ଠକକମ୍ପାନୀର କମିଶନ ଏଜେଣ୍ଟ୍ ବିରୋଧରେ ଏତଲା
ହୁଗୁଳା ଦଣ୍ଡବ୍ୟବସ୍ଥାର ଫାଇଦା ନେଇ ଅଭିଯୁକ୍ତ ମୁକୁଳା
ସାଇବର ଠକେଇରେ ଫସି ଆତ୍ମହତ୍ୟା କରୁଛନ୍ତି ଯୁବକମାନେ
ତରଭା : ସାରାରାଜ୍ୟ ସମେତ ପଶ୍ଚିମଓଡିଶାର ବଲାଙ୍ଗୀର ଓ ସୁବର୍ଣ୍ଣପୁର ଜିଲ୍ଲାରେ ଛନ୍ଦିହେଲାଣି ସାଇବରଠକେଇର ଜାଲ । ଏଥିରେ କିଛିଦିନ ମଧ୍ୟରେ ଆତ୍ମହତ୍ୟା କରି ବଲାଙ୍ଗୀର ବା ସୋନପୁରଜିଲ୍ଲାରେ ଗଲାଣି ୪ ଜଣ ଯୁବକଙ୍କ ଅମୂଲ୍ୟଜୀବନ । ଏବେ ସୁବର୍ଣ୍ଣପୁର ଜିଲ୍ଲାର କେବଳ ତରଭାରେ ଏଭଳି ଏକ ଏଆଇ ଆପ୍ କମ୍ପାନୀ କମିଶନ ଏଜେଣ୍ଟ ଜରିଆରେ ପ୍ରଲୋଭିତ କରି ଲୋକଙ୍କ ଠାରୁ ପ୍ରାୟ ଦୁଇକୋଟିରୁ ଉର୍ଦ୍ଧ୍ବଟଙ୍କା ଠକି ନେଇଥିବା ଚର୍ଚ୍ଚା ହେଉଛି ।
ଏହି ପରିପ୍ରେକ୍ଷୀରେ ଗତ ୨୫ ରୁ ୩୦ ଅଗଷ୍ଟ ମଧ୍ୟରେ ତରଭା ଠାରେ ସେମାନଙ୍କ ଠାରୁ ସ୍ଥାନୀୟ ଏଜେଣ୍ଟ୍ ସଂସିତ୍ ସାହୁ ଜରିଆରେ Runlve ନାମକ ଏକ ଏଆଇ ଆପ୍ଲିକେସନ୍ କମ୍ପାନୀ ପୁଞ୍ଜିନିବେଶର ପ୍ରଲୋଭନ ଦେଇ ବହୁଗୁଣିତ ଲାଭର ଚ କ୍ ମା ଦେଖାଇ ଲୋକଙ୍କୁ ପ୍ରରୋଚିତ କରି ତୃତୀୟପକ୍ଷ ହିସାବରେ ୯୫ ହଜାର ୩୦୦ ଟଙ୍କା ତାଙ୍କ ଡାଉନ୍ ଲାଇନ୍ ରେ ଠକି ନେଇଥିବା ସମ୍ପର୍କରେ ଗତ ୨୩ । ୯ ।୨୦୨୪ ତାରିଖରେ ତରଭାଥାନାରେ ତରଭାର ଶ୍ରୀକୁମାର ମହନ୍ତ ଏବଂ ତାଙ୍କ ସହିତ ତରଭାର ଶିବ ମେହେର ଓ ନୀଳକଣ୍ଠ ଦାଶ ଏକ ଲିଖିତ ଏତଲା ଦେଇଥିବା ଜଣାଯାଇଛି । ଏହି ଆଧାରରେ ତରଭାଥାନାରେ କେସ୍ ନ୦ ୨୮୧ / ତା ୨୩ । ୯ । ୨୦୨୪ ରେ ଭାରତୀୟ ନ୍ୟାୟ ସଂହିତା- ୨୦୨୩ ର ଦଫା ୩୧୮ (୨) , ୩୧୯ ( ୨) , ୩ ( ୫ ) , ୨୦୦୮ରେ ଗୃହୀତ ବୈଷୟିକ ସୂଚନା ଆଇନ୍ – ୬୬ (ଗ ) ଓ ୬୬ ( ଘ) ଆର୍ଥିକ କ୍ଷତି ଅଭିଯୋଗରେ ଏକ ମାମଲା ଋଜୁ କରି ତଦନ୍ତ କରାଯାଉଥିବା ଜଣାଯାଇଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ , ପ୍ରଥମେ ଏହି ଅଭିଯୋଗକାରୀ କିଛିଦିନ ତଳେ ଥାନାକୁ ଆସି ଉକ୍ତ ଅଭିଯୁକ୍ତ ତାଙ୍କର ୨୨ ୫୦୦ଟଙ୍କା ଏଇ କମ୍ପାନୀ ଜରିଆରେ ହଡପ କରିଥିବା ସମ୍ପର୍କୀୟ ଏକ ଲିଖିତ ଏତଲା ଦେଇଥିବା ଓ ଥାନାଧିକାରିଣୀଙ୍କ ପରାମର୍ଶରେ ଏହାକୁ ଫେରାଇ ଦିଆଯାଇଥିଲା । ଏହାପରେ ଅଭିଯୋଗକାରୀ ନୂଆଦିଲ୍ଲୀ ସ୍ଥିତ ଏ ସମ୍ପର୍କିତ ତଦନ୍ତକାରୀ ସଂସ୍ଥାକୁ ଏ ସମ୍ପର୍କରେ ଏକ ଅନ୍ ଲାଇନ୍ ଅଭିଯୋଗ ପଠାଇଥିଲେ । ଏହା ମଧ୍ୟ ଗୃହୀତ ହୋଇଥିବା ପ୍ରକାଶ । ଏହାପରେ ଶେଷରେ ତରଭା ଥାନାରେ ଏହି ଲିଖିତ ଏତଲାକୁ ଗ୍ରହଣ କରାଯାଇ ମାଗଣା ଋଜୁ ପୂର୍ବକ ତଦନ୍ତ କରାଯାଉଥିବା ପ୍ରକାଶ ।
ଏ ସମ୍ପର୍କରେ କ୍ଷତିଗ୍ରସ୍ତ ଅଭିଯୋଗକାରୀ କ୍ଷୋଭ ପ୍ରକାଶ କରି କହିଛନ୍ତି ଯେ , ତାଙ୍କର ଏହି ଏତଲାକ୍ରମେ ଋଜୁ ହୋଇଥିବା ଦଫାଗୁଡିକରେ ଅଭିଯୁକ୍ତ ବା ଉକ୍ତ କମ୍ପାନୀକୁ ଦଣ୍ଡିତ କରାଯିବାକୁ ସେପରି ଦୃଢ ଆଇନଗତ ନିୟମ ନାହିଁ। କାରଣ ସବୁ ଦଫାଗୁଡିକର ଦଣ୍ଡବିଧାନର ଅବଧି ୫ ବର୍ଷ ମଧ୍ୟରେ ରହିଥିବାରୁ ଅଭିଯୁକ୍ତକୁ ଥାନାରୁ ଇ ଲେଖାଇ ନିଆଯାଇ ଛାଡି ଦିଆଯାଇପାରିବ । ଏହି ଚର୍ଚ୍ଚା ହେବାରୁ ବରାବର ଥାନା ସହ ସମ୍ପର୍କ ରଖିଥିବା ଅଭିଯୁକ୍ତ ଏଥରୁ ମୁକୁଳିଯିବାର ବାଟ ସଫା ହୋଇଯାଇଛି । ଏହା ସ୍ଥାନୀୟ ଲୋକଙ୍କ ଚର୍ଚ୍ଚାଚାପ ଯୋଗୁଁ ପୁଲିସ୍ ଏପରି ଏକ କୋହଳ ମାମଲା ଋଜୁ କରି ମୁଣ୍ଡରୁ ଦାୟିତ୍ୱ ଖସାଇବା ପରି ହେଲା ବୋଲି ଚର୍ଚ୍ଚା ହେଉଛି ।
ଆମ ପ୍ରତିନିଧି ତରଫରୁ ତରଭା ଥାନାଧିକାରିଣୀଙ୍କ ସହ ଆଲୋଚନା କରିଥିଲେ ଓ ଅନୌପଚାରିକ ଭାବେ ଆଇଆଇସି ଅନୀତା କିଡୋ କହିଥିଲେ ଯେ ଏଭଳି ସାଇବର ଠକେଇ ବିରୁଦ୍ଧରେ ପୁଲିସ୍ ହାତରେ ସେତେ କ୍ଷମତା ନାହିଁ । ତରଭାରେ ପ୍ରାୟ ଦୁଇ ବା ତିନିକୋଟି ଠକେଇ ହୋଇଥିବା କୁହାଯାଉଥିବା ବେଳେ ଟଙ୍କାର ପରିମାଣ ଦୃଷ୍ଟିରୁ ଏହା ଇଡି ବା ପ୍ରବର୍ତ୍ତନ ବିଭାଗର ତଦନ୍ତର ପରିସରଭୁକ୍ତ ହେବା ଆବଶ୍ୟକ । ସେଇପରି ଏଭଳି ବାହାରର ବା ବିଦେଶୀ ଆପ୍ ର ଠକେଇ ମାମଲାଗୁଡିକର ସାଇବର ଥାନାରେ ମାମଲା ଋଜୁ କରି ତଦନ୍ତ ହେବାକଥା । ଅବା ସେ ଭୁଲ୍ କହିନାହାଁନ୍ତି । ଆହୁରି ମଧ୍ୟ ଏଭଳି ଠକେଇ ବିରୁଦ୍ଧରେ କିଭଳି କେଉଁଠି ଏତଲା ଦିଆଯିବା କଥା କ୍ଷତିଗ୍ରସ୍ତ ଲୋକେ ପ୍ରାୟତଃ ଭଲଭାବେ ଜାଣିନାହାଁନ୍ତି । ତରଭାରେ ଏତେ କୋଟି କୋଟି ଟଙ୍କାର ଠକେଇରେ ସ୍ପଷ୍ଟଦିବାଲୋକରେ ଅଭିଯୁକ୍ତ ସଂସିତ ସାହୁ ପରି ସ୍ଥାନୀୟ କମିଶନ୍ ଏଜେଣ୍ଟ ମାନେ ଜାଣିଶୁଣି ଲୋକଙ୍କୁ ଭୁଆଁବୁଲେଇ ଠକିବା ପରେ ମଧ୍ୟ କ୍ଷତିଗ୍ରସ୍ତ ଲୋକେ କାହିଁକି ଥାନାପୁଲିସ୍ ରେ ଯାଇ ଅଭିଯୋଗ କରୁ ନାହାଁନ୍ତି , ଆଶ୍ଚର୍ଯ୍ୟର ବିଷୟ ବୋଲି ଅଭିଯୋଗକାରୀ ଶ୍ରୀ ମହନ୍ତ କ୍ଷୋଭପ୍ରକାଶ କରିଛନ୍ତି ।
ଉକ୍ତ ଅଭିଯୁକ୍ତ ତାଙ୍କ ତରଭାସହର ସ୍ଥିତ କଲ୍ୟାଣ ମଣ୍ଡପରେ ଭୋଜିଭାତର ଆୟୋଜନ କରି ଲୋକଙ୍କୁ ଠୁଳେଇ ଅଧିକ ଲାଭର ବିଭିନ୍ନ ମିଥ୍ୟାପ୍ରଲୋଭନ ଦେଇ ତାଙ୍କ ଡାଉନ୍ ଲାଇନ୍ ରେ ଲୋକଙ୍କ ଠାରୁ ପ୍ରାୟ ୨ ରୁ ୩ କୋଟି ଟଙ୍କା ପୁଞ୍ଜିନିବେଶ ଆଳରେ ନେଇଯିବା ପରେ କମ୍ପାନୀ ହଠାତ୍ ବନ୍ଦ ହୋଇଯାଇଛି । ଏହା ପୂର୍ବରୁ ଏଇଭଳି ଅନ୍ୟାନ୍ୟ ଆପ୍ ଜରିଆରେ ଏଭଳି ଢଙ୍ଗରେ ପୁରୀ ଓ ବୌଦ୍ଧ ଠାରେ ମଧ୍ୟ ଏଭଳି ପ୍ରଚାରପ୍ରସାର କରାଯାଇ କୋଟି କୋଟି ଟଙ୍କାର ହଡପ କରାଯାଇଥିବା ପ୍ରକାଶ । ଏପରିକି ପୁରୀ ଜିଲ୍ଲାରେ ଏକ ବିଦେଶୀ ଆପ୍ ସଂସ୍ଥାର ପାଲରେ ପଡି ଲୋକଙ୍କଠାରୁ ବିପୁଳ ନିବେଶ ଟଙ୍କା ଠକି ବନ୍ଦ ହୋଇଯାଇଥିବା ଏକ ଠକସଂସ୍ଥାର ୨ ଜଣ ସ୍ଥାନୀୟ ଏଜେଣ୍ଟଙ୍କୁ ଘେରାଓ କରି ଅଟକ ରଖିଥିବା ସ୍ଥାନୀୟ ପୁଲିସ୍ ଲୋକମାନଙ୍କ ଆକ୍ରୋଶରୁ ଉଦ୍ଧାର କରିଥିବା ଖବର ପ୍ରକାଶ ପାଇଥିଲା । ବୌଦ୍ଧ ସହରରେ ମଧ୍ୟ ଏଭଳି ଠକେଇ ଘଟିଥିବା ଖବର ପ୍ରକାଶ ପାଇଥିଲା । ଏଣୁ ସ୍ଥାନୀୟ ଏଜେଣ୍ଟମାନେ ଏଭଳି ଆପ୍ କୁ ଆଣି ଏସବୁ ଠକେଇରେ କୋଟି କୋଟି ଟଙ୍କାର ହଡପ କରୁଛନ୍ତି ।
ପ୍ରକାଶଯୋଗ୍ୟ ଯେ , କିଛିଦିନତଳେ ଏଇ ଅଞ୍ଚଳର କମସରା ପେକ୍ସର ଡାଟା ଏଣ୍ଟ୍ରି ଅପରେଟର ସୋନପୁର ଜିଲ୍ଲା ଯୋଗାଣ ଅଧିକାରୀଙ୍କ ଅଫିସ୍ ର ଜଣେ ଡିଇଓ ଏବଂ ଭୁବନେଶ୍ବରର ଯୋଗାଣ ବିଭାଗର ମୁଖ୍ୟ କାର୍ଯ୍ୟାଳୟର ଜଣେ କମ୍ପ୍ୟୁଟର ଅପରେଟରଙ୍କ ସହ ମିଳିତଭାବେ ଗତ ଖରିଫ୍ ଋତୁର ଧାନକିଣା ନାଁ’ରେ ଫେକ୍ ଭେଣ୍ଡରଙ୍କୁ ମିଥ୍ୟାରସିଦ୍ ଦେଇ ସରକାରୀ ପାଉଣା ହଡପ ଲକ୍ଷ୍ୟରେ ଓ କଳାବଜାରୀଙ୍କ ଜରିଆରେ ରାଜ୍ୟ ବାହାରକୁ ଧାନର ଚୋରାଚାଲାଣରେ ଜଡିତ ରହି ୧୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ହଡପ କରି ସ୍ବୀକାରୋକ୍ତି ଲେଖିଦେଇଥିଲେ । ଏହା ପଛରେ ଏଭଳି ସାଇବର ଠକେଇ ରହିଥିବା ଚର୍ଚ୍ଚା ହୋଇଥିଲା । ସେଇପରି କିଛିଦିନ ତଳେ ସୋନପୁର ଉଠା ଜଳସେଚନ ନିଗମର ଜଣେ ସହକାରୀ ହିସାବରକ୍ଷକ ପ୍ରାୟ ୧ କୋଟି ୧୯ ଲକ୍ଷ ସରକାରୀ ଟଙ୍କା ବ୍ୟାଙ୍କରୁ ଉଠାଇ ଏପରି ଏକ ଆପ୍ ବା ଗ୍ରୋ ଆପ୍
ରେ ନିବେଶ କରି ବୁଡିଯାଇ ଫେରାର୍ ହୋଇଯାଇଛି । ଯାହା ଏବେ ସୋନପୁର ଥାନାରୁ ସୋନପୁର ଭିଜିଲାନ୍ସର ତଦନ୍ତାଧୀନ ରହିଛି ।
ସବୁଠାରୁ ଗୁରୁତର ବିଷୟ ଯେ , ସୋନପୁର ଜିଲ୍ଲାର ଲଛିପୁରର ଜଣେ ବ୍ୟବସାୟୀ ଯୁବକ , ଗତ ମାସ ୧ ତାରିଖରେ ବଲାଙ୍ଗୀରରେ ରହୁଥିବା ମେଣ୍ଡା ଗ୍ରାମର ସୋନପୁର ମହାନଦୀକୁ ବ୍ରିଜ୍ ଉପରୁ ଡେଇଁ ଆତ୍ମହତ୍ୟା କରିବାପରେ ଗତ ୨୨ ତାରିଖରେ ତାଙ୍କର ଗଳିତ ଶବ ସୋନପୁର ପୁଲିସ୍ ଉଦ୍ଧାର କରିଥିବା ଜଣେ ମିଡିଆ କର୍ମଚାରୀଯୁବକ ଓ ବଲାଙ୍ଗୀର ଜିଲ୍ଲାର ପାଟଣାଗଡ ସରମୁହାଣଠାରେ ରାସ୍ତାକଡର ଏକ ଗଛରେ ବେକରେ ଫାଶି ଲଗାଇ ଆତ୍ମହତ୍ୟା କରିଥିବା ଜଣେ ଯୁବକଙ୍କ ଆତ୍ମହତ୍ୟା ପଛରେ ଏଇ ସାଇବର ଆପ୍ ଠକେଇରେ ଲକ୍ଷ ଲକ୍ଷ ଟଙ୍କା ହାରିଥିବାର କାରଣ ରହିଛି । ଲୋକେ ପୁଲିସ୍ ପ୍ରତି ଆସ୍ଥା ନଥିବାରୁ ଥାନା ଅଭିଯୋଗ କରୁନାହାଁନ୍ତି । ପୁଲିସ୍ ମଧ୍ୟ ଏଭଳି ବିପୁଳ ଟଙ୍କା ହଡପ ଅଭିଯୋଗ ମାମଲାରେ ହାତଚିକ୍କଣ କରି ବିଭିନ୍ନ ଆଳ ଦେଖାଇ ମୁଣ୍ଡରୁ ଦାୟିତ୍ୱ ଖସାଇ ନେଉଛି । ମାମଲା ଋଜୁ କରାଗଲେ ମଧ୍ୟ ଅସଲ ଦୋଷୀ ବା ଜାଣିଶୁଣି ଠକଙ୍କୁ ସହାୟତା କରୁଥିବା ଅଭିଯୁକ୍ତମାନେ ଆଇନ୍ ବା ତଦନ୍ତର ଫାଙ୍କରେ ଗଳିଯାଇ ଖସି ଯାଉଛନ୍ତି ।
ତେବେ ଖାଲି ପଶ୍ଚିମଓଡିଶା କାହିଁକି , ପ୍ରାୟ ପ୍ରତିଦିନ ରାଜ୍ୟର କେବେ ବ୍ରହ୍ମପୁର ଓ କେବେ ଆଉ କେଉଁଠି , ଏଭଳି ସାଇବରଠକେଇର ଖବର ପ୍ରକାଶ ପାଇଆସୁଛି । ଏଣୁ ସରକାର ଏଭଳି ସାଇବର ଠକେଇ ବିରୁଦ୍ଧରେ ଦୃଢ ପଦକ୍ଷେପ ନେବାକୁ ଜନସାଧାରଣ ଦାବି କରିଛନ୍ତି ।
ଏହି ମାମଲାଟିରେ ସରକାର ହସ୍ତକ୍ଷେପ କରି ଉଚିତ୍ ଏଜେନ୍ସି ଦ୍ବାରା ତଦନ୍ତ ପୂର୍ବକ ସ୍ଥାନୀୟ ପ୍ରମୋଟର ଅଭିଯୁକ୍ତକୁ ତୁରନ୍ତ ଗିରଫ କରାଯିବାକୁ ଅଞ୍ଚଳର ଲୋକେ ଦାବି କରୁଛନ୍ତି ।