ବାପର ମିଛ ଓ ବ୍ଲାକ୍ ମେଲିଂ
ଟିଟିଲାଗଡ : ଗତବର୍ଷ ଠାରୁ ଏକାଧିକ ଶିଶୁବିକ୍ରିର ଅଭିଯୋଗ ପ୍ରକାଶ ପାଇଆସିଥିବା ବେଳେ ଚରମଦାରିଦ୍ର୍ୟ ଯୋଗୁଁ ଶତାବ୍ଦୀ ଧରି ଦାଦନଚାଲାଣ, ଅନାହାରମୃତ୍ୟୁ ଓ ପିଲାବିକ୍ରି ପରି ଅପଖ୍ୟାତ ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡରେ ପୁଣି ଏକ ଶିଶୁବିକ୍ରି ହୋଇଥିବା ଖବର ଚର୍ଚ୍ଚିତ ହୋଇଛି । ତେବେ ପୂର୍ବଥର ପରି ସରକାର ଓ ପ୍ରଶାସନ ପକ୍ଷରୁ ଏହି ଆନ୍ତଃରାଜ୍ୟ ଶିଶୁବିକ୍ରି ରାକେଟ୍ ର ସମ୍ପୃକ୍ତି ଅଭିଯୋଗକୁ ଅସ୍ୱୀକାର କରାଯାଇ ଆସୁଥିବା ସହିତ ଏହାକୁ ଚଳିତ ଡବଲଇଞ୍ଜିନ୍ ସରକାରଙ୍କ ଶାସକଦଳର ଭାଜପା ବିଧାୟକ ମଧ୍ଯ ଶିଶୁବିକ୍ରି ନୁହେଁ ବୋଲି ସତ୍ଯକୁ ଢାଙ୍କିବାର ଅପଚେଷ୍ଟା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।
ଟିଟିଲାଗଡ ଭାଜପା ବିଧାୟକ ନବୀନ ଜୈନ ପୂର୍ବଥରର ଟିଟିଲାଗଡ ହାଟପଦାପଡାର ଓ ତାଙ୍କ ନିର୍ବାଚନ ମଣ୍ଡଳୀର ଅନ୍ଯାନ୍ଯ ଏଭଳି ଶିଶୁବିକ୍ରି ଘଟଣାରେ ଆଦୌ ମୁଣ୍ଡ ଖେଳାଇ ନ ଥିବା ବେଳେ, ଏଇ ଘଟଣାରେ ଶିଶୁବିକ୍ରି ହୋଇଥିବା ଟିଟିଲାଗଡ ବ୍ଲକ୍ ଭାଲେଗାଁ’ ପଞ୍ଚାୟତର ବାଗଡେର ଗାଁ’କୁ ଯାଇଥିଲେ ।
ପ୍ରଶାସନର ଘଣ୍ଟଘୋଡା
ତେବେ ସେ ଘଟଣାର ପ୍ରକୃତ ତଦନ୍ତ କରିବା ବଦଳରେ ଟିଟିଲାଗଡ ସରକାରୀ ହାସପାତାଳରେ ଜନ୍ମିତ ଓ ଦଲାଲଙ୍କ ଜରିଆରେ ୨୦ ହଜାର ଟଙ୍କାରେ ବିକ୍ରିହେବା ପରେ ଗଣମାଧ୍ୟମରେ ପ୍ରକାଶ ପାଇ ହଇଚଇ ହେବାରୁ ପ୍ରଶାସନର ହସ୍ତକ୍ଷେପରେ ପୁଲିସ ଓ ଚାଇଲ୍ଡ ଲାଇନ ଦ୍ବାରା ବରଗଡ ଜିଲ୍ଲାର ପାଇକମାଳରୁ ଉଦ୍ଧାର ହୋଇଥିବା ସତ୍ତ୍ବେ ଉକ୍ତ ଶିଶୁକନ୍ୟାଟିର ବାପମାଆଙ୍କୁ ଭେଟି ସେଠାରେ ସମବେତ ଗଣମାଧ୍ୟମ ଓ ଗ୍ରାମବାସୀଙ୍କ ଆଗରେ ଏହା ଶିଶୁବିକ୍ରି ନୁହେଁ ବୋଲି ପ୍ରକୃତ ଘଟଣାକୁ ଘଣ୍ଟଘୋଡାଉଥିବା ବିସ୍ମୟ ସୃଷ୍ଟି କରିଛି । ଆହୁରି ମଧ୍ଯ ଶିଶୁକନ୍ୟାଟିର ବାପ ନୀଳ ରଣା ବିଧାୟକ ଓ ଗ୍ରାମବାସୀଙ୍କ ସମ୍ମୁଖରେ ଏ ସମ୍ପର୍କରେ ବାରମ୍ବାର ବୟାନ ବଦଳାଇ ଆର୍ଥିକ ସହାୟତା ଆଶାରେ ପ୍ରଶାସନ ଓ ସରକାରଙ୍କୁ ବ୍ଲାକ୍ ମେଲ୍ କଲାଭଳି କଥାବାର୍ତ୍ତା କରୁଥିବା ଦେଖାଯାଇଛି । ସେ ରାୟପୁର ଆଡେ ରହୁଥିବା , କୌଣସି ବନ୍ଧୁଙ୍କୁ ଛୁଆଟି ପୁଣି ଝିଅ ହେଲେ ଦେବାକୁ କଥା ଦେଇଥିବା , ଶିଶୁକନ୍ୟାଟିକୁ କାହାକୁ ଦେଇଥିଲେ , ତାଙ୍କ ନାଁ’ କହିପାରୁ ନଥିବା , ୧୦ ହଜାର ଟଙ୍କା କାହିଁକି ନେଲେ ? , ମୁଣ୍ଡ ଠିକ୍ ନ ଥିବାରୁ ପୂର୍ବରୁ କହିଥିବା କଥାକୁ ମନେ ନ ଥିବା ଓ କିଛି ନ ମିଳିଲେ , ଛୁଆଟିକୁ ରଖିପାରିବୁନି ‘ ଇତ୍ୟାଦି ଫେଚକାମି କାଢୁଥିବାକୁ ଲୋକେ ପ୍ରଶାସନ ଓ ସରକାରଙ୍କୁ ବ୍ଲାକ୍ ମେଲିଂ ନୁହେଁ ତ , ଆଉ କ’ଣ ବୋଲି ପ୍ରଶ୍ନ କରିଛନ୍ତି ?

ପ୍ରକାଶ ଯେ , ପୂର୍ବଥର ପରି ଏଥର ମଧ୍ଯ ନବଜାତ ଶିଶୁବିକ୍ରିର ମୂଳ ଟିଟିଲାଗଡ ସରକାରୀ ହାସପାତାଳରୁ ଆରମ୍ଭ ହୋଇଛି ।ଏହି ଶିଶୁକନ୍ୟାଟି ଜନ୍ମ ହେବାପରେ ଗ୍ରାମର ମଧ୍ୟସ୍ଥି ରବି ମଛଖଣ୍ଡ ଜରିଆରେ ପାଇକମାଳର ଏକ ଦମ୍ପତିଙ୍କୁ ୧୦ ବା ୨୦ ହଜାର ଟଙ୍କାରେ ଦେଇଦେଇଥିବା କୁହାଯାଇଥିବା ବେଳେ , ପ୍ରକୃତରେ ଶିଶୁକନ୍ୟାଟିକୁ ଅନ୍ୟ କେଉଁ ଦଲାଲଙ୍କ ଜରିଆରେ ପୂର୍ବଥର ପରି ରାୟପୁର ବନାମ ଛତିଶଗଡକୁ ଚାଲାଣ କରାଯିବାକୁ ଯୋଜନା ଯେ ନଥିବ , କୁହାଯାଇ ପାରିବନି । ଏଣୁ ପୂର୍ବଥର ପରି ଏହା ଏଥିରେ ଆନ୍ତଃରାଜ୍ୟ ରାକେଟ୍ ର ସମ୍ପୃକ୍ତିକୁ ଏଡ଼ାଯାଇ ପାରୁନାହିଁ ! ଅଥଚ ପ୍ରଶାସନ ବା ସରକାର ପୂର୍ବଥର ପରି ଏହାକୁ ହାଲୁକାଭାବରେ ନ ନେଇ ପୂର୍ବଥରର ଭୀମଭୋଇ ହାସପାତାଳର ଶିଶୁବିକ୍ରିରେ ସିଡବ୍ଲୁସିର ଆନ୍ତଃରାଜ୍ୟ ରାକେଟ୍ ସମ୍ପୃକ୍ତି ସନ୍ଦେହକୁ ଦୃଷ୍ଟିରେ ରଖାଯାଇ ତଦନ୍ତ କରାଯିବାକୁ ଜନସାଧାରଣଙ୍କ ପକ୍ଷରୁ ଦାବି କରାଯାଇଛି ।
ଦାରିଦ୍ର୍ଯ ନା ଆନ୍ତଃରାଜ୍ୟ ରାକେଟ୍ ର ସମ୍ପୃକ୍ତି ?
ଏବର ଶିଶୁକନ୍ୟାର ବିକ୍ରିକୁ ନେଇ ବିଜେଡିର ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ଟିଟିଲାଗଡ ବିଧାୟିକା ଟୁକୁନି ସାହୁ ଏବଂ କଂଗ୍ରେସର ପୂର୍ବତନ କଣ୍ଟବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ତାଙ୍କ ସମୟର ଶିଶୁବିକ୍ରି ଘଟଣାକୁ ଭୁଲିଯାଇ ରାଜନୀତି ଆରମ୍ଭ କରିଦେଇ ଦାରିଦ୍ର୍ଯ ଦୂରୀକରଣରେ ବର୍ତ୍ତମାନର ସରକାରଙ୍କ ଅପାରଗତା ବୋଲି ଅଭିଯୋଗ କରିଛନ୍ତି ।
ତେବେ ଯଦି ଦାରିଦ୍ର୍ଯ ଯୋଗୁଁ ଏପରି ଘଟୁଛି , ତାହେଲେ ଜିଲ୍ଲାର ଦାଦନଚାଲାଣ ଏହାର ମୂଳକାରଣ । ଚଳିତ ସରକାର ଏଥିପାଇଁ ଜିଲ୍ଲାର ପାଟଣାଗଡ ବିଧାୟକ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଦାଦନ ନିରାକରଣ ପାଇଁ ଯେଉଁ ଟାସ୍କଫୋର୍ସ ଗଠନ କରିଛନ୍ତି , ଏହା ବଲାଙ୍ଗୀର ଜିଲ୍ଲାରେ ବିଫଳ ହୋଇଥିବା ଏହି ଶିଶୁବିକ୍ରି ଏକ ଜ୍ବଳନ୍ତ ଉଦାହରଣ ।
ତେବେ ଦାରିଦ୍ର୍ଯ ପାଇଁ ଯେତେ ନୁହେଁ , ଅଗ୍ରୀମ ପ୍ରଲୋଭନ ପାଇଁ ଦାଦନଚାଲାଣ ହେଉଥିବା ଏବଂ ଟିଟିଲାଗଡ ବା ବଲାଙ୍ଗୀର ସରକାରୀ ହାସପାତାଳରେ ବିଶେଷତଃ ସୁଇପର/ ସୁଇପ୍ରେସ୍,ପ୍ରସବ ନିମନ୍ତେ ନିୟୋଜିତା ଆଶା , ସ୍ବାସ୍ଥ୍ୟକେନ୍ଦ୍ର ନିକଟସ୍ଥ ଔଷଧ ଦୋକାନୀ ପ୍ରମୁଖଙ୍କୁ ପ୍ରଲୋଭିତ କରି ( ଯାହା ଲାଠୋର ଶିଶୁକନ୍ୟା ବିକ୍ରିରେ ପ୍ରମାଣିତ ) ଆନ୍ତଃରାଜ୍ୟ ଚୋରାଚାଲାଣ ରାକେଟ୍ ର ଏଥିରେ ହାତ ଥିବାରୁ ଏହି ଜିଲ୍ଲାରେ ବାରମ୍ବାର ଏଭଳି ଘଟୁଛି । ଅଧିକନ୍ତୁ ପୂର୍ବର ଶିଶୁବିକ୍ରି ମାମଲାରେ ବଲାଙ୍ଗୀର ଡିପିସିୟୁର ଜଣେ ଅଧିକାରିଣୀ ବିଦେଶକୁ ବେଆଇନ ଭାବେ ପୋଷ୍ୟଶିଶୁ ଚୋରାଚାଲାଣରେ ସମ୍ପୃକ୍ତ ବୋଲି ସିଡବ୍ଲୁସିର ଜନୈକା ସଦସ୍ଯାଙ୍କ ଅଭିଯୋଗର ଚର୍ଚ୍ଚା ମଧ୍ଯ ପ୍ରକାଶ ପାଇଥିଲେ ହେଁ , ଏଭଳି ସମ୍ବେଦନଶୀଳ ଆନ୍ତର୍ଜାତିକ ଶିଶୁଚୋରାଚାଲାଣର ତଦନ୍ତ ପ୍ରତି ସରକାର କର୍ଣ୍ଣପାତ କରୁ ନଥିବା ଆଶ୍ଚର୍ଯ୍ୟଜନକ !



“ଦୃଷ୍ଟିପାତ “ଓଡିଆ ନିଉଜ୍ ପୋର୍ଟାଲ୍ ହେଉଛି , ୧୯୯୪ ରୁ ବଲାଙ୍ଗୀରରୁ ପ୍ରକାଶ ପାଉଥିବା ‘ପାକ୍ଷିକ ଦୃଷ୍ଟିପାତ ‘ ଓ ପରେ ପ୍ରକାଶିତ ‘ ସାପ୍ତାହିକ ‘ ଦୃଷ୍ଟିପାତ ‘ ସମ୍ବାଦପତ୍ରର ଆଧୁନିକ ଇ- ପତ୍ରିକା ସଂସ୍କରଣର ରୂପାନ୍ତରିତ ଉଏବ୍ ପୋର୍ଟାଲ୍ । ଏହା ମୁଖ୍ୟତଃ ରାଜ୍ୟ ତଥା ଦେଶର ଗଣମାଧ୍ୟମରେ ପ୍ରକାଶିତ ଖବରର ଏକ ତର୍ଜମାତ୍ମକ ଉପସ୍ଥାପନା ଓ ବିଭିନ୍ନ ଗଣମାଧ୍ୟମ ସୂତ୍ରରୁ ସଂଗୃହୀତ ତଥ୍ୟର ନିଜସ୍ୱ ଅନୁସନ୍ଧାନମୂଳକ ନିରପେକ୍ଷ ଖବର ପରିବେଷଣ । ଏଥିରେ କାହାର ମାନହାନୀ ବା ଏହା କ୍ଷତିସାଧନ ନିମନ୍ତେ ଉଦ୍ଦିଷ୍ଟ ନୁହେଁ ଓ ଜନହିତରେ ପ୍ରସାରିତ ସରକାର ବା ପ୍ରଶାସନର ଦୃଷ୍ଟିଆକର୍ଷଣର ଜନମତ ସମ୍ବଳିତ ଏକ ପ୍ରୟାସ ମାତ୍ର । ଏକ ଦୁର୍ନୀତିମୁକ୍ତ ସୁସ୍ଥ ସମାଜ ଗଠନ ଏହାର ଲକ୍ଷ୍ୟ ଓ ଏକାନ୍ତ ଉଦ୍ଦେଶ୍ୟ ଅଟେ।