ଅପରାଧ

ସୋନପୁର ସିଏସଓଙ୍କ ଘରେ  ଭିଜିଲାନ୍ସ ଚଢାଉ

Email :

ବଲାଙ୍ଗୀର ପରେ ସୁବର୍ଣ୍ଣପୁରର ପାଳି 

କାହାକୁ ଖାତିର୍ କରୁ ନଥିଲେ  !

ସୋନପୁର  :  ଗତ ୧୯ ତାରିଖରେ ସୁବର୍ଣ୍ଣପୁର ଜିଲ୍ଲାମୁଖ୍ୟ ଯୋଗାଣ ଅଧିକାରୀ ସୁରେଶ ପାଣିଗ୍ରାହୀଙ୍କ ଘରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି । ଗତ ୨୦ ତାରିଖରେ ତାଙ୍କର କାର୍ଯ୍ୟାଳୟ , ସୋନପୁରର ଭଡାଘର , ବରଗଡ ଜିଲ୍ଲା ବଲଣ୍ଡାର ପୈତୃକ ଘର , ବଲାଙ୍ଗିର ତୁଳସୀନଗରର ଦୁଇମହଲା କୋଠା , ଭାଇ ଓ ସମ୍ପର୍କୀୟଙ୍କ ଘର ଏବଂ ବ୍ୟବସାୟ ପ୍ରତିଷ୍ଠାନ , ଫାର୍ମହାଉସ୍ ଓ ଅନ୍ୟାନ୍ୟ ସ୍ଥାନରେ ଥିବା ଜମିଜମା , ଆକାଉଣ୍ଟ୍ , ଲକର ଇତ୍ୟାଦି ୧୧ ଟି ସ୍ଥାନରେ ଚଢାଉ କରାଯାଇ କୋଟିରୁ ଉର୍ଦ୍ଧ୍ବ ଟଙ୍କା ମୂଲ୍ୟର ନଗଦ ଓ ସମ୍ପତ୍ତି ଜବତ କରାଯାଇଥିବା ପ୍ରକାଶ ।  ସେ ଜଣେ ମାର୍କେଟିଂ ଇନିସ୍ ପେକ୍ଟରରୁ ପଦୋନ୍ନତି ପାଇ ପାଇ ଏହି ପଦରେ ପହଞ୍ଚିଥିଲେ । ତାଙ୍କର କାର୍ଯ୍ୟକାଳ ମଧ୍ୟରେ ଏଠାରେ ମଧ୍ୟ ରାଜନୈତିକ ଆଶୀର୍ବାଦରେ ଯାବତୀୟ ବିଭାଗୀୟ ଦୁର୍ନୀତି ହୋଇଆସୁଥିଲା ବୋଲି ଚର୍ଚ୍ଚା ହେଉଥିଲା । ଏପରିକି ବିଭିନ୍ନ ପେକ୍ସର ସମ୍ପାଦକ ଓ ଡିଇଓଙ୍କ ପର୍ଯ୍ୟନ୍ତ ଦୁର୍ନୀତିଗ୍ରସ୍ତ ହୋଇପଡିଥିଲେ । କମସରା ପେକ୍ସର ମିଥ୍ୟା ଧାନକିଣା ଓ  କଙ୍ଗାରୁକୋର୍ଟରେ ସମାଧାନ ଏହାର ଏକ ଜ୍ବଳନ୍ତ ପ୍ରମାଣ । ଉକ୍ତ କେଳେଙ୍କାରୀରେ ପେକ୍ସ , ତାଙ୍କ ଅଫିସ୍ ର ସମେତ ଭୁବନେଶ୍ବର ବିଭାଗୀୟ ଅଫିସ୍ ର  ଡିଇଓ ମାନଙ୍କର ସମ୍ପୃକ୍ତି ଥିବା ଜଣାପଡିଥିବା ସେ ଜାଣିଥିଲେ ହେଁ କୌଣସି ତଦନ୍ତ ସୁଦ୍ଧା କରି ନଥିଲେ । ସେ ଅଫିସ୍ ରେ ଅନୁପସ୍ଥିତ ରହୁଥିବାବେଳେ ତାଙ୍କ ଚ୍ୟାମ୍ବରରେ ଡିଇଓ ଓ ଅସ୍ଥାୟୀ କର୍ମଚାରୀଙ୍କର ଗହଳି ଲାଗିଥିବା ଦେଖାଯାଇଥିଲା । ବସ୍ତୁତଃ ସେଇମାନଙ୍କ ହାତରେ ସେ ଜିଲ୍ଲାର ସବୁ ଅନିୟମିତତାକୁ ଆଡଜଷ୍ଟ୍ କରି ସରକାରଙ୍କୁ ଭୁଲ୍ ତଥ୍ୟ ଦେଉଥିବା ଚର୍ଚ୍ଚା ହେଉଥିଲା ।  ତେବେ ସେ ଏସମ୍ପର୍କରେ ଜାଣିବାକୁ ଯାଉଥିବା ସାମ୍ବାଦିକ ବା କାହାକୁ ଖାତିର୍ କରୁ ନଥିଲେ । ଏବେ ବି ତାଙ୍କ ଅଫିସ୍ ର ଅନ୍ୟ ଅଧିକାରୀମାନେ ତାଙ୍କ ନିର୍ଦ୍ଦେଶରେ ପରିଚାଳିତ ବୋଲି କୁହାଯାଉଛି । ମୁଖ୍ୟତଃ ଜିଲ୍ଲାର ୫୦ ଗୋଟି ରାଇସ୍ ମିଲ୍ ଗୁଡିକରେ ବହୁ ଅନିୟମିତତାକୁ ଢାଙ୍କି ଦିଆଯାଇଛି।କିଛିଦିନ ତଳେ ବଲାଙ୍ଗୀର ଲୋକସଭା ସାଂସଦ ସଙ୍ଗୀତା ସିଂହଦେଓଙ୍କ ସହ ଜିଲ୍ଲାପାଳ ଅନ୍ୟା ଦାସ ଓ ଏହି ଅଧିକାରୀ ମିଶି ସନ୍ଧ୍ୟାବେଳେ ୩ ଟି ରାଇସ୍ ମିଲ୍ ଉପରେ ଚଢଉ କରି ସିଲ୍ କରିଦେବା ଓ ହଠାତ୍ ଯାଞ୍ଚକମିଟି ଗଠନ କରି ନାମମାତ୍ର ଯାଞ୍ଚ କରି ଦିନକ ପରେ ଖୋଲି ଦିଆଯିବା  ଓ ଏଭଳି ଡରାଣ ପରେ ଜିଲ୍ଲାର ପ୍ରାୟ ସବୁ ମିଲ୍ ରୁ  କୋଟି କୋଟି ଟଙ୍କାର ଉତ୍କୋଚ ସଂଗ୍ରହ ଚର୍ଚ୍ଚାର ବିଷୟ ପାଲଟିଥିଲା । ତେବେ ଏଥିରେ ତାଙ୍କର ମଧ୍ୟ ଏକ ଭାଗ ରହିଥିବା ଲୋକମୁଖରେ ଅଭିଯୋଗ ଶୁଣାଯାଇଥିଲା । ଏବସୁଦ୍ଧା ତାଙ୍କର ଅନ୍ୟାୟୋପାର୍ଜିତ  ସମସ୍ତ ସମ୍ପତ୍ତିର ଆକଳନ କରାଯାଇ ପାରିନାହିଁ । ଏହାର ପରିମାଣ କୋଟି କୋଟି ହେଇପାରେ ବୋଲି ଅନୁମାନ କରାଯାଉଛି । ସୁବର୍ଣ୍ଣପୁର ଜିଲ୍ଲାରେ ଧାନମଣ୍ଡି , ମିଲର୍ସଙ୍କ ମନମାନି ଓ ଯୋଗାଣ ବ୍ୟବସ୍ଥାର ସବୁପ୍ରକାରର ଅନିୟମିତତା ସକାଶେ ସେ ମୁଖ୍ୟ ମାଷ୍ଟରମାଇଣ୍ଡ୍ ବୋଲି ଚର୍ଚ୍ଚା ହେଉଛି । ସେ ପ୍ରାୟତଃ ଅଫିସ୍ ରେ ରହୁ ନଥିଲେ । ତାଙ୍କ ଉପରେ ଏହି ଭିଜିଲାନ୍ସ ଚଢାଉରେ ଜିଲ୍ଲାବାସୀ ଆନନ୍ଦିତ ହେଉଥିବା ପ୍ରକାଶ ।

ଉଲ୍ଲେଖନୀୟ ଯେ , କିଛିଦିନ ତଳେ ବଲାଙ୍ଗୀର ସିଏସଓ  ଜଣେ ମିଲର ଠାରୁ ଅଫିସ୍ ଭିତରେ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ ।  ଏହାପରେ କଳାହାଣ୍ଡି ଓ କୋରାପୁଟ ଆଦି ଜିଲ୍ଲାରେ ଭିଜିଲାନ୍ସର କେବେ ଆଖି ପଡିବ ବୋଲି ଚର୍ଚ୍ଚା ହେଉଛି ।

Leave a Reply

Your email address will not be published. Required fields are marked *

Related Post