ଚିକିତ୍ସା କରିଥିବା ଡାକ୍ତର କହିଲେ : ସ୍କ୍ରବ୍ ଟାଇଫସ୍ !
ବଲାଙ୍ଗୀର : ଭବାନୀପାଟଣାର ଜଣେ ଆଲବମ୍ ଅଭିନେତ୍ରୀ ରିଲ୍ ସ କୁଇନ୍ ଭାବେ ଜଣାଶୁଣା ମୁସଲମାନ୍ ଯୁବତୀ ରୁକ୍ ସାନା ବାନୋଙ୍କ ସନ୍ଦେହଜନକମୃତ୍ୟୁ ଅଭିଯୋଗ ଏବେ ଚର୍ଚ୍ଚାରେ । ଗତ କିଛିଦିନତଳେ ସେ ଏକ ସମ୍ବଲପୁରୀ ଆଲବମ୍ ସୁଟିଂ କରିବାକୁ ବଲାଙ୍ଗୀର ଆସିଥିବା ବେଳେ ସରକାରୀ ବସ୍ ଷ୍ଟାଣ୍ଡ୍ ସୁଟିଂସ୍ଥଳରେ ହଠାତ୍ ଅସୁସ୍ଥ ହୋଇପଡିଥିଲେ । ତାଙ୍କୁ ତୁରନ୍ତ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇ ଚିକିତ୍ସା କରାଯିବା ପରେ ଘରକୁ ପଠାଇଦିଆଯିବା ପରେ ଗତ ଅଗଷ୍ଟ ୨୭ ତାରିଖରେ ଭବାନୀପାଟଣା ସରକାରୀ ଡାକ୍ତରଖାନା ଓ ସେଠାରୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହାସପାତାଳ ଓ ପୁଣି ବରଗଡର ‘ ବିକାଶ ‘ ଘରୋଇ ହସ୍ପିଟାଲ ଏବଂ ଅବସ୍ଥା ଗୁରୁତର ହୋଇପଡିବାରୁ ଭୁବନେଶ୍ବର ଏ ମ୍ ସ କୁ ନେଇ ଚିକିତ୍ସା କରାଯାଇଥିଲା । କିନ୍ତୁ ସେଠାରେ ତାଙ୍କର ଗତ ୧୯ ତାରିଖରେ ମୃତ୍ୟୁ ହୋଇଯାଇଥିବା ପ୍ରକାଶ ।

ତେବେ ଏହି ଅଭନେତ୍ରୀଙ୍କ ଏଭଳି ସନ୍ଦେହଜନକ ମୃତ୍ୟୁ ପରେ ତାଙ୍କ ପରିବାର ପକ୍ଷରୁ ଏହାକୁ ଏକ ସୁପିକଳ୍ପିତ ହତ୍ୟା ଅଭିଯୋଗ କରାଯାଇଛି । ଏ ସମ୍ପର୍କରେ ଗଣମାଧ୍ୟମରେ ମୃତାଯୁବତୀଙ୍କ ମାଆ ଓ ବଡଭଉଣୀ ସିଧାସଳଖ ଭାବରେ ବଲାଙ୍ଗୀର ବେଲପଡାର ଜଣେ ପେଶାଦାର ଆର୍କେଷ୍ଟ୍ରା ଯୁବ ଗାୟକ ରୁକୁ ସୁନା ତାଙ୍କ ଝିଅକୁ କ୍ରମାଗତ ନିର୍ଯାତନା ଦେଇ ଆସୁଥିବା ଓ ଶେଷରେ ଷଡଯନ୍ତ୍ର କରି ଫଳରସରେଞ ବା ଖାଦ୍ୟରେ କାହାଦ୍ବାରା ସ୍ଲୋ’ ପଏଜନ୍ ଦେଇ ହତ୍ୟା କରିଥିବାର ଗୁରୁତର ଅଭିଯୋଗ ପ୍ରକାଶ କରିଛନ୍ତି ।
ତାଙ୍କର ଗଣମାଧ୍ୟମରେ ବୟାନ ଅନୁଯାୟୀ , ମୃତା ଆଲବମ୍ ଅଭିନେତ୍ରୀ ତଥା ଗାୟିକା ଜଣକ ପ୍ରଥମେ ରୁକୁ ସୁନାଙ୍କ ଗ୍ରୁପ୍ ସହ ଜଡିତ ଥିଲା ବେଳେ ପରେ କୋଶଳ ନାଁ’ରେ ଗତ ନିର୍ବାଚନରେ ବଲାଙ୍ଗୀର ସାଂସଦ ପ୍ରାର୍ଥୀ ହୋଇଥିବା ସିନେ ଅଭିନେତା ସମ୍ବଲପୁରର ମନୋଜ ମିଶ୍ରଙ୍କ ସହ ମିଶି ପ୍ରୋଗ୍ରାମ କରିବାରୁ ରୁକୁ ସୁନା ତାଙ୍କ ଝିଅକୁ କେହି କାମ ନ ଦେବାକୁ ମନା କରି ବରାବର ଗତ କିଛିମାସ ହେଲା ନିର୍ଯାତନା ଦେଇ ଆସୁଥିଲେ । ଶେଷରେ ସେ ହିଁ ଷଡଯନ୍ତ୍ର କରି ଜୁସ୍ ରେ ବିଷ ଦେଇ ରୁକ୍ ସାନା ଗୁରୁତର ହୋଇପଡି ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିବା ଅଭିଯୋଗ କରିଛନ୍ତି ।

ଅବଶ୍ୟ ରୁକୁ ସୁନା ଏହାକୁ ଖଣ୍ଡନ କରି ଅଭିଯୋଗ ଭିତ୍ତିହୀନ ବୋଲି କହିବା ସହ ତାଙ୍କୁ ବଦନାମ କରାଯିବାକୁ ଆଗରୁ ମଧ୍ୟ ଏଭଳି ଷଡଯନ୍ତ୍ର କରାଯାଇଥିବା ଓ ଏହି ଜୁସ୍ ରେ ବିଷ ମିଶାଯିବା ଅଭିଯୋଗର ତଦନ୍ତ ଦାବି କରିଛନ୍ତି । ତେବେ ରୁକୁ ସୁନା କିଛିବର୍ଷ ପୂର୍ବରୁ ଝାରସୁଗୁଡାର ଜଣେ ଗାୟିକା ଯୁବତୀକଳାକାର ସିମରନ୍ ବା ସେଲଫି ବେବୋଙ୍କ ସନ୍ଦେହଜନକ ମୃତ୍ୟୁମାମଲାରେ ଛନ୍ଦି ହୋଇଥିଲେ । ବେଲପଡାର ଜଣେ ଧନୀ ପୁରୁଣା ଦାଦନ ସର୍ଦ୍ଦାର ପରିବାରର ପୁଅ ଭାବେ ତାଙ୍କୁ ଲୋକେ ଜାଣିଥିଲେ ହେଁ , ପରେ ସେ ଜଣେ ଆର୍କେଷ୍ଟ୍ରା ଗାୟକ କଳାକାର ଭାବେ ନିଜର ଏକ ଦଳ ଗଢି ଜନପ୍ରିୟ ହୋଇଉଠି ଥିଲେ ହେଁ , ବିଭିନ୍ନ ସମୟରେ ବିଭିନ୍ନ ବିବାଦୀୟ ଘଟଣାରେ ଜଡିତ ହୋଇ ଆସୁଥିବା ବିଡମ୍ବନାର ବିଷୟ । କିନ୍ତୁ ଏଇ ଘଟଣାରେ ତାଙ୍କ ବିରୋଧରେ ଏଭଳି ଅଭିଯୋଗକୁ ସମସ୍ତେ ଗ୍ରହଣ କରିପାରୁ ନାହାଁନ୍ତି । କିନ୍ତୁ ଏଇ ମାତ୍ରାଧିକ ଉଚ୍ଚାକାଂକ୍ଷୀ ଯୁବକଳାକାର ଜଣକଙ୍କ ବିରୁଦ୍ଧରେ କାହିଁକି ବାରମ୍ବାର ଏଭଳି ଯୁବତୀଜନିତ ଅଭିଯୋଗ ହେଉଛି , ଅନୁସନ୍ଧାନ ସାପେକ୍ଷ ।
ସର୍ବୋପରି ରୁକ୍ ସାନା ବାନୋଙ୍କୁ ଚିକିତ୍ସା କରିଥିବା ‘ ବିକାଶ ‘ ଘରୋଇ ହସ୍ପିଟାଲର ଡାକ୍ତର ଡା.ସନ୍ତୋଷ ଟେଟେ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି ଯେ , ଗତ ଅଗଷ୍ଟ ୩୧ ତାରିଖରେ ତାଙ୍କ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତା ରୁକ୍ ସାନାଙ୍କର ସ୍କ୍ରବ୍ ଟାଇଫସ୍ ପଜିଟିଭ୍ ଥିବା ସହ ନିମୋନିଆ ଓ ମଲ୍ ଟି ଅର୍ଗାନିକ୍ ସମସ୍ୟା ରହିଥିଲା । ତାଙ୍କୁ ସେଠାରେ ଗତ ସେପ୍ଟେମ୍ବର ୩ ରୁ ୧୦ ତାରିଖ ପର୍ଯ୍ୟନ୍ତ ଭେଣ୍ଟିଲେଟରରେ ରଖାଯାଇଥିଲା । ତେବେ ଏଭଳି ଏକ ବିବଦମାନ ସମ୍ବେଦନଶୀଳ ଚର୍ଚ୍ଚିତ ମାମଲାରେ ବିକାଶ ହସ୍ପିଟାଲ ଓ ସମ୍ପୃକ୍ତ ଚିକିତ୍ସକ ଗଣମାଧ୍ୟମରେ କାହିଁକି ଏପରି ବୟାନ ଦେଲେ , ଏହା ପୂର୍ଣ୍ଣତଃ ସନ୍ଦେହମୁକ୍ତ ନୁହେଁ ବୋଲି ଚର୍ଚ୍ଚା ହେଉଛି । ମୃତ୍ୟୁପୂର୍ବରୁ ସେ ଏକ ଚିଠିରେ ତାଙ୍କ ପ୍ରତି ନିର୍ଯାତନାର ବର୍ଣ୍ଣନା କରିବା କଥା ପ୍ରକାଶ ପାଇଛି । ଏହା ତାଙ୍କ ରହସ୍ୟମୟ ମୃତ୍ୟୁର କେଉଁଦିଗକୁ ଇଙ୍ଗିତ କରୁଛି ?
ଉଲ୍ଲେଖନୀୟ ଯେ , ୨୪ ବର୍ଷ ଆଗରୁ ରୁକ୍ ସାନାଙ୍କ ବାପାଙ୍କର ମୃତ୍ୟୁକୁ ହତ୍ୟା ଅଭିଯୋଗ କରି ସେତେବେଳେ ସେ ଧାରଣା ଦେବା ସହ ଦିଲ୍ଲୀରେ ମଧ୍ୟ ଧାରଣା ଦେଇଥିବା ପ୍ରକାଶ । ସେ ସମ୍ବଲପୁରୀ ଆଲବମ୍ , ୟୁ ଟ୍ୟୁବ୍ ରି ଲ୍ ସ୍ ରେ ରିଲ୍ ଓ ସମ୍ବଲପୁରୀ ଆଲବମ୍ ‘ ସମ୍ବଲପୁରିଆ ଫୁଲ ‘ ପାଇଁ ଚର୍ଚ୍ଚିତା ଥିଲେ । ଆଜିକାଲି ଏଭଳି ଆଲବମ୍ , ରିଲ୍ ସ , ସର୍ଟଫିଲ୍ମ ଆଦି ଆଳରେ ଯୁବତୀମାନଙ୍କୁ ଫସାଇ ଯୌନକେଳେଙ୍କାରୀ କରାଯାଉଥିବା ଖବର ଓ ଶେଷରେ ଆତ୍ମହତ୍ୟା , ହତ୍ୟା ଆଦି ଘଟୁଥିବା ଏଠାରେ ମଧ୍ୟ ବିରଳ ନୁହେଁ ।
ଶେଷରେ ଏଭଳି ଅଭିଯୋଗର ତଦନ୍ତ ନିମନ୍ତେ କେବଳ ସୋସିଆଲ୍ ମିଡ଼ିଆ ବା ତାଙ୍କ ମାଆ ଓ ବଡଭଉଣୀଙ୍କ ବୟାନକୁ ଭିତ୍ତି କରି ଅଭିଯୋଗ ଭାଇରାଲ୍ ହେବା ବ୍ୟତୀତ ବିଧିବଦ୍ଧ ଭାବରେ ମୃତକାଙ୍କ ଶବ ବ୍ୟବଚ୍ଛେଦ , ଥାନାରେ ଏତଲା ବା ଆଇନଗତ ପଦକ୍ଷେପ ନିଆଯାଇଛି କି ନାହିଁ , ଜଣାଯାଇନାହିଁ ।