ସମ୍ବଲପୁର / ବଲାଙ୍ଗୀର : ବୃଦ୍ଧାଶ୍ରମ , ଅନାଥାଶ୍ରମ , ମାନସିକ ରୋଗୀ ଥଇଥାନ କେନ୍ଦ୍ର ବା ଭିନ୍ନକ୍ଷମ ଆଶ୍ରୟସ୍ଥଳ ଇତ୍ୟାଦି ତଥାକଥିତ ଆଶ୍ରମଗୁଡିକ ଆଉ ବଦାନ୍ୟ , ସୁରକ୍ଷିତ ଆଶ୍ରୟସ୍ଥଳ ହୋଇ ରହିନାହିଁ । ବରଂ ଏଇ ଆଳରେ ଏଗୁଡିକ ସରକାରୀ/ ବେସରକାରୀ ଅର୍ଥଅନୁଦାନ ଆଦାୟର ଭଲ ମାଧ୍ୟମ ପାଲଟିଯାଇଛି ।
ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଅନୁଦାନ ପ୍ରାପ୍ତ ସମ୍ବଲପୁର ସହର ସ୍ଥିତ ଆଦର୍ଶ ସରସ୍ବତୀ ଶିଶୁ ମନ୍ଦିର ପରିଚାଳିତ ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ ମାନସିକ ରୋଗୀ ଥିଥାନ କେନ୍ଦ୍ର ‘ ସମର୍ଥ ‘ ରେ ଅନ୍ତେବାସୀଙ୍କ ପ୍ରତି ଅକଥନୀୟ ନିର୍ଯାତନା ଓ ଏପରିକି ଦୁଷ୍କର୍ମ ଅଭିଯୋଗରେ ଏହାର ପରିଚାଳକ ଓ ପରିଚାଳିକାଙ୍କ ସମେତ ସେମାନଙ୍କ ପୁଅ , ପୁଅର ସାଙ୍ଗ ପ୍ରମୁଖ ୪ ଜଣଙ୍କୁ ଅଦ୍ୟାବଧି ପୁଲିସ୍ ଗିରଫ କରିଛି । ଜଣେ ମାନସିକ ରୋଗିଣୀଙ୍କୁ ତଳେ ଗଡାଇ ଏହାର ପରିଚାଳକ ଓ ଜଣେ ମହିଳା ସହାୟିକା ବାଡିରେ ଓ ବୁଟ୍ ପିନ୍ଧା ଗୋଡରେ ଗୋଇଠା ମାରିବାର ଏକ ଭିଡିଓ ଭାଇରାଲ୍ ହେବାପରେ ଏ ସମ୍ପର୍କିତ ଏକ ଅଭିଯୋଗକ୍ରମେ ସମ୍ପୃକ୍ତ ଅଧିକାରୀ , ପ୍ରଶାସନ ଓ ପୁଲିସ୍ ତଦନ୍ତ ପୂର୍ବକ ଅଭିଯୁକ୍ତଙ୍କୁ୍ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ସେଠାରେ ଅନ୍ତେବାସୀ / ଅନ୍ତେବାସିନୀଙ୍କୁ ପୁରୁଷମହିଳା ନିର୍ବିଶେଷରେ ଭିନ୍ନ ଭିନ୍ନ ରଖା ନଯାଇ ଏକାଠି ରଖାଯାଇ ଆପତ୍ତିଜନକ ଦୁର୍ବ୍ଯବହାର ପ୍ରଦର୍ଶନ ସହିତ ନିର୍ଘାତ୍ ମାଡ ମରାଯିବା ଓ ଖାଇବାପିଇବାରେ ଚରମ ଅବହେଳା କରାଯାଉଥିବା ବିଷୟ ପଦାକୁ ଆସିଛି । ଏପରିକି ମହିଳା ଅନ୍ତେବାସିନୀଙ୍କୁ ଦୁଷ୍କର୍ମ କରି ଗର୍ଭପାତ କରାଇଥିବା ପରି ଗୁରୁତର ଅଭିଯୋଗ ପ୍ରକାଶ ପାଇଛି । ଏଠାରେ ଏଥିଯୋଗୁଁ କେତେକ ଅନ୍ତେବାସୀଙ୍କର ମୃତ୍ୟୁ ମଧ୍ୟ ହୋଇଥିବା କୁହାଯାଇଛି । ଏହି ବିଷୟଟି ଗଣମାଧ୍ୟମରେ ପ୍ରକାଶ ପାଇ ଚର୍ଚ୍ଚିତ ଓ ଭର୍ତ୍ସିତ ହୋଇପଡିଛି । ଏହି ସ୍ବେଚ୍ଛାସେବୀ ଅନୁଷ୍ଠାନକୁ କଳା ତାଲିକାଭୁକ୍ତ କରାଯାଇ ଅନ୍ତେବାସୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଉଥିବା ପ୍ରଶାସନ ପକ୍ଷରୁ ପ୍ରକାଶ ।
ସାମାଜିକ ସୁରକ୍ଷା ବିପନ୍ନ !
କିନ୍ତୁ ସମ୍ବଲପୁରରେ ଏଭଳି ଅନ୍ତେବାସୀଙ୍କୁ ନିର୍ଯାତନା ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ବେଳେ କିଛିଦିନ ପୂର୍ବରୁ ବଲାଙ୍ଗୀର ସହରସ୍ଥିତ ଏକ ତଥାକଥିତ ବୃଦ୍ଧାଶ୍ରମରେ ମଧ୍ୟ ଘଟିଥିବା ଏଭଳି ଏକ ନିର୍ଯାତନାର ଚର୍ଚ୍ଚିତ ଘଟଣା ଓ ହତ୍ୟା ଅଭିଯୋଗ ପ୍ରତି ପୁଲିସ୍ ପ୍ରଶାସନ ବା ପ୍ରଶାସନ ପକ୍ଷରୁ କୌଣସି ତଦନ୍ତ ସୁଦ୍ଧା ହେଲାନାହିଁ । ଉଲ୍ଲେଖନୀୟ ଯେ , ଏହି ବିଭାଗର ବଲାଙ୍ଗୀର ସହରରେ ‘ ସମ୍ପୂର୍ଣ୍ଣା ‘ ନାମକ ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନର ‘ ମାତୃଛାୟା ବୃଦ୍ଧାଶ୍ରମ ‘ ର ଅନ୍ତେବାସୀ ବୀରେନ୍ ଅଗ୍ରବାଲଙ୍କର ଗତ ଡିସେମ୍ବର ୧୧ ତାରିଖରୁ ଆଶ୍ରମରୁ ନିଖୋଜ୍ , ପରଦିନ ନିକଟସ୍ଥ ରେଳଧାରଣାରୁ ତାଙ୍କୁ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର ଓ ବୁର୍ଲା ଭୀମସାରରେ ଗତ ୧୭ ତାରିଖରେ ତାଙ୍କର ମୃତ୍ୟୁ ମାମଲାଟିର ଅଭିଯୋଗ ସତ୍ତ୍ୱେ କୌଣସି ସଠିକ୍ ତଦନ୍ତ କିମ୍ବା ଉକ୍ତ ତଥାକଥିତ ସ୍ବେଚ୍ଛାସେବୀ ଅନୁଷ୍ଠାନ ସମ୍ପର୍କରେ ଅନ୍ତେବାସୀଙ୍କୁ କେୟାର୍ ଟେକର ଥିବା ଜଣେ ଜେଲ୍ ଯାଇଥିବା ହତ୍ୟାଅଭିଯୁକ୍ତ ମାଡପିଟ , ଗାଳିଗୁଲଜ କରୁଥିବାର ଅଭିଯୋଗ ସହ ଅତିଷ୍ଠ ହୋଇ ସେମାନେ ପଳାଇଥିବା ସହ ଜଣକର ମୃତ୍ୟୁ ହୋଇଥିବା ଓ ଶେଷରେ ଜଣକର ଅସ୍ବାଭାବିକ ଅପମୃତ୍ଯୁ ଘଟିବା ବିଷୟରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ତ ଦୂରର କଥା ତଦନ୍ତ ସୁଦ୍ଧା କରା ନଯାଇ ଚପାଇ ଦିଆଗଲା ! ଏହି ସଂସ୍ଥାରୁ ନିଜକୁ ଏଥିପାଇଁ ଦୂରେଇ ରହିଥିବା ତିନିଜଣ ମହିଳା ସଦସ୍ୟା ଏଠାରେ ଅନ୍ତେବାସିନୀ ବୃଦ୍ଧଙ୍କୁ ମଧ୍ୟ ଉକ୍ତ କେୟାର୍ ଟେକର୍ ମଦ୍ୟପାନ କରି ଯୌନଶୋଷଣ କରୁଥିବା ଓ ସେମାନେ ଏ ସମ୍ପର୍କରେ ସଂସ୍ଥାର ସଭାନେତ୍ରୀଙ୍କ ଦୃଷ୍ଟିଆକର୍ଷଣ କରିଥିଲେ ହେଁ , ସେ ହସିଦେଇ ନୀରବ ରହିଥିବା ‘ ପରି ଗୁରୁତର ଅଭିଯୋଗ କରାଯାଇଛି । ଅବଶ୍ୟ ଏହି ବୃଦ୍ଧାଶ୍ରମ ନିମନ୍ତେ କୌଣସି ସରକାରୀ ସ୍ବୀକୃତି ନଥିବା ବଲାଙ୍ଗୀର ସାମାଜିକ ସୁରକ୍ଷା ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ । ତଥାପି ଏଭଳି ବେଆଇନ୍ ତଥାକଥିତ ସ୍ବେଚ୍ଛାସେବୀ ଅନୁଷ୍ଠାନ ବା ଏଭଳି ବୃଦ୍ଧାଶ୍ରମକୁ ସରକାର କାହିଁକି କଳାତାଲିକାଭୁକ୍ତ କରି ନଥିବାରୁ ଲୋକେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି । ତିନିବର୍ଷ ତଳେ ମାତ୍ର ଦୁଇ/ଚାରିଜଣ ଅସହାୟ ବୃଦ୍ଧା ଓ ମାନସିକ ବିଷାଦଗ୍ରସ୍ତ ଅନ୍ତେବାସୀଙ୍କୁ ରଖି ସେମାନଙ୍କ ନାଁ’ରେ ଚାନ୍ଦା ଆଦାୟ କରି କେତେକ ଡାକ୍ତର , ଇଞ୍ଜିନିୟର ଓ ବ୍ୟବସାୟୀଙ୍କ ପତ୍ନୀ ଏଭଳି ଏକ ବେସରକାରୀ ଅନୁଷ୍ଠାନ କରି ଏଭଳି ଚଳାଇଥିବାର ଅଭିଯୋଗ ପ୍ରତି ବିଭାଗ , ପ୍ରଶାସନ ବା ପୁଲିସ୍ ଧ୍ୟାନ ଦେଇ ନଥିବାରୁ ଲୋକଙ୍କ ମଧ୍ୟରେ ଚରମ ଅସନ୍ତୋଷ ପ୍ରକାଶ ପାଇଛି ।
ତେବେ ଏ ସମ୍ପର୍କରେ ରାୟପୁରରେ ରହୁଥିବା ମୃତ ଅନ୍ତେବାସୀଙ୍କ ଭାଇ ବିଜୟ କୁମାର ଅଗ୍ରବାଲ ଥରେ ବଲାଙ୍ଗୀର ଏସ ପି , ଜିଲ୍ଲାପାଳ ପ୍ରମୁଖଙ୍କୁ ଅନ୍ ଲାଇନ୍ ଏତଲା ଦେବା ପରେ କୌଣସି ତଦନ୍ତ ବା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଯିବାରୁ ଆଉଥରେ ଏହାର ଫଲୋଅପ୍ ତଦନ୍ତ ଦାବି ସହ ଉଚ୍ଚ ନ୍ୟାୟାଳୟରେ ଆଇନ ଅଦାଲତର ଆଶ୍ରୟ ନେବାକୁ ପ୍ରସ୍ତୁତ ହେଉଥିବା ପ୍ରକାଶ କରିଛନ୍ତି ।