ନୂତନ ଏସ୍ ପି ଙ୍କ ଦକ୍ଷତା ପ୍ରଶଂସନୀୟ !
ସୋନପୁର : ଏବେ ନୁହେଁ , ଗତ କିଛିବର୍ଷ ହେଲା ସୋନପୁର ବାଟଦେଇ ବୌଦ୍ଧ ଓ କନ୍ଧମାଳରୁ ମଧ୍ୟପ୍ରଦେଶ , ବିହାର , ଝାଡ଼ଖଣ୍ଡ, ଛତିଶଗଡ, ପଶ୍ଚିମବଙ୍ଗ ଓ ଅନ୍ଯାନ୍ଯ ରାଜ୍ୟକୁ ନିୟମିତ ଭାବରେ ଆନ୍ତଃରାଜ୍ୟ ଗଞ୍ଜେଇ ଚୋରାଚାଲାଣ ଅବ୍ୟାହତ ରହିଛି । ଏହାକୁ ନେଇ ନରହତ୍ୟା ଓ ପୁଲିସ୍ ର ସମ୍ପୃକ୍ତି ଭଳି ଅତୀତରେ ଗୁରୁତର ଅପରାଧ ସଂଘଟିତ ହୋଇଛି । ଗତବର୍ଷ ବଲାଙ୍ଗୀର ରେଳଷ୍ଟେସନ୍ ଅଞ୍ଚଳର ଏକ ଲଜ୍ ରେ ସୋନପୁରର ଜଣେ ପୁଲିସ କନେଷ୍ଟବଳଙ୍କୁ ଶୌଚାଳୟ ଭିତରେ ମୁହଁରେ ଟେପ୍ ଲଗାଇ ଗୋଡହାତ ବାନ୍ଧି ହତ୍ୟାକାଣ୍ଡ,ପୁଇଁତଳା ଥାନାନ୍ତର୍ଗତ ବୁବେଲ୍ ନିକଟରେ ବୌଦ୍ଧ ଅଞ୍ଚଳର ଜଣେ ବିବାହିତା ମହିଳାଙ୍କୁ ହତ୍ୟା , ବଲାଙ୍ଗୀରରେ ରାଜ୍ୟ ବାହାରର ଜଣେ ଯୁବକ ଓ ଯୁବତୀଙ୍କୁ ବାହାର ରାଜ୍ୟର ଅପରାଧୀମାନେ ଆସି ଗଳାକାଟି ହତ୍ୟାକାଣ୍ଡ ଓ ଏହାପୂର୍ବରୁ ପୂର୍ବତନ ସୁବର୍ଣ୍ଣପୁର ଏସ୍ ପିଙ୍କ ଅର୍ଡର୍ଲି ଥିବା ଜଣେ ଗୃହରକ୍ଷୀଙ୍କ ଉତ୍ପାତ , ଜଣେ ମହିଳାପୁଲିସଙ୍କର ସ୍କୁଟି ଜବତ ଓ ତା’ ପୂର୍ବରୁ ତରଭା ଥାନାର ଜଣେ ଗୃହରକ୍ଷୀ ଧରାପଡିବା ଓ କିଛିବର୍ଷ ପୂର୍ବରୁ ତରଭା ଥାନାର ଜଣେ ପୂର୍ବତନ ଥାନାଧିକାରୀଙ୍କ ସମ୍ପୃକ୍ତି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଇତ୍ୟାଦି ଘଟଣାମାନ ଘଟିସାରିଛି । ଗୁରୁତର ବିଷୟ ଯେ , ଲଗାତାର ଭାବେ ଏହି ଆନ୍ତଃରାଜ୍ୟ ଗଞ୍ଜେଇ ଚୋରାଚାଲାଣରେ ଆସାମୀଙ୍କୁ ଛାଡିଦିଆଯିବା ଓ ସେଭଳି ମାମଲାର ଅଭିଯୁକ୍ତଙ୍କୁ ଅଦାଲତରେ ସାକ୍ଷୀ କରାଯିବା ଇତ୍ୟାଦି ଅଭିଯୋଗ ରହିଆସିଛି । ପ୍ରାୟ ପ୍ରତିମାସରେ ସୋନପୁର ଦେଇ ଟ୍ରକ୍ ଓ ଯାନବାହନରେ ଗଞ୍ଜେଇ ଚୋରାଚାଲାଣ ଏକ ନିୟମିତ ବ୍ୟାପାରରେ ପରିଣତ ହୋଇଛି । ଆହୁରି ବି ଏହାର ଧରପଗଡ ଦାୟିତ୍ବରେ ରହୁଥିବା ପୁଲିସ ବା ଅବକାରୀ ସ୍କ୍ୱାର୍ଡ ବିରୁଦ୍ଧରେ ବିଭିନ୍ନ ସମୟରେ ବହୁକଥା ଉଠିଛି ।
ଅବକାରୀ ଓ ପୁଲିସର ସକ୍ରିୟତାରେ ଏହାକୁ ରୋକିହେବ
ତେବେ ଏବେ ଜିଲ୍ଲାରେ ନୂତନ ଯୁବ ଏସ୍ ପି ଶ୍ରୀ ନାରାୟଣ ନାଏକ ଯୋଗଦେବା ପରେ ତାଙ୍କ ବିଚକ୍ଷଣ ନେତୃତ୍ବରେ ଏହି ଧରପଗଡକୁ ଯୋରଦାର କରାଯାଇଛି । ଫଳରେ ଗତ ୧ ତାରିଖରେ ତଳେ ତାଙ୍କ ସୂଚନାକ୍ରମେ ତରଭା ପୁଲିସ ବୌଦ୍ଧ କଣ୍ଟାମାଳ ପଟୁ ଦ୍ରୁତଗତିରେ ଆସୁଥିବା ଏକ ନମ୍ବରବିହୀନ ପିକଅପ୍ ଭ୍ୟାନ୍ କୁ ବିପଦପୂର୍ଣ୍ଣ ଭାବେ ଗୋଡାଇ ଧରିଥିଲେ । ସେଥିରେ ୨୫ ଟି ବସ୍ତାରେ ଥିବା ୬ କ୍ବିଣ୍ଟାଲ୍ ୧୫ କିଗ୍ରା ଗଞ୍ଜେଇ ଜବତ କରାଯାଇଛି । ଯାହାର ମୂଲ୍ଯ ପ୍ରାୟ ୧ କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେବ ବୋଲି କୁହାଯାଇଛି । ତେବେ ଏହାର ଚାଲାଣକାରୀମାନେ ମୌକାର ଫାଇଦା ନେଇ ଫେରାର ହେବାରେ ସଫଳ ହୋଇଛନ୍ତି । ସେମାନଙ୍କୁ ଧରାଯିବାକୁ ପୁଲିସ ତନାଘନା ତଦନ୍ତ ଚଳାଇଛି । ଏହାର କିଛିଦିନ ପୂର୍ବରୁ ସୋନପୁର ବୁଢ଼ାରଜା ଛକଠାରେ ଅବକାରୀ ବିଭାଗ ମଧ୍ଯ ୫୦ କିଗ୍ରା ଗଞ୍ଜେଇ ବୌଦ୍ଧରୁ ପଶ୍ଚିମବଙ୍ଗକୁ ଏକ ନମ୍ବରବିହୀନ ଆମ୍ବୁଲାନ୍ସ ଗାଡିରେ ଚୋରାଚାଲାଣ ହେଉଥିବା ବେଳେ ଧରିବା ସହ ୨ ଜଣଙ୍କୁ ଗିରଫ କରିଛନ୍ତି ।

ସୁବର୍ଣ୍ଣପୁର ଏସ୍ ପି ଶ୍ରୀ ନାଏକ ଏକ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହାର ବିବରଣୀ ପ୍ରଦାନ କରିବା ସହ ତାଙ୍କର ଏଠାରେ ଯୋଗଦେବା ପରେ ଅନ୍ଯାନ୍ଯ ଅପରାଧର ସମୁଚିତ ତଦନ୍ତ ଓ ଏଭଳି ଗଞ୍ଜେଇ ଚୋରାଚାଲାଣ ଘଟଣାରେ ଅଦ୍ୟାବଧି ୩ ଟି ମାମଲାର ପାଇଲଟ୍ ଗାଡିକୁ ମଧ୍ଯ ଧରାଯାଇଥିବା ସହ ‘ଜିରୋ ଟଲରାନ୍ସ ନୀତି’ ଅବଲମ୍ବନ କରାଯାଉଥିବା ନେଇ ସୂଚନା ଦେଇଛନ୍ତି । ଏହି ଘଟଣାରେ ପୁଲିସ ଉକ୍ତ ଗାଡିର ଡ୍ରାଇଭର ଓ ଚୋରାଚାଲାଣକାରୀଙ୍କୁ ଜାଣିଶୁଣି ଛାଡିଦେଇଥିବା ସମ୍ପର୍କୀୟ ସାମ୍ବାଦିକମାନଙ୍କର ଭିନ୍ନ ଶଙ୍କା ଓ ସନ୍ଦେହର ଉତ୍ତରରେ ସେ ପ୍ରକାଶ କରିଛନ୍ତି ଯେ , ପୁଲିସ କଦାପି କୌଣସି ଅପରାଧୀଙ୍କୁ ଛାଡିଦିଏନାହିଁ । ପୁଲିସ ଏହାର ସବୁଦିଗକୁ ନେଇ ତଦନ୍ତ କରୁଛି। ସେଭଳି କିଛି ସୂଚନା ମିଳିଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ‘
ନୂତନ ଏସ୍ ପିଙ୍କ ଏଭଳି କାର୍ଯ୍ୟାନୁଷ୍ଠାନ ଫଳରେ ଚୋରାଚାଲାଣକାରୀଙ୍କ ମଧ୍ଯରେ କୋକୁଆଭୟ ସୃଷ୍ଟି ହୋଇଥିବା ଚର୍ଚ୍ଚା ହେଉଛି ।