ମୁଖ୍ୟଅଭିଯୁକ୍ତକୁ ଛାଡି ସହଯୋଗୀଙ୍କ ନାଁ’ରେ ମାମଲା ଋଜୁ
ବଲାଙ୍ଗୀର : ଦାଦନସମସ୍ୟାର ନିରାକରଣ ପାଇଁ ନୂଆ ସରକାର ଗଠନ କଲେ ଟାସ୍କଫୋର୍ସ । ଜିଲ୍ଲାର ଉପମୁଖ୍ଯମନ୍ତ୍ରୀ ରହିଲେ । ଅଧ୍ୟକ୍ଷ ଶାସକଦଳର ବିଧାୟକ ପୂର୍ବବତ୍ ତାଙ୍କ ସର୍ଦ୍ଦାରଭାଇଙ୍କୁ ସୁରକ୍ଷା ଦେବାକୁ ଚାପ ଦେଲେ ଥାନାକୁ । ପୁଲିସ୍ ଅସୁଲି କଲା ବଇନା ଟଙ୍କା ! ଘଟଣାଟି ପ୍ରଘଟ ହେଲାପରେ ଏକ ମାମଲା ଋଜୁ କରି ୮ ଜଣ ଶ୍ରମିକଙ୍କୁ ଉଦ୍ଧାର ସହ ନେଇ ଛାଡିଲା ତାଙ୍କ ଗାଁ’ରେ ଓ ମୁଖ୍ୟଅଭିଯୁକ୍ତକୁ ଛାଡି ମାମଲା ଋଜୁ କଲା ହେଲ୍ ପର ନାଁ’ରେ !
ଅବଶ୍ୟ ଜଣେ ଲାଇସେନ୍ସ ପ୍ରାପ୍ଥ ଶ୍ରମିକ ଠିକାଦାରଙ୍କର ଅଗ୍ରୀମ ଟଙ୍କା ନେଇ ଫାଙ୍କିଦେବା ଠିକ୍ ନୁହେଁ । ତେବେ ନିଃସ୍ବ ଦରିଦ୍ର ଭୋକିଲା ଦିନମଜୁରିଆ ଦାଦନଶ୍ରମିକଙ୍କ ହାତରେ ବିଡା ବିଡା ନୋଟ୍ ବଢାଇ ଦେଉଥିବି ସର୍ଦ୍ଦାରଙ୍କର ଲେବର ମିଳୁ ନଥିବାର ପ୍ରଲୋଭନ ନିମନ୍ତେ ଦାୟୀ କିଏ ?
କିଛିବର୍ଷତଳେ ଲାଠୋର ଥାନାରେ ଏଭଳି ଏକ ମାମଲା ବି ଘଟିଥିଲା।ଲାଠୋର ଥାନାଧିକାରୀ ବେଲପଡା ଥାନା ଅଞ୍ଚଳର ଖଲିପଥର ଗ୍ରାମର ୬୭ ଜଣ ଅଗ୍ରୀମ ନେଇ ଅନ୍ୟଆଡେ ଯିବାକୁ ପ୍ରସ୍ତୁତ ହେଉଥିବା ମହିଳା- ଶିଶୁ – ପୁରୁଷ ଦାଦନଶ୍ରମିକଙ୍କୁ ପୁଲିସ୍ ସଶସ୍ତ୍ର ପୁଲିସ୍ ପଠାଇ ବନ୍ଧୁକମୁନରେ ରାତିରେ ଘରୁ ଉଠାଇଆଣି ପିପଲବାହାଲର ଜଣେ ସର୍ଦ୍ଦାରର ଅଭିଯୋଗରେ ଅଟକ ରଖିଥିବା ଓ ଜଣେ ସାମ୍ବାଦିକଙ୍କ ଚାପରେ ଉଦ୍ଧାର କରାଯିବା ସତ୍ତ୍ୱେ ସେମାନଙ୍କ ବିରୋଧରେ ମାମଲାଋଜୁର ଧମକ ଦେଇ ଜଣ ଜଣକଠାରୁ ଲକ୍ଷାଧିକ ଟଙ୍କା ଅସୁଲି କରି ଆତ୍ମସାତ୍ କରିଥିବା ପ୍ରକାଶ ପାଇଥିଲା । ବେଲପଡା ଥାନାରେ ମଧ୍ୟ ଡକରାର ଜଣେ ସର୍ଦ୍ଦାରର ଇସାରାରେ ପୁଲିସ୍ କିଛିବର୍ଷ ତଳେ ସେ ଅଟକ ରଖିଥିବା ପାଟଣାଗଡ ଥାନାନ୍ତର୍ଗତ ରାକ୍ଷୀଉଡାର ଗ୍ରାମର କେତେକ ଅପହୃତ ଶ୍ରମିକଙ୍କୁ ଡରାଇବାକୁ ଏଭଳି କରିଥିବା ଘଟଣା ଲୋକଲୋଚନକୁ ଆସିଥିଲା । ଗଣମାଧ୍ୟମରେ ଏଭଳି ଦାଦନଶ୍ରମିକଙ୍କର ଅଗ୍ରୀମ ନେଇଥିବା ମାମଲାରେ ପୋଲିସ୍ କିଛି ଉତ୍କୋଚ ବିନିମୟରେ ସର୍ଦ୍ଦାରଙ୍କୁ ସହାୟତା କରିବା ଘଟଣା ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଉପରିସ୍ଥ ଅଧିକାରୀ ନୀରବତା ଅବଲମ୍ବନ କରିଥିବା ଘଟିଥିଲା ।
ପୁଲିସ୍ ଅସୁଲି କରୁଛି ଦାଦନବଇନା !
ଇଏ ହେଉଛି , ସେଇ କଣ୍ଟାବାଞ୍ଜି ଥାନାର ଘଟଣା ଓ ପୁଲିସ୍ ର ହାତସଫେଇ । ଯୋଉ କଣ୍ଟାବାଞ୍ଜିର ପୂର୍ବତନ ଏସଡିପିଓ ନିଲମ୍ବିତ ହୋଇଥିଲେ ଲଜ୍ ଚଢାଉ କରି ଆନ୍ଧ୍ର ସେଠ୍ ଙ୍କ ଠାରୁ କୋଟିଏ ପାଖାପାଖି ଅଗ୍ରୀମଟଙ୍କା ହଡପ ସହ ସେମାନଙ୍କୁ ଜୁଆଡି ବୋଲି ମିଛମାମଲାରେ ଫସାଇ । ତେବେ ଥାନାରେ ସର୍ଦ୍ଦାରଙ୍କ ସପକ୍ଷରେ ଚାପ ପକାଇଥିବା ନିଜକୁ ‘ ଅନ୍ନଦାତା ‘ କହୁଥିବା କେବଳ ଏବର ବିଧାୟକଙ୍କ ବିରୁଦ୍ଧରେ ନୂଆ ଅଭିଯୋଗ ନୁହେଁ , ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ସମୟରେ ମଧ୍ୟ ଥାନାରେ ଯାଇ ବସିବା ଭଳି ଘଟଣା ଘଟିଥିଲା । ଦାଦନପ୍ରବଣ କଣ୍ଟାବାଞ୍ଜିର ଏହା ହିଁ ବିଡମ୍ବନା ! ଯଦିଓ ସମସ୍ତେ ଏଭଳି ଅଭିଯୋଗକୁ ସ୍ବୀକାର କରନ୍ତି ନାହିଁ ।

ତେବେ କେବଳ କଣ୍ଟାବାଞ୍ଜି ଥାନାର ଏହି ଘଟଣା ନୁହେଁ , ଦାଦନସର୍ଦ୍ଦାରଙ୍କ ସହ ପୁଲିସ୍ ର ମଧୁଚନ୍ଦ୍ରିକା ବଲାଙ୍ଗୀର ଜିଲ୍ଲାର ପ୍ରାୟ ସମସ୍ତ ଦାଦନ ଅଧ୍ୟୁଷିତ ଥାନା ଓ ପଶ୍ଚିମଓଡିଶାର ସୁବର୍ଣ୍ଣପୁର , ବୌଦ୍ଧ , କଳାହାଣ୍ଡି , ନୂଆପଡା , ବରଗଡ ଓ ଅନ୍ୟାନ୍ୟ ଜିଲ୍ଲାର ଥାନାରେ ବି ।ଗୃହରକ୍ଷୀଠୁଁ ଆରମ୍ଭ କରି ଥାନା ଓ ଉପରିସ୍ଥ ପୁଲିସ୍ ଅଧିକାରୀଙ୍କର ଏଭଳି ସେଠ୍ ଓ ଦାଦନସର୍ଦ୍ଦାରଙ୍କ ସହ ମଧୁରସମ୍ପର୍କ । ସେମାନଙ୍କ ମୋବାଇଲ୍ ରେ ସେଠ୍ , ସର୍ଦ୍ଦାରଙ୍କର ନମ୍ବର । ଅଲଗା ଫୋନ୍ ପେ’ରେ ଦିଆନିଆ । କାହାକୁ ଅଜଣା ଏ ପରମ୍ପରା ?
ଏବେ ଚାଲିଛି ବିଧାନସଭାର ଶୀତକାଳୀନ ଅଧିବେଶନ । ଏହି ସମୟରେ ଦାଦନଶ୍ରମିକ ଉଦ୍ଧାରରେ ପୁଲିସ୍ ର ଏ ଭଳି ନିରଙ୍କୁଶ କାର୍ଯ୍ୟକଳାପ କାହା ଭରସାରେ ?
ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ବି ସରକାରଙ୍କ ଅଗୋଚରରେ ଅଛି କି ଏହି ଘଟଣା ? ହାତ ଚିକ୍କଣ କରି ଶୋଇ ପଡିଲେ କି ବିରୋଧୀଦଳର ନେତାଏ ? – ଏମିତି ବିବିଧ ପ୍ରଶ୍ନ ଘୁରିବୁଲୁଛି ଲୋକଙ୍କ ମନରେ । ଉତ୍ତର ଦେବ କିଏ ? ସର୍ବୋପରି ସରକାରଙ୍କର ଏ ଟାସ୍କଫୋର୍ସ ଗଠନର ଉଦ୍ଦେଶ୍ୟକୁ ତାଙ୍କରି ଦଳର ବିଧାୟକ ପାଳନ କରୁ ନଥିବା ନିମନ୍ତେ ଉତ୍ତରଦାୟୀ କିଏ ହେବ ?