ସ୍ବାସ୍ଥ୍ୟମନ୍ତ୍ରୀ ଓ ଉପମୁଖ୍ଯମନ୍ତ୍ରୀ ନୀରବ କାହିଁକି ?
ଟିଟିଲାଗଡ : ଟିଟିଲାଗଡ ସରକାରୀ ମାତୃ ଓ ଶିଶୁ ଚିକିତ୍ସାଳୟରେ ଶିଶୁବିକ୍ରି ଉଦ୍ୟମ ଘଟଣା ଓ ଏଥିରେ ଆନ୍ତଃରାଜ୍ୟ ଦଲାଲ୍ ସମ୍ପୃକ୍ତି ଜଣାପଡିଥିବା ଚାଞ୍ଚଲ୍ୟକର ଖବର ସତ୍ତ୍ୱେ ସରକାର ଏଥିପ୍ରତି ଆଦୌ ଭ୍ରୂକ୍ଷେପ କରିନାହାଁନ୍ତି ! ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ଏହା ଯେ , ରାଜ୍ୟ ଚାଇଲ୍ଡ ଲାଇନ୍ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ସ୍ଥାନୀୟ ଥାନାକୁ ଖବର ଦେଇ ପୁଲିସ୍ ସହାୟତାରେ ଡାକ୍ତରଖାନାରୁ ଶିଶୁପୁତ୍ରଟି ସହିତ ତା’ର ଅସହାୟା ବିଧବା ମାଆକୁ ଉଦ୍ଧାର କରି ଓ ଏଥିରେ ସମ୍ପୃକ୍ତ ଥିବା ଆଶାକର୍ମୀଙ୍କୁ ବଲାଙ୍ଗୀର ନେଇ ଶିଶୁ ସୁରକ୍ଷା ସମିତିରେ ହାଜର୍ ପୂର୍ବକ ମାଆ ଓ ଶିଶୁଟିକୁ ବଲାଙ୍ଗୀରର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରରେ ରଖିଥିବା ସତ୍ତ୍ୱେ ଥାନାରେ ଏ ସମ୍ପର୍କରେ କୌଣସି ମାମଲା ଋଜୁ କରି ତଦନ୍ତ ହୋଇନାହିଁ ! ଟିଟିଲାଗଡ ଉପଜିଲ୍ଲାପାଳ ରେହାନ୍ କ୍ଷେତ୍ରୀ, ଏସଡିପିଓ ଅଙ୍କିତା କୁମ୍ଭାର , ଶାସକଦଳର ବିଧାୟକ ନବୀନ ଜୈନଙ୍କୁ ଏ ସମ୍ପର୍କରେ ଜଣାଇ ଦିଆଗଲା ଓ ସେଇ ଟିଟିଲାଗଡକୁ ଏହାପରେ ଉପ-ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓଙ୍କର ଗସ୍ତ କାର୍ଯ୍ୟକ୍ରମ ଥିଲା । ତଥାପି ନିଜ ସହରରେ ଥିବା ବିଧାୟକ , ଏପରି ଏକ ଚାଞ୍ଚଲ୍ୟକର ବୋଲି ଖବର ପ୍ରକାଶ ସତ୍ତ୍ୱେ ନିଜଜିଲ୍ଲାର ସରକାରୀ ଉପଖଣ୍ଡ ହାସପାତାଳର ଘଟଣା ହୋଇଥିଲେ ହେଁ ସ୍ବାସ୍ଥ୍ୟମନ୍ତ୍ରୀ ଡା ମୁକେଶ ମହାଲିଙ୍ଗ ବା ନିଜଜିଲ୍ଲାର ବାସିନ୍ଦା ଉପମୁଖ୍ଯମନ୍ତ୍ରୀ ନୀରବ ରହିବାର କାରଣ କ’ଣ ବୋଲି ସ୍ଥାନୀୟ ଲୋକେ ପ୍ରଶ୍ନ କରିଛନ୍ତି ? ସେହିପରି ଜିଲ୍ଲାପାଳ ଓ ଏସ୍ ପି ସବୁଜାଣି ନୀରବତା ଅବଲମ୍ବନ କରିଛନ୍ତି ! ଯାଜପୁରରେ ଘଟିଥିବା ଶିଶୁବିକ୍ରି ଘଟଣାରେ ପୁଲିସ୍ ନିଜଆଡୁ ମାମଲା ଋଜୁକରି ତଦନ୍ତ କରୁଥିବା ପ୍ରକାଶ ପାଇଥିବା ବେଳେ ସରକାର ଟିଟିଲାଗଡରେ ପୂର୍ବରୁ ଘଟିଥିବା ଦୁଇଥର ଓ ଏହି ଶିଶୁବିକ୍ରି ଉଦ୍ୟମ ଘଟଣାରେ ଆନ୍ତଃରାଜ୍ୟ ଦଲାଲ୍ ସମ୍ପୃକ୍ତିର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଲୋକେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି ।

“ଦୃଷ୍ଟିପାତ “ଓଡିଆ ନିଉଜ୍ ପୋର୍ଟାଲ୍ ହେଉଛି , ୧୯୯୪ ରୁ ବଲାଙ୍ଗୀରରୁ ପ୍ରକାଶ ପାଉଥିବା ‘ପାକ୍ଷିକ ଦୃଷ୍ଟିପାତ ‘ ଓ ପରେ ପ୍ରକାଶିତ ‘ ସାପ୍ତାହିକ ‘ ଦୃଷ୍ଟିପାତ ‘ ସମ୍ବାଦପତ୍ରର ଆଧୁନିକ ଇ- ପତ୍ରିକା ସଂସ୍କରଣର ରୂପାନ୍ତରିତ ଉଏବ୍ ପୋର୍ଟାଲ୍ । ଏହା ମୁଖ୍ୟତଃ ରାଜ୍ୟ ତଥା ଦେଶର ଗଣମାଧ୍ୟମରେ ପ୍ରକାଶିତ ଖବରର ଏକ ତର୍ଜମାତ୍ମକ ଉପସ୍ଥାପନା ଓ ବିଭିନ୍ନ ଗଣମାଧ୍ୟମ ସୂତ୍ରରୁ ସଂଗୃହୀତ ତଥ୍ୟର ନିଜସ୍ୱ ଅନୁସନ୍ଧାନମୂଳକ ନିରପେକ୍ଷ ଖବର ପରିବେଷଣ । ଏଥିରେ କାହାର ମାନହାନୀ ବା ଏହା କ୍ଷତିସାଧନ ନିମନ୍ତେ ଉଦ୍ଦିଷ୍ଟ ନୁହେଁ ଓ ଜନହିତରେ ପ୍ରସାରିତ ସରକାର ବା ପ୍ରଶାସନର ଦୃଷ୍ଟିଆକର୍ଷଣର ଜନମତ ସମ୍ବଳିତ ଏକ ପ୍ରୟାସ ମାତ୍ର । ଏକ ଦୁର୍ନୀତିମୁକ୍ତ ସୁସ୍ଥ ସମାଜ ଗଠନ ଏହାର ଲକ୍ଷ୍ୟ ଓ ଏକାନ୍ତ ଉଦ୍ଦେଶ୍ୟ ଅଟେ।