ଅପରାଧ

ଥାନାରେ ଶ୍ରମିକଙ୍କ ଠାରୁ ବଇନାଅସୁଲି ?

Email :

ଟାସ୍କଫୋର୍ସ ଅଧ୍ୟକ୍ଷଙ୍କ ଜିଲ୍ଲାର
ଭାଜପା ବିଧାୟକଙ୍କ ଭାଇ କରୁଛନ୍ତି ଦାଦନଚାଲାଣ  !

କଣ୍ଟାବାଞ୍ଜି : ନୂଆ ସରକାର ରାଜ୍ୟରେ ଦାଦନଶ୍ରମିକ ଚାଲାଣରେ ରୋକ ଲଗାଇବାକୁ ଗଠନ କରିଛନ୍ତି ଟାସ୍କଫୋର୍ସ । ଏହାର ଅଧ୍ୟକ୍ଷ ରହିଛନ୍ତି ପାଟଣାଗଡ ବିଧାୟକ ବା ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ।  ବିଡମ୍ବନାର ବିଷୟ ଯେ ପାଟଣାଗଡ ନିର୍ବାଚନ ମଣ୍ଡଳୀ ସଂଲଗ୍ନ କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବରତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହରାଇଥିବା ଜାଏଣ୍ଟ୍ କିଲର୍ ଭାଜପା ବିଧାୟକ ଲକ୍ଷ୍ମଣ ବାଗଙ୍କ ଭାଇ ଜଣେ ଦାଦନସର୍ଦ୍ଦାର ଓ ସେ କରୁଛନ୍ତି ଦାଦନଶ୍ରମିକ ଚାଲାଣ । ସେ ଯେ ଏବେ ଏହା କରୁଛନ୍ତି , ଏହାନୁହେଁ , କେତେବର୍ଷ ହେଲା ସେ ଓ ଖୋଦ୍ ଲକ୍ଷ୍ମଣ ବାଗ ମଧ୍ୟ ଏଇ ଧନ୍ଦା କରୁଥିବା ପ୍ରକାଶ। ଯଦିଓ ଶ୍ରମବିଭାଗର ଲାଇସେନ୍ସ ନେଇ ଏହା କରିବାରେ  କୌଣସି ବାରଣ ନାହିଁ , ତେବେ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ , ତାଙ୍କ ଭାଇ ସର୍ଦ୍ଦାର ପୁରନ୍ଦର ବାଗଙ୍କ ବିରୁଦ୍ଧରେ ଏବେ ଆସିଛି ଦାଦନଶ୍ରମିକଙ୍କୁ ଆଣି ଅଟକ ରଖି ନିର୍ଯାତନା ଦେବାର ଗୁରୁତର ଅଭିଯୋଗ । ଏଥିରେ ଆହୁରି ଗୁରୁତର ଅଭିଯୋଗ ଏହା ଯେ ,କଣ୍ଟାବାଞ୍ଜି ଥାନାର ଆଇଆଇସି ରଶ୍ମିତା ବେହେରା ସେ ସେମାନଙ୍କୁ ଅପହରଣ କରିଆଣି ଖୁଟୁଲୁମୁଣ୍ଡା ଗ୍ରାମର ଫାର୍ମହାଉସ୍ ରେ ରଖି ମାଡପିଟ କରି ନିର୍ଯାତନା ଦେଲାପରେ ସେଠାରୁ କୌଣସିମତେ ମୁକୁଳି ଆସି ଉକ୍ତ ଛୋଟଛୁଆଙ୍କ ସମେତ ମହିଳା ଓ ପୁରୁଷ ଦାଦନଶ୍ରମିକମାନେ କଣ୍ଟାବାଞ୍ଜି ଥାନାରେ ପହଞ୍ଚିବା ପରେ ସେମାନଙ୍କ ବିରୁଦ୍ଧରେ ଉକ୍ତ ସର୍ଦ୍ଦାର ସେମାନେ ବାହାର ରାଜ୍ୟକୁ ଇଟାଭାଟିରେ ଖଟିବାକୁ ତାଙ୍କଠାରୁ ଲକ୍ଷାଧିକ ଟଙ୍କାର ବଇନା ନେଇଥିବାରୁ ଟଙ୍କା ଫେରାଇଦେବାକୁ ଅଭିଯୋଗ କରି ଟଙ୍କା ନେଉଥିବା ବେଳର ଫଟୋ ରେକର୍ଡିଂ ଦେଖାଇବାରୁ ଥାନାଧିକାରିଣୀ ସେମାନଙ୍କୁ ଅଟକ ରଖି ଟଙ୍କା ଅସୁଲିରେ ସହାୟତା କରିଥିବା ଓ ଥାନାକୁ ସ୍ଥାନୀୟ ଗଣମାଧ୍ୟମର ପ୍ରତିନିଧିମାନେ ଯିବାରୁ ପରେ ସେମାନଙ୍କୁ ଟଙ୍କା ଫେରାଇବାକୁ ଲେଖାପଢା କରାଇ ଧମକଦେଇ ସେମାନଙ୍କ ଗାଁ’ରେ ଛାଡିଥିବା ପ୍ରକାଶ । ଏହା ମଧ୍ୟ ଶୁଣିବାକୁ ମିଳିଛି ଯେ , କେତେକ ସ୍ଥାନୀୟ ଅପରାଧୀ ପ୍ରବୃତ୍ତିର ପୂର୍ବର ମାଓ ଅଭିଯୁକ୍ତ ତଥାକଥିତ ସାମ୍ବାଦିକ ସେହି ନିର୍ଯାତୀତା ମହିଳା ଦାଦନଶ୍ରମିକଙ୍କ ଠାରୁ ଜଣପିଛା ୨ ହଜାର ଟଙ୍କା ଲେଖାଏଁ ଦେବାକୁ ଜୁଲୁମ୍ ମଧ୍ୟ କରୁଥିଲେ । ତେବେ ସର୍ଦ୍ଦାରଠାରୁ  ବଇନାଟଙ୍କା ନେଇଥିବା କେତେକ ପୁରୁଷଶ୍ରମିକ ଅଦ୍ୟାବଧି ନିଖୋଜ୍ ଥିବାର ଉକ୍ତ ଖବରରୁ ପ୍ରକାଶ । ସେମାନେ ଏବେ ବି ସର୍ଦ୍ଦାର ଦ୍ବାରା ଅପହୃତ , ମୃତ ନା ଜୀବିତ ଅଥବା ଫେରାର୍ ଏ ନେଇ ସନ୍ଦେହ ସୃଷ୍ଟି ହୋଇଥିବା ମଧ୍ୟ ପ୍ରକାଶ ।

ପ୍ରକାଶ ଯେ , ପଡୋଶୀ ବରଗଡ ଜିଲ୍ଲାର ପାଇକମାଳ ଥାନାନ୍ତର୍ଗତ ବଡତୁଣ୍ଡା ପଞ୍ଚାୟତର ପୁରେନା ଓ ବିଭିନ୍ନ ଗାଁ’ର  ପୁରୁଷ , ମହିଳା ଓ ଛୋଟଛୁଆଙ୍କ ସମେତ ମୋଟ ୧୭ ଜଣଙ୍କୁ ଉକ୍ତ ସର୍ଦ୍ଦାର ଅପହରଣ କରିଆଣି ତୁରେକେଲା- କଣ୍ଟାବାଞ୍ଜି ରାସ୍ତାର ଖୁଟୁଲୁମୁଣ୍ଡା ରେଳଲାଇନ୍ ଲେଭେଲକ୍ରସିଂ ଗେଟ୍ ପାଖର ନିଜ ଫାର୍ମହାଉସ୍ ବନାମ ଦାଦନଶ୍ରମିକଙ୍କୁ ରଖୁଥିବା ଆଡ୍ଡାରେ ଗତ ନଭେମ୍ବର ୩୦ ତାରିଖରୁ ଚାଲାଣ ପାଇଁ ଅଟକ ରଖିଥିଲା । ଅଭିଯୋଗ ଅନୁଯାୟୀ, ସେମାନଙ୍କୁ ପ୍ରବଳ ମାଡପିଟ କରି ନିର୍ଯାତନା ଦେବା ଅସହ୍ୟ ହେବାରୁ ସେମାନେ କୌଶଳକ୍ରମେ ନିକଟସ୍ଥ କଣ୍ଟାବାଞ୍ଜି ଥାନାକୁ ପଳାଇ ଆଶ୍ରୟ ନେଇଥିଲେ । ସେମାନେ ହେଲେ ଉପରୋକ୍ତ ଗ୍ରାମର ଶୁଭତୀ ଦଣ୍ଡସେନା ,ରଶ୍ମୀ ଦଣ୍ଡସେନା ,ଯୁଗେଶ୍ବର ଭୋଇ ,ଦିବ୍ୟସେନୀ ଭୋଇ ,ହେମନ୍ତ ଭୋଇ ଓ ଅନ୍ୟମାନେ ।

ତେବେ ଏ ସମ୍ପର୍କରେ ବିଧାୟକଙ୍କ ଭାଇ ପୁରନ୍ଦର ଓରଫ ପୁରନ୍ ବାଗଙ୍କୁ ପଚାରିବାରୁ ‘ ମୁଁ ଗତବର୍ଷରୁ ମୋର କିଛିଟଙ୍କା ପିଙ୍ଗଳମୁଣ୍ଡା ଶ୍ରମିକମାନେ ଖାଇଦେବାରୁ ଅଳ୍ପକିଛି ଅସୁଲି କରିବା ଘଟଣା ପରେ ଏ ଲେବର ଚାଲାଣ ଛାଡିଦେଇଛି । ତେବେ ଆଗ ଆମପାଖରେ କାମ କରୁଥିବା ଟିଟିଲାଗଡ ଖୁଜେନ୍ ଆଡର ହୃର୍ଷି ବୋଲି ପିଲାଟେ କୁଆଡର ଲେବରମାନଙ୍କୁ ମାଡପିଟ କରିଥିବା ଶୁଣିଛି । ମୁଁ ଏମିତିକା କାମ କରୁନାହିଁ ବୋଲି ସଫେଇ ଦେଇଛନ୍ତି ।

କିନ୍ତୁ ଏ ସମ୍ପର୍କରେ ସ୍ଥାନୀୟ ଲୋକେ କହୁଛନ୍ତି : କେମିତି ସେ ଖାଲି ଶୁଣିଛି  ? ତା’ରି ଗାଁ’ , ତା’ରି ଫାର୍ମହାଉସ୍ ର ଘଟଣା , ଆଉ ସେ ଜାଣିନାହିଁ  ? ତା’ରି ଭାଇ ଖୋଦ୍ ଏମ ଏଲ ଏ ଥାନାକୁ ଫୋନ୍ କରି ଫଟୋ ଉଠାଇ ଟଙ୍କା ଅସୁଲ କରିଦେବାକୁ ଆଇଆଇସିଙ୍କୁ କହିଥିବା ଚର୍ଚ୍ଚା ହେଉଛି  ! ‘

ସେ ଯା’ ହେଉ , ଏ ସମ୍ପର୍କରେ କଣ୍ଟାବାଞ୍ଜି ଆଇଆଇସି ରଶ୍ମିତା ବେହେରା କହିଛନ୍ତି ଯେ , ଡି ଟେ ଲ୍ ସ ଥାନାକୁ ଗଲେ ଦେଖିକି  କହିବି । ତେବେ ଏ ସମ୍ପର୍କରେ ଏକ କେସ୍ ଋଜୁ ହେଇଛି । ୮ ଜଣଙ୍କୁ ରେସ୍ କ୍ୟୁ କରାଯାଇ ତାଙ୍କ ଗାଁ’ରେ ନେଇ ଛଡାଯାଇଛି । ସର୍ଦ୍ଦାରର ନାଁ’ ଆଉ କ’ଣ ଗୋଟେ ….? ‘

ତେବେ ଲୋକଙ୍କ ଚର୍ଚ୍ଚା କିନ୍ତୁ ଭିନ୍ନ ରହିଛି । କଣ୍ଟାବାଞ୍ଜି ପୁଲିସ୍ ଏଇ ଦାଦନମାମଲାରେ  ଆଗରୁ ବହୁ ଦୁର୍ନାମ ରହିଛି । ଗତବର୍ଷ କଣ୍ଟାବାଞ୍ଜି ପୂର୍ବତନ ଏସଡିପିଓ ହୃଷିକେଶ ମେହେର ଏକ ଲଜ୍ ରେ ଆସି ରହୁଥିବା ଆନ୍ଧ୍ରପ୍ରଦେଶର ୭ ଜଣ ସେଠ୍ ଙ୍କ ଠାରୁ ସେମାନେ ଶ୍ରମିକ ନେବାକୁ ଆସି ଆଣିଥିବା ପ୍ରାୟ ୧ କୋଟି ଅଗ୍ରୀମ ଟଙ୍କାରୁ ହଡପ କରି  ମାମଲାକୁ ଜୁଆଖେଳରେ ବଦଳାଇ ନିଲମ୍ବିତ ହୋଇଥିଲେ । ତେଣୁ ଏହି ମାମଲାରେ ସ୍ଥାନୀୟ ବିଧାୟକଙ୍କ ନାଁ’ ଉଠିଥିବାରୁ ପୁଲିସ୍ ଠାରୁ ସତ ଆଶାକରିବା ବୃଥା ବୋଲି ଚର୍ଚ୍ଚା ହେଉଛି । କଣ୍ଟାବାଞ୍ଜି ଏସଡିପିଓ ଗୌରାଙ୍ଗ ଚରଣ ସାହୁଙ୍କ ସହ ଯୋଗାଯୋଗର ଚେଷ୍ଟା କରାଯାଇ ଥିଲେ ହେଁ , ସେ ଫୋନ୍ ଉଠାଇ ନଥିଲେ  !

ବିଧାୟକଙ୍କ ମତାମତ ନେବାକୁ ଉଦ୍ୟମ କରାଯାଇଥିଲେ ହେଁ , ସମ୍ଭବ ହୋଇପାରିନାହିଁ । ତାଙ୍କ ଲୋକଙ୍କ ପକ୍ଷରୁ ଏହାକୁ ଅସ୍ବୀକାର କରାଯାଉଛି । ଏଣୁ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରାଯାଇଛି ।

ତେବେ ବଲାଙ୍ଗୀର ଜିଲ୍ଲାରେ ଥାନାରେ ଦାଦନସର୍ଦ୍ଦାରଙ୍କର ଅଗ୍ରୀମ ଟଙ୍କା ଅସୁଲି କରିବାରେ ଦାଦନଶ୍ରମିକଙ୍କୁ ଥାନାରେ ଅଟକ ରଖିବା ଘଟଣା ନୂଆ ନୁହେଁ । କିଛିବର୍ଷତଳେ ଲାଠୋରଥାନାରେ ଏଭଳି ଘଟଣା ଘଟିଥିଲା । ପିପଲବାହାଲ ଗ୍ରାମର ଜଣେ ସର୍ଦ୍ଦାରଙ୍କ ଅଗ୍ରୀମ ଅସୁଲି ନିମନ୍ତେ ବେଲପଡାଥାନା ଅଞ୍ଚଳର ଖଲିପଥର ଗ୍ରାମର କେତେକ ମହିଳା ପୁରୁଷ ଓ ଛୋଟଛୁଆଙ୍କୁ ମାଓ ସୁରକ୍ଷାରେ ନିୟୋଜିତ ସଶସ୍ତ୍ରପୁଲିସ୍ ଦ୍ବାରା ରାତିରେ ଗାଁ’ରୁ ବନ୍ଧୁକମୁନରେ  ଉଠାଇ ଆଣି ତତ୍କାଳୀନ ଥାନାଧିକାରୀ ଲକ୍ଷାଧିକ ଟଙ୍କା ହଡପ କରିଥିବା ସେତେବେଳେ ଗଣମାଧ୍ୟମରେ ପ୍ରକାଶ ପାଇଥିଲେ ହେଁ , ଉପରିସ୍ଥ ଅଧିକାରୀ କର୍ଣ୍ଣପାତ କରି ନଥିଲେ  ! ତେଣୁ ଦାଦନଋତୁରେ ତଳୁ ଉପରମହଲ ଯାଏଁ କ’ଣ କେମିତି ଚାଲିଛି , ସହଜରେ ଅନୁମେୟ  !  ଏବେ ଏହି ଦାଦନଚାଲାଣ ବା ଦାଦନସର୍ଦ୍ଦାରଙ୍କ ନିର୍ଯାତନା ଓ ଶୋଷଣର ନିରାକରଣ ପାଇଁ ଗଠିତ ଟାସ୍କଫୋର୍ସ ସତ୍ତ୍ୱେ ସରକାରଙ୍କ ଆଭିମୁଖ୍ଯ କିପରି କାର୍ଯ୍ୟକାରୀ ହେଉଛି , ଏଥିରୁ ସ୍ପଷ୍ଟ ।

Leave a Reply

Your email address will not be published. Required fields are marked *

Related Post