ଶିଶୁବିକ୍ରି ଥମିବାର ନାଁ’ ନେଉନି
ଭୁବନେଶ୍ବର : ରାଜ୍ୟରେ ଶିଶୁବିକ୍ରି ବା ଶିଶୁଚୋରି ଅଭିଯୋଗ ଥମିବାର ନାଁ’ ନେଉନାହିଁ । ପୁଣି ସବୁଗୁଡିକ ପ୍ରାୟ ସରକାରୀ ହାସପାତାଳ ଓ ସ୍ବାସ୍ଥ୍ୟକେନ୍ଦ୍ରରେ ଘଟିଛି । କେତେକ ସ୍ଥାନରେ ଶିଶୁ ସୁରକ୍ଷା ୟୁନିଟ୍ ବା ଚାଇଲ୍ଡ ଲାଇନ୍ ବା ଶିଶୁ ସୁରକ୍ଷା ସମିତିର ହସ୍ତକ୍ଷେପରେ ଉଦ୍ଧାର କରାଯାଇ ଥାନା ପୁଲିସ୍ ରେ ମାମଲା ଋଜୁ ପୂର୍ବକ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଛି । ତଥାପି ଉପ- ମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିଭାଗର ଦାୟିତ୍ୱରେ ଥିବା ପ୍ରଭାତୀ ପରିଡା ଏ ସମ୍ପର୍କରେ କୌଣସି ବିବୃତି ଦେଇ ନଥିବା ବେଳେ ଅନ୍ୟଜଣେ ଉପ-ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ହସ୍ତକ୍ଷେପରେ ତାଙ୍କ ନିର୍ବାଚନମଣ୍ଡଳୀରେ ଘଟିଥିବା ଘଟଣାରେ ପୁଲିସ୍ ସ୍ବାସ୍ଥ୍ୟକର୍ମୀଙ୍କ ସମେତ ଶିଶୁକନ୍ୟାଟିକୁ କିଣିଥିବା ବ୍ୟକ୍ତି ଓ ଦଲାଲ୍ କୁ ଗିରଫ କରିଛି ।
ଏବେ ପୁଣି ଅନୁଗୁଳରେ ଶିଶୁବିକ୍ରି ଓ ନୟାଗଡ ଜିଲ୍ଲାର ରାଜସୁନାଖଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ନବଜାତ ଶିଶୁଚୋରି ଘଟଣା ସମ୍ବାଦପତ୍ରରେ ପ୍ରକାଶ ପାଇଛି । ଅନୁଗୁଳରେ ଡାକ୍ତରଖାନା ଯିବା ପୂର୍ବରୁ ଘରେ ଜନ୍ମପରେ ତା’ର ମାଆକୁ ପୁରୁଣାଗଡ ଓ ଜିଲ୍ଲା ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯିବା ପରେ ପ୍ରସୂତୀମହିଳାଙ୍କର ମୃତ୍ୟୁ ଘଟିବାରୁ ଏକ ହୋଟେଲରେ କାମ କରୁଥିବା ଶିଶୁକନ୍ୟାଟିର ବାପ ପୋଷିବାକୁ ଅସମର୍ଥ ହେବାରୁ ହୋଟେଲ ମାଲିକଙ୍କ ସମ୍ପର୍କୀୟା ନିଃସନ୍ତାନ ଭଉଣୀକୁ କିଛି ଟଙ୍କା ବିନିମୟରେ ଶିଶୁକନ୍ୟାଟିକୁ ବିକି ଦେଇଥିବା ପ୍ରକାଶ । ପରେ ଅଭିଯୋଗ ହେବାରୁ ଅନୁଗୁଳ ଡିସିପିଓ ପୁଲିସ୍ ସହାୟତାରେ ଉଦ୍ଧାର କରିଛନ୍ତି ।
ସମ୍ବାଦପତ୍ରରେ ପ୍ରକାଶିତ ଦ୍ବିତୀୟ ଘଟଣାରେ ନୟାଗଡ ଜିଲ୍ଲାର ରଣପୁର ବ୍ଲକ୍ ରାଜସୁନାଖଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଜନ୍ମିତ ଏକ ନବଜାତ ଶିଶୁଟିକୁ ଚୋରି ଅଭିଯୋଗ ହୋଇଛି । ଏହାକୁ ସିଡିଏମଓ ଓ ନର୍ସିଂ ଅଧିକାରୀ ଡାକ୍ତରଖାନାରେ ଆଦୌ ଜନ୍ମ ହୋଇନାହିଁ ବୋଲି ଅସ୍ବୀକାର କରିଥିବା ବେଳେ ପରିବାର ପକ୍ଷରୁ ଫାଣ୍ଡି ବନାମ ଥାନାରେ ଅଭିଯୋଗ ପରେ ପୁଲିସ୍ ତନାଘନା ତଦନ୍ତ ଚଳାଇଥିବା ପ୍ରକାଶ ।
ତେବେ ବଲାଙ୍ଗୀରର ଟିଟିଲାଗଡ , ଲାଠୋର- ସୁନାମୁଦି , ରାୟଗଡା , ବୁର୍ଲା ଭୀମସାର , ରାଜଧାନୀ ଭୁବନେଶ୍ଵର ଓ ଅନ୍ୟାନ୍ୟ ସ୍ଥାନରେ ପୂର୍ବରୁ ଓ ଏଇ ଅଳ୍ପଦିନ ମଧ୍ୟରେ ଏଭଳି ଶିଶୁବିକ୍ରି / ଶିଶୁଚୋରି ଅଭିଯୋଗ ରାଜ୍ୟରେ ଚାଞ୍ଚଲ୍ଯ ସୃଷ୍ଟି କରିଛି । ସ୍ବାସ୍ଥ୍ୟ ବିଭାଗ ବା ମହିଳା ଓ ଶିଶୁ ବିଭାଗ ସମେତ ସରକାର ଏ ସମ୍ପର୍କରେ ନୀରବ ରହିଛନ୍ତି । କେତେକ ଗଣମାଧ୍ୟମରେ ଏହା ପଛରେ ବିଭିନ୍ନ ଗୁରୁତର କାରଣର ସନ୍ଦେହ ପ୍ରକାଶ ପାଇଛି । ସର୍ବୋପରି ଉପରୋକ୍ତ ଜିଲ୍ଲାର ଡିସିପିୟୁ , ଚାଇଲ୍ଡ ଲାଇନ୍ ବା ସିଡବ୍ଲୁସିର କାର୍ଯ୍ୟକଳାପ ସହ ଶିଶୁସୁରକ୍ଷା ଓ ସଚେତନତା ସୃଷ୍ଟି ବା ଉଦ୍ଧାର , ପୋଷ୍ୟସନ୍ତାନ ଗ୍ରହଣ କେନ୍ଦ୍ର ଇତ୍ୟାଦି ପାଇଁ ସରକାର ବାର୍ଷିକ କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ ଏହା କାହିଁକି ଓ କିପରି ଘଟୁଛି , ଏହାର ଉତ୍ତରଦାୟିତ୍ଵ କାହାର ? ଏଥିଯୋଗୁଁ ରାଜ୍ୟରେ ଶୈଶବ ବିପନ୍ନ ବୋଲି ଅଭିଯୋଗ ପ୍ରକାଶ ପାଇଛି । ‘ଏହା ସତଘଟଣା ନା ମିଡିଆପ୍ରସବ ପ୍ରଚାର ‘ ବୋଲି ଲୋକେ ପ୍ରଶ୍ନ କରିଛନ୍ତି ?