେଇ ‘ଦାରିଦ୍ର୍ଯ ଯୋଗୁଁ ଏଭଳି ହେଉଛି ‘ ଇତ୍ୟାଦି କ୍ଷମତାସୀନ ଦଳ ଓ ବିରୋଧୀଙ୍କ ମଧ୍ୟରେ ଅଯଥା ରାଜନୈତିକ ଆରୋପ କରାଯାଉଥିଲେ ହେଁ , କେହି ଏହାର ଭିତରକୁ ଯାଉ ନ ଥିବା କ୍ଷୋଭର ବିଷୟ ! ରାଜ୍ୟରେ ଅଦ୍ୟାପି ଶତାଧିକ ଶିଶୁ ନିରୁଦ୍ଦିଷ୍ଟ ଅଛନ୍ତି । ଏଭଳି ଏକ ଆଶଙ୍କା ସତ୍ତ୍ୱେ ମଧ୍ୟ ‘ପରୀକାଣ୍ଡ ‘ ଭଳି ବିବଦମାନ ଘଟଣା ରାଜ୍ୟ ରାଜନୀତିରେ ସମସ୍ୟା ହୋଇ ରହିଛି । ବଲାଙ୍ଗୀର ଜିଲ୍ଲାରେ ୫୪ ଟି ନିଖୋଜ୍ ଶିଶୁଙ୍କର ଠିକଣା ମିଳିଲାଣି କି ? – ଯାହାକୁ ନେଇ ସେଠିକା ଡିସିପିୟୁ – ସିଡବ୍ଲୁସି ମଧ୍ୟରେ ଟଣାଓଟରା ଚାଲିଛି । ତେଣୁ ଏହି ନିଖୋଜ୍ ଶିଶୁ , ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରରେ ରଖାଯାଉଥିବା ତଥାକଥିତ ଉଦ୍ଧାର ଶିଶୁ , ଦେଶ ଓ ବିଦେଶରେ ‘ କାରା ‘ ଜରିଆରେ ମଧ୍ୟ ଆବେଦନକ୍ରମେ ଦିଆଯାଉଥିବା ଶିଶୁଙ୍କ ସମେତ ଉପରୋକ୍ତ ଶିଶୁବିକ୍ରି / ଶିଶୁଚୋରିର ପଛରେ ପ୍ରକୃତରେ କି କାରଣ ରହିଛି ; ସରକାରଙ୍କ ବିଶେଷତଦନ୍ତ ଜନସାଧାରଣଙ୍କ ପକ୍ଷରୁ ଦାବି କରାଯାଇଛି ।
କାରଣ ଏଠାରେ ଗଣମାଧ୍ୟମରେ ପ୍ରକାଶିତ ଉକ୍ତ ଗୁରୁତର ସନ୍ଦେହକୁ ଆଉଥରେ ସ୍ମରଣ କରାଇଦିଆଯାଇପାରେ ଯେ ବଲାଙ୍ଗୀରର ଜନୈକା ସିଡବ୍ଲୁସି ସଦସ୍ୟା ଅନୌପଚାରିକ ଭାବରେ ଜଣେ ସାମ୍ବାଦିକ- ଓକିଲ ବନ୍ଧୁଙ୍କୁ ଡିସିପିଓଙ୍କ ବିରୁଦ୍ଧରେ କହିଥିଲେ ଯେ , ମୁଖ୍ୟତଃ ବିଦେଶକୁ ପୋଷ୍ୟସନ୍ତାନ ଦିଆଯାଉଥିବା ପଛରେ ମିଲିଅନ୍ସ ଅଫ୍ ଟଙ୍କାର କାରବାର ହେଉଛି । ଏପରିକି ବଇଣ୍ଡାରେ କିଛିଦିନ ତଳେ ଏକ ହତ୍ୟାକାଣ୍ଡ ଘଟାଯାଇଛି ଓ ଆହୁରି କେତେକଥା । ତେବେ ବଲାଙ୍ଗୀର ଓ ରାୟଗଡା ଡିସିପିଓ ଏଭଳି ଉଡାଅଭିଯୋଗକୁ ଅସ୍ବୀକାର କରିଛନ୍ତି । କିନ୍ତୁ ରାଜ୍ୟରେ ପୁଣି ଏହି ହାସପାତାଳରୁ ଶିଶୁଚୋରି ଘଟଣା ଉକ୍ତ ସନ୍ଦେହକୁ ଭାବିବାକୁ ବାଧ୍ୟ କରୁଛି ବୋଲି ଲୋକଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି । ଏଣୁ ସରକାର ଦୃଷ୍ଟି ଦିଅନ୍ତୁ !



“ଦୃଷ୍ଟିପାତ “ଓଡିଆ ନିଉଜ୍ ପୋର୍ଟାଲ୍ ହେଉଛି , ୧୯୯୪ ରୁ ବଲାଙ୍ଗୀରରୁ ପ୍ରକାଶ ପାଉଥିବା ‘ପାକ୍ଷିକ ଦୃଷ୍ଟିପାତ ‘ ଓ ପରେ ପ୍ରକାଶିତ ‘ ସାପ୍ତାହିକ ‘ ଦୃଷ୍ଟିପାତ ‘ ସମ୍ବାଦପତ୍ରର ଆଧୁନିକ ଇ- ପତ୍ରିକା ସଂସ୍କରଣର ରୂପାନ୍ତରିତ ଉଏବ୍ ପୋର୍ଟାଲ୍ । ଏହା ମୁଖ୍ୟତଃ ରାଜ୍ୟ ତଥା ଦେଶର ଗଣମାଧ୍ୟମରେ ପ୍ରକାଶିତ ଖବରର ଏକ ତର୍ଜମାତ୍ମକ ଉପସ୍ଥାପନା ଓ ବିଭିନ୍ନ ଗଣମାଧ୍ୟମ ସୂତ୍ରରୁ ସଂଗୃହୀତ ତଥ୍ୟର ନିଜସ୍ୱ ଅନୁସନ୍ଧାନମୂଳକ ନିରପେକ୍ଷ ଖବର ପରିବେଷଣ । ଏଥିରେ କାହାର ମାନହାନୀ ବା ଏହା କ୍ଷତିସାଧନ ନିମନ୍ତେ ଉଦ୍ଦିଷ୍ଟ ନୁହେଁ ଓ ଜନହିତରେ ପ୍ରସାରିତ ସରକାର ବା ପ୍ରଶାସନର ଦୃଷ୍ଟିଆକର୍ଷଣର ଜନମତ ସମ୍ବଳିତ ଏକ ପ୍ରୟାସ ମାତ୍ର । ଏକ ଦୁର୍ନୀତିମୁକ୍ତ ସୁସ୍ଥ ସମାଜ ଗଠନ ଏହାର ଲକ୍ଷ୍ୟ ଓ ଏକାନ୍ତ ଉଦ୍ଦେଶ୍ୟ ଅଟେ।