ମହାଜନୀ ସୁଧଟଙ୍କାରେ କପାଚାଷ
ସ୍ପିନିଂମିଲ୍ ବୁଡିଗଲା : ଜିନିଂମିଲ୍ ବୁଡିବା ଉପରେ
ବଲାଙ୍ଗୀର : ଏକଦା ଅବିଭକ୍ତ ବଲାଙ୍ଗୀର ଜିଲ୍ଲାର ସୋନପୁର ଓ ବୌଦ୍ଧ ଆଦି ଜିଲ୍ଲାରେ ମାତ୍ର ୫ ହେକ୍ଟରରୁ ଆରମ୍ଭ ହୋଇଥିବା କପାଚାଷ ଆଜି କେବଳ ବଲାଙ୍ଗୀର ଜିଲ୍ଲାରେ ୭୦.୯୭୩ ହେକ୍ଟରରେ ପହଞ୍ଚିଛି । ଏଥିପାଇଁ କେବଳ ବଲାଙ୍ଗୀର ଜିଲ୍ଲାରେ ହଜାରେ କୋଟି ଟଙ୍କାର ବିହନ , ସାର ଓ କିଣାବିକା ବ୍ୟବସାୟ ହେଉଥିବା ପ୍ରକାଶ । ଏହି ଅର୍ଥଙ୍କରୀ ବିକଳ୍ପ ଫସଲର ଚାଷରେ ଏକର ପିଛା ୩୦ ରୁ ୩୨ ହଜାର ଟଙ୍କା ଖର୍ଚ୍ଚ ହେଉଥିବା ଖର୍ଚ୍ଚ ହୋଇଥାଏ । ଏଥିପାଇଁ ସରକାରୀ ନିର୍ଦ୍ଧାରିତ ୭୦୨୦ ଏମ ଏସ ପି ରେ ବିକି ଚାଷୀଙ୍କୁ ପ୍ରାୟ ୫୦ ପ୍ରତିଶତ ଲାଭ ମିଳୁଥିବାରୁ ଏହାକୁ ଧଳାସୁନା ବୋଲି ଅଭିହିତ କରାଯାଇଛି ।
ଏହି ଚାଷକୁ ଚାଷୀମାନେ ଲାଭଜନକ ହେଉଥିବାରୁ ବେଶି ପସନ୍ଦ କରୁଛନ୍ତି । କେବଳ ବଲାଙ୍ଗୀର ଜିଲ୍ଲା ନୁହେଁ , ଏବେ ବଲାଙ୍ଗୀର , କଳାହାଣ୍ଡି , ନୂଆପଡା , ସୋନପୁର ଓ ବୌଦ୍ଧ ଆଦି ଜିଲ୍ଲାରେ ବାର୍ଷିକ ୫ ଲକ୍ଷରୁ ଉର୍ଦ୍ଧ୍ବ ଟନ୍ କପା ଉତ୍ପାଦନ ହେଉଥିବା ବେଳେ ତଥାପି ଏହା ଯଥେଷ୍ଟ ନ ହେବାରୁ ପ୍ରତିବର୍ଷ ଏସବୁ କେବିକେ ଜିଲ୍ଲା ବା ପଶ୍ଚିମ ଓଡିଶାରୁ ଲକ୍ଷ ଲକ୍ଷ ଲୋକ ଦାଦନଶ୍ରମିକ ଭାବରେ ବାହାର ରାଜ୍ୟକୁ ଯାଉଥିବା ଥମିନାହିଁ । କିଛିବର୍ଷ ହେଲା , ସି ସି ଆଇ ବା ଭାରତ ସରକାରଙ୍କ କେନ୍ଦ୍ରୀୟ କପା ନିଗମ ବିଭିନ୍ନ ସ୍ଥାନରେ ମଣ୍ଡି ଜରିଆରେ ଚାଷୀଙ୍କ ଠାରୁ କପା କିଣୁଥିଲେ ହେଁ , ଏଥିରେ ବିଭିନ୍ନ ପ୍ରକାରର ଅବ୍ୟବସ୍ଥା , ଦଲାଲି , ପାଉଣା ପ୍ରଦାନ ଓ ପାଉଣା ହଡପ ଅଭିଯୋଗ ଇତ୍ୟାଦି ଯୋଗୁଁ ଚାଷୀ ଅଭାବୀବିକ୍ରିର ସମ୍ମୁଖୀନ ହେଉଥିବା ଅଭିଯୋଗ ମିଛ ନୁହେଁ ।
ଏବେ ବଲାଙ୍ଗୀର ଜିଲ୍ଲାରେ ୧୭ ଜିନିଂମିଲ୍ ରହିଛି । ସେଥିରୁ ଅଧିକାଂଶ ଜିନିଂମିଲ୍ ର ସ୍ଥିତି ଭଲ ନାହିଁ । କିଛିବର୍ଷ ପୂର୍ବେ ସ୍ଥାପିତ ସୋନପୁର ସ୍ପିନିଂମିଲ୍ ଘରୋଇକରଣ ପରେ ବିପୁଳ କ୍ଷତି ନିମନ୍ତେ ବୁଡିଯାଇ ବନ୍ଦ ହୋଇଯାଇଛି । ଏଣୁ ଏହି ଅଞ୍ଚଳରେ ଏକ ବୟନ ଶିଳ୍ପ କାରଖାନା ବା ଟେକ୍ସଟାଇଲ ମିଲ୍ ର ଆବଶ୍ୟକତା ରହିଥିଲେ ହେଁ , ଏଥିପାଇଁ ସମ୍ଭବତଃ ବର୍ଷଯାକ କପା ବା କଞ୍ଚାମାଲ ଯୋଗାଣ ଯଥେଷ୍ଟ ହୋଇପାରି ନଥିବାରୁ ଏ ଦିଗରେ ଉଦ୍ୟମ ହେଉନାହିଁ । ସେହିପରି କପା ମଞ୍ଜିରୁ ତେଲ ବାହାର କରିବାକୁ କାରଖାନା ସ୍ଥାପନ କରାଯିବା ପ୍ରତି କେହି ଉଦ୍ୟମ କରୁ ନାହାଁନ୍ତି । କିଛିବର୍ଷ ତଳେ ବଲାଙ୍ଗୀରର ଅମ୍ବିକା ତିଲ୍ ଅଏଲ୍ ନାମରେ ଏକ କପାମିଲ୍ ମାଲିକ ଉଦ୍ୟମ କରିଥିଲେ , ଯାହାକି ବନ୍ଦ ହୋଇ ଯାଇଛି ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଯେ କପା କିଣାବିକା କ୍ଷେତ୍ରରେ ଚାଷୀ ମଣ୍ଡି ବା ମିଲ୍ କୁ ଆଣିବାରେ ସବୁବେଳେ ସମର୍ଥ ହୋଇପାରୁ ନଥିବାରୁ ଓ କମ୍ ପରିମାଣର କପା ପାଇଁ ପରିବହନାଦି ଗାଡିଖର୍ଚ୍ଚ ବହନ କରି ନପାରି ବାଧ୍ୟହୋଇ ଗାଁ ଗାଁ ରେ ବେପାରୀଙ୍କ ହାତରେ କମ୍ ଦରରେ ତାର ଏହି କଷ୍ଟାର୍ଜିତ ଖର୍ଚ୍ଚବହୁଳ ଫସଲକୁ ଟେକି ଦେଉଛି । ଏଥିରେ ଓଜନ , ଦର ଓ ପାଉଣା ପାଇବାରେ ଅହେତୁକ ବିଳମ୍ବ ଇତ୍ୟାଦି ଠକେଇର ସମ୍ଭାବନା ରହିଛି ।
ସବୁଠାରୁ ବଡ ଅସୁବିଧାଟି ହେଲା , ଏହି ଖର୍ଚ୍ଚବହୁଳ ଚାଷ ପାଇଁ ଟଙ୍କାର ଅଭାବ । କପାଚାଷ ପାଇଁ ସରକାର କିମ୍ବା ବ୍ୟାଙ୍କ ଋଣ ଦେଉ ନଥିବାରୁ ଚାଷୀ ବାଧ୍ୟହୋଇ ମହାଜନ ଠାରୁ ଚଢାସୁଧରେ ଟଙ୍କା ନେଇ ଚାଷ କରିଆସୁଛି । ଏଥିରେ ନକଲିବିହନର ସନ୍ଦେହକୁ ଏଡାଇବାକୁ ବିଭିନ୍ନ କମ୍ପାନୀର ପ୍ରଚାର ପ୍ରଲୋଭନ , ଅଧିକ ଦାମ୍ ଦେଇ ନିଷିଦ୍ଧ ବିଷାକ୍ତ ବିଟି କଟନ୍ ବିହନ କିଣିବା ଓ ସାର , ଔଷଧ ଆଦିରେ ଶୋଷଣର ଶିକାର ହେବା ଜାରୀ ରହିଛି । ସେହିପରି କ୍ଷତିଗ୍ରସ୍ତ ହୋଇ ଚାଷୀ ଆତ୍ମହତ୍ୟା କରୁଥିବା ଅଘଟଣ ଥମିନାହିଁ । କିଛିବର୍ଷ ତଳର ପାଟଣାଗଡ ଅଞ୍ଚଳର ବାଙ୍କିବାହାଲ କପାବେପାରୀ ଠାରୁ ଋଣନେଇ ସୁଝି ନପାରି କପାକ୍ଷେତରେ ଗଙ୍ଗାରାମ୍ କପାଚାଷୀ ଆତ୍ମହତ୍ୟା ଠାରୁ ଗତବର୍ଷର ଏକାଧିକ କପାଚାଷୀ ଆତ୍ମହତ୍ୟା ଅଭିଯୋଗକୁ ଚପାଇ ଦିଆଯାଇ ଆସୁଛି ।
ଏଥିପାଇଁ ଅଠାରୀ ବା ଆଠଦିନିଆ ସୁଧରେ ଚଢାଦରର ସୁଧ କାରବାର ଚଳାଇଥିବା ବାହାରରାଜ୍ୟ ତେଲୁଗୁ ଅଞ୍ଚଳର ମହାଜନମାନେ ଆସି ଘାର୍ଗୁଲି ଓ ଅନ୍ୟାନ୍ୟ ଗ୍ରାମାଞ୍ଚଳରେ ବସବାସ କରି ରହିଗଲେଣି । ଏତଦ୍ ବ୍ୟତୀତ ବିଗତବର୍ଷ ଝାରସୁଗୁଡାର ଜଣେ କପାମିଲ୍ ମାଲିକଙ୍କୁ ବଲାଙ୍ଗୀର କଣ୍ଟାବାଞ୍ଜିର ଜଣେ ମିଲ୍ ମାଲିକ ଦ୍ବାରା ଅପହରଣ , ଗତବର୍ଷ ବେଲପଡା ଥାନାରେ କପା ଚାଷୀଙ୍କୁ ଲକ୍ଷାଧିକ ଟଙ୍କାର ପାଉଣା ବାକି ରଖି ଦେଉ ନଥିବା ଅଭିଯୋଗ ମାମଲାର ସମାଧାନ ଓ ଅନ୍ୟାନ୍ୟ ସ୍ଥାନରେ ବିଭିନ୍ନ ଠକରେ ମାମଲାକୁ ଚାପି ଦିଆଯାଇଥିବା ଇତ୍ୟାଦି ଘଟଣା ଘଟିଆସିଛି । ଏପରିକି କିଛିବର୍ଷ ତଳେ କପାର ଦରବୃଦ୍ଧି ଦାବି କରି ମାଓବାଦୀମାନଙ୍କ ପକ୍ଷରୁ ପୋଷ୍ଟର ଲଗାଯାଇଥିଲା । ତଥାପି ଅଞ୍ଚଳର ଉତ୍ପାଦିତ କପାର ସୂତାର ଲମ୍ବ କମ୍ ବା ନିକୃଷ୍ଟ ଦର୍ଶାଯାଇ ଚାଷୀଙ୍କୁ ଶୋଷଣ ଥମିନାହିଁ ।
ଏହି ଧଳାସୁନାର ଚାଷ ଓ ବିକ୍ରିବଟା ଇତ୍ୟାଦି ସକାଶେ ସରକାର ଓ କୃଷି ବିଭାଗ ଆଦୌ ଦୃଷ୍ଟି ଦେଉ ନଥିବାର ଅଭିଯୋଗ ହୋଇଆସୁଛି । ଏଥିପାଇଁ ବଲାଙ୍ଗୀର କୃଷି ବିଭାଗରେ ଜଣେ କପା ବିଷୟବସ୍ତୁ ବିଶେଷଜ୍ଞ ଅବସ୍ଥାପିତ ରହିଥିଲେ ହେଁ , ସେ ବିଭିନ୍ନ କମ୍ପାନୀ ସହ ସଲାସୁତୁରାରେ ଲାଭବାନ୍ ହେଉଥିବା ଅଭିଯୋଗର ଚର୍ଚ୍ଚା ହେଉଛି । ଏଣୁ ଜିଲ୍ଲାର ନୂଆ କୃଷିମନ୍ତ୍ରୀ ତଥା ଉପ- ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓଙ୍କର ଏଥିପ୍ରତି ଦୃଷ୍ଟି ଆକର୍ଷଣ କରାଯାଉଛି ।