ଖପ୍ରାଖୋଲ ଥାନାପୁଲିସ୍ ବିରୁଦ୍ଧରେ ଅଭିଯୋଗ
ବଲାଙ୍ଗୀର : ସ୍ବାମୀ-ସ୍ତ୍ରୀଙ୍କ ବିବାଦକୁ ସମାଧାନ କରିବାକୁ ଥାନାକୁ ଡକାଇ ଜଣେ ଦଳିତ ଯୁବକଙ୍କୁ ଝିଅ ସାମ୍ନାରେ ଖପ୍ରାଖୋଲ ପୁଲିସ ଲାଠି ଓ ଯୋତାରେ ନିସ୍ତୁକ ମାଡ ମାରିବା ସମ୍ପର୍କରେ ବଲାଙ୍ଗୀର ଏସ୍ ପିଙ୍କ ଠାରେ ପୀଡିତଙ୍କ ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଛି । ତାଙ୍କୁ ଗତକାଲିଠାରୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହାସପାତାଳରେ ଭର୍ତ୍ତି କରାଯାଇଥିବା ବେଳେ ଆଜି ଗ୍ରାମବାସୀ ମୁଖିଆ , ବିଶିଷ୍ଟ ସ୍ବେଚ୍ଛାସେବୀ ଓ ଜିଲ୍ଲାସ୍ତରୀୟ ଗଣମାଧ୍ୟମର ପ୍ରତିନିଧିମାନଙ୍କ ସହ ତାଙ୍କ ନାବାଳିକା ଝିଅ ଓ ବଡଭାଇ ବଲାଙ୍ଗୀର ଏସ୍ ପିଙ୍କ ଅଫିସକୁ ଆସି ଏସ୍ ପି ଅଭିଳାଷ ଜିଙ୍କ ଅନୁପସ୍ଥିତିରେ ଅତିରିକ୍ତ ଏସ୍ ପି ଡ ଆଲୋକ କୁମାର ଜେନାଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଡ ଜେନା ତୁରନ୍ତ ଏ ସମ୍ପର୍କରେ ଏସ୍ ପିଙ୍କ ସହ ବିଚାରବିମର୍ଷ କରି ଉପଯୁକ୍ତ ନିରପେକ୍ଷ ତଦନ୍ତ କରାଯିବ ବୋଲି ପ୍ରତିଶ୍ରୁତି ଦେବା ସହ ଅଭିଯୋଗକୁ ଗ୍ରହଣ କରି ପାଟଣାଗଡ ଏସଡିପିଓ ସଦାନନ୍ଦ ପୂଜାରୀଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଗ୍ରାମବାସୀଙ୍କ ପକ୍ଷରୁ ଏ ସମ୍ପର୍କରେ ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ , ପାଟଣାଗଡ ବିଧାୟକ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କର ମଧ୍ଯ ଦୃଷ୍ଟି ଆକର୍ଷଣ କରାଯାଇଥିବା ପ୍ରକାଶ ।
ଉକ୍ତ ଅଭିଯୋଗରୁ ପ୍ରକାଶ ଯେ ଖପ୍ରାଖୋଲ ଥାନାନ୍ତର୍ଗତ ତେଲେନପାଲି ପଞ୍ଚାୟତର ଘୁଚାପାଲିର ଚାରୋଟି ପୁଅଝିଅ ଙ୍କ ବାପମାଆ ଲକ୍ଷେ ସିଂ କୁମ୍ଭାର ( ୪୦ ) ଓ ତାଙ୍କ ପତ୍ନୀ କମଳା କୁମ୍ଭାର ( ୩୫ ) ଙ୍କ ମଧ୍ଯରେ ପାରିବାରିକ ବିବାଦ ହେତୁ ପତ୍ନୀ କମଳା ବାରମ୍ବାର ପିଲାଙ୍କୁ ଛାଡି ନିକଟସ୍ଥ ଗୁଣ୍ଡୁରୁପାଲି ବାପଘରକୁ ପଳାଉଥିଲେ । ଗତ ୫ ମାସତଳେ ପଳାଇଯାଇ ଗତ ୪ ତାରିଖ ଦିନ ତାଙ୍କ ଭାଇ ଆଦି ପରିବାରର ଲୋକଙ୍କ ସହ ଫେରିଆସିବାରୁ ତାଙ୍କର ଏପରି ବାରମ୍ବାର ପଳାଇ ଯାଉଥିବା ଯୋଗୁଁ ଛୁଆଙ୍କର ପାଠପଢା , ରୋଷେଇବାସ ଓ ଗୁଜୁରାଣ ମେଣ୍ଟାଇବା ଇତ୍ୟାଦି ପାଇଁ ଅତ୍ୟଧିକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିବାରୁ ସ୍ବାମୀ ଅଭିମାନରେ ପତ୍ନୀଙ୍କୁ ରଖିବିନାହିଁ , ଚାଲିଯିବାକୁ କହିବାରୁ ସେମାନେ ଥାନାକୁ ଯାଉଛୁ କହି ଚାଲିଯାଇ ସ୍ଥାନୀୟ ଖପ୍ରାଖୋଲ ଥାନାରେ ଅଭିଯୋଗ କରିଥିବା ଓ ପ୍ରକୃତରେ ସ୍ବାମୀ ଜଣକ ଜାତିସମାଜଙ୍କ ଉପସ୍ଥିତିରେ ଏହି ବିବାଦର ଏକ ସୁସ୍ଥ ଓ ସର୍ବକାଳୀନ ସମାଧାନ ଚାହୁଁଥିବା ପ୍ରକାଶ କରିଛନ୍ତି ।
ଖପ୍ରାଖୋଲ ଥାନାପୁଲିସର ବାରମ୍ବାର କ୍ଷମତାର ଅପବ୍ୟବହାର
ତେବେ ସେ ଏସ୍ ପିଙ୍କୁ ଦେଇଥିବା ଏହି ଅଭିଯୋଗରେ ଅତ୍ୟନ୍ତ ଦୁଃଖ ଓ ପରିତାପର ସହ ପ୍ରକାଶ କରିଛନ୍ତି ଯେ ‘ ତାଙ୍କର ଚାରିଛୁଆଙ୍କର ମାଆ ମୋ ବିରୁଦ୍ଧରେ ଏମିତି କଅଣ ସଙ୍ଗୀନ୍ ଅଭିଯୋଗ କଲେ ଯେ ସେଦିନ ଖପ୍ରାଖୋଲ ଥାନାର ପୁଲିସ ଅଧିକାରୀ ତାଙ୍କୁ ଥାନାକୁ ଆସିବାକୁ ତାଙ୍କ ମୋବାଇଲ୍ ରେ ଆଦେଶ ଦେଲେ ଓ ସେ ଅସୁବିଧାବଶତଃ ସେ ଦିନ ଯାଇ ନପାରିବା ଜଣାଇ ପରଦିନ ଥାନାକୁ ଯାଇ ହାଜର ହୋଇଥିଲେ । କିନ୍ତୁ ସେ ତାଙ୍କ ବଡଝିଅ ଗୋମତୀ ( ୧୬ ) ସହ ଥାନାରେ ପହଞ୍ଚିବା କ୍ଷଣି ଖପ୍ରାଖୋଲ ଥାନାର ପୁଲିସ ବାବୁ ଶ୍ରୀ ରବୀନ୍ଦ୍ର କୁମ୍ଭାର ତାଙ୍କ ତଣ୍ଟିରେ ତାଙ୍କ ଗାମୁଛାକୁ ଯୋଗରେ ଭିଡି ଉପରକୁ ଟେକି ଯୋତାରେ ପିଟି ମୁଣ୍ଡବାଳକୁ ଧରି ଭିତରକୁ ଘୋଷାଡି ନେଇ ଏକ ଲାଠିରେ ଆଖିବୁଜା ବାଡେଇଚାଲିଲେ । ଏହା ଦେଖି ମୋ ଝିଅ କାନ୍ଦି କାନ୍ଦି ଦୌଡି ଆସିବାରୁ ତାକୁ ହାତଧରି ବାହାରକୁ ଠେଲିଦେଲେ ଓ ତାକୁ ମଧ୍ଯ ବାଡେଇବାକୁ ଧମକ ଦେଲେ । ତାଙ୍କର ରାଗ ଏତିକିରେ ଶେଷ ହେଲାନାହିଁ ଯେ ‘ ଘରୁ ତୁ ଖାଇକରି ଆସିଛୁ ନା ନାହିଁ ? ‘ ପଚାରି କେତେ ମାଡ ଖାଇପାରିବୁ କହି ବାଡେଇ ଚାଲିଲେ ଓ ତାଙ୍କ ସ୍ତ୍ରୀଙ୍କ ସହିତ ଏକ ରାଜିନାମାରେ ଦସ୍ତଖତ କରାଇନେଲେ । ଶେଷରେ ଦିନଯାକ ଅଟକ ରଖି ସନ୍ଧ୍ୟାରେ ଛାଡିଥିଲେ । ଥାନାଧିକାରୀ ନରେନ୍ଦ୍ର ଛତରଙ୍କ ସମ୍ପୂର୍ଣ୍ଣ ଜ୍ଞାତସାରରେ ଏହା ଘଟିଥିବା ପ୍ରକାଶ । ଯଦିଓ ଖପ୍ରାଖୋଲ ଥାନାର ଭାରପ୍ରାପ୍ତ ଅଧିକାରୀ ବା ଅଭିଯୁକ୍ତ ଅଧିକାରୀଙ୍କ ମତାମତ ଚେଷ୍ଟାକରାଯାଇଥିଲେ ହେଁ ମିଳିପାରି ନ ଥିଲେ ହେଁ , ଅଭିଯୋଗକାରୀଙ୍କ ସମ୍ମୁଖରେ ଅତିରିକ୍ତ ଏସ ପି ଙ୍କ ଫୋନ୍ ପ୍ରଶ୍ନରେ ଥାନାଧିକାରୀ ନରେନ୍ଦ୍ର ଛତର ଏହା ଅନ୍ୟ ଅଧିକାରୀ କୁମ୍ଭାରଙ୍କ କାମ ବୋଲି କହି ଥତମତ ହୋଇପଡିଥିବା ଦେଖାଯାଇଥିଲା ।

ଆହୁରିମଧ୍ୟ ସେ ସେ ନିକଟସ୍ଥ ଖପ୍ରାଖୋଲ ସରକାରୀ ଡାକ୍ତରଖାନାକୁ ଚିକିତ୍ସିତ ହେବାକୁ ଯାଇଥିବା ବେଳେ ଉକ୍ତ ପୁଲିସ ଅଧିକାରୀ ସେଠାକୁ ଯାଇ ଡାକ୍ତରଙ୍କ କାଗଜପତ୍ର ଛଡାଇ ନେଇଥିବା ସେ ଏଥିରେ ଉଲ୍ଲେଖ କରିଛନ୍ତି । ଏହା ସହିତ ଉକ୍ତ ପୁଲିସ ଅଧିକାରୀ ଏକଥା କାହାକୁ ନ କହିବାକୁ ପୀଡିତଙ୍କୁ ୨ ଟି ୫୦୦ ଟଙ୍କିଆ ନୋଟ୍ ଦେଇଥିବା ଅଭିଯୋଗକାରୀମାନେ ଅଭିଯୋଗ ପ୍ରକାଶ କରିଛନ୍ତି ।
ତେବେ ଉପମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ଏହି ମାଓପ୍ରବଣ ଖପ୍ରାଖୋଲ ଥାନାପୁଲିସ୍ ର ଏପରି କ୍ଷମତାର ଅପବ୍ୟବହାର ଘଟଣା ନୂଆ ନୁହେଁ । ଏପରିକି ଖପ୍ରାଖୋଲ ଥାନାପୁଲିସର ଆଇନକୁ ହାତକୁ ନେଇ କ୍ଷମତାର ଅପବ୍ୟବହାର କରିବା ସୀମାଲଙ୍ଘନ କରିଥିବା ପୂର୍ବତନ ବିଧାୟକ ସରୋଜ ମେହେରଙ୍କ ଦ୍ବାରା ଥାନାରେ ଯାଇ ପ୍ରତିବାଦ ପ୍ରଦର୍ଶନ ସହ ବିଧାନସଭାରେ ଜଣେ ବିଧାୟକଙ୍କ ପକ୍ଷରୁ ଉପସ୍ଥାପନ କରାଯାଇଛି ।

କିଛିଦିନ ତଳେ ଖପ୍ରାଖୋଲ କ୍ଷୁଦ୍ରଜଳସେଚନ ବିଭାଗର ଜଣେ କନିଷ୍ଠ ଯନ୍ତ୍ରୀ ଲୋହିତ କିଶୋର ବଳଙ୍କୁ ଅଫିସ ଭିତରେ ପଶି ଜଣେ ଭାଜପା ସମିତିସଭ୍ଯ ଉପେନ୍ଦ୍ର ଭୋଇ ବନ୍ଧୁକ ଦେଖାଇ ମରଣାନ୍ତକ ମାଡ ମାରିଥିବା ଓ ପୀଡିତ କନିଷ୍ଠଯନ୍ତ୍ରୀ ଜଣକ ଥାନାକୁ ଯିବାରୁ ଥାନାଧିକାରୀ ନରେନ୍ଦ୍ର ଛତର ତାଙ୍କ ଏତଲା ନ ରଖିବା , ସେ କାହିଁକି ଥାନାକୁ ଗଲେ ? ‘ ବୋଲି ପୁଣି ଉପମୁଖ୍ୟମନ୍ତ୍ରୀଙ୍କ ଲୋକଭାବେ ଜଣାଶୁଣା ଉକ୍ତ ଆକ୍ରମଣକାରୀ ଓ ତାର ସହଯୋଗୀମାନେ ତାଙ୍କୁ ତାଙ୍କ ବସାରୁ ଘୋଷାଡି ଆଣି ଥାନାଧିକାରୀଙ୍କ ଜ୍ଞାତସାରରେ ଦିନଦ୍ବିପହରରେ ଥାନାସାମ୍ନାରେ ପିଟି ପିଟି ରକ୍ତାକ୍ତ ଓ ବେହୋସ୍ କରି ଗାଡିରେ ଅପହରଣ କରିନେଇ ପାଟଣାଗଡରେ ‘ଘରକୁ ପଳା’ କହି ଛାଡିବା , ଉପମୁଖ୍ୟମନ୍ତ୍ରୀଙ୍କୁ ଏ ସମ୍ପର୍କରେ ଗୁହାରୀ ଜଣାଇବା ପରେ ଉକ୍ତ ଅଭିଯୁକ୍ତ ତରଫରୁ ପୀଡିତ କନିଷ୍ଠ ଯନ୍ତ୍ରୀଙ୍କ ବିରୋଧରେ ଏକ କାଉଣ୍ଟର କେସ୍ କରିବା , ଉକ୍ତ ପୀଡିତ କନିଷ୍ଠଯନ୍ତ୍ରୀ ବଲାଙ୍ଗୀର ଏସ୍ ପିଙ୍କ ଅଫିସକୁ ଯାଇ ଅଭିଯୋଗ କରିବାରୁ ଏସ୍ ପିଙ୍କ ନିର୍ଦ୍ଦେଶ ପରେ ବଲାଙ୍ଗୀର ଟାଉନ ଥାନାରେ ତାଙ୍କ ଏତଲା ଗ୍ରହଣ କରାଯାଇ ଖପ୍ରାଖୋଲ ଥାନାକୁ ହସ୍ତାନ୍ତର କରାଯିବା ଓ ଶେଷରେ ମୁଖ୍ଯମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରିବା ସତ୍ତ୍ବେ କୌଣସି ତଦନ୍ତ ନ ହେବାରୁ ପୀଡିତ କନିଷ୍ଠଯନ୍ତ୍ରୀ ଜଣକ ଚାକିରୀ ଛାଡିଦେବା ଭଳି ଘଟଣା ମଧ୍ଯ ଘଟିଛି । ତେବେ ଇତିମଧ୍ୟରେ ମାନବ ଅଧିକାର ଆୟୁକ୍ତ ବଲାଙ୍ଗୀର ଏସ୍ ପିଙ୍କୁ ନୋଟିସ୍ କରିଥିବା ଓ ଅପରପକ୍ଷେ ଖପ୍ରାଖୋଲ ଥାନାବାବୁ ପୀଡିତଙ୍କୁ ଡକାଉଥିବା ସତ୍ତ୍ବେ ସେ ଗତକାଲି ଚାର୍ଜ ହସ୍ତାନ୍ତର କରି ବିଭାଗ ଛାଡି ଚାଲିଯାଇଥିବା ଜଣାଯାଇଛି ।
ପ୍ରକାଶ ଥାଉ କି , ଇଏ ସେଇ ଅଧିକାରୀ , ଯିଏ କିଛିବର୍ଷ ତଳେ ବଲାଙ୍ଗୀର ସଦରଥାନାରେ ଥିଲାବେଳେ ଥାନାରେ ଜଣେ ସାମ୍ବାଦିକଙ୍କୁ ଧକ୍କାମାରି କ୍ୟାମେରା ଛଡାଇ ବିବଦମାନ ହୋଇଥିଲେ ଓ ଏସ୍ ପିଙ୍କ ହସ୍ତକ୍ଷେପ ପରେ ତାହାର ସମାଧାନ ହୋଇଥିଲା । ସଂପ୍ରତି ସେ ଖପ୍ରାଖୋଲ ଥାନାନ୍ତର୍ଗତ ହରିଶଙ୍କର ଫାଣ୍ଡିର ଅଧିକାରୀ ଭାବରେ ଅବସ୍ଥାପିତ ।
ଏଣୁ ଏହି ଅଭିଯୋଗର ତଦନ୍ତର ପରିଣତି କ’ଣ ହେବ , ଦେଖିବାକୁ ବାକି ରହିଲା । ଆପାତତଃ ଏହା ହିଁ ଏବର ଡବଲଇଞ୍ଜିନ୍ ବନାମ ମୁଖ୍ଯମନ୍ତ୍ରୀଙ୍କ ଆହ୍ଲାଦଘୋଷିତ ତଥାକଥିତ ଟ୍ରିପଲଇଞ୍ଜିନ୍ ସରକାରଙ୍କ ସ୍ବରୂପ ଓ ମୁଖ୍ଯମନ୍ତ୍ରୀଙ୍କ ହାତରେ ଥିବା ଗୃହବିଭାଗର ଅପରାଧନିୟନ୍ତ୍ରଣର ବାସ୍ତବଉଦାହରଣ ବୋଲି ଲୋକେ କଟାକ୍ଷ କରୁଛନ୍ତି ।