ଝାଡଖଣ୍ଡ/ ବିହାରର ୭ ଓ ବଲାଙ୍ଗିରର ୧ ଗିରଫ, ସେଠିକା ବବଲୁ ଓ ଏଠିକା ଡବଲୁର ଷଡଯନ୍ତ୍ର !
ବଲାଙ୍ଗୀର : ଗତ ୨୪ ତାରିଖରେ ପୁଇଁତଳା ଥାନାନ୍ତର୍ଗତ ତଣ୍ଡାମୁଣ୍ଡା ଜଙ୍ଗଲରୁ ପୁଲିସ୍ ଉଦ୍ଧାର କରିଥିବା ଦୁଇ ଅଜଣା ଯୁବକଯୁବତୀଙ୍କ ଗଳାକଟା ହତ୍ୟାକାଣ୍ଡର ଅଭିଯୁକ୍ତ ଆସାମୀଙ୍କୁ ଧରିବାରେ ବଲାଙ୍ଗୀର ପୁଲିସ୍ କୁ ସଫଳତା ମିଳିଛି । ଉଦ୍ଧାରର ପୂର୍ବଦିନ ରାତିରେ ଏହି ଚାଞ୍ଚଲ୍ୟକର ନୃଶଂସ ହତ୍ୟାକାଣ୍ଡ ଘଟିଥିଲା । ଝାଡଖଣ୍ଡର ବୋକାରୋରେ ରିୟେଲ ଇଷ୍ଟେଟ୍ କାରବାରରୁ ଟଙ୍କା ଭାଗବଣ୍ଟାକୁ ନେଇ ଏଠାରେ ଆସି ଲୁଚିଥିବା ଗୋଟିଏ ଗୋଷ୍ଠୀର ଉକ୍ତ ଅପରାଧୀ ଯୁବକ ଓ ତା’ର ପ୍ରେମିକାକୁ ସେହିଗୋଷ୍ଠୀର ଡନ୍ ସେଠାରୁ ସାଙ୍ଗରେ ଆଣିଥିବା ସହଯୋଗୀ ତଥା ସ୍ଥାନୀୟ ଜଣେ ଅପରାଧୀ ଯୁବକଙ୍କ ସହାୟତାରେ ମିଶି ଟଙ୍କା ମାଗି ନଦେବାରୁ ଏହି ହତ୍ୟା କରିଥିବା ପୁଲିସ୍ କହୁଛି ।
ବଲାଙ୍ଗୀର ରିଜର୍ଭ ପୁଲିସ୍ ଠାରେ ଉତ୍ତରାଞ୍ଚଳ ସମ୍ବଲପୁର ଆଇଜି ହିମାଂଶୁ ଲାଲ ଓ ବଲାଙ୍ଗିର ଏସ୍ ପି ଋଷିକେଶ ଖିଲାରୀଙ୍କ ସମେତ ସଦର ଏସଡିପିଓ ପ୍ରଦୀପ କୁମାର ସାହୁ ଓ ପୁଇଁତଳା ଥାନାଧିକାରୀ ଶୁଭରାଜ ଧରୁଆଙ୍କ ଗତକାଲି ରାତି ୯ ଟାରେଏକ ଆୟୋଜିତ ସାମ୍ବାଦିକସମ୍ମିଳନୀରେ ଏହା ତଦନ୍ତକାରୀ ପୁଲିସ୍ ପ୍ରକାଶ କରିଛି । ଏହି ଅନୁଯାୟୀ , ଝାଡଖଣ୍ଡର ବୋକାରୋ ସହରରେ ହତ୍ୟାଧମକ , ଲୁଟ୍ ଓ ବିଭିନ୍ନ ଅପରାଧ ସହ ଅବୈଧ ଭାବେ ଲୋକଙ୍କୁ ଡରାଇ ଧମକାଇ ରିୟେଲ୍ ଇଷ୍ଟେଟ୍ ବା ଜମିବାଡି କିଣାବିକା କରୁଥିବା ପୂର୍ବରୁ ସ୍କଟ୍ ଲ୍ଯାଣ୍ଡ୍ ରେ ଜଣେ ମେରାଇନ୍ ଇଞ୍ଜିନିୟର୍ ଥିବା ଡନ୍ ଆଶୁତୋଷ ଗୌତମ ଓରଫ ବବଲୁ କିଲ୍ଲୋ ( ୪୮ )ର ସେଠାରେ ସହଯୋଗୀ ଥିବା ମୂଳନିବାସୀ ହାଇଦ୍ରାବାଦ୍ ର ମହମ୍ମଦ ଜାଭେଦ୍ ( ୨୯ ) ତା’ ନାଁ’ରେ ସେଠାରେ ବହୁ ଅପରାଧିକ ମାମଲା ଋଜୁ ହେବାରୁ ପଳାଇ ଆସି ଗତ ପ୍ରାୟ ୪ ମାସ ହେବ ସେହି ବୋକାରୋର ତା’ର ପ୍ରେମିକା ପଲକ ମିଶ୍ରା ( ୨୦ ) ସହିତ ବଲାଙ୍ଗୀର ସହରର ମହାଲକ୍ଷ୍ମୀନଗରରେ ଏକ ଭଡାଘରେ ରହୁଥିଲା ।
୭ ଲକ୍ଷ ଟଙ୍କା ନ ସୁଝିବାରୁ ଆସି ହତ୍ୟା ?
ପୁଲିସ୍ ସୂତ୍ରରୁ ପ୍ରକାଶ ଯେ , ଗୋଟିଏ ଗଢାହେଇଥିବା ଗପ ପରି ଛଅମାସ ତଳେ କୁଆଡେ ସେ ବବଲୁଠାରୁ ୭ ଲକ୍ଷଟଙ୍କା ଉଧାରରେ ଆଣି ଫେରାଉ ନଥିବାରୁ ଗତ ୨୩ ତାରିଖ ବବଲୁ ଓ ତା’ର ୨ ଜଣ ସହଯୋଗୀ ସେଠାକାର ଚନ୍ଦନ କୁମାର ( ୨୩ ) ଓ ଗୌରବ କୁମାର ( ୩୪ ) ସହ ଟ୍ରେନରେ ଆସି ରାତି ପ୍ରାୟ ୧୧ ଟା ବେଳେ ବଲାଙ୍ଗୀର ଷ୍ଟେସନରେ ପହଞ୍ଚିଥିଲେ । ଏଠାରେ ତାଙ୍କ ସାଙ୍ଗରେ ଆଉ ୪ ଜଣ ସହଯୋଗୀ କୌଶଳ କୁମାର ଓରଫ କୌଶଳ ବିହାରୀ (୨୯ ) , ବାଦଲ କୁମାର ( ୨୦ ) , ବୋକାରୋରେ ରହୁଥିବା ବିହାରର ପପୁ ଓରଫ ରାଜୀବ ଗୌତମ ( ୪୩) , ବିହାର ଔରଙ୍ଗାବାଦର ଦେବ ଓରଫ ବିଶାଲ କୁମାର ( ୨୩ ) ଓ ବଲାଙ୍ଗିର ସହରର ପ୍ରତାପସାଗର ପଡାର ଡବଲୁ ଓରଫ ରାଜେନ୍ଦ୍ର ସେଠ୍ ( ୩୧ ) ମିଶି ଭଡାଘରେ ପ୍ରେମିକା ସହ ରହୁଥିବା ଜାଭେଦ୍ ପାଖକୁ ଯାଇଥିଲେ । ସେଠାରେ ଜାଭେଦ୍ କୁ ବବଲୁ ଟଙ୍କା ମାଗିବାରୁ ସେ ଦେବାକୁ ମନା କରିବାରୁ ବଚସା ହୋଇଥିଲା ।
ଏହାପରେ ସମସ୍ତେ ମିଶି ଜାଭେଦକୁ ପାଟିରେ ଟେପ୍ ଲଗାଇ ବନ୍ଧୁକ ଦେଖାଇ ନିସ୍ତୁକ୍ ମାଡ ମାରିଥିଲେ । ସହି ନପାରି ବାନ୍ଧବୀ ପଲକ ଚିତ୍କାର କରିବାରୁ ସେମାନେ ଉଭୟଙ୍କୁ ଏକ କାର୍ ରେ ଆଟଗାଁ ରାସ୍ତାରେ ତଣ୍ଡାମୁଣ୍ଡା ଜଙ୍ଗଲଆଡକୁ ନେଇ ଯାଇଥିଲେ ଓ ସେଠାରେ ଉଭୟଙ୍କର ଏକ ଧାରୁଆ ଛୁରୀରେ ତଣ୍ଟିକାଟି ହତ୍ୟାକରି ଫିଙ୍ଗିଦେଇ ସେହି କାର୍ ରେ ପଳାଇଥିଲେ , ଯାହା କି ବୁର୍ଲା ଭୀମସାର ପାର୍କିଂସ୍ଥଳରୁ ପୁଲିସ୍ ଜବତ କରିଛି । ଏଥିରେ ସମ୍ବଲପୁରର କେତେକ ଅଭିଯୁକ୍ତ ଅଛନ୍ତି । ଏହି ଘଟଣାରେ ପୁଲିସ୍ ଏକ ଭେ ର୍ ନା କାର୍ , ଏକ ଦେଶୀ ବନ୍ଧୁକ , ହତ୍ୟାରେ ବ୍ୟବହୃତ ଛୁରୀ , ଜୀବନ୍ତ ଗୁଳି , ମୋବାଇଲ୍ , ଆଟଗାଁ ପୋଲତଳୁ ରକ୍ତଲଗା କପଡା ଆଦି ଜବତ କରିଛି ।
ପ୍ରଥମେ ତଣ୍ଡାମୁଣ୍ଡା ଜଙ୍ଗଲରେ ପଡିଥିବା ଏହି ଦୁଇ ଅଜଣା ଯୁବକଯୁବତୀଙ୍କ ପରିଚୟ ପାଇବା ପୁଲିସ୍ ପାଇଁ ସମସ୍ୟା ସୃଷ୍ଟି ହୋଇଥିଲା । ପୁଇଁତଳା ଥାନାରେ ଏ ସମ୍ପର୍କରେ ଏକ ହତ୍ୟାମାମଲା ( କେସ୍ ନ୦ ୩୭୪ / ତା ୨୪ । ୧୦ । ୨୦୨୪ ) ଋଜୁ କରି ଶବବ୍ୟବଚ୍ଛେଦ ପୂର୍ବକ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀକୁକୁରର ସହାୟତାରେ ତଦନ୍ତ ଆରମ୍ଭ କରିଥିଲେ । ଏସ୍ ପି ଙ୍କ ନିର୍ଦ୍ଦେଶରେ ସଦର ଏସଡିପିଓଙ୍କ ନେତୃତ୍ବରେ ୫ ଟି ଟିମ୍ ଗଠନ କରାଯାଇ ରାଜ୍ୟବାହାରକୁ ଓ ସମ୍ବଲପୁରକୁ ପଠାଯାଇଥିଲା । ଶେଷରେ ମାତ୍ର ସପ୍ତାହକ ମଧ୍ୟରେ ଏ ଆଇ , ସାଇବର ସେଲ୍ , ବୈଷୟିକ ଜ୍ଞାନକୌଶଳର ଉପଯୋଗ କରି ବଲାଙ୍ଗୀର ପୁଲିସ୍ କୁ ଏହି ଆନ୍ତଃରାଜ୍ୟ ଅପରାଧୀଙ୍କୁ ଧରିବାରେ ସଫଳତା ମିଳିଛି । ହତ୍ୟାର ଶିକାର ହୋଇଥିବା ଜାଭେଦ୍ ସହ ପଲକ ମିଶ୍ରାର ଲିଭ୍ ଇନ୍ ରିଲେସନ୍ ପ୍ରାୟ ୪ ବର୍ଷ ହେଲା ରହିଥିବା ଓ ଉକ୍ତ ଯୁବତୀଟିର ସେପରି କୌଣସି ଅପରାଧିକ ସମ୍ପୃକ୍ତି ଥିବା ଅଦ୍ୟାବଧି ଜଣାପଡିପାରିନାହିଁ ବୋଲି ପୁଲିସ୍ କହିଥିଲେ ହେଁ , ସେ ଅପରାଧୀ ଜାଭେଦ୍ ର ସହାୟତା କରୁଥିବା ସ୍ପଷ୍ଟ ।
ତେବେ ଝାଡଖଣ୍ଡରୁ ଆସି ଏଠାରେ କେତେକ ସ୍ଥାନୀୟ ଅପରାଧୀଙ୍କ ସହାୟତାରେ ଗତ କିଛିମାସ ହେଲା ରହୁଥିବା ଏହି ବାହାରରାଜ୍ୟର ସନ୍ଦିଗ୍ଧ ଅପରାଧୀ ଜାଭେଦ ଓ ତା’ର ପ୍ରେମିକା ପଲକର କାର୍ଯ୍ୟକଳାପ ସମ୍ପର୍କରେ ପୁଲିସ୍ କିଛି ଲୁଚାଇଛି । ତାହା ହେଲା , ପଲକର ଥାନାକୁ ଯାଇଥିଲା ବେଳେ ପୁଲିସ୍ ତା’ର ମୁହଁର ଫଟୋ ଓ ଗତିବିଧିର ତଥ୍ୟ ରଖିଥିବାରୁ ଚିହ୍ନଟ ହୋଇପାରିଥିବା ସତ୍ତ୍ୱେ ଜାଭେଦର ସମ୍ପର୍କୀୟ ଭଣଜା ବା ତା’ରି ଏଜେଣ୍ଟ୍ କିଛିଦିନ ତଳେ ଗଞ୍ଜେଇ ଚୋରାଚାଲାଣରେ ବଲାଙ୍ଗୀର ଜିଆରପି ପୁଲିସ୍ ହାତରେ ଗିରଫ ହେବାପରେ ଭବାନୀପାଟଣାର ଜୁଭେନାଇଲ୍ ଜେଲ୍ ରେ ଥିବାରୁ ଉଭୟେ ଏକ ଲାଲ୍ ରଙ୍ଗର ସ୍କୁଟି ଓ ଏକ ଧଳାକାର୍ ରେ ବୁଲାବୁଲି କରୁଥିବା ସହ ଓକିଲଙ୍କ ଘରକୁ ଯାଉଥିବା ଓ ପୂର୍ବରୁ ଦେହବ୍ଯବସାୟ ମାମଲାରେ ଥରେ ଗିରଫ ହୋଇ ଜେଲ୍ ଯାଇଥିବା ବଲାଙ୍ଗିର ପ୍ରତାପସାଗର ପଡାର ଡବଲୁ ଓରଫ ରାଜେନ୍ଦ୍ର ସେଠ୍ ସହ ଏହି ଆନ୍ତଃରାଜ୍ୟ ଅପରାଧୀଙ୍କର ବରାବର ସମ୍ପର୍କ ରହିଥିବା ଓ ସେମାନେ ଏଠାରେ ରହି କ’ଣ କରୁଥିଲେ ଇତ୍ୟାଦି ଗୁରୁତର ଘଟଣା । ଏସବୁ ପୁଲିସ୍ ର ଗୋଚରରେ ରହିଥିଲା କି ?
ଏବେ ପ୍ରଶ୍ନ ଉଠିଲାଣି ଯେ , କିଛିଦିନ ତଳର ବଲାଙ୍ଗୀର ରେଳଷ୍ଟେସନ ନିକଟସ୍ଥ ଏକ ଲଜ୍ ର ଏକ କୋଠରୀର ବାଥ୍ ରୁମ୍ ଭିତରୁ ହାତଗୋଡ ବନ୍ଧାଥିବା ଓ ମୁହଁରେ ଟେପ୍ ଲଗାଯାଇ ହତ୍ୟାର ଶିକାର ହୋଇଥିବା ସୋନପୁରର ଜଣେ ପୁଲିସ୍ କନେଷ୍ଟବଳଙ୍କର ହତ୍ୟା ସହିତ ଏହି ମାମଲାର ସ୍ଥାନୀୟ ଓ ଝାଡଖଣ୍ଡୀ ଅପରାଧୀଙ୍କର କୌଣସି ଲିଙ୍କ୍ ରହିଛି କି ? କାରଣ ଏଇ ଦୁଇଟି ଘଟଣାର ହତ୍ୟାଶୈଳୀ ପ୍ରାୟ ସମାନ ଓ ଆସାମୀମାନେ ଝାଡଖଣ୍ଡର । ସେତେବେଳେ ସେହି ମାମଲାରେ କିଛି ସ୍ଥାନୀୟ ଅପରାଧୀଙ୍କର ମଧ୍ୟ ସମ୍ପର୍କ ରହିଥିବା ଚର୍ଚ୍ଚା ହୋଇଥିଲା । ସେହି ମାମଲାର ସମସ୍ତ ଆସାମୀ ଗିରଫ ହୋଇଥିଲେ କି ? ସର୍ବୋପରି ତାହା ପ୍ରକୃତରେ ରତ୍ନପଥର ଚୋରା କାରବାର ନା ଏହି ମାମଲାର ଖବର ପରିବେଷଣ କଲାବେଳେ କେତେକ ମିଡିଆରେ କୁହାଯାଇଥିବା ଗଞ୍ଜେଇ ଚୋରାଚାଲାଣ ପାଇଁ ?
ସବୁଠାରୁ ବଡକଥା ହେଉଛି , ଗତକିଛିବର୍ଷ ହେଲା ବଲାଙ୍ଗୀର ସହରରେ ବି ଏଭଳି ଅବୈଧ ଜମିବାଡି କିଣାବିକା ମାମଲାରେ ଅନେକ ଅପରାଧ ଘଟିଛି । ଏଠି ବି ଡନ୍ ଅଛନ୍ତି । ଏପରିକି ଏଭଳି ମାମଲାରେ ପୁଲିସ୍ ର ସମ୍ପୃକ୍ତି ମଧ୍ୟ ଜଣାପଡିଥିଲା । ସେହିପରି ଗଞ୍ଜେଇ ଚୋରା ଚାଲାଣରେ ପୁଲିସ୍ ର ସମ୍ପୃକ୍ତି ରହିଛି । କିଛିଦିନତଳେ ବଲାଙ୍ଗୀର ରେଳଷ୍ଟେସନ ଲଜ୍ ରେ ହାତଗୋଡ ବାନ୍ଧି ମୁହଁରେ ଟେପ୍ ଲଗାଇ ସୋନପୁରର ଜଣେ ପୁଲିସ୍ କନେଷ୍ଟବଳଙ୍କୁ ହତ୍ୟାକରି ବାଥ୍ ରୁମ୍ ରେ ପୁରାଇ ତାଙ୍କ କାର୍ ରେ ପଳାଇବା ବେଳେ କାର୍ ଟି ଖୁଜେନପାଲି ନିକଟରେ ଦୁର୍ଘଟଣାଗ୍ରସ୍ତ ହେବାରୁ ପଳାଇଥିବା ଝାଡଖଣ୍ଡର ଅଭିଯୁକ୍ତମାନେ ପରେ ଗିରଫ ହୋଇଥିଲେ ହେଁ , ତାହାକୁ ରତ୍ନପଥର ମାମଲା ବୋଲି ଦର୍ଶାଯାଇଥିଲା । ଯେଉଁଥିରେ ଲୋକଙ୍କର ସନ୍ଦେହ ରହିଛି ।
ତେବେ ଏହି ଡବଲମର୍ଡର ପଛର କାହାଣୀ ପ୍ରକୃତରେ ଏତିକି ନା ଏହାର ଆଢୁଆଳରେ ଆଉକିଛି ରହିଛି ? କୁହାଯାଉଛି , ଜାଭେଦ୍ ବଲାଙ୍ଗୀରରେ ତା’ ବାନ୍ଧବୀ ସହ ରହି କେତେକ ସ୍ଥାନୀୟ ଯୁବକଙ୍କୁ ଧରି ଏକ ଗୋଷ୍ଠୀ ଗଠନ କନ୍ଧମାଳ ବା ବୌଦ୍ଧରୂ ସୋନପୁର ଦେଇ ବଲାଙ୍ଗୀରରୁ ଝାଡଖଣ୍ଡକୁ ଗଞ୍ଜେଇ ଚୋରାଚାଲାଣ କରୁଥିଲା । ଏଥିପାଇଁ ସେ ଝାଡଖଣ୍ଡର ବିଲ୍ଡର ବନାମ ମାଫିଆଡନ୍ ଠାରୁ ଲକ୍ଷ ଲକ୍ଷ ଟଙ୍କା ଆଣି ତାକୁ ମାଲ୍ ଦେଉଥିଲା । ମଝିରେ ତା’ର ତଥାକଥିତ ଭଣଜା ବା ଦୁଇଜଣ ନାବାଳକ ରେଳଷ୍ଟେସନରେ ଧରାପଡି ଯିବାରୁ ସେ ମାଲ୍ ଦେଇ ନପାରି ସେମାନଙ୍କ ଜାମିନ୍ ପାଇଁ ଲାଗିଥିଲା । ତେଣୁ ସେ ସେହି ୭ ଲକ୍ଷଟଙ୍କା ଦେଇପାରି ନଥିଲା ।
ଅନ୍ୟକେତେକ ଚର୍ଚ୍ଚାରୁ ପ୍ରକାଶ ଯେ ମାତ୍ର ଏଇ ୭ ଲକ୍ଷ ଟଙ୍କା ପାଇଁ ଏତେବାଟରୁ ଡନ୍ ବବଲୁ ସହଯୋଗୀଙ୍କ ସହ ଆସି ହତ୍ୟା କରିଥିବା ସେତେ ବିଶ୍ବାସଯୋଗ୍ୟ ଲାଗୁନାହିଁ ! ଏହାପଛରେ ଆହୁରି କିଛି ତଥ୍ୟ ବା କୋଟି କୋଟି ଟଙ୍କାର କାରବାରର ଗନ୍ଧ ଆସୁନାହିଁ କି ?
ଜାଭେଦ୍ ଓ ପଲକ ମିଶ୍ରା ଏତେଥର ବଲାଙ୍ଗୀର ଆସିବା ଓ ଏତେଦିନ ଧରି ବଲାଙ୍ଗୀରରେ ରହି କ’ଣ କରୁଥିଲେ ? ଏସବୁରେ ଡବ୍ଲ୍ଯୁ ବା ସ୍ଥାନୀୟ ଅପରାଧୀ ରାଜେନ୍ଦ୍ର ସେଠ୍ ର ମଧ୍ୟସ୍ଥିର କାରଣ କେବଠୁଁ ଓ କ’ଣ ? ମୃତ ଅପରାଧୀ ଜାଭେଦ୍ ଓ ତାର ବାନ୍ଧବୀ ପଲକ ମିଶ୍ରା ବୁଲୁଥିବା କାର୍ ଓ ଲାଲ୍ ସ୍କୁଟିଟି କାହାର କିଏ ଯୋଗାଇଥିଲା ? ରାଜସାକ୍ଷୀ ହୋଇଥିବା ମହିଳାଟିର ଭୂମିକା କ’ଣ ରହିଥିଲା ?
ଆହୁରି ବି ଜାଭେଦ୍ ର ବାନ୍ଧବୀ ପଲକ ମିଶ୍ରା ଥରେ କୌଣସି କାମ ପାଇଁ ପୁଲିସ୍ ର ଦ୍ବାରସ୍ଥ ହୋଇଥିବା ପ୍ରକାଶ ପାଇଛି । ସେ କେଉଁଥି ପାଇଁ ଥାନାକୁ କେବେ ଯାଇଥିଲା , ପୁଲିସ୍ ସ୍ପଷ୍ଟ କରିନାହିଁ । ତେବେ ଜଣେ ବାହାର ରାଜ୍ୟର ସନ୍ଦିଗ୍ଧା ଯୁବତୀ ଓ ତା’ ସହ ରହୁଥିବା ସନ୍ଦିଗ୍ଧଯୁବକର ହିଷ୍ଟ୍ରି ପୁଲିସ୍ ସଂଗ୍ରହ କରିଥିଲା କି ? ଯଦି ଯୁବତୀଟିର ଏଫ୍ ଡି ସି ଓ ତଥ୍ୟ ପୁଲିସ୍ ସଂଗ୍ରହ କରି ରଖିଥିଲା , ଅପରାଧ ବ୍ୟାକ୍ ଗ୍ରାଉଣ୍ଡ୍ ଥିବା ଜାଭେଦ୍ ର ତଥ୍ୟ ସଂଗ୍ରହ କରିଥିଲା କି ନାହିଁ ? ଯଦି କରିଥିଲା , ତେବେ ସେମାନଙ୍କର କାର୍ଯ୍ୟକଳାପ ମଧ୍ୟ ପୁଲିସ୍ ର ଗୋଚରରେ ଥିବ ? ପଲକ ମିଶ୍ରା ଜାଭେଦର ସମ୍ପର୍କୀୟଙ୍କ ପାଇଁ ପୁଲିସ୍ ପାଖକୁ ଯାଇଥିଲା ନା ଜାଭେଦକୁ ଏଇ ହତ୍ୟାକାରୀ ପକ୍ଷରୁ କୌଣସି ଧମକ ମିଳିଥିବାରୁ ସୁରକ୍ଷା ଲୋଡିଥିଲା ? – ଏଭଳି ଶତେକ ପ୍ରଶ୍ନ ଏବେ ଲୋକଙ୍କ ମନରେ ମୁଣ୍ଡ ଟେକିଛି ।
ସେ ଯାହାହେଉ ,ଏବେ ବଲାଙ୍ଗୀରସହରଟି ଦେହବ୍ଯବସାୟ , ଗଞ୍ଜେଇ ଚୋରାଚାଲାଣର କରିଡର୍ , କଫସିରପ୍ / ନିଶାବଟିକା କାରବାରର ପେଣ୍ଠସ୍ଥଳୀ ଓ ଲୁଟ୍ , ହତ୍ୟା , ଅପରାଧୀଙ୍କ ଗୋଷ୍ଠୀସଂଘର୍ଷ ଇତ୍ୟାଦି ନିମନ୍ତେ ବଦନାମ ହୋଇଗଲାଣି । ଗଞ୍ଜେଇ ଚୋରାଚାଲାଣ ପାଇଁ କିଛିମାସ ତଳେ ପୁଇଁତଳା ଥାନା ଅଞ୍ଚଳରେ ବୌଦ୍ଧ ଜିଲ୍ଲାର ଜଣେ ବିବାହିତା ମହିଳାଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା । ଏସବୁର ନିୟନ୍ତ୍ରଣରେ ପୁଲିସ୍ ର ଭୂମିକା ନୈରାଶ୍ଯଜନକ ।
ଏଣୁ ବଲାଙ୍ଗୀର ସହର ଯେ କ୍ରମେ ଅସୁରକ୍ଷିତ ହୋଇପଡୁଛି । ଏଠାକୁ ବାହାରରାଜ୍ୟର ଅପରାଧୀମାନେ ଆସି ଚରାଭୂଇଁ କରିସାରି ଥିଲେ ବି ପୁଲିସ୍ ନାହିରେ ତେଲ ଦେଇ ଶୋଇଛି ! ଏଣୁ ଏଇ ଗୋଟିଏ ମାମଲାର ସଫଳତାରେ ଲୋକେ ସେତେ ଖୁସି ହେଇ ପାରି ନଥିବା ପ୍ରକାଶ । ବରିଷ୍ଠ ଅଧିକାରୀମାନେ ଏଥିପ୍ରତି ଧ୍ୟାନ ଦେବା ଆବଶ୍ୟକ ।