ଶିକ୍ଷକଙ୍କ ଦ୍ବାରା ଛାତ୍ରୀ ଗର୍ଭବତୀ ଅଭିଯୋଗ
ବଲାଙ୍ଗୀର : ପୁଇଁତଳା ବ୍ଳକ ଅନ୍ତର୍ଗତ ଏକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଜଣେ ୭ମ ଶ୍ରେଣୀର ଛାତ୍ରୀକୁ ଉକ୍ତ ସ୍କୁଲର ଜଣେ ସହକାରୀ ଶିକ୍ଷକ ଏକ ଗ୍ରୁପ୍ ଖୋଲି ନାଚଗୀତ କରାଇବା ଆଳରେ ବିଭିନ୍ନ ଆଡକୁ ନେଇ ତା’ ସହ ଅବୈଧ ସମ୍ପର୍କ ସ୍ଥାପନ କରିବା ଓ ଏହାଫଳରେ ଉକ୍ତ ନାବାଳିକା ଛାତ୍ରୀଟି ଅବାଞ୍ଛିତ ଗର୍ଭବତୀ ହୋଇ ପଡିଥିବା ଅଭିଯୋଗର ଚାଞ୍ଚଲ୍ୟକର ଚର୍ଚ୍ଚା ପ୍ରକାଶ ପାଇଛି । ଏପରିକି ଉକ୍ତ ଗ୍ରାମର କେତେକ ଗ୍ରାମବାସୀ ପୁଇଁତଳା ବିଇଓ ଏବଂ ବଲାଙ୍ଗୀର ଡିଇଓଙ୍କ ପାଖରେ ଏହି ସମ୍ବେଦନଶୀଳ ଚରମ ଆପତ୍ତିଜନକ ଅଭିଯୋଗ ଉଲ୍ଲେଖ କରି ନଥିଲେ ହେଁ , ଉକ୍ତ ନାବାଳିକା ଏବଂ ଗ୍ରାମର ଏକ ନିର୍ଦ୍ଦିଷ୍ଟ ଜାତିର ସାମାଜିକ ଇଜ୍ଜତ୍ ର ଆଞ୍ଚ ନ ଆସିବା ନିମନ୍ତେ ପ୍ରକୃତ ଘଟଣାକୁ ଉହ୍ୟ ରଖି , ଶିକ୍ଷକ ଜଣକ ନିୟମିତ ସ୍କୁଲକୁ ଆସୁ ନଥିବା , ଠିକାକାମ କରୁଥିବା ଇତ୍ୟାଦି ଆରୋପ ଦର୍ଶାଇ ତୁରନ୍ତ ଉକ୍ତ ଶିକ୍ଷକଙ୍କୁ ଗ୍ରାମର ସ୍କୁଲରୁ ଅନ୍ୟତ୍ର ବଦଳି କରିବାକୁ ଲିଖିତ ଦାବି କରିଛନ୍ତି । ଏହାପରେ ପୁଇଁତଳା ବିଇଓ ତାଙ୍କ ଅଧୀନସ୍ଥ ଏବିଇଓଙ୍କୁ ସ୍କୁଲକୁ ପଠାଇ ଅଭିଯୋଗର ତଦନ୍ତ କରିଥିବା ପ୍ରକାଶ । କିନ୍ତୁ ତଦନ୍ତକାରୀ ଅଧିକାରୀ ଏବିଇଓ ଓ ହେଡ୍ କ୍ଲର୍କ ଉକ୍ତ ଅଭିଯୋଗର ସତ୍ଯତା ନଥିବା ପ୍ରକାଶ କରିଛନ୍ତି । ସେହିପରି ଜିଲ୍ଲା ଶିକ୍ଷାଧିକାରୀଙ୍କ ତରଫରୁ ମଧ୍ଯ ଏହାର ଆଉଥରେ ତଦନ୍ତ କରାଯାଇଥିବା ଗଣମାଧ୍ୟମ ସୂତ୍ରରୁ ପ୍ରକାଶ । ଏ ସମ୍ପର୍କରେ ବିଇଓ ରତ୍ନମୟୀ ପୁରୋହିତ, ବିଆର୍ ସି ଲଛମନ ପ୍ରଧାନ ଓ ସ୍କୁଲକୁ ଯାଇ ତଦନ୍ତ କରିଥିବା ଏବିଇଓ ତ୍ରିନାଥ ପାତ୍ର ଅଭିଯୋଗକାରୀଙ୍କ ନାମ ପ୍ରକାଶ ନ କରି ଗ୍ରାମବାସୀଙ୍କ ଏପରି ଅଭିଯୋଗର ପ୍ରକୃତ କାରଣ ସମ୍ପର୍କରେ ଅଜଣା ଥିବା ଦର୍ଶାଇ ମୁହଁ ଖୋଲୁ ନଥିବା ବେଳେ , ଘଟଣା ସମ୍ପର୍କରେ ଏକ ଦୈନିକ ସମ୍ବାଦପତ୍ରରେ ବାରମ୍ବାର ପରୋକ୍ଷ ଖବର ପ୍ରକାଶ ପାଇଥିବାରୁ ଚର୍ଚ୍ଚା ଥମିନାହିଁ ।
ଏହି ଅନୁଯାୟୀ , ବୁବେଲ ପଞ୍ଚାୟତର ଏହି ବେଲବାହାଲି ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଜଣେ ଅଘରିଆ ଜାତିର ୭ମ ଶ୍ରେଣୀର ଗରିବ ପରିବାରର ଛାତ୍ରୀ ସହିତ ଅନ୍ୟ କେତେକ ଛାତ୍ରୀଙ୍କୁ ଉକ୍ତ ସ୍କୁଲର ଜଣେ ମଧ୍ୟବୟସ୍କ ଉକ୍ତ ବ୍ଲକର ବିବାହିତ ସନ୍ତାନଙ୍କ ପିତା ରସିକିଆ ଶିକ୍ଷକ ଏକ ନାଚଗୀତ ଗ୍ରୁପ୍ ବନାଇ ଅନ୍ଯାନ୍ଯ ସ୍କୁଲ୍ , କଂସ ଦରବାର ଓ ଅନ୍ୟ ଛାତ୍ରୀଙ୍କ ବାର୍ଥ ଡେ’ ପାର୍ଟି ଇତ୍ୟାଦିକୁ ନେଇ ନଚାଇବା ବାହାନାରେ ନିଜର କୁତ୍ସିତ ବାସନାର ପୂର୍ତ୍ତି କରୁଥିବା ଓ ଫଳତଃ ଛାତ୍ରୀଟି ଗର୍ଭବତୀ ହୋଇ ପଡିବାରୁ କଥା ଫୁଟି ବାହାରକୁ ଆସିବା କୁହାଯାଉଛି । ଛାତ୍ରୀଟିର ବାପମାଆ ଝିଅର ମାନଇଜ୍ଜତ ଦୃଷ୍ଟିରୁ ଓ ଗରିବ ହୋଇଥିବାରୁ ଉକ୍ତ ଅଭିଯୁକ୍ତ ଶିକ୍ଷକଙ୍କ ଟଙ୍କା ଚାପରେ ନୀରବ ରହିଥିବା ଚର୍ଚ୍ଚାରୁ ପ୍ରକାଶ ।
ତେବେ ଏହା ପ୍ରାୟ ଦୁଇମାସ ତଳର ଘଟଣା ବୋଲି ବିଇଓ ଅଫିସ୍ ର ଜନୈକ ଚତୁର୍ଥଶ୍ରେଣୀ କର୍ମଚାରୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ ପ୍ରକାଶ କରିଥିବା ବେଳେ , ବିଇଓ ଜାଣି ନ ଜାଣିଲା ପରି ଉକ୍ତ ଚରମ ଆପତ୍ତିଜନକ କାରଣ ବିଷୟରେ ଅଜ୍ଞତା ପ୍ରକାଶ କରିଥିବା ଓ ଜାଣିଲାପରେ ମଧ୍ଯ ନୀରବତା ଅବଲମ୍ବନ କରିବା ଏବଂ ସମ୍ପୃକ୍ତ ସ୍କୁଲର ପ୍ରଧାନଶିକ୍ଷକ ଏ ଘଟଣା ସମ୍ପର୍କରେ ଜାଣି ନଥିବା କହିବା ସହ ଗ୍ରାମର ଉକ୍ତ ଛାତ୍ରୀଟି ଏବେ ନିକଟସ୍ଥ ବୁବେଲ୍ ଗ୍ରାମର ହାଇସ୍କୁଲରେ ପଢୁଥିବା ଓ ଏହା ପ୍ରାୟ ବର୍ଷେ ତଳର ଚର୍ଚ୍ଚା ବୋଲି କହିଛନ୍ତି । ଏଭଳି ଗୁରୁତର ଅଭିଯୋଗ ସମ୍ପର୍କରେ ଉକ୍ତ ଅଭିଯୁକ୍ତ ଶିକ୍ଷକ ତରଣୀସେନ ପଧାନଙ୍କୁ ପଚରାଯିବାରୁ ଏହା ସତ ନୁହେଁ । ତାଙ୍କର ସ୍କୁଲରେ ଗତ ତିନିବର୍ଷର ସଫଳ ଶିକ୍ଷାଦାନ , ସ୍କୁଲରେ ଗଛଲତା ଲଗାଇ ପରିବେଶ ସୁରକ୍ଷା ଓ ଅନ୍ଯାନ୍ଯ ଉନ୍ନୟନମୂଳକ କାମରେ ଈର୍ଷାନ୍ବିତ ହୋଇ ଏବଂ ପ୍ରାୟ ୩/୪ ମାସ ତଳେ ସ୍କୁଲର ବଲ୍ ଓ ଅନ୍ଯାନ୍ଯ ବୈଦ୍ୟୁତିକ ସରଞ୍ଜାମ ଚୋରି ହେବାରୁ ଥାନାରେ ଏତଲାକ୍ରମେ ଗ୍ରାମର ୩/୪ ଜଣ ଅଭିଯୁକ୍ତ ଚୋର ଗିରଫ ହୋଇ ଜେଲ୍ ଯିବାରୁ ଏହା ସେମାନଙ୍କ ବିରୋଧର ପ୍ରତିଶୋଧ ଏବଂ ସେ ବର୍ଷେ ହେଲା ତାଙ୍କର ନାଚଗୀତ ଗ୍ରୁପ୍ କୁ ବନ୍ଦ କରି ଦେଇଛନ୍ତି ବୋଲି ସଫେଇ ଦେଇଛନ୍ତି । ଯଦି ତାଙ୍କୁ ଗ୍ରାମବାସୀ ସ୍କୁଲରେ ରଖିବାକୁ ଚାହୁଁନାହାଁନ୍ତି , ସେ ମଧ୍ଯ ତାଙ୍କୁ ଅନ୍ୟତ୍ର ବଦଳି କରିଦିଆଯିବାକୁ ଚାହାଁନ୍ତି ବୋଲି ସଫେଇ ଦେଇଛନ୍ତି । ତେବେ ଯଦି ତାଙ୍କ କଥା ସତ ହୋଇଥାଏ , ଅଭିଯୋଗକାରୀମାନେ ଉପରୋକ୍ତ ଚୋରି ମାମଲାର ପ୍ରତିଶୋଧ ପାଇଁ ପ୍ରଧାନଶିକ୍ଷକଙ୍କୁ ଛାଡି ତାଙ୍କ ପରି ଜଣେ ସହକାରୀ ଶିକ୍ଷକଙ୍କ ପ୍ରତି କାହିଁକି ଏତାଦୃଶ ଅଭିଯୋଗ ଉଠାଇଛନ୍ତି ? ବିଡମ୍ବନାର ବିଷୟ ଯେ , ଉକ୍ତ ଅଭିଯୁକ୍ତ ଶିକ୍ଷକଙ୍କ ସପକ୍ଷରେ ମହିଳାଙ୍କ ସମେତ କେତେକ ଗ୍ରାମବାସୀମାନେ ମଧ୍ଯ ଉକ୍ତ ଶିକ୍ଷକଙ୍କୁ ବଦଳି କରା ନଯିବାକୁ ବିଭାଗୀୟ ଅଧିକାରୀଙ୍କ ନିକଟରେ ଦାବି କରିଥିବା ପ୍ରକାଶ ।
ତେବେ ଉକ୍ତ ଉଚ୍ଚ ପ୍ରାଥମିକ ସ୍କୁଲରୁ ଗ୍ରାମର ଉକ୍ତ ପୀଡିତା ଛାତ୍ରୀ ଜଣକ ପାଖ ଗ୍ରାମ ବୁବେଲର ହାଇସ୍କୁଲକୁ ପଢିବାକୁ ୭ମ ଶ୍ରେଣୀରୁ ଉତ୍ତୀର୍ଣ୍ଣ ହେଲାପରେ ଯାଇଛନ୍ତି ନା ପ୍ରଧାନଶିକ୍ଷକ ବିଜୟ କୁମାର ବେହେରାଙ୍କ କହିବାନୁଯାୟୀ , ଭଲ ସ୍କୁଲ୍ ବୋଲି ଉତ୍ତୀର୍ଣ୍ଣ ନ ହେଲେ ବି କେତେକ ପିଲା ଅଧାରୁ ଯାଇଥାନ୍ତି ବୋଲି କହିଥିବାରୁ ଛାତ୍ରୀଟି ଯାଇଛି ; ତଦନ୍ତରେ ଏଥିରୁ ଜଣାପଡିବ ବୋଲି କୁହାଯାଉଛି ।
ସର୍ବୋପରି ଯଦି ଉପରୋକ୍ତ ଗୁରୁତର ଅଭିଯୋଗର ଚର୍ଚ୍ଚା ସତ୍ଯ ହୋଇଥାଏ , ତେବେ ଏତେଦିନ ହେଲା ଶିକ୍ଷାବିଭାଗର ଅଧିକାରୀମାନେ କାହିଁକି ଥାନାରେ ଏତଲା ଦେଇନାହାଁନ୍ତି ? ‘- ବୋଲି ଲୋକେ ପ୍ରଶ୍ନ କରୁଛନ୍ତି । ଗ୍ରାମବାସୀ ଓ ପୀଡିତ ପରିବାର ପକ୍ଷରୁ ମଧ୍ଯ ଏପରି ଗୁରୁତର ସମ୍ବେଦନଶୀଳ ଅଭିଯୋଗ ସମ୍ପର୍କରେ ମାମଲା ଦାଏର କରିବା ଦରକାର ବୋଲି ଜନମତ ପ୍ରକାଶ ପାଉଛି ।
ପରେ ଏହି ଘଟଣାର ଏକ ସବିଶେଷ ରିପୋର୍ଟ ପ୍ରକାଶ ପାଇବ ।


“ଦୃଷ୍ଟିପାତ “ଓଡିଆ ନିଉଜ୍ ପୋର୍ଟାଲ୍ ହେଉଛି , ୧୯୯୪ ରୁ ବଲାଙ୍ଗୀରରୁ ପ୍ରକାଶ ପାଉଥିବା ‘ପାକ୍ଷିକ ଦୃଷ୍ଟିପାତ ‘ ଓ ପରେ ପ୍ରକାଶିତ ‘ ସାପ୍ତାହିକ ‘ ଦୃଷ୍ଟିପାତ ‘ ସମ୍ବାଦପତ୍ରର ଆଧୁନିକ ଇ- ପତ୍ରିକା ସଂସ୍କରଣର ରୂପାନ୍ତରିତ ଉଏବ୍ ପୋର୍ଟାଲ୍ । ଏହା ମୁଖ୍ୟତଃ ରାଜ୍ୟ ତଥା ଦେଶର ଗଣମାଧ୍ୟମରେ ପ୍ରକାଶିତ ଖବରର ଏକ ତର୍ଜମାତ୍ମକ ଉପସ୍ଥାପନା ଓ ବିଭିନ୍ନ ଗଣମାଧ୍ୟମ ସୂତ୍ରରୁ ସଂଗୃହୀତ ତଥ୍ୟର ନିଜସ୍ୱ ଅନୁସନ୍ଧାନମୂଳକ ନିରପେକ୍ଷ ଖବର ପରିବେଷଣ । ଏଥିରେ କାହାର ମାନହାନୀ ବା ଏହା କ୍ଷତିସାଧନ ନିମନ୍ତେ ଉଦ୍ଦିଷ୍ଟ ନୁହେଁ ଓ ଜନହିତରେ ପ୍ରସାରିତ ସରକାର ବା ପ୍ରଶାସନର ଦୃଷ୍ଟିଆକର୍ଷଣର ଜନମତ ସମ୍ବଳିତ ଏକ ପ୍ରୟାସ ମାତ୍ର । ଏକ ଦୁର୍ନୀତିମୁକ୍ତ ସୁସ୍ଥ ସମାଜ ଗଠନ ଏହାର ଲକ୍ଷ୍ୟ ଓ ଏକାନ୍ତ ଉଦ୍ଦେଶ୍ୟ ଅଟେ।