ଦୋକାନ ସିଲ୍ ଓ ଏତଲା ଦେବାକୁ କହିଥିଲେ ଡାକ୍ତର
ସରକାରୀ ନିୟମକୁ ଖାତିର୍ ନାହିଁ !
ବଲାଙ୍ଗୀର : ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ବେଆଇନ୍ ଔଷଧଦୋକାନ ସହିତ ତ୍ରୁଟିପୂର୍ଣ୍ଣ ରୋଗୀଚିକିତ୍ସା ଅଭିଯୋଗ ପ୍ରକାଶ ସତ୍ତ୍ବେ ସରକାରୀ ନିୟମକୁ ଖାତିର୍ ନାହିଁ । ସ୍ପଷ୍ଟ ଦିବାଲୋକରେ ବେଧଡ଼କ୍ କ୍ବାକ୍ ବା ଠକବୈଦ୍ୟଙ୍କ ଦ୍ବାରା ଉଭୟ ସହର ଓ ଗ୍ରାମାଞ୍ଚଳରେ ବେଆଇନ କ୍ଲିନିକ୍ ଓ ଭୁଲ୍ ରୋଗୀଚିକିତ୍ସା ଅବାରିତ ରହିଛି । ଏପରିକି ଲୋକଙ୍କ ଅଭିଯୋଗ କ୍ରମେ ସ୍ବାସ୍ଥ୍ୟବିଭାଗ ପକ୍ଷରୁ ଚଢାଉ ପରେ କିଛିଦିନ ଏଭଳି ଔଷଧଦୋକାନ ଓ ବେଆଇନ ଚିକିତ୍ସା ବନ୍ଦ ରଖାଯିବା ପରେ ପୁଣି ଦୋକାନ ଖୋଲି ପୂର୍ବବତ୍ ଚାଲିଥିବା ଦେଖାଯାଇଛି । ଉଲ୍ଲେଖଯୋଗ୍ଯ ଯେ , ବିଗତବର୍ଷ ଏଇ ଖପ୍ରାଖୋଲ ବ୍ଲକ୍ ଅଞ୍ଚଳରେ ବେନ୍ଦେର , ନାନ୍ଦୁପଲା ଓ ନିକଟସ୍ଥ ଝାଙ୍କିରିପାଲି- ସାଲେପାଲିରେ ଲାଠୋର ଓ ଖପ୍ରାଖୋଲ ଥାନାପୁଲିସ୍ ୩ ଜଣ ବଙ୍ଗାଳୀଡାକ୍ତରଙ୍କୁ ଗିରଫ କରିଥିଲା । ପାଟଣାଗଡ ଓ ଲାଠୋରର ଦୁଇଜଣ କୋଟିପତି ନକଲି ଡାକ୍ତରଙ୍କୁ ହାତ ମାରି ନଥିବାରୁ ଅଭିଯୋଗ ପ୍ରକାଶ ପାଇଥିଲା । ତେଣୁ ଜିଲ୍ଲାରେ ପୁଣିଥରେ ନକଲିଡାକ୍ତର ଧରପଗଡ ଅଭିଯାନ ଆରମ୍ଭ କରାଯିବା ସହ ଏହି ସ୍ବାସ୍ଥ୍ୟବିଭାଗର ଚଢାଉ ପରେ ବେଖାତିର୍ କରୁଥିବା ସାନଉଡେନର ବାପପୁଅ ନକଲିଡାକ୍ତରଙ୍କୁ କେବେ ଗିରଫ କରାଯିବ ବୋଲି ଲୋକେ ପ୍ରଶ୍ନ କରୁଛନ୍ତି ?
ଉଲ୍ଲେଖଯୋଗ୍ଯ ଯେ , ଦୀର୍ଘବର୍ଷ ଧରି ଖପ୍ରାଖୋଲ ବ୍ଲକର ସାନଉଡେନ୍ ଗ୍ରାମରେ ରାମ ମେହେର ନାମକ ଜଣେ ପ୍ରଥମେ ଝୋଲାଛାପ୍ ଅର୍ଦ୍ଧଶିକ୍ଷିତ କ୍ବାକ୍ ଆଖପାଖ ଗାଁ’ରେ ଏହା ଚଳାଇଆସୁଥିବା ଓ ତା’ର ଅନଭିଜ୍ଞ ତ୍ରୁଟିପୂର୍ଣ୍ଣ ବେଆଇନ୍ ଚିକିତ୍ସା ଯୋଗୁଁ କିଛିବର୍ଷ ତଳେ ଚାବିରିପାଲି , ମାଲପଡା , ଜଲିଆବାହାଲ , ଦମେଇପାଲି ଓ ଅନ୍ଯାନ୍ଯ ଗ୍ରାମର ୪/୫ ଜଣ ରୋଗୀଙ୍କର ମୃତ୍ୟୁ ହୋଇଯାଇଥିବା ଅଭିଯୋଗ ଚର୍ଚ୍ଚିତ ହୋଇଥିଲା । ଏହାପରେ ସେ ତାଙ୍କ ପୁଅକୁ ଏହି ଉଦ୍ଦେଶ୍ଯରେ ଯଥାକଥା ଫାର୍ମାସୀ ପଢାଇ ସେହି ନାଁ’ରେ ଏକ ଲାଇସେନ୍ସ କରାଇ ନିଜ ଗାଁ’ ସାନଉଡେନରେ ‘ ରାମଚନ୍ଦ୍ର ମେଡିସିନ୍ ଷ୍ଟୋର୍ ‘ ଖୋଲି ରାମ ମେହେର ଓ ତାଙ୍କ ପୁଅ ସୁରେନ୍ଦ୍ର ମେହେର ଔଷଧ ବିକିବା ସହିତ ଖୋଲାଖୋଲି ଅନଭିଜ୍ଞ ଚିକିତ୍ସା କରି ଔଷଧ, ଇଞ୍ଜେକସନ୍ ଓ ସାଲାଇନ୍ ଆଦି ଦେଇ ପ୍ରତିଦିନ ଅଧିକ ଟଙ୍କା ନେଇ ରୋଗୀଶୋଷଣ କରି କୋଟିପତି ପାଲଟି ଯାଇଥିବା ଗ୍ରାମବାସୀଙ୍କ ଅଭିଯୋଗରୁ ପ୍ରକାଶ । ପ୍ରାୟ ପ୍ରତିଦିନ ସେଠାକୁ ୨୦/୨୫ ଜଣ ରୋଗୀ ଓ ହାଟବାରି ବୁଧବାର ଦିନ ୫୦/୬୦ ଜଣ ରୋଗୀଙ୍କର ଭିଡ ରହୁଥିବା ପ୍ରକାଶ । ପ୍ରାୟ ୩୦ ବର୍ଷ ଧରି ଏଠାରେ ଏହା ଚାଲିଆସିଥିବା ଓ ଏଥିରୁ ବାପପୁଅ ନକଲିଡାକ୍ତରଙ୍କର ଅଦ୍ୟାବଧି କେତେ ବ୍ୟାଙ୍କ୍ ବାଲାନ୍ସ ଓ ସମ୍ପତ୍ତିବାଡିର ଅନ୍ୟାୟୋପାର୍ଜନ ହେଲାଣି , ତାହାକୁ ତଦନ୍ତର ପରିସରଭୁକ୍ତ କରାଯିବାକୁ ଦାବି ହେଉଛି । ସର୍ବୋପରି ନିଜ ଜିଲ୍ଲାର ସ୍ବାସ୍ଥ୍ୟସେବାର ଏତାଦୃଶ ବିଶୃଙ୍ଖଳାଜନିତ ଗଣମାଧ୍ୟମର ପ୍ରକାଶିତ ଖବର ପ୍ରତି ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଉଦାସୀନତାକୁ ଲୋକେ ତୀବ୍ର ସମାଲୋଚନା କରୁଛନ୍ତି ।
ନକଲିଡାକ୍ତରଙ୍କୁ ଗିରଫ କେବେ ?
ତେବେ ସେମାନଙ୍କ ଭୁଲ୍ ଚିକିତ୍ସାର ଶିକାର ହୋଇଥିବା ଓ ଗ୍ରାମବାସୀଙ୍କ ଅଭିଯୋଗରେ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଖପ୍ରାଖୋଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଧିକାରୀ ଡା ସୂରଜ ଦୀପ ଗତ ୧୦ ତାରିଖ ସକାଳ ପ୍ରାୟ ୯ ଟାରେ ଏହି ଔଷଧଦୋକାନ ଓ ବେଆଇନ୍ ଚିକିତ୍ସାକେନ୍ଦ୍ର ଉପରେ ଚଢାଉ କରିଥିଲେ । ସେ ସେଠାରେ ବାପପୁଅଙ୍କ ଦ୍ବାରା ଡାକ୍ତରଙ୍କ ବିନା ପରାମର୍ଶ ଓ ବିନା ପ୍ରେସକ୍ରିପସନରେ ସାଦାକାଗଜର ଚିଟ୍ ରେ ମନଇଚ୍ଛା ଔଷଧ , ଇଞ୍ଜେକସନ୍ ଓ ସାଲାଇନ୍ ଲେଖି ଦିଆଯାଉଥିବା ଦେଖିଥିଲେ । ଏପରିକି ଛୋଟ ଛୁଆମାନଙ୍କୁ ମଧ୍ଯ ତ୍ରୁଟିପୂର୍ଣ୍ଣ ଚିକିତ୍ସା କରୁଥିବା ଧରିଥିଲେ । ସେଠାକୁ ଆସିଥିବା ରୋଗୀଙ୍କର ବୟାନ ନେବା ସହିତ ଅଭିଯୋଗର ସମସ୍ତ ତଥ୍ୟପ୍ରମାଣ ସଂଗ୍ରହ କରିଥିଲେ । ଆହୁରି ମଧ୍ଯ ଖବର ପାଇ ସେଠାରେ ପହଞ୍ଚିଯାଇଥିବା ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ଏମାନଙ୍କ ବିରୁଦ୍ଧରେ ସ୍ବାସ୍ଥ୍ୟବିଭାଗର ଉପରିସ୍ଥ ଅଧିକାରୀଙ୍କୁ ରିପୋର୍ଟ କରାଯିବା ସହ ଉକ୍ତ ଔଷଧଦୋକାନକୁ ସିଲ୍ କରାଯିବା ସହିତ ସେମାନଙ୍କ ନାଁ’ରେ ଥାନାରେ ଏତଲା ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ପ୍ରକାଶ ପାଇଥିଲା ।
ଏ ସମ୍ପର୍କରେ ଖବର ପ୍ରକାଶ ପାଇବା ପରେ ଆମ ପକ୍ଷରୁ ମଧ୍ଯ ଉକ୍ତ ଅଭିଯୁକ୍ତ ଔଷଧଦୋକାନୀ ଓ କ୍ବାକ୍ ରାମ ମେହେର ଓ ସୁରେନ୍ଦ୍ର ମେହେରଙ୍କୁ ଫୋନ୍ ରେ ପଚରାଯାଇଥିଲା । ସୁରେନ୍ଦ୍ର ମେହେର ଉକ୍ତ ଘଟଣା ଓ ଅଭିଯୋଗକୁ ସ୍ବୀକାର କରିଥିଲେ । ଏହାପରେ ଉକ୍ତ ଦୋକାନଟି କିଛିଦିନ ବନ୍ଦ କରିଦେବା ପରେ ଘରର ପଛପଟେ ଔଷଧ ବିକ୍ରି ଓ ରୋଗୀଚିକିତ୍ସା ଚାଲିଥିଲା ।
ଏ ସମ୍ପର୍କରେ ଆମ ପକ୍ଷରୁ ଡା . ସୁରଜ ଦୀପଙ୍କୁ ପଚାରିବାରୁ ସେ ଚଢାଉ କରିଥିବା ସ୍ବୀକାର କରି ଜିଲ୍ଲାର ଉପରିସ୍ଥ ଅଧିକାରୀଙ୍କୁ ରିପୋର୍ଟ ଦେଇଥିବା କହିଥିଲେ ।
ଦୋକାନ ସିଲ୍ ତା’ପରେ ଡିଲ !
ଆହୁରିମଧ୍ୟ ନିକଟସ୍ଥ ଧଣ୍ଡାମୁଣ୍ଡା ପିଏଚସି ( ନିଉ ) ସଂଲଗ୍ନ ଆଉ ଏକ ଔଷଧଦୋକାନ ପାଖରେ ବଡଉଡେନ ନିବାସୀ ସିନ୍ଧେକେଲାରେ ଫାର୍ମାସିଷ୍ଟ ଚାକିରୀ କରି ସେଠାକୁ ନଯାଇ ସେଠିକାର ମେଡିକାଲ ଅଧିକାରୀଙ୍କୁ ବେତନର ୨୫% ଲାଞ୍ଚ ଦେଇ ଗଣପତି ବେହେରା ନାମକ ଅନ୍ୟଜଣେ ବେଆଇନ ଚିକିତ୍ସକ ଏକ କ୍ଲିନିକ୍ ଖୋଲି ଅନୁରୂପେ ଘରୋଇ ରୋଗୀଚିକିତ୍ସା କରୁଥିବା ଖବର ପ୍ରକାଶ ପାଇବାରୁ ତାଙ୍କ ସହ ଯୋଗାଯୋଗ କରାଯିବାରୁ ସେ ‘ ଆମେ ଡା ସୁଜିତ୍ ଆଜ୍ଞାଙ୍କୁ କହିକରି କରୁଛୁଁ । ବନ୍ଦ କରିଦେଉଛୁଁ । ଆପଣ ଅଞ୍ଚଳର ସମସ୍ତ ଝୋଲାଛାପ୍ କ୍ବାକ୍ ମାନଙ୍କୁ ବି ଧରନ୍ତୁ ‘ ବୋଲି ଅନୁରୋଧ କରିଥିଲେ ।
ତେବେ ଉପରୋକ୍ତ ଚଢାଉ ସତ୍ତ୍ବେ ସାନଉଡେନର ଉକ୍ତ ବାପପୁଅ ପୁଣି ଦୋକାନ ଖୋଲି ପୂର୍ବପରି ବେଆଇନ୍ ରୋଗୀଚିକିତ୍ସା କରୁଥିବା ଦେଖି ଲୋକେ ଆଶ୍ଚର୍ଯ୍ୟ ହେଉଛନ୍ତି ! ସରକାରୀ ସ୍ବାସ୍ଥ୍ୟଅଧିକାରୀ , ତଦନ୍ତକାରୀ ଖପ୍ରାଖୋଲ ସ୍ବାସ୍ଥ୍ୟଅଧିକାରୀ ବନାମ ସ୍ବାସ୍ଥ୍ୟବିଭାଗ ସହ ସେଟିଂ ହେଇଗଲା କି ? ‘ ଓ ‘ଇତିମଧ୍ୟରେ ଘରକୁ ଆସିଥିବା ଅବସରରେ ଖୋଦ୍ ସ୍ବାସ୍ଥ୍ୟମନ୍ତ୍ରୀ ଡ ମୁକେଶ ମହାଲିଙ୍ଗ ହାତଚିକ୍କଣ କରି ଫେରିଛନ୍ତି କି ? ‘ବୋଲି ଲୋକଙ୍କର ସନ୍ଦେହ ପ୍ରକାଶ ପାଇଛି ।
ଲୋକେ ପଚାରୁଛନ୍ତି କି ଯଦି ଏପରି କରିବାର ଥିଲା , ତେବେ ଚଢାଉ ବେଳେ ଗଣମାଧ୍ୟମ ଆଗରେ ଡା ସୂରଜ ଦୀପ କାହିଁକି ଉକ୍ତ ଔଷଧଦୋକାନକୁ ସିଲ୍ କରାଯିବ ଓ ଥାନାରେ ଏତଲା ଦିଆଯିବ ବୋଲି ବାହାଦୂରୀ ମାରୁଥିଲେ ?



“ଦୃଷ୍ଟିପାତ “ଓଡିଆ ନିଉଜ୍ ପୋର୍ଟାଲ୍ ହେଉଛି , ୧୯୯୪ ରୁ ବଲାଙ୍ଗୀରରୁ ପ୍ରକାଶ ପାଉଥିବା ‘ପାକ୍ଷିକ ଦୃଷ୍ଟିପାତ ‘ ଓ ପରେ ପ୍ରକାଶିତ ‘ ସାପ୍ତାହିକ ‘ ଦୃଷ୍ଟିପାତ ‘ ସମ୍ବାଦପତ୍ରର ଆଧୁନିକ ଇ- ପତ୍ରିକା ସଂସ୍କରଣର ରୂପାନ୍ତରିତ ଉଏବ୍ ପୋର୍ଟାଲ୍ । ଏହା ମୁଖ୍ୟତଃ ରାଜ୍ୟ ତଥା ଦେଶର ଗଣମାଧ୍ୟମରେ ପ୍ରକାଶିତ ଖବରର ଏକ ତର୍ଜମାତ୍ମକ ଉପସ୍ଥାପନା ଓ ବିଭିନ୍ନ ଗଣମାଧ୍ୟମ ସୂତ୍ରରୁ ସଂଗୃହୀତ ତଥ୍ୟର ନିଜସ୍ୱ ଅନୁସନ୍ଧାନମୂଳକ ନିରପେକ୍ଷ ଖବର ପରିବେଷଣ । ଏଥିରେ କାହାର ମାନହାନୀ ବା ଏହା କ୍ଷତିସାଧନ ନିମନ୍ତେ ଉଦ୍ଦିଷ୍ଟ ନୁହେଁ ଓ ଜନହିତରେ ପ୍ରସାରିତ ସରକାର ବା ପ୍ରଶାସନର ଦୃଷ୍ଟିଆକର୍ଷଣର ଜନମତ ସମ୍ବଳିତ ଏକ ପ୍ରୟାସ ମାତ୍ର । ଏକ ଦୁର୍ନୀତିମୁକ୍ତ ସୁସ୍ଥ ସମାଜ ଗଠନ ଏହାର ଲକ୍ଷ୍ୟ ଓ ଏକାନ୍ତ ଉଦ୍ଦେଶ୍ୟ ଅଟେ।