ତଦନ୍ତକୁ ଚପାଇଦିଆଯିବା ଅଭିଯୋଗ
ଶୁଦ୍ଧିକ୍ରିୟା ବେଳେ ବିଧବାପତ୍ନୀଙ୍କ ଆତ୍ମହତ୍ୟା ଉଦ୍ୟମ ?
ପୁରୀ : ରାୟଗଡା ଡିଭିଜନ ଅନ୍ତର୍ଗତ କଳାହାଣ୍ଡି ଜିଲ୍ଲା ଜାରିଙ୍ଗରୁ ବଲାଙ୍ଗୀରକୁ ବଦଳି ହୋଇ ଆସିଥିବା ଫରେଷ୍ଟର ସଞ୍ଜୟ ନାୟକ ( ୩୩ ) ସିଲଭିକଲଚରିଷ୍ଟ ବନାମ ଡିଏଫଓଙ୍କ ପିସି ଚାପରୁ ଆତ୍ମହତ୍ୟା ଅଭିଯୋଗର ଏତଲାକ୍ରମେ ଭବାନୀପାଟଣା ସଦରଥାନାରେ ଋଜୁ ମାମଲାର ତଦନ୍ତରେ ଅହେତୁକ ବିଳମ୍ବ ଯୋଗୁଁ ନିରାଶ ହୋଇପଡି ଆତ୍ମହତ୍ୟା ଉଦ୍ୟମ କରିଥିବା ଖବରରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଶୁଦ୍ଧିକ୍ରିୟା ଚାଲିଥିବା ବେଳେ ବିଧବା ପତ୍ନୀ ଓ ତାଙ୍କୁ ଉଦ୍ଧାର କରିବାକୁ ଯାଇ ତାଙ୍କ ନଣନ୍ଦ ପୋଖରୀରେ ବୁଡିଯାଉଥିବାବେଳେ ଦେଖିପାରି ସ୍ଥାନୀୟ ବାଲିସାହିର ଦୁଇଜଣ ଲୋକ ପୁରୋହିତ , ଭଣ୍ଡାରୀ ତାଙ୍କୁ ଉଦ୍ଧାର କରିଥିଲେ । ଉଦ୍ଧାର ହେଲାପରେ ମହିଳା ଜଣକ ‘ କାହିଁକି ମୋତେ ବଞ୍ଚାଉଛ ଓ ମୋର ବଞ୍ଚି ରହି କି ଲାଭ ? ‘ ବୋଲି କାନ୍ଦି କାନ୍ଦି କହୁଥିବା ପ୍ରକାଶ ।
ଘଟଣାରୁ ପ୍ରକାଶ ଯେ , ଗତ ୨୭ତାରିଖରେ ରାୟଗଡାରୁ ପୁରୀକୁ ଶୁଦ୍ଧିକ୍ରିୟା ସକାଶେ ଆସିଥିବା ଉପରୋକ୍ତ ଆତ୍ମହତ୍ୟା କରିଥିବା ଫରେଷ୍ଟରଙ୍କ ପତ୍ନୀ ବାଲିସାହିର ଶ୍ବେତଗଙ୍ଗା ପୁଷ୍କରିଣୀରେ ଦଶାହକର୍ମ ଚାଲିଥିବା ବେଳେ କୂଳରେ ବସି କାନ୍ଦୁଥିବା ତାଙ୍କ ବିଧବା ପତ୍ନୀ ପୋଖରୀକୁ ପଶିଯାଇଥିଲେ । ଏହାଦେଖି ତାଙ୍କ ନଣନ୍ଦ ମଧ୍ୟ ପୋଖରୀକୁ ଡେଇଁ ପଡିଥିଲେ । ସେମାନେ ବୁଡି ଯାଉଥିବା ଦେଖିପାରି ପୁରୋହିତ ବ୍ରାହ୍ମଣ ଶିବ ଶଙ୍କର , ଭଣ୍ଡାରୀ ଓ ଦୁଇଜଣ ସ୍ଥାନୀୟ ଲୋକ ସେମାନଙ୍କୁ ଉଦ୍ଧାର କରିଥିବା ପ୍ରକାଶ । ସେମାନେ ରାୟଗଡା ଫେରିଯାଇଛନ୍ତି ।
ଉଲ୍ଲେଖନୀୟ ଯେ ରାୟଗଡା ସିଲଭିକଲଚର୍ ଡିଭିଜନ ଅନ୍ତର୍ଗତ ଚାରିବର୍ଷ ଧରି କଳାହାଣ୍ଡିର ଜାରିଙ୍ଗ ହାଇଟେକ୍ ନର୍ସରୀରେ ଭାରପ୍ରାପ୍ତ ରେଞ୍ଜର ଥିବା ଫରେଷ୍ଟର ସଞ୍ଜୟ ନାୟକଙ୍କୁ କିଛିଦିନ ତଳେ ବଲାଙ୍ଗୀରକୁ ବଦଳି କରାଯାଇଥିଲା । ସେ ସେଠାରେ ଗତ ୧ ତାରିଖରେ ଯୋଗଦେଇ ଥିଲେ ହେଁ ଭବାନୀପାଟଣାର ଫରେଷ୍ଟକଲୋନୀ କ୍ବାର୍ଟରରେ ରହୁଥିଲେ । ଗତ ୧୮ ତାରିଖରେ କ୍ବାର୍ଟରଭିତରୁ ତାଙ୍କର ଛାତରୁ ଝୁଲୁଥିବା ମୃତଦେହ ଉଦ୍ଧାର ହୋଇଥିଲା । ମୃତ୍ୟୁପୂର୍ବରୁ ସେ ରାୟଗଡା ଡିଏଫଓ ବନାମ ସିଲଭିକଲଚରିଷ୍ଟଙ୍କୁ ଲେଖିଥିବା ସୁଇସାଇଡ୍ ନୋଟ୍ ରେ ତାଙ୍କଠାରୁ ଗତବର୍ଷଠାରୁ ଡିଏଫଓ ନିଜେ ଓ ଆକାଉଣ୍ଟସ୍ ବିଭାଗ ପକ୍ଷରୁ ୧୦ ଲକ୍ଷ ଟଙ୍କା ପିସି ପାଇଁ ଚାପ ଯୋଗୁଁ ଆତ୍ମହତ୍ୟା କରୁଥିବା ଲେଖିଯାଇଛନ୍ତି । ଏହାକୁ ପୁଲିସ୍ ଜବତ କରିଛି ଓ ତାଙ୍କ ଭାଇ ରବିନାରାୟଣ ନାୟକଙ୍କ ଏତଲାକ୍ରମେ ଭବାନୀପାଟଣା ଟାଉନଥାନାରେ ଡିଏଫଓ ଦେବେନ୍ଦ୍ର କୁମାର ବେହେରାଙ୍କ ବିରୁଦ୍ଧରେ ମଧ୍ୟ ଏକ ମାମଲା ଋଜୁ କରାଯାଇ ତଦନ୍ତ ଚାଲିଥିବା କୁହାଯାଉଛି । ସଂଘ ତରଫରୁ ମଧ୍ୟ ଏହାର ଉଚିତ୍ ତଦନ୍ତ ପୂର୍ବକ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଥିଲା । ବିଭାଗୀୟ ଜଙ୍ଗଲମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ମଧ୍ୟ ମୃତ ଫରେଷ୍ଟରଙ୍କ ଘରକୁ ଯାଇ ସାନ୍ତ୍ବନା ଦେଇଥିଲେ । ତଥାପି ତଦନ୍ତ ଆଗଉ ନଥିବା ଦେଖି ତାଙ୍କ ପତ୍ନୀ ନିରାଶ ହୋଇପଡିଛନ୍ତି ।
ଏ ସମ୍ପର୍କରେ ଆମର ଏହାପୂର୍ବର ରିପୋର୍ଟରେ ଜଙ୍ଗଲ ମନ୍ତ୍ରୀଙ୍କର ‘ଆବଶ୍ୟକ ପଡିଲେ ବିଭାଗ ପକ୍ଷରୁ ସରକାରଙ୍କୁ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ସୁପାରିଶ କରାଯିବ ‘ ସାନ୍ତ୍ବନାର ଅର୍ଥ କାଳକ୍ଷେପଣ ଓ ପୂର୍ବର ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ଯରଞ୍ଜନଙ୍କର ତଥାକଥିତ ଆତ୍ମହତ୍ୟା ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତର ଫଳାଫଳର ପ୍ରହସନର ଉଦାହରଣ ଦିଆଯାଇଥିଲା । ଏବେ ତାହା ସତ ହୋଇଛି । କାରଣ ସୁଇସାଇଡ ନୋଟ୍ ମିଳିଥିବା ପ୍ରମାଣରୁ ଡିଏଫଓଙ୍କ ପିସି ଚାପରେ ଉକ୍ତ ଫରେଷ୍ଟରଙ୍କ ଆତ୍ମହତ୍ୟା ଆତ୍ମହତ୍ୟା ମାମଲାରେ ଆଉ କି ଅଧିକ ତଦନ୍ତର ଆବଶ୍ୟକତା ରହିଛି ଓ ଏହାକୁ ମିଳିମିଶି ଚପାଇଦେବା ପ୍ରକାଶିତ ଅଭିଯୋଗରୁ କ’ଣ ଅର୍ଥ ମିଳୁଛି ?
ଏଣୁ ସ୍ବଚ୍ଛ ଓ ଦୁର୍ନୀତିମୁକ୍ତ ସରକାରର ଭାଷଣ ମାରୁଥିବା ମୋହନ ସରକାର ବା ମୁଖ୍ୟମନ୍ତ୍ରୀଙ୍କର ଇଏ କିଭଳି ଶାସନବ୍ୟବସ୍ଥା ବୋଲି ଚର୍ଚ୍ଚା ହେଉଛି ।