ନାହିଁ ନାହିଁରେ ଚାଲିଛି ଆଗଲପୁର ସରକାରୀ ସ୍ବାସ୍ଥ୍ୟସେବା : ୭ ଡାକ୍ତର, ଜଣେ ଅଣଓଡିଆ ଭରସାରେ ରୋଗୀ !
ଆଗଲପୁର : ବଲାଙ୍ଗିର ଜିଲ୍ଲା ସଦରମହକୁମା ଠାରୁ ମାତ୍ର ୪୦ କିମି ଦୂରରେ ଅବସ୍ଥିତ ଆଗଲପୁର ଗାଁ । ଏହି ଆଗଲପୁର ନାମରେ ଥିବା ବ୍ଲକ୍ ଟି ଡୁଡୁକାଠାରେ ରହିଥିବାବେଳେ , ଗମନାଗମନର ସେଭଳି ସିଧାସଳଖ ସୁବିଧା ନଥିବାରୁ ଏହା ବିଚ୍ଛିନ୍ନାଞ୍ଚଳର ଅପବାଦ ପାଇ ଆସିଥିଲା । ଯଦିଓ ଏବେ ରାସ୍ତାଘାଟର ଅସୁବିଧା ଦୂର ହେଲାଣି । ଜିଲ୍ଲାର ଏକ ସୀମାନ୍ତବର୍ତ୍ତୀ ଏହି ବ୍ଲକ୍ ର ନଅଗାଁ ( କ ) ପରେ ପଡୋଶୀ ବରଗଡ ଜିଲ୍ଲାର ସୀମା ଆରମ୍ଭ ହେଉଥିବାରୁ ଏହାର ଏହି ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ବଲାଙ୍ଗୀର ଓ ବରଗଡ଼ ଉଭୟଜିଲ୍ଲାର ଶତାଧିକ ରୋଗୀ ନିର୍ଭର କରିଥା’ନ୍ତି । ତେବେ କ୍ଷୋଭର ବିଷୟ ଯେ ଏହି ୧୬ ଶଯ୍ୟାବିଶିଷ୍ଟ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ ବିଶେଷଜ୍ଞ ଓ ୬ ଜଣ ଡାକ୍ତର ଅବସ୍ଥାପିତ ଥିଲାବେଳେ ସପ୍ତାହରେ ଦିନେ ମାତ୍ର ସ୍ବାସ୍ଥ୍ୟକେନ୍ଦ୍ରକୁ ଆସି ହାଜିରା ଦେଉଥିବାବେଳେ ଜଣେ ମାତ୍ର ଅଣଓଡିଆ ଦାନ୍ତଡାକ୍ତରଙ୍କ ହାତରେ ସବୁରୋଗର ଚିକିତ୍ସା ଦାୟିତ୍ୱ ରହିଛି । ଆଗଲପୁରର ନାଗରିକ କମିଟି ଓ ବିଭିନ୍ନ ସଂଗଠନ ପକ୍ଷରୁ ଏଠାରେ ଜଣେ ମେଡିସିନ୍ ବିଶେଷଜ୍ଞ ଓ ସ୍ତ୍ରୀ ରୋଗ ଓ ପ୍ରସୂତୀ ବିଶେଷଜ୍ଞ ଡାକ୍ତରଙ୍କୁ ନିଯୁକ୍ତ କରାଯିବାକୁ ଦାବି କରାଯାଇ ଆସୁଥିବା ସତ୍ତ୍ୱେ ଫଳ ଶୂନ୍ ରହିଛି । ୫ ଜଣ ନର୍ସ କାମ ସମ୍ଭାଳୁଛନ୍ତି । ବଲାଙ୍ଗୀର ବା ବୁର୍ଲାକୁ ପଠାଯାଉଥିବା ରୋଗୀଙ୍କ ପାଇଁ ୧୦୮ ଆମ୍ବୁଲାନ୍ସ ଏକମାତ୍ର ଭରସା । ପୂର୍ବ ସରକାରଙ୍କ ଅମଳରୁ ଏଠାରେ ୩୦ ଶଯ୍ୟାବିଶିଷ୍ଟ ଏକ କୋଠାର ଅନୁମୋଦନ ହୋଇଥିବା ବେଳେ ଠିକାଦାରଙ୍କ ଅବହେଳାରୁ ସମୟସୀମା ମଧ୍ୟରେ ଏହା ସରିପାରିନାହିଁ । ସ୍ବାସ୍ଥ୍ୟମନ୍ତ୍ରୀ ଡା ମୁକେଶ ମହାଲିଙ୍ଗଙ୍କର ଏହି ନିଜ ବ୍ଲକ୍ ବା ନିଜ ଲୋଇସିଂହା ନିର୍ବାଚନ ମଣ୍ଡଳୀର ଉକ୍ତ ସରକାରୀ ଡାକ୍ତରଖାନାଟିରେ ଅଧିକ ଉନ୍ନତମାନର ସ୍ୱାସ୍ଥ୍ୟସେବା ଆଶା କରାଯାଉଛି । କିନ୍ତୁ ଏଥିରେ ଅଦ୍ୟାବଧି ଉନ୍ନତି ପରିଲକ୍ଷିତ ହୋଇପାରି ନଥିବାରୁ ଅଞ୍ଚଳବାସୀ କ୍ଷୋଭପ୍ରକାଶ କରିଛନ୍ତି । ଖୁବ୍ ଶୀଘ୍ର ଅଞ୍ଚଳବାସୀ ଏହି ସମସ୍ୟାର ଦୂରୀକରଣ ସକାଶେ ବଲାଙ୍ଗିର ଯାଇ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଘେରାଉ କରିବାର ଚେତାବନୀ ଦେଇଛନ୍ତି ।