ମାସ୍ ଇଥାନଲ୍ କାରଖାନାର ପ୍ରଦୂଷଣ
ତରଭା : ସୁବର୍ଣ୍ଣପୁର ଜିଲ୍ଲାର ତରଭା ବ୍ଲକ୍ ଅନ୍ତର୍ଗତ ପାଣିମୋରା ଗ୍ରାମରେ ଦିଲ୍ଲୀର ଜଣେ ଅଣଓଡିଆ ବ୍ୟବସାୟୀ ଅନୀଲ୍ କାନୋଡିଆଙ୍କର ‘ ମାସ୍ ସ୍ପିରିଟ୍ ‘ ବା ‘ ମାସ୍ ବାଇଓ ଫୁଏଲ୍ ପ୍ରା. ଲିଃ ‘ ନାମକ ଏକ ଇଥାନଲ କାରଖାନାର କୌଣସି ସରକାରଙ୍କ ନିୟମ ପ୍ରତି ଭ୍ରୂକ୍ଷେପ ନଥିବା ଅଭିଯୋଗ ପ୍ରକାଶ ପାଇଆସୁଛି । ଗତ ୨୦୨୨ ଓ ୨୦୨୪ ରେ ପୂର୍ବତନ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଉଦ୍ଘାଟିତ ଏହି ପ୍ରାଇଭେଟ୍ ଲିଃ ଅର୍ଥାତ୍ ଘରୋଇ କାରଖାନାଟିର ଦୁଇଟି ଫଳକରେ ରାଜ୍ୟ ସରକାରଙ୍କ ଅଶୋକସ୍ତମ୍ଭର ଚିହ୍ନ ରହିଥିବାରୁ ଲୋକେ ଏହାକୁ ଏକ ସରକାରୀ କାରଖାନା ବୋଲି ଭାବନ୍ତି । ବୋଧହୁଏ, ଜାଣିଶୁଣି ଏଭଳି ବିଭ୍ରାନ୍ତି ସୃଷ୍ଟି କରାଯାଇ ଏଠାରେ ଚାଲିଥିବା ଯାବତୀୟ ବେନିୟମ ଓ ଅନିୟମିତତାକୁ ଘଣ୍ଟ ଘୋଡାଯାଇ ଆସୁଛି ! ଏହି ଅଞ୍ଚଳରେ ଅଦ୍ୟାବଧି ପାଞ୍ଚ ଥର ବିଧାୟକ ଥିବା ନିରଞ୍ଜନ ପୂଜାରୀ ଓ କ୍ରମାଗତ ଦୁଇଜଣ ମହିଳା ଜିଲ୍ଲାପାଳ ନରବଣେ ଓ ସଂପ୍ରତି ଥିବା ଅନ୍ଯା ଦାସଙ୍କ ନାମ ଏହି ଫଳକରେ ରହିଛି । ଏଇମାନଙ୍କ ଛତ୍ରଛାୟା ତଳେ ରହି କାରଖାନାରେ ବିଭିନ୍ନ ନିୟମର ଉଲଙ୍ଘନ ହୋଇଆସୁଥିବା ଲୋକେ ଅଭିଯୋଗ ପ୍ରକାଶ କରି ଆସୁଛନ୍ତି ।
ଏହି କାରଖାନାରେ ଆଦୌ ପ୍ରଦୂଷଣ ନିୟନ୍ତ୍ରଣ ନାହିଁ । ପାଣିମୋରା ସମେତ ଆଖପାଖ କେତେଖଣ୍ଡ ଗ୍ରାମରେ ପ୍ରବଳ ଅସହ୍ଯ ଦୁର୍ଗନ୍ଧ ଯୋଗୁଁ ଗ୍ରାମବାସୀମାନେ ଅତିଷ୍ଠ ହୋଇ ଗଲେଣି । ବର୍ଷ ବର୍ଷ ଧରି ଏଇ ଦୁର୍ଗନ୍ଧ ଯୋଗୁଁ ସେମାନେ ରୋଗାକ୍ରାନ୍ତ ହେଉଛନ୍ତି । ସଦ୍ୟତମ ଘଟଣା ସ୍ବରୂପ , କିଛିଦିନ ତଳେ ଏକ ପାଖ ଗାଁ’ର ଲୋକେ ସେମାନଙ୍କ ଗାଁ’ ଲୋକଙ୍କର ପାଣି ପାଇଁ ନିର୍ଭର କରୁଥିବା ନାଳାରେ କାରଖାନାର ନିଷ୍କାସିତ ଦୂଷିତ ଜଳ ଛାଡୁଥିବା ପ୍ରତିବାଦରେ ବାରମ୍ବାର କହି କହି ନ ଶୁଣିବାରୁ ବାଧ୍ଯ ହୋଇ ସଂଘବଦ୍ଧ ହୋଇ ଆସି କାରଖାନାର ଗାଡିମଟର ଭଙ୍ଗାରୁଜା କରି ପକାଇଥିଲେ । ଯାହାକୁ ସ୍ଥାନୀୟ ତରଭା ଥାନା ବନାମ ସୁବର୍ଣ୍ଣପୁର ଜିଲ୍ଲା ପୁଲିସ ତଦନ୍ତ ଆଳରେ ଭିନ୍ନ ପରିସ୍ଥିତି ଦର୍ଶାଇ କାରଖାନା କର୍ତ୍ତୃପକ୍ଷଙ୍କ ଠାରୁ ହାତଚିକ୍କଣ କରି ଗ୍ରାମବାସୀମାନଙ୍କ ବିରୋଧରେ ଦମନମୂଳକ କାର୍ଯ୍ୟାନୁଷ୍ଠାନ ସ୍ବରୂପ କେତେକଙ୍କୁ ଗିରଫ କରି କୋର୍ଟଚାଲାଣ ପୂର୍ବକ ଜେଲ୍ ପଠାଇ ଦେଇଥିବା ପ୍ରକାଶ । ଏହି ଘଟଣା ପରେ ଆଉ ସ୍ଥାନୀୟ ଶ୍ରମିକ ନମିଳିବାରୁ କାରଖାନା କର୍ତ୍ତୃପକ୍ଷ ଦିଲ୍ଲୀ ଓ ବାହାରୁ ଲୋକ ଆଣି କିଛିଦିନ କାରଖାନା ବନ୍ଦ ରଖିବା ପରେ ଚଳାଉଥିବା ଦେଖାଯାଇଛି ।
ଅନିୟମିତତାକୁ ଘଣ୍ଟ ଘୋଡାଇ ଆସୁଛନ୍ତି
ତେବେ ଏଇ କାରଖାନା ଉପରେ ସ୍ଥାନୀୟ ଗ୍ରାମବାସୀମାନଙ୍କର ଏହା ପ୍ରଥମ ଆକ୍ରମଣ ବା ପୁଞ୍ଜିଭୂତ ଅସନ୍ତୋଷ ପ୍ରକାଶ ଘଟଣା ନୁହେଁ । କିଛିମାସ ପୂର୍ବେ ପାଖ ଗାଁ’ର ଜଣେ ଶ୍ରମିକ ମେସିନରେ ଖଣ୍ଡବିଖଣ୍ଡିତ ହୋଇ ମର୍ମନ୍ତୁଦ ଭାବେ ମୃତ୍ୟୁବରଣ କରିବା ଘଟଣାରେ ମଧ୍ଯ କାରଖାନାର କର୍ମଚାରୀଙ୍କୁ ଗ୍ରାମବାସୀଙ୍କର ନିସ୍ତୁକ ମାଡ ଓ ଭଙ୍ଗାରୁଜା ସହ ମୁତୟନ ପୁଲିସ ଅଧିକାରୀଙ୍କୁ ଠେଲାପେଲା କରାଯାଇଥିଲା । ଏହି ମୃତଶ୍ରମିକଙ୍କ ପରିବାରକୁ କାରଖାନା କର୍ତ୍ତୃପକ୍ଷ ୨୫ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିଥିଲେ । ତଥାପି ଆଣ୍ଠୁଏ ବହଳର ଧୂଳିମଳି ଓ ଅସୁରକ୍ଷିତ ଭାବରେ ସେଠାରେ କାମ କରୁଥିବା ଉଭୟ ମହିଳା ଓ ପୁରୁଷ ଶ୍ରମିକଙ୍କ ପାଇଁ ବର୍ଷ ବର୍ଷ ଧରି ସୁରକ୍ଷାର ବନ୍ଦୋବସ୍ତ ହେଉ ନଥିବା ଜଣାଯାଏ । ଫଳରେ ଆଖପାଖ ଅଞ୍ଚଳର ଶ୍ରମିକମାନେ ଆସୁଥିବା ଓ ବଲାଙ୍ଗୀରରୁ ପ୍ରତିଦିନ କର୍ମଚାରୀଙ୍କ ସମେତ କେତେକ ଶ୍ରମିକଙ୍କୁ ବସ୍ ରେ ଆଣି କାମ ଚଳାଯାଉଥିବା ଦେଖାଯାଇଛି ।
ଆହୁରି ବି ଏହି ଇଥାନଲ୍ ପ୍ରସ୍ତୁତ ନିମନ୍ତେ ମକା , ଗହମ ଇତ୍ୟାଦିକୁ ପଚାଇବାରେ ୟୁରିଆ ସାରର ଆବଶ୍ୟକତା ପାଇଁ ଆଖପାଖ ଅଞ୍ଚଳର ସରକାରୀ ସାର ଡିଲରମାନଙ୍କ ଠାରୁ କଳାବଜାରରେ କାରଖାନା କର୍ତ୍ତୃପକ୍ଷ ଚାଷୀମାନଙ୍କ ପାଇଁ ସରକାର ଯୋଗାଉଥିବା ସାର ଚଢାଦରରେ କିଣି ନେଉଥିବା ପ୍ରକାଶ ।
ଏହି କାରଖାନାରେ ବିଭିନ୍ନ ଅନିୟମିତତାର ଅଭିଯୋଗକୁ ଚପାଇବାକୁ କାରଖାନାକର୍ତ୍ତୃପକ୍ଷ ପ୍ରଶାସନିକ ଅଧିକାରୀ , ପୁଲିସ ଓ ରାଜନେତାଙ୍କୁ ପୁଳା ପୁଳା ଟଙ୍କାରେ ବଶୀଭୂତ କରି ରଖି ଶ୍ରମିକ ଶୋଷଣ କରିଚାଲିଥିବା ସହ ଉପରୋକ୍ତ ନିୟମ ଉଲଂଘନ ଅଭିଯୋଗର ତଦନ୍ତ କରିବ କିଏ ? ଗଣମାଧ୍ୟମର ଅଭିଯୋଗ ପ୍ରତି ସରକାର ଆଖିବୁଜି ଦେଉଥିବା କ୍ଷୋଭର ବିଷୟ !