ଦୁର୍ନୀତି

ସୁବର୍ଣ୍ଣପୁର ଜିଲ୍ଲାରେ ଛତୁଆ କେଳେଙ୍କାରୀ

Email :

ସୋନପୁର : ସୁବର୍ଣ୍ଣପୁର ଜିଲ୍ଲାର ଶିଶୁ ବିକାଶ ପ୍ରକଳ୍ପ ବନାମ ଅଙ୍ଗନବାଡିର ଗର୍ଭବତୀ,ପ୍ରସୂତୀ ଓ ଶିଶୁଙ୍କ ପୁଷ୍ଟିକର ଖାଦ୍ୟ ଛତୁଆ , ଲଡୁ ଓ ଅଣ୍ଡାରୁ ନିୟମିତ ତଳୁ ଉପର ପର୍ଯ୍ୟନ୍ତ ବଟି ଲୁଣ୍ଠନ ଅବ୍ୟାହତ ରହିଛି । ଗତ ୨୪ ବର୍ଷର ବିଜେଡି ସରକାର ସମେତ ଚଳିତ ସରକାର ପର୍ଯ୍ୟନ୍ତ ଏହି ଅମାନବୀୟ ସରକାରୀ ଲୁଣ୍ଠନ ଧାରା ବଜାୟ ରହିଛି । ବରଂ ସ୍ବଚ୍ଛ ଓ ବିକଶିତ ଓଡିଶାର ପ୍ରତିଶ୍ରୁତି ଦେଇ ଆସିଥିବା ଏହି ଡବଲ୍ ଇଞ୍ଜିନ୍ ସରକାରରେ ଏପରି ବଟି ଆଦାୟ କିପରି ନିରଙ୍କୁଶ ହୋଇପଡିଛି , କିଛିଦିନ ତଳର ଗଣମାଧ୍ୟମରେ ପ୍ରକାଶିତ ପଶ୍ଚିମଓଡିଶାର କେନ୍ଦ୍ର ସ୍ତରର ଜଣେ ତୁଙ୍ଗ ନିର୍ବାଚିତା ରାଜନେତ୍ରୀଙ୍କ ନୋମିନୀ ବା ଦଲାଲ ଲଗାଇ ସିଧା ଦରବାରକୁ ଡକାଇ ନେଇ ଗୋଟିଏ ମାସର ବିଲ୍ ଅସୁଲି ଘଟଣାରୁ ପ୍ରମାଣିତ । ଏହାର ପରିମାଣ ୨ /୩ ଲକ୍ଷରୁ ୧୫ ଲକ୍ଷ ଟଙ୍କାର ବୋଲି ଶୁଣାଯାଇଥିଲା । ଓଲଟି ଏହାର ଅନୁକରଣରେ ନିର୍ବାଚିତା ବିଭାଗୀୟା ରାଜ୍ଯ ଶୀର୍ଷ ପ୍ରତିନିଧିଙ୍କ ଦ୍ବାରା ଏଜେଣ୍ଟ ଜରିଆରେ ବଟିଆଦାୟ କରାଯିବାର ଚର୍ଚ୍ଚା ହୋଇଥିଲା । ଲୋକେ ଓ ସରକାର ସବୁ ଜାଣିଲେ । ଏହି ଆଦାୟକୁ ‘ପୂର୍ବ ସରକାର ଅମଳର ପାପକୁ ଗଙ୍ଗାରେ ଧ୍ରଆଗଲା ‘ ବୋଲି କୁହାଗଲା । ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ଆସନ ଅଳଂକୃତ କରିଥିବା ଜଣେ ଡ. ପ୍ରତିନିଧିଙ୍କର ଏପରି ନିର୍ଲଜ ମନ୍ତବ୍ଯ ଶୁଣିବାକୁ ମିଳିଥିଲା । ଏହି ଅଭିଯୋଗର ତଦନ୍ତ ସୁଦ୍ଧା ହେଲାନାହିଁ ! ଫଳତଃ ଏହି ଶିଶୁଖାଦ୍ୟ ଛତୁଆଦୁର୍ନୀତି ଅଧିକ ବୃଦ୍ଧି ପାଇଛି ।

ଯଦିଓ ଅଙ୍ଗନବାଡିର ଏହି ଶିଶୁଖାଦ୍ୟର ବିଭଗୀୟ , ପ୍ରଶାସନିକ ଓ ରାଜନୈତିକ ସରକାରୀ ବାଟମାରଣା ଆରମ୍ଭରୁ ଚାଲିଆସି ଏକ ବଟିପରମ୍ପରାରେ ପରିଣତ ହୋଇଥିବା ଅଭିଯୋଗ ଆଦୌ ନିରାଧାର ନୁହେଁ । ବଖାଣିଲେ ଇତିହାସର ପୃଷ୍ଠା ପୃଥୁଳ ହେବ ।

ଶିଶୁଙ୍କ ପେଟରୁ କାଟି ଖାଉଛନ୍ତି ରାଜନେତ୍ରୀ , ପ୍ରଶାସିକା , ଅଧିକାରୀ

ସ୍ବୟଂ ସହାୟିକା ଗୋଷ୍ଠୀ ଓ ସେମାନଙ୍କ ପଛର ସ୍ବାମୀ -ଭାଇ – ବାପ – ଶାଶୁଶଶୁର -ଗ୍ରାମ୍ୟ ଟାଉଟର -କୁଜିନେତା – ବେପାରୀ ଓ ସରପଞ୍ଚ ପ୍ରମୁଖ , ଶିଶୁ ବିକାଶ ପ୍ରକଳ୍ପର ସୁପରଭାଇଜର , ସିଡିପିଓ , ବ୍ଲକର ବିଡିଓ , ପଞ୍ଚାୟତ ସମିତିର ଅଧ୍ୟକ୍ଷ, ବିଧାୟକ, ଉପ- ଜିଲ୍ଲାପାଳ , ଡିଏସ୍ ଡବ୍ଲୁ ଓ , ବିଲ୍ କରୁଥିବା ଅଫିସ୍ ଷ୍ଟାଫ୍ , ଏଡିଏମ୍ ,.ଜିଲ୍ଲାପାଳ, ମନ୍ତ୍ରୀ , କ୍ଵାଲିଟି କଣ୍ଟ୍ରୋଲ ଅଧିକାରୀ , ସାମ୍ବାଦିକ, ଯାଞ୍ଚ ଅଧିକାରୀଙ୍କ ଠାରୁ ଗ୍ରାମ କମିଟି ଓ ଆହୁରି ଅନ୍ଯାନ୍ଯ କେତେକ ବଟି-ଚାନ୍ଦାଭେଦା ଆଦାୟକାରୀଙ୍କ ପର୍ଯ୍ୟନ୍ତ ଏକ ବଡ ରାକେଟ୍ ଲମ୍ବିଛି । ତେବେ ଏକ ନୂଆ ସରକାରରେ ସେ ସବୁକୁ ଟପିଗଲା ଖୋଲାଖୋଲି ମହାରାଣୀଙ୍କର ଜିଜିୟାକର ଆଦାୟ !

ଏହା ଯେ କେବଳ ସୁବର୍ଣ୍ଣପୁର ଜିଲ୍ଲାର ୬ ଟି ବ୍ଲକ୍ ର ଛତୁଆ ପ୍ରସ୍ତୁତକାରୀ ଏସ୍ ଏଚ୍ ଜି ମାନଙ୍କ ଠାରୁ କରାଯାଇଛି , ତା’ ନୁହେଁ ; ବଲାଙ୍ଗୀର ଜିଲ୍ଲାର ୧୪ ଟି ବ୍ଲକ୍ ର ପ୍ରକଳ୍ପରେ ଓ ଅନ୍ଯାନ୍ଯ ଜିଲ୍ଲାରେ ବି କରାଯାଇଛି । ସରକାର ଗଠନ ହେବାପରେ ପ୍ରଥମେ ସୁନିୟୋଜିତ ଢଙ୍ଗରେ ୭ /୮ ମାସର ବିଲ୍ ଅଟକାଇ ରଖି ଓ ନୂଆଖାଇ ପଡିବାରୁ ଜନଅସନ୍ତୋଷ ସୃଷ୍ଟି ଆଶଙ୍କାରେ ମାତ୍ର ଗୋଟିଏ ମାସର ବିଲ୍ ରିଲିଜ୍ କରି ଚେତାବନୀ ଦେଲାପରେ ନୋମିନୀ ( ଅଞ୍ଚଳର ବଛା ବଛା ଅସାମାଜିକ/ ଅସାଧୁ / ଦଳଡିଆଁ ବା ଅର୍ବାଚୀନମାନେ )ଙ୍କୁ ଲଗାଇ ଉକ୍ତ ରାଜନେତ୍ରୀଙ୍କ ଦ୍ବାରା ଏହି ବଟି ଆଦାୟ କରାଯାଇଥିଲା । ଅପରପକ୍ଷରେ ବଟି ଦେଇଥିବା ଲକ୍ଷାଧିକ ଟଙ୍କାର ଏତେ ପରିମାଣ ସେମାନେ କିପରି ଓ କେଉଁଠୁ ଭରଣା କଲେ ଏବଂ ପରବର୍ତ୍ତୀ ସମୟରେ ସେସବୁ ପ୍ରକଳ୍ପର କେନ୍ଦ୍ରର ଛତୁଆର ମାନ କିପରି ଓ ଶିଶୁଖାଦ୍ୟର ବଣ୍ଟନରେ ବ୍ୟାଘାତ ସୃଷ୍ଟି ହୋଇଥିଲା କି ନାହିଁ , ଅନୁସନ୍ଧାନ ସାପେକ୍ଷ ?

ତେବେ କେବଳ ଏଇ ରାଜନେତ୍ରୀ ନୁହଁନ୍ତି , ଏହା ସହିତ ଆରମ୍ଭରୁ ଉକ୍ତ ଛତୁଆ ଏସ୍ ଏଚ୍ ଜି ମାନଙ୍କ ଠାରୁ ନିୟମିତ ମୋଟାଅଙ୍କର ବଟି ନେଉଥିବା ବିଭାଗୀୟ ଅଧିକାରୀ , ପ୍ରଶାସିକାମାନେ ଏହାପରେ ଅଧିକ ନିରଙ୍କୁଶ ହୋଇ ବଟି ପରିମାଣ ବଢାଇ ଦେଇଛନ୍ତି । କେତେକ ସ୍ଥାନରେ ରାଜନୈତିକ ଆକ୍ରୋଶରୁ ପୁରୁଣାଙ୍କୁ କଟାଯାଇ ପ୍ରଚୁର ଉତ୍କୋଚ ନିଆଯାଇ ନୂତନ ଏସ୍ ଏଚ୍ ଜି ଙ୍କୁ ନିୟୋଜିତ କରାଯାଇଛି ଓ ସେମାନଙ୍କ ଠାରୁ ଅଧିକ ବଟି ନିର୍ଦ୍ଧାରିତ କରାଯାଇଛି । ସୁବର୍ଣ୍ଣପୁର ଜିଲ୍ଲାର ତୁଙ୍ଗ ପ୍ରଶାସିକା ଓ ବିଭଗୀୟ ଅଧିକାରିଣୀଙ୍କ ମାତ୍ରାଧକ ପିସି ପ୍ରସଙ୍ଗ ଲୋକଙ୍କ ଚର୍ଚ୍ଚାରେ ରହିଆସିଛି । ଏ ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ବିଶେଷ ତଦନ୍ତ ଜରୁରୀ ହୋଇ ପଡିଥିବା ଆଲୋଚନା ହେଉଛି ।

ତେବେ ଏଇ ଶିଶୁଖାଦ୍ୟ ପ୍ରସ୍ତୁତ କରୁଥିବା ଏସ୍ ଏଚ୍ ଜି ମାନେ ଯେ ତୁଳସୀଗଛ , ୟା’ ନୁହେଁ ; ବର୍ଷ ବର୍ଷ ଧରି ଏଗୁଡିକର ସଭାନେତ୍ରୀ , ସମ୍ପାଦିକା , ପ୍ରଭାବଶାଳୀ ସଭ୍ଯା ଓ ପଛର ବେପାରୀ ବା ପୃଷ୍ଠପୋଷକମାନେ ରାଜନୈତିକ ଓ ବିଭାଗୀୟ ସହଯୋଗରେ ଏଥିରୁ କୋଟି କୋଟି ଟଙ୍କା ଲୁଣ୍ଠନ କରି ଧନୀ ହୋଇଯାଇଛନ୍ତି । ସେମାନଙ୍କର ଏହି ଅନ୍ଯାୟୋପାର୍ଜିତ ସମ୍ପତ୍ତିର ମଧ୍ଯ ଭିଜିଲାନ୍ସ ତଦନ୍ତ ହେବା ଆବଶ୍ୟକ । ପରବର୍ତ୍ତୀ କାଳରେ ସୁବର୍ଣ୍ଣପୁର ଓ ବଲାଙ୍ଗୀର ଜିଲ୍ଲାର ଏପରି କେତେକ ପୁରାତନ ଛତୁଆୟୁନିଟ୍ କାର୍ଯ୍ୟକର୍ତ୍ତାମାନଙ୍କର ଏକ ତାଲିକା ପ୍ରକାଶ ପାଇବ ।

ସର୍ବୋପରି ଶିଶୁଖାଦ୍ୟରୁ ଏପରି ମିଳିତ ଲୁଣ୍ଠନ ମହାପାପ ବୋଲି ଜନମତରୁ ପ୍ରକାଶ । ସରକାର ଅନ୍ତତଃ ଏଇ ବିଭାଗଟି ପ୍ରତି ଦୃଷ୍ଟି ଦିଅନ୍ତୁ !

Leave a Reply

Your email address will not be published. Required fields are marked *

Related Post