କି ସଂକେତ ଦେଉଛି ?
ଦାରିଦ୍ର୍ଯଦୂରୀକରଣ ବା ବିକାଶର ବିଫଳତା , ସରକାରୀ ଅବହେଳା ଓ ପ୍ରାଶାସନିକ ଉଦାସୀନତା ?
ବଲାଙ୍ଗୀର : ସଂପ୍ରତି ଲୋକଙ୍କ ମଧ୍ୟରେ ଚର୍ଚ୍ଚାରେ ଥିବା ଗଣମାଧ୍ୟମରେ ‘ଟିଟିଲାଗଡରେ ଚାଞ୍ଚଲ୍ଯ ‘ ଶୀର୍ଷକଖବର ପ୍ରକାଶ ସହ ପୁଲିସ ଓ ପ୍ରଶାସନର ସମ୍ପୂର୍ଣ୍ଣ ଜ୍ଞାତସାରରେ ଘଟିଥିବା ଟିଟିଲାଗଡର ପିଲାବିକ୍ରି ଉଦ୍ୟମ ଘଟଣା ସତମିଛ ଯାହା ହେଉ , ଏହା ଯେ ସ୍ବାଧୀନତା ପରଠାରୁ ଦେଶ ବା ରାଜ୍ୟରେ ସବୁ ରାଜନୈତିକ ଦଳର ସରକାରର ଦାରିଦ୍ର୍ଯ ଦୂରୀକରଣ ଯୋଜନା ବା ବିକାଶର ବିଫଳତା , ଏଭଳି ସମସ୍ୟାର ନିରାକରଣ ବା ତଦନ୍ତରେ ସରକାରୀ ଅବହେଳା ଓ ପ୍ରାଶାସନିକ ଉଦାସୀନତାର ବାର୍ତ୍ତା ଦେଉଛି ; ଏଥିରେ ଦ୍ବିମତ ନାହିଁ ।
ଘଟଣାଟିର ତର୍ଜମା କଲେ , ଦଶନ୍ଧି ଦଶନ୍ଧି ଧରି ଏଭଳି ଦାରିଦ୍ର୍ଯର ଚରମ ଉଦାହରଣ ବାରମ୍ବାର ପିଲାବିକ୍ରି , ଅନାହାର ମୃତ୍ୟୁ , ଦାଦନଚାଲାଣ ଆଦି ଅଭିଯୋଗର ଜିଲ୍ଲା ବଲାଙ୍ଗୀର ବନାମ ଟିଟିଲାଗଡ ଉପଖଣ୍ଡରେ ପୁଣି ସେଇ ଘଟଣାର ପୁନରାବୃତ୍ତି ଘଟିଛି । ଏହି ସଦ୍ୟତମ ଘଟଣାରେ ଟିଟିଲାଗଡ ସରକାରୀ ଉପଖଣ୍ଡ ହାସପାତାଳର ଏମସିଏଚ୍ ବା ମାତୃ ଓ ଶିଶୁ ଚିକିତ୍ସାଳୟରେ ଜଣେ ଛତିଶଗଡର ଦଲାଲ୍ ଫେରାର୍ ହୋଇଯିବା ସହ ଅଢେଇଲକ୍ଷରେ ଶିଶୁପୁତ୍ରଟିକୁ ବିକ୍ରିଉଦ୍ୟମ ପାଇଁ ମୂଲଚାଲ ଅଭିଯୋଗର ସୂଚନାକ୍ରମେ ରାଜ୍ୟ ଚା ଇ ଲ୍ ଡ ଲାଇନ୍ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଦ୍ବାରା ପୁଲିସ୍ ସହାୟତାରେ ଶିଶୁବିକ୍ରି ଉଦ୍ୟମକୁ ପଣ୍ଡ ହୋଇ ମାଆ ଓ ଶିଶୁଟିକୁ ଉଦ୍ଧାର ଏବଂ ଏଭଳି କାରବାରରେ ଜଣେ ସ୍ଥାନୀୟ ସନ୍ଦିଗ୍ଧା ଆଶାକର୍ମୀଙ୍କୁ ଧରିଆଣି ଛଡାଯିବା ଘଟଣା ପରେ ମଧ୍ୟ ଗଣମାଧ୍ୟମର ଚାଞ୍ଚଲ୍ଯ ଶୀର୍ଷକ ଖବର ପ୍ରକାଶ ପାଇବା ସତ୍ତ୍ୱେ ଅଦ୍ୟାବଧି ତିନିଦିନ ପରେ ବି ଥାନାରେ ଏଭଳି ଆନ୍ତଃରାଜ୍ୟ ଶିଶୁବିକ୍ରି ସନ୍ଦେହର ତଦନ୍ତ ନିମନ୍ତେ ମାମଲା ଋଜୁ ନହେବା ସହ ଉପଜିଲ୍ଲାପାଳଙ୍କୁ ଜଣାଇବା ପରେ ମଧ୍ୟ ନୀରବତା ଅବଲମ୍ବନ ; ରାଜଧାନୀରେ ଜିଲ୍ଲାପାଳ ଓ ଏସ୍ ପି ସମ୍ମିଳନୀରେ ଉଦବୋଧନ ଦେଉଥିବା ମୁଖ୍ୟମନ୍ତ୍ରୀଙ୍କ ସରକାରରେ ଅଭାବନୀୟ ଓ ଆଶ୍ଚର୍ଯ୍ୟଜନକ ଘଟଣା !
ସର୍ବୋପରି ସଇଁନ୍ତଳା ଅଞ୍ଚଳରୁ ଯାଇ ପ୍ରଥମେ ଟିଟିଲାଗଡର ଆଦିବାସୀପଡା ଓ ସ୍ବାମୀର ମୃତ୍ୟୁପରେ ହାଟପଦାପଡାରେ ଅତ୍ୟନ୍ତ ଦୁଃସ୍ଥିତିରେ ଏଭଳି ଦୁର୍ଭାଗ୍ୟଜନକ ଅସୁରକ୍ଷିତ ପରିସ୍ଥିତିର ଶିକାର ହୋଇ ପିଲାଜନ୍ମ କରିଥିବା ଜଣେ ଅସହାୟା ଆଦିବାସୀ ଅନାଥିନୀ ଗରିବ ମହିଳାଙ୍କୁ ବିଧବାଭତ୍ତା , ଆବାସ ଓ ସରକାରୀ ଖାଦ୍ୟ ସୁରକ୍ଷା ଯୋଜନାର ଚାଉଳ ଆଦି ମିଳୁଥିଲା କି ନାଇଁ , ଏ ସମ୍ପର୍କରେ ଅଦ୍ୟାବଧି ବ୍ଲକ୍ , ଉପଖଣ୍ଡ ଓ ଜିଲ୍ଲା ପ୍ରଶାସନ ରହସ୍ୟଜନକ ଭାବେ ନୀରବ ରହିଛନ୍ତି !

ସୂଚନାଯୋଗ୍ୟ ଯେ କିଛିବର୍ଷ ତଳେ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବି ଏଭଳି ଶିଶୁବିକ୍ରି ଓ ଶିଶୁଚୋରି ଘଟଣା ଧରାପଡିଥିଲା । ତେବେ ଏହା ଏକ ପୋଷ୍ୟସନ୍ତାନ ମାମଲା କୁହାଯାଇ ଚପାଇ ଦିଆଯାଇଥିଲା । ଟିଟିଲାଗଡରେ ମଧ୍ୟ ଏହା ତୃତୀୟ ଘଟଣା । ଏଥିରୁ ଜଣାପଡ଼ିଥିଲା ଯେ , ରାଜ୍ୟ ବାହାରର କେତେକ ରାକେଟ୍ ହସ୍ପିଟାଲର ସୁଇପର୍ ସୁଇପ୍ରେସ୍ ବା ତଳିଆ କର୍ମଚାରୀଙ୍କୁ ପ୍ରଲୋଭନ ଦେଇ ସକ୍ରିୟ ରହିଛି । ଟିଟିଲାଗଡ ଏମସିଏଚ୍ ରେ ବି ଏଇପରି ଏକ ରାକେଟ୍ ସକ୍ରିୟ ଥିବା ଓ ଏଇ ଘଟଣାଟି ଯୋଜନାବଦ୍ଧ ଭାବରେ ପ୍ରସବ ପର୍ଯ୍ୟନ୍ତ ଅପେକ୍ଷା କରାଯାଇଥିବା ନିର୍ଭରଯୋଗ୍ୟ ସୂତ୍ରରୁ ପ୍ରକାଶ । ଏହି ଘଟଣାରେ ଉକ୍ତ ଆଶାକର୍ମୀ ଓ ଶିଶୁଟିର ମାଆଠାରୁ ସବୁ ଜଣାପଡିବ ବୋଲି କୁହାଯାଉଛି । ଅଥଚ ଏତେବଡ ଏକ ଚାଞ୍ଚଲ୍ୟକର ଘଟଣାକୁ ଚପାଇ ଦିଆଗଲା କାହିଁକି ଓ କାହା ଇଙ୍ଗିତରେ ବୋଲି ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି ।
ତେଣୁ ପୂର୍ବର କଂଗ୍ରେସ ସରକାରଠାରୁ ପୂର୍ବତନ ୨୪ ବର୍ଷର ନବୀନ ସରକାର ବା ଏଇ ଶହେଦିନ ପ୍ରାୟ ମାସାଧିକ ଅବଧିର ଡବଲଇଞ୍ଜିନ୍ ମୋହନ ସରକାରର ତଥାକଥିତ ବିକାଶର ସଂକଳ୍ପ , ଘୋଷଣା ଓ ପ୍ରତିଶ୍ରୁତି ଉପରେ ଆଉ ଲୋକଙ୍କର ଆସ୍ଥା ନଥିବା ଚର୍ଚ୍ଚାରୁ ପ୍ରକାଶ ।
ଜଣେ ଆଦିବାସୀ ମୁଖ୍ୟମନ୍ତ୍ରୀଙ୍କ ଶାସନରେ ଜଣେ ଦୁର୍ଦ୍ଦଶାଗ୍ରସ୍ତା ଆଦିବାସୀ ମହିଳାଙ୍କ ପ୍ରତି ସରକାର ଓ ପ୍ରଶାସନ ଏତେ ଉଦାସୀନ କିପରି ?