ଦୁର୍ନୀତି

କ୍ଷତିପୂରଣ,ପୁନର୍ବାସ ଓ ଥଇଥାନ କେଳେଙ୍କାରୀ

Email :

ତିଖାଲି ଡ୍ୟାମ୍ ପ୍ରକଳ୍ପର..

ନୂଆପଡା  :   ନୂଆପଡା ଜିଲ୍ଲାର ଖଡିଆଳ ଜଳସେଚନ ଡିଭିଜନ ଅନ୍ତର୍ଗତ ଲୋୟର୍ ଇନ୍ଦ୍ର ଜଳଅମଳ ପ୍ରକଳ୍ପ ବା ତିଖାଲି ଡ୍ୟାମ୍ ଯୋଜନାରେ କ୍ଷତିଗ୍ରସ୍ତ ବାସଚ୍ୟୁତଙ୍କୁ  କ୍ଷତିପୂରଣ ପ୍ରଦାନ , ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ ଅଦ୍ୟାପି କେଳେଙ୍କାରୀର ଅଭିଯୋଗ ଥମିନାହିଁ । ଗତ ୧୯୯୮ରୁ ସର୍ଭେ କରାଯାଇ ୨୦୦୦ ରେ ନିର୍ମାଣ ଆରମ୍ଭ ହୋଇ ଅଦ୍ୟାବଧି ଏହାର କେନାଲ୍ ଖୋଳା ଓ ଏଥିପାଇଁ ଜମି ଅଧିଗ୍ରହଣ ସରି ନଥିବା ବେଳେ  କ୍ଷତିପୂରଣ ପ୍ରଦାନରେ ଏହାର ସ୍ବାଭାବିକ୍ ଓ ଅଦାଲତି ମାମଲାରେ ଡିଗ୍ରୀ ପାଇଥିବା ଆହୁରି ୫ / ୬ ଶହ କ୍ଷତିଗ୍ରସ୍ତ ଲୋକମାନଙ୍କର ପାଉଣା ବାକି ରହିଛି ।  ତେବେ ଏଥିରେ ଅଧିକାରୀ / କର୍ମଚାରୀଙ୍କ ଠାରୁ ଦଲାଲ୍ ମାନଙ୍କର ଶୋଷଣ ବଳି ଯାଇଛି । ଏଇ ଦଲାଲ୍ ଙ୍କ ମଧ୍ୟରେ ସ୍ଥାନୀୟ ଗାଁ’ ମୁଖିଆ , କୁଜିନେତା , ସରପଞ୍ଚ , ସମିତିସଭ୍ୟ , ଓକିଲ ଓ ଅନ୍ୟମାନେ ସାମିଲ୍ ରହିଥିବା ପ୍ରକାଶ । ଏଥିମଧ୍ୟରେ ଅଳ୍ପଦିନ ତଳେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇ ଚର୍ଚ୍ଚିତ ହୋଇପଡିଥିବା  ଭାତହାଣ୍ଡିରୁ ଗୋଟିଏ ଚିପିବା ପରି ପେଣ୍ଡ୍ରାବନ୍ଧ ମୌଜା ବନାମ ପଞ୍ଚାୟତର ଝାଲକୁସୁମ ଗାଁ’ର ଜଣେ ଜମିମାଲିକ ବଂଶୀ ମାଝୀଙ୍କ ୧ କୋଟିରୁ ଉର୍ଦ୍ଧ୍ବଟଙ୍କାର କ୍ଷତିପୂରଣ ଅର୍ଥର ମିଳିତ ବାଟମାରଣା ଅଭିଯୋଗ ପ୍ରକାଶ ସତ୍ତ୍ୱେ ଏଥିରେ ବାଟମାରଣା ଓ ଦଲାଲି ପରି ଗୁରୁତର ଅଭିଯୋଗକୁ ସୁନ୍ଦରଭାବରେ  ଚପାଇ ଦିଆଯାଇଥିବା ଚର୍ଚ୍ଚା ଏଯାବତ୍ ଥମିନାହିଁ ।  ଏଥିରେ ପ୍ରଶାସନର ହସ୍ତକ୍ଷେପ କୌଣସି ସମାଧାନ କରିବା ପରିବର୍ତ୍ତେ ଅଧିକାରୀଙ୍କ ଆଉ ଏକ ଭାଗ ବଢିଯାଇଥିବାର ବରଂ ସୁଯୋଗ ସୃଷ୍ଟି କରିଥିଲା ବୋଲି କୁହାଯାଇଛି ।  ଏକଦା ଜଣେ ସମ୍ପନ୍ନ ଚାଷୀ ଓ ସୁଖୀପରିବାରର ଗ୍ରାମର ଏକ ବଡ ବଂଶବୁନିଆଦୀର ବଡପୁଅ ବଡଭାଇ ଥିବା ବଂଶୀ ମାଝି ଆଜି ବାସ୍ତୁହରା ପରିବାରହରା ଯାଯାବର ହୋଇଯାଇଛି । ଏବେ ତାଙ୍କର କୌଣସି ଘରଦ୍ବାର ନାଇଁ , ପାଖରେ ପତ୍ନୀ ସନ୍ତାନ ପରିବାର ନାହାଁନ୍ତି , ଠିକଣା ନାହିଁ  !  ସେ କୋଉଦିନ କାହାପିଣ୍ଡାରେ ଶୁଅନ୍ତି ଓ କ’ଣ କୋଉଠି ଖାଆନ୍ତି , ଠିକ୍ ଠିକଣା ନାହିଁ  ! ଯଦିଓ ଏବେ ସେ କ୍ଷତିପୂରଣ ଟଙ୍କାରୁ ଗୋଟିଏ ମଟରସାଇକଲ କିଣିଥିବା ଓ ଗାଁ’ ଗାଁ’ ବୁଲାବାଉତି ହେଇ ମଦପିଇ ବୁଲୁଥିବା ଗାଁ’ଲୋକେ କହୁଛନ୍ତି । ଏ ମଣିଷକୁ ଯାଯାବର କଲା କିଏ  ? 

କାଲି ଥିଲା ଜମିଦାର , ଆଜି ସେ ତ ଯାଯାବର  !

ପ୍ରକାଶ ଯେ , ପେଣ୍ଡ୍ରାବନ୍ଧ ମୌଜାର ଖାତା ନ୦ ୧୬୧ରୁ ୧୫. ୯୫ ଏକର ଜମି ଅଧିଗ୍ରହଣର କ୍ଷତିପୂରଣ ପାଇଁ  ଝାଲକୁସୁମ ଗ୍ରାମର ବଂଶୀଧର ମାଝୀଙ୍କୁ ୧ କୋଟି ୬ ଲକ୍ଷ ୯୮ ହଜାର ୫୬୦ ଟଙ୍କା ମଞ୍ଜୁର ହୋଇଥିଲା। ତେବେ ଏଥିରୁ ବ୍ଲାଙ୍କ୍ ଚେକ୍ ରେ ୩୫ ଲକ୍ଷ ଟଙ୍କା ଅଗ୍ରୀମ ଉଠାଇନେବାର ଚକ୍ରାନ୍ତ କରିଥିଲେ ତାଙ୍କ ଆତ୍ମୀୟସ୍ଵଜନଙ୍କୁ ହାତବାରିସୀ କରି କେତେକ ଦଲାଲ୍ ବୋଲି ଅଲଗା ଗାଁ’ ଢୋର୍ଲାମୁଣ୍ଡାରେ ୨ ଟି ଝିଅଙ୍କୁ ଧରି ରହୁଥିବା ତାଙ୍କର ପତ୍ନୀ ଗତ ସେପ୍ଟେମ୍ବର ୨୬ ତାରିଖରେ ଅଭିଯୋଗ କରିଥିଲେ । ଏପରିକି ଦଲାଲ୍ ମାନେ ତାଙ୍କର ବ୍ୟାଙ୍କ୍ ପାସ୍ ବୁକ୍ ଓ ଚେକ୍ ବୁକ୍ ଆଦି ନିଜପାଖରେ ରଖିଥଲେ ବୋଲି ମଧ୍ୟ ସେ ନୂଆପଡା ଜିଲ୍ଲାପାଳଙ୍କ ସମେତ ବିଭାଗୀୟ ନିର୍ଦ୍ଦେଶକ , ସଚିବ ଓ ସରକାରଙ୍କ ନିକଟରେ ଅଭିଯୋଗ କରିଥିଲେ । ଏହି ଅନୁଯାୟୀ , ଜଳ ସମ୍ପଦ ସଚିବଙ୍କ ପକ୍ଷରୁ ଘଟଣାର ଉଚିତ୍ ତଦନ୍ତ ସହ ତାଙ୍କୁ ତାଙ୍କର କ୍ଷତିପୂରଣ ରାଶି ପ୍ରଦାନ କରାଯିବାକୁ (ଚିଠି ନ୦ ୨୭୩୬୦ / ତା ୫ । ୧୦ । ୨୦୨୪ )  ନିର୍ଦ୍ଦେଶ ଦିଆଯାଇଥିଲା । ଜିଲ୍ଲାପାଳ ମଧୁସୂଦନ ଦାସ ମଧ୍ୟ ଅତିରିକ୍ତ ଜିଲ୍ଲାପାଳ ସୁବାସ ଚନ୍ଦ୍ର ରାଇତାଙ୍କୁ ପଠାଇ ଏହାର ତଦନ୍ତ କରିଥିଲେ ।  ମାମଲାଟି ସେତେବେଳେ ଗଣମାଧ୍ୟମରେ ପ୍ରକାଶ ପାଇ ଚର୍ଚ୍ଚିତ ହୋଇପଡିଥିଲା ।

ବଂଶୀ ମାଝିର କାହାଣୀ  : ଭାତହାଣ୍ଡିରୁ ଗୋଟିଏ

ଆମ ପକ୍ଷରୁ ମଧ୍ୟ ଏ ସମ୍ପର୍କରେ ଖଡିଆଳ ସ୍ବତନ୍ତ୍ର ଭୂ- ଅର୍ଜନ ଅଧିକାରୀ ଏବଂ ପୁନର୍ବାସ ଓ ଥଇଥାନ ଅଧିକାରୀ କାଲୁ ମାଝିଙ୍କ ଅଫିସ୍ ଓ ଉକ୍ତ ଝାଲକୁସୁମ ଗ୍ରାମକୁ ଯାଇ ଅନୁଧ୍ୟାନ କରାଯାଇଥିଲା । ସେଠାରେ ଉକ୍ତ ବଂଶୀ ମାଝିଙ୍କର ଘର ଖୋଜିବାରୁ ଗାଁ’ ଲୋକେ ‘ ତାକୁ କୋଉଠୁ ପାଇବ , ସେ ତ ବୁଲାବାଉତି , ତେବେ ଇସ୍କୁଲ୍ ପାଖରେ ଯାଇ ତାଙ୍କ ବଂଶର ଲୋକମାନଙ୍କୁ ପଚାର ‘ ବୋଲି ପରାମର୍ଶ ଦେଇଥିଲେ । ସେଠାରେ ପହଞ୍ଚି ପଚାରିବାରୁ ଅସ୍ଥାୟୀ କୁଡିଆ କରି ରହୁଥିବା କିଛି ମହିଳା ଓ ଶିଶୁ ଏବଂ କିଛି ସମୟ ପରେ ତାଙ୍କର ଜଣେ ପୁତୁରା କର୍ଣ୍ଣ ମାଝି ଆସି ବୁଲେଇ ବଙ୍କେଇ ଯାହା କହିଥିଲେ , ତା’ ହେଲା ସେମାନଙ୍କର ବଂଶର ୩ ଟି ବୁଢାଙ୍କର ପିଲାପିଲି ମିଶି ପ୍ରାୟ ୨୫ ଜଣ ଅଛନ୍ତି । ଏ ଟଙ୍କା ତିନି ଆକାଉଣ୍ଟ୍ ରେ ପଡି   ୯ ଭାଗ ହେବ । ଗାଁ’ର ଯେଉଁମାନେ ଲଢାଭିଡା ( ଦଲାଲ୍ ) କରୁଛନ୍ତି , ସେମାନେ ମଧ୍ୟ କିଛି ପାରିଶ୍ରମିକ ନେବେ । ସମସ୍ତେ ସେ ଟଙ୍କାରୁ ଭାଗ ପାଇବେ । ତାଙ୍କ ପତ୍ନୀ ଶାନ୍ତି ୨ ଜଣ ଝିଅଙ୍କୁ ଧରି  ସେ  ଭେଲା ପାଖରେ  ଛତା ଗାଁ’ରେ  ବାପଘରେ ରହୁଛି ।  ବିବାହିତା ଭଉଣୀମାନଙ୍କର ଭାଗ ପାଇଁ ଅଗ୍ରୀମ ଚେକ୍ ଦିଆଯାଇଛି ‘ ଇତ୍ୟାଦି କହିଥିଲେ । ସେଠାରେ ଉପସ୍ଥିତ ଜଣେ ବିଧବା ବୃଦ୍ଧା ନବୀନା ମାଝି କହିଥିଲେ ଯେ ଆମକୁ ଜାଗାଜମି ଏବସୁଦ୍ଧା କିଛି ମିଳିନାହିଁ । ଏଇଠି କୁଡିଆ କରି ରହୁଛୁ ।  ଆମ ପ୍ରତିନିଧି ସେଠାରୁ ଫେରି ଆସିବା ବାଟରେ ଉକ୍ତ ଗ୍ରାମର ଜଣେ ମୁଖିଆ ଫୋନ୍ କରି ସେ ଏମାନଙ୍କର ସବୁ ବୁଝାସୁଝା କରୁଥିବା ଓ  ନ ପଚାରିଲେ ବି ଏଭଳି ସାହାଯ୍ୟ ନିମନ୍ତେ କିଛି ନେଉଥିବା ଦୁଃସାହସର ସହ ପ୍ରକାଶ କରିଥିଲେ । 

ଏହାପରେ ଗତ ୨୬ ତାରିଖରେ ଆମ ପ୍ରତିନିଧିଦଳ ପୁଣିଥରେ ଯାଇ ଖଡିଆଳ ସ୍ବତନ୍ତ୍ର ଭୂ-ଅର୍ଜନ ତଥା ପୁନର୍ବାସ ଓ ଥଇଥାନ ଅଧିକାରୀ କାଲୁ ମାଝିଙ୍କ ତାଙ୍କ ଅଫିସ୍ ରେ ଭେଟିବାରୁ ସେ ଏକ ସପ୍ତାହ ପୂର୍ବରୁ ବଂଶୀ ମାଝି ଓଗେର ୨୫ ଜଣଙ୍କୁ ଉକ୍ତ କ୍ଷତିପୂରଣ ରାଶି ବଣ୍ଟାଯାଇ ସାରିଥିବା ପ୍ରକାଶ କରିଛନ୍ତି । ସେ ମଧ୍ୟ କୌଣସି ଅନିୟମିତତା ନଥିବା ଓ ଗତ ପ୍ରାୟ ତିନିବର୍ଷ ମଧ୍ୟରେ ତାଙ୍କର ଏଠାରେ ପ୍ରଥମେ ଜୋନ୍ ଅଫିସର ଓ ତା’ପରେ ଏସ୍ ଏଲ୍ ଓ ଆଣ୍ଡ୍ ଆର୍ ଆର୍ ଓ ହିସାବରେ କୌଣସି ପ୍ରକାରର ସମସ୍ୟା ନଥିବା ପ୍ରକାଶ କରିଛନ୍ତି । ଅଦ୍ୟାବଧି ଆହୁରି ୫ଶହରୁ ୬ ଶହ ଖଣ୍ଡେ ମାମଲା ବିଚାରାଧୀନ ରହିଥିବା ମଧ୍ୟ କହିଛନ୍ତି । ସେହିପରି ବଂଶୀଧର ମାଝି ଗାଁ’ରେ ଉପଯୁକ୍ତ ଥଇଥାନ ହୋଇ ଆରାମ୍ ରେ ରହିଥିବା ଓ ଆମେ କେବେ ଚାହିଁଲେ , ସେ ଡକାଇଦେବେ ବୋଲି ସଫେଇ ଦେଇ ଉପଯୁକ୍ତ କ୍ଷମତାପତ୍ର ପ୍ରସ୍ତୁତ କରାଯାଇ କ୍ଷତିପୂରଣ ବଣ୍ଟନର ସମସ୍ତ କାଗଜପତ୍ର ଦେଇଥିଲେ । ତାଙ୍କ ନିର୍ଦ୍ଦେଶରେ ଏହି ମାମଲାର ଡେପୁଟେସନରେ ଆସିଥିବା ଆର ଆଇ ରମାକାନ୍ତ ଭଟ୍ଟ ମଧ୍ୟ ଡକୁମେଣ୍ଟ୍ ଯୋଗାଇ ଦେଇଥିଲେ । ସେ ଦେଇଥିବା ସଫଟୋ ଡକୁମେଣ୍ଟ୍ ରେ ଗ୍ରାମର ଉକ୍ତ ମୁଖିଆ ୧ ନମ୍ବର ସାକ୍ଷୀ ରହିଥିବା ଭାଗବଣ୍ଟା ବେଳର ଫଟୋରେ ରହିଥିବା ଦେଖାଯାଇଛି ।  ତେଣୁ ଅଭିଯୋଗ ଓ ତଦନ୍ତ ସତ୍ତ୍ୱେ ଦଲାଲ୍ ମାନେ ନିରୀହ ସରଳ କ୍ଷତିଗ୍ରସ୍ତ ଲୋକମାନଙ୍କୁ ଚାପ ପକାଇ ପ୍ରଭାବିତ କରିବା ସହ ଅଧିକାରୀମାନଙ୍କ ସହ ସଲାସୁତୁରା କରି ଭାଗବଣ୍ଟା କରୁଥିବା ଅଭିଯୋଗ ପ୍ରକାଶ ପାଇଆସୁଥିଲେ ହେଁ , ପ୍ରକୃତ ଦୁର୍ନୀତି ଧରାପଡୁନାହିଁ ବା ସେ ଦିଗରେ ତଦନ୍ତ ପ୍ରତି ସରକାରଙ୍କର ଆନ୍ତରିକତା ନଥିବା ଲକ୍ଷ୍ୟ କରାଯାଇଛି ।

କ୍ଷତିପୂରଣ,ପୁନର୍ବାସ

ଏସ୍ ଏଲ୍ ଓ ଙ୍କ ସୂଚନାନୁଯାୟୀ , ଏଲ୍ ଏ କ୍ଷତିପୂରଣ ଆଗରୁ ପ୍ରଦାନ କରାଯାଇଛି । ସେତେବେଳେ ଅଶୋକ ବାଗ ଏଠାରେ ଅଧିକକାଳ ଧରି ଏହି ଅଧିକାରୀ ଦାୟିତ୍ୱରେ ରହିଥିଲେ । ଏବେ ସେ କେବଳ ଡିଗ୍ରୀମାମଲାଗୁଡିକର କ୍ଷତିପୂରଣ ବଣ୍ଟନ କରୁଛନ୍ତି ବୋଲି ପ୍ରକାଶ କରିଛନ୍ତି । ତେବେ ତାଙ୍କୁ ସେ ଅଧିକନ୍ତୁ ପୁନର୍ବାସ ଓ ଥଇଥାନ ଅଧିକାରୀ ରହିଥିବାରୁ ସେ କ୍ଷେତ୍ରରେ କ’ଣ ଅଗ୍ରଗତି ହୋଇଥିବା ପଚାରିବାରୁ , ସବୁ ଠିକ୍ ଠାକ୍ ଚାଲିଥିବା ନିର୍ମଳସଫେଇ ଦେଇଛନ୍ତି ।

ତେବେ ଅଞ୍ଚଳର ବୁଦ୍ଧିଜିବୀ ବା ନେତୃସ୍ଥାନୀୟ ଯୁବନେତାମାନେ ଏହି ପ୍ରକଳ୍ପରେ ଆରମ୍ଭରୁ ଅଦ୍ୟାବଧି କୋଟି କୋଟି ଟଙ୍କାର ଦୁର୍ନୀତି , ଅନିୟମିତତା ଓ ବାଟମାରଣା ହୋଇଆସୁଥିବା ଅଭିଯୋଗ କରନ୍ତି । ବଂଶୀ ମାଝି ବିବଦମାନ କ୍ଷତିପୂରଣ ବଣ୍ଟନ ମାମଲାରେ ମଧ୍ୟ ଗ୍ରାମର ଜଣେ ବୃଦ୍ଧ ଦଲାଲ୍ ୧୫ ରୁ ୧୭ ଲକ୍ଷ ଟଙ୍କା ମାରିଖାଇଥିବା ଓ ନୂଆପଡାର ଜଣେ ସ୍ଥାନୀୟ ତଥାକଥିତ ଚାଷୀନେତାଙ୍କ ଭାଇ ଯୁବଓକିଲ ଶହେରୁ ଅନେଶତ ଭାଗ ଟଙ୍କା ବାଟମାରଣାରେ ସମ୍ପୃକ୍ତ ଥିବା ସମସ୍ତେ ଜାଣନ୍ତି ବୋଲି କ୍ଷୋଭପ୍ରକାଶ କରିଛନ୍ତି । ଏପରିକି ଜଣେ ଯୁବଦଲାଲ୍ ‘ ସେମାନେ ତ ଦେଉଛନ୍ତି , ତମର କାହିଁକି ଫାଟୁଛି ? ‘ ବୋଲି ଧମକ ଦେଉଥିବା ପ୍ରକାଶ ।  

ଏହି ପ୍ରକଳ୍ପ ନିମନ୍ତେ ୧୨ ଟି ଗାଁ’ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ଓ ୧୯ ଖଣ୍ଡ ଗ୍ରାମ ଆଂଶିକ କ୍ଷତିଗ୍ରସ୍ତ ହୋଇଛି । ତେବେ ଏହି ପ୍ରକଳ୍ପର ଅନ୍ୟାନ୍ୟ ଅନିୟମିତତା ସମ୍ପର୍କରେ ଆଗକୁ ଏକ ବିଶଦ ଅନୁସନ୍ଧାନମୂଳକ ତଥଗସମ୍ବଳିତ ସପ୍ରମାଣ ରିପୋର୍ଟ ପ୍ରକାଶ ପାଇବ ।

ବିଡମ୍ବନାର ବିଷୟ ଯେ , ଅଞ୍ଚଳର ସାମୂହିକ ସ୍ବାର୍ଥ ବନାମ ମରୁଡିଗ୍ରସ୍ତ ଅଞ୍ଚଳର ଜଳସେଚନ ପାଇଁ ବାସ୍ତୁହରା ହୋଇ ଏଣେତେଣେ ବୁଲୁଥିବା ଏକଦା ଏଇ ସମ୍ପନ୍ନ ଚାଷୀ ଜଣକ ‘ ମାଝି ‘ ସାଙ୍ଗିଆଧାରୀ ଜଣେ ଆଦିବାସୀ ବର୍ଗର ନାଗରିକ ହୋଇଥିବା ବେଳେ , ଖଡିଆଳ ସ୍ବତନ୍ତ୍ର ଭୂ- ଅର୍ଜନ ଅଧିକାରୀ ଓ ପୁନର୍ବାସ ଏବଂ ଥଇଥାନ ଅଧିକାରୀ କାଲୁ ମାଝି ( ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲା କେନ୍ଦୁଝର ଜିଲ୍ଲା ନିବାସୀ ) ଓ ଆମ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ସେଇ ‘ ମାଝି ‘ ସାଙ୍ଗିଆଧାରୀ ଅଟନ୍ତି ।  ଏପରିସ୍ଥଳେ ରାଜ୍ୟର ଦାରିଦ୍ର୍ଯ ନିମନ୍ତେ ବିଶ୍ବପ୍ରସିଦ୍ଧ କଳାହାଣ୍ଡି ବନାମ ନୂଆପଡା ଜିଲ୍ଲାର ଏକ ବର୍ଷ ବର୍ଷ ଧରି ଅହେତୁକ ବିଳମ୍ବିତ ଜଳ ଅମଳ ପ୍ରକଳ୍ପରେ ଅଦ୍ୟାବଧି ଆଦିବାସୀ ବିସ୍ଥାପିତଙ୍କୁ କ୍ଷତିପୂରଣ ପ୍ରଦାନରେ ଦଲାଲି ଅଭିଯୋଗର ଉଚ୍ଚସ୍ତରୀୟ ଭିଜିଲାନ୍ସ ତଦନ୍ତ ଜରୁରୀ ବୋଲି ଅଞ୍ଚଳବାସୀ ସରକାରଙ୍କ ଠାରେ ଦାବି କରନ୍ତି ।

Leave a Reply

Your email address will not be published. Required fields are marked *

Related Post