ମିଲର୍ସଙ୍କ ଗୋଦାମରେ ଷ୍ଟକ୍ ଯାଞ୍ଚ
କିଏ ସାତ : କିଏ ସତର !

ସୋନପୁର : କିଛିଦିନ ହେଲା ସୁବର୍ଣ୍ଣପୁର ଜିଲ୍ଲାର ରାଇସ୍ ମିଲ୍ ଗୁଡିକ ସମ୍ପର୍କରେ ଗୁରୁତର ତ୍ରୁଟିବିଚ୍ୟୁତି ଓ ଜିଲ୍ଲା ଯୋଗାଣ ବିଭାଗ ବନାମ ଯୋଗାଣ ନିଗମର ପରିଚାଳନାରେ ଅନିୟମିତତାର ଅଭିଯୋଗ ହୋଇଆସୁଛି । ଏହି ଜିଲ୍ଲାରେ ଏହି ବିଭାଗରେ ମହାଦୁର୍ନୀତି ହୋଇଥିବାର ଅଭିଯୋଗକୁ ସରକାର କେତେଦୂର ଗୁରୁତ୍ୱ ଦେଇଛନ୍ତି , ଜଣାପଡିପାରି ନଥିଲେ ହେଁ , କିଛିଦିନତଳେ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ଜିଲ୍ଲାର ସିଆଲଜୁରିଠାରେ ଥିବା ଏଫ୍ ଆର୍ କେ ବା ପୁଷ୍ଟିକର ଚାଉଳ ପ୍ରସ୍ତୁତି ଚାଉଳକଳ ‘ ଶୀତଲ୍ ମିଲ୍ ‘ ସମେତ କେତେକ ମିଲ୍ ରେ ଯାଇ ଯାଞ୍ଚ କରିଥିବା ସହିତ ବଲାଙ୍ଗୀର ସାଂସଦ ସଙ୍ଗୀତା ସିଂହଦେଓଙ୍କ ଜିଲ୍ଲାପାଳଙ୍କ ସମେତ ସଦଳବଳେ ସନ୍ଧ୍ୟାରେ ଯାଇ କେତୋଟି ମିଲ୍ କୁ ସିଲ୍ କରିବା ଘଟଣା ସହିତ ରାଇସ୍ ମିଲ୍ ଗୁଡିକଠାରୁ ୫ ରୁ ୭ ଲକ୍ଷ ଟଙ୍କା ଆଦାୟ କରାଯିବାରୁ ମିଲର୍ସ ସଂଘର ଉପ-ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କୁ ଚିଠି ଇତ୍ୟାଦି ଘଟଣା ବରିଷ୍ଠ କଂଗ୍ରେସ ନେତା ନରସିଂହମିଶ୍ରଙ୍କ ବିବୃତି ପ୍ରକାଶ ପାଇବା ସମେତ ମିଡିଆରେ ପ୍ରକାଶିତ ହେବାସହ ଚର୍ଚ୍ଚାରେ ରହିଛି । ଏଥିସହ ପୂର୍ବରୁ ଜଣେ ଆକାଉଣ୍ଟାଣ୍ଟ ଓ ଅଳ୍ପଦିନ ତଳେ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ସୁରେଶ କୁମାର ପାଣିଗ୍ରାହୀଙ୍କୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଦ୍ବାରା ଗିରଫ ଘଟଣା ଜିଲ୍ଲାରେ ଯୋଗାଣ ବିଭାଗର ଦୁର୍ନୀତିର ଚର୍ଚ୍ଚାକୁ ଇନ୍ଧନ ଯୋଗାଇଛି । ଆଗରୁ କିଛିବର୍ଷ ତଳେ ଏହି ଜିଲ୍ଲାର ଧାନ /ଚାଉଳ ଚାଲାଣର ବଡ ଧରଣର ଅନିୟମିତତା ଧରାପଡିବା ଓ କିଛିଦିନ ତଳର କମସରା ପେକ୍ସରେ ଫେକ୍ ଭେଣ୍ଡର ଓ ପୁଆ ପେକ୍ସର ଦୁର୍ନୀତି ଘଟିଥିବା ଲୋକଲୋଚନକୁ ଆସିଛି ।

୯ ଲକ୍ଷ ୮୮ ହଜାର କ୍ବିଣ୍ଟାଲ୍ ରବିଚାଉଳ ବାକି
ତେବେ ଏଇ ପରିପ୍ରେକ୍ଷୀରେ ଜିଲ୍ଲାର ୫୦ ଟି ମିଲ୍ ଓ ସମ୍ବଲପୁରକୁ କଷ୍ଟମ୍ ମିଲିଂ ପାଇଁ ଯୋଡାଯାଇ ଦିଆଯାଇଥିବା ମିଲ୍ ଗୁଡିକର ରବି ଋତୁର ବାକିଆ ଚାଉଳ ସହ ମିଲ୍ ଗୋଦାମର ଷ୍ଟକ୍ ସ୍ଥିତି ଯାଞ୍ଚ୍ ଚାଲିଥିବା ଖବର ପ୍ରକାଶ ପାଇବାରୁ ଅଭିଯୋଗ କରାଯାଉଥିବା ମହାଦୁର୍ନୀତିର ଆଭାସ ମିଳିଛି । ଏହା ଚଳିତ ଖରିଫ ଋତୁର ଧାନ ସଂଗ୍ରହକୁ ମଧ୍ୟ ପ୍ରଭାବିତ କରିଛି । ଜିଲ୍ଲାରେ ଧାନ ସଂଗ୍ରହ ନିମନ୍ତେ ବୈଠକର ପ୍ରାୟ ଦେଢ ସପ୍ତାହ ବିତିଯାଇଥିଲେ ହେଁ , ଧାନକିଣା କେନ୍ଦ୍ର ବା ମଣ୍ଡିବ୍ୟବସ୍ଥା ପ୍ରସ୍ତୁତି ସମ୍ପନ୍ନ ହୋଇପାରୁନ ଥିବା ସହ ଉକ୍ତ ବକେୟା ଚାଉଳ ଫେରାଇବାରେ ମିଲର୍ସଙ୍କ ଅସହଯୋଗ ସମସ୍ୟା ସୃଷ୍ଟି କରିଛି । ଯଦି ମିଲ୍ ଗୁଡିକ କଷ୍ଟମ ମିଲିଂରେ ନେଇଥିବା ଧାନକୁ ସର୍ଟେକ୍ସ ରାଇସ୍ କରି ଚଢାଦରରେ ଖୋଲାବଜାରରେ ବିକ୍ରିକରି କୋଟି କୋଟି ଟଙ୍କାର ମୁନାଫା ଉଠାଇଥିବା ଓ ସେଇ ପରିମାଣର ଧାନ ନଥିବାରୁ ଚାଉଳ ଫେରାଇ ପାରୁ ନଥିବାର ପ୍ରକାଶିତ ଅଭିଯୋଗ ସତ୍ୟ ହୋଇଥାଏ , ତେବେ ସ୍ଥିତି ସାଂଘାତିକ୍ ! ଏଣୁ ଏହାର ଏକ ଅନୁଧ୍ୟାନ କରାଯାଇଥିଲା ଓ ଏଥିରେ ଉକ୍ତ ଅଭିଯୋଗର ସତ୍ୟତା ରହିଥିବାର ଆଭାସ ମିଳିଛି ।

ଜାମ୍ ପାଲିର ବାଲାଜୀ ଫୁଡ୍ ପ୍ରଡକ୍ଟ ଠାରୁ ବିନିକା ବିଶାଲପାଲିର ଉମାବିଷ୍ଣୁ ରାଇସ୍ ମିଲ୍ ଓ ଗୋଦାବରୀ ରାଇସ୍ ମିଲ୍ , ଅରିଗାଁ’ର ବିଜୟଲକ୍ଷ୍ମୀ ମିଲ୍ ,ଗଡଗଡ ବାହାଲର ବ୍ରଜଭୂମି ରାଇସ୍ ମିଲ୍ ଓ ପଦ୍ମନିତା ରାଇସ୍ ମିଲ୍ , ଉମାଶଙ୍କର ରାଇସ୍ ମିଲ୍ ଏବଂ ଅନ୍ୟାନ୍ୟ ରାଇସ୍ ମିଲ୍ , ରାମପୁରର ରାଇସ୍ ମିଲ୍ , ସିଙ୍ଘିଜୁବାର ପଦ୍ମାବତୀ ରାଇସ୍ ମିଲ୍ ଓ ଖଲିଆପାଲି ମହିମା ରାଇସ୍ ମିଲ୍ ଗୁଡିକ ବୁଲି ଦେଖିବା ପରେ ମଧ୍ୟ ସେମାନଙ୍କ ଷ୍ଟକ୍ , ଚାଉଳ ଫେରାଇବା ବା ଟାର୍ଗେଟ୍ ଓ କାପାସିଟି ଇତ୍ୟାଦିର ତଥ୍ୟ ଦେବାକୁ ସେମାନେ କୁଣ୍ଠିତ ହୋଇଥିଲେ ବା ଏଡାଇ ଯାଇଥିଲେ । ଏଭଳି ଅବ୍ୟବସ୍ଥା ବା ଅନିୟମିତତା କେବଳ ଯୋଗାଣ ବିଭାଗର ସମର୍ଥନରେ ହେବା ସମ୍ଭବ । ଖଲିଆପାଲିର ମହିମା ରାଇସ୍ ମିଲ୍ ରେ ସୋନପୁରରୁ ଆସିଷ୍ଟାଣ୍ଡ୍ ସିଏସ୍ ଓ ଓ ତାଙ୍କ ସହକାରୀମାନେ ଆସି ସବୁ ଖାତାପତ୍ର ଓ ଷ୍ଟକ୍ ଆଡଜଷ୍ଟ୍ କରୁଥିବା କହି ମାଲିକଙ୍କ ପୁଅ ମୁକେଶ ଅଗ୍ରବାଲ ସାମ୍ବାଦିକମାନଙ୍କୁ ଗେଟ୍ ଭିତରକୁ ଛାଡି ହାତଯୋଡି ପରେ ଭେଟିବାକୁ କହିଥିବା ସନ୍ଦେହ ସୃଷ୍ଟି କରିଥିଲା । ଅପରପକ୍ଷରେ ସେତେବେଳେ ଜିଲ୍ଲାର ଏ ସମ୍ପର୍କରେ ତଥ୍ୟ ଦେବାକୁ ଆ ଡି ସ୍ ନାଲ୍ ସିଏସ୍ ଓ ଯୋଗେଶ୍ବର ସାଏ କୁଣ୍ଠିତ ହୋଇ ଏଡାଇ ଯାଇଥିବା ବେଳେ ଏବେ ଭିଜିଲାନ୍ସରେ ପଡିଥିବା ସିସିଏସ୍ ଓ ବିଭିନ୍ନଦିର ବାରମ୍ବାର ଉଦ୍ୟମ ସତ୍ତ୍ୱେ ଦେଖାଦେଉ ନଥିଲେ ! ସବୁଠାରୁ ଗୁରୁତର ବିଷୟ ଯେ, ତରଭା ବ୍ଲକ୍ ର କମସରା ପେକ୍ସରେ ହୋଇଥିବା ଫେକ୍ ଭେଣ୍ଡରଙ୍କ ଧାନକିଣାରେ ଲକ୍ଷ ଲକ୍ଷ ଟଙ୍କାର ଦୁର୍ନୀତିକୁ ଗାଁ’ରେ ଏଆରସିଏସ୍ ପାଣୁ ଚରଣ ସାହୁଙ୍କ ମଧ୍ୟସ୍ଥତାରେ କଙ୍ଗାରୁକୋର୍ଟରେ ଫୈସଲା କରିଦିଆଯିବା ଓ ଫେରାର୍ ହୋଇଯାଇଥିଲବା ଡିଇଓ ଜମିର ୧୫ ଲକ୍ଷ ଟଙ୍କାର ବନ୍ଧକନାମା ଲେଖିଦେଇଥିବାର ଏକ ହାତଲେଖା କାଗଜରେ ଦୋଷ ସ୍ବୀକାର କରିଥିବା ଡିଇଓଙ୍କୁ ଛାଡିଦେବାକୁ ଡିଆରସିଏସ୍ , ଜିଲ୍ଲା ଯୋଗାଣ ଅଧିକାରୀଙ୍କ ସମେତ ତରଭା ଥାନାଧିକାରୀ ଓ ଜିଲ୍ଲାପାଳଙ୍କୁ ଲିଖିତ ଅନୁରୋଧ କରାଯିବାର ପ୍ରହସନ । ପୁଆ ପେକ୍ସ କଥା ତ ଦାଣ୍ଡରେ ପଡି ହାଟରେ ଗଡୁଛି ।

ଏବେ ଖରିଫ୍ ଧାନ କିଣା କିପରି ଓ କେବଠାରୁ ହେବ , ଚାଷୀ ଚିନ୍ତାରେ ପଡିଛି ।
ସର୍ବୋପରି ସୁବର୍ଣ୍ଣପୁର ଜିଲ୍ଲାର ଯୋଗାଣ ବିଭାଗ ବା ଯୋଗାଣ ନିଗମ ସମେତ ଜିଲ୍ଲା ପ୍ରଶାସନ ଏବଂ ମିଲର୍ସ ବିଗତ ପ୍ରାୟ ୨୪ ବର୍ଷକାଳ ଏକ ସୁବିଧାଜନକ ସ୍ଥିତିରେ ରହି ମୁନାଫାଖୋର୍ ପାଲଟିଯାଇଥିବା ଲୋକେ ଅଭିଯୋଗ କରିଆସୁଛନ୍ତି । ରାଇସ୍ ମିଲ୍ ଗୁଡିକର ମିଲିଂ କାପାସିଟି , ବଏଲିଂ , ବିଜୁଳି ବିଲ୍ ଓ ମଣ୍ଡିରୁ ଧାନକିଣାରେ ସମୟାନୁସାରେ ଉପଯୁକ୍ତ ତଦାରଖ ହେଉ ନଥିଲା । ଅଧିକାଂଶ ମିଲର୍ ଧାନ ନ କିଣି , ନ ମିଲିଂ କରି ସରକାରୀ ଚାଉଳର ରିସାକ୍ଲିଂ କରି ଓ ମିଥ୍ୟା କାଗଜପତ୍ରରେ ପରିବହନ ଓ ମିଥ୍ୟାବିଲ୍ ଜରିଆରେ ସରକାରୀ ସୁବିଧାର ଅପବ୍ଯବହାର କରି କୋଟିପତି ହୋଇଯାଇଥିବା ଚର୍ଚ୍ଚା ହେଉଛି । ଚଳିତ ସରକାରଙ୍କ ଧାନ କ୍ବିଣ୍ଟାଲ୍ ୩୧୦୦ ଟଙ୍କାକୁ ବୃଦ୍ଧି ପାଇବା ପରେ ସେମାନଙ୍କ ମନମାନି ଆହୁରି ବଢିଯାଇଥିବା କୁହାଯାଉଛି । ଏସବୁ ଚର୍ଚ୍ଚା ଓ ଅଭିଯୋଗ ର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଗଲେ ବହୁକଥା ବାହାରିବ ବୋଲି ଲୋକେ ଆଲୋଚନା କରୁଛନ୍ତି