ବଲାଙ୍ଗୀର : ଗତ ୧୭ ତାରିଖରେ ବଲାଙ୍ଗୀରରେ ଅନୁଷ୍ଠିତ ରାଜ୍ୟସ୍ତରୀୟ କୃଷକଶକ୍ତି ସମାବେଶରେ ଯୋଗ ଦେଇଥିଲେ ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝି । ତାଙ୍କର ବଲାଙ୍ଗୀର ଜିଲ୍ଲାର କୃଷି ଓ ଚାଷୀଙ୍କ ଅଭିବୃଦ୍ଧି ପାଇଁ ସରକାରଙ୍କ ବିପୁଳ ଆର୍ଥିକ ସହାୟତାର ପ୍ରତିଶ୍ରୁତି ସହିତ ଅନ୍ୟତମ ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଭିଭାଷଣରେ ଚଳିତ ସରକାରର ରାଜ୍ୟର ଦୁଇଗୁଣା କୃଷିବଜେଟ୍ ବୃଦ୍ଧି ସହିତ ଜିଲ୍ଲାର ଫଳଚାଷ , ପନିପରିବା ଚାଷ ଓ ଏସବୁ ଉତ୍ପାଦିତ ଫସଲ ବିଦେଶକୁ ରପ୍ତାନୀ ହେଉଥିବା ସୂଚନା ଶୁଣିବା ପରେ ଏସବୁ ଆଗାମୀ ସରକାରଙ୍କ ଯୋଜନାର ରୂପରେଖ ଜାଣିବାର ଆଗ୍ରହରୁ ଆମ ଟିମ୍ ପ୍ରଥମେ ପହଞ୍ଚିଥିଲା ବଲାଙ୍ଗୀର ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ।
ଅଳ୍ପଦିନ ହେବ ଏଠାରେ ଡେପୁଟି ଡାଇରେକ୍ଟର ଭାବରେ ଯୋଗ ଦେଇଥିବା ସୁଦେଶ କୁମାର ଚୌଧୁରୀଙ୍କୁ ଭେଟି କିଛିସମୟ ଔପଚାରିକ ଆଲୋଚନାରେ ଯାହା ହୃଦ୍ ବୋଧ ହେଲା , ଆଉ ମାତ୍ର ପ୍ରାୟ ୧୦ ମାସ ଅବସର ଗ୍ରହଣ ପାଇଁ ଥିବା ଏଇ ଅଧିକାରୀଙ୍କର ବିଭାଗ ପ୍ରତି ଉତ୍ସର୍ଗୀକୃତ ଭାବନା ଓ କାମ କରିବାର ଉତ୍ସାହ ଅନ୍ତତଃ ଆମ ବଲାଙ୍ଗୀର ଜିଲ୍ଲା ପାଇଁ ଅତ୍ୟନ୍ତ ଆବଶ୍ୟକ । ଏଭଳି ଅଧିକାରୀଙ୍କର ଅନ୍ତତଃ ବଲାଙ୍ଗୀର ଜିଲ୍ଲାରେ ଅଧିକ ଦିନ ରଖାଯିବାର ଆବଶ୍ୟକତା ରହିଛି ।
ଉକ୍ତ ସମାବେଶରେ ପାଟଣାଗଡ, ଟିଟିଲାଗଡ ଓ ଖପ୍ରାଖୋଲର ୬ ଲଟ୍ ଦଶେରୀ , ଆମ୍ରପଲ୍ଲୀ ଚାଷୀଙ୍କର ଆମ୍ବ ଲଣ୍ଡନ, ଆବୁଧାବି ଓ ଜର୍ମାନୀ ଇତ୍ୟାଦି ବିଦେଶକୁ ରପ୍ତାନୀ କରାଯାଇଥିବା କୃଷିମନ୍ତ୍ରୀ ପ୍ରକାଶ କରିଥିଲେ । ଏହାସହିତ ଜିଲ୍ଲାର ଚାଷୀଙ୍କର କଲରା , ଭେଣ୍ଡି ଆଦି ପନିପରିବା ମଧ୍ଯ ବିଦେଶକୁ ଯାଉଥିବା ସେ କହିଥିଲେ । ଉଦ୍ୟାନ କୃଷି ବିଭାଗ ସହିତ ନାବାର୍ଡ ଓ ଓରମାସ୍ ତରଫରୁ ଉତ୍ପାଦିତ ଏସବୁର ବିଦେଶକୁ ଭୁବନେଶ୍ବର ନିର୍ଦ୍ଦେଶକଙ୍କ ତତ୍ତ୍ବାବଧାନରେ ପାଲାଡିଏମ୍ କନସଲଟାନ୍ସି ଜରିଆରେ ଏହା ରପ୍ତାନୀ କରାଯାଉଛି ।
ବିକଶିତ ଓଡିଶା ପାଇଁ ବିକଶିତ ବଲାଙ୍ଗୀର
ଜିଲ୍ଲାର ୧୪ ଟି ବ୍ଲକରେ ଏହି ଉପନିର୍ଦ୍ଦେଶକଙ୍କ ଅଧୀନରେ ଏସବୁ ପନିପରିବା , ଆମ୍ବ ଓ ଡ୍ରାଗନ ଫ୍ରୁଟ୍ ଚାଷ କରାଯାଉଛି । ପାଟଣାଗଡରେ ଶ୍ରୀ ସିଂହଦେଓଙ୍କ ନିଜସ୍ବ ଫାର୍ମରେ ଫଳୁଥିବା ଡ୍ରାଥନ ଫ୍ରୁଟ୍ କିଛିଦିନତଳେ ଦୁବାଇକୁ ରପ୍ତାନୀ ହୋଇଥିବା ପ୍ରକାଶ ପାଇଥିଲା । ଏତଦ୍ ବ୍ୟତୀତ ଏହି ଦାମିକା ବିଦେଶୀ ଫଳଚାଷ ଜିଲ୍ଲାର ଦେଓଗାଁ , ଲୋଇସିଂହା ,ମୁରିବାହାଲ, ଖପ୍ରାଖୋଲ ଓ ବିଭିନ୍ନ ସ୍ଥାନରେ ଚାଷୀ ହେଉଛି ।
ଏହାସହିତ ରବିଋତୁରେ ପିଆଜ , ଧନିଆ ଇତ୍ୟାଦି ଚାଷ କରାଯାଏ । ତେବେ ଶୀତଳଭଣ୍ଡାର ନଥିବାରୁ ଚାଷୀଙ୍କର ବହୁତ ଅସୁବିଧା ହେଉଛି। ବିଶେଷତଃ ଘରୋଇ ଭାବେ ଶୀତଳଭଣ୍ଡାର କରାଯିବାକୁ ସରକାର ପ୍ରୋତ୍ସାହନ ଯୋଗାଇଦେଲେ ଚାଷୀଙ୍କର ଉତ୍ପାଦିତ ଫଳ ଓ ପନିପରିବାର ସଂରକ୍ଷଣ ସମ୍ଭବ ହୁଅନ୍ତା ! ବଲାଙ୍ଗୀର ଜିଲ୍ଲା ପ୍ରଧାନମନ୍ତ୍ରୀ କୃଷି ସିଚାଇ ଯୋଜନାରେ ଓଡିଶାର ୨ୟ ଟାର୍ଗେଟ୍ ରେ ରହିଛି । ସେହିପରି ଏମ୍ଆଇ ଡିଏସ୍ ବା ଜାତୀୟ ଉଦ୍ୟାନ ମିଶନରେ ଓଡିଶାର ୧ମ ଟାର୍ଗେଟ୍ ରେ ଓ ଏବର୍ଷର ଅଏଲ୍ ପାମ୍ ବା ତାଳତେଲ ଚାଷ ଯୋଜନାରେ ୩ୟ ଟାର୍ଗେଟ୍ ରେ ରହିଥିବା ସେ ପ୍ରକାଶ କରିଥିଲେ ।

ଏତଦ୍ ବ୍ୟତୀତ ‘ ବିକଶିତ ଓଡିଶା ପାଇଁ ବିକଶିତ ବଲାଙ୍ଗୀର ‘ କାର୍ଯ୍ୟକ୍ରମରେ ଭବିଷ୍ୟତରେ ମାଟିର ଉର୍ବରତାକୁ ନଷ୍ଟ କରିଦେବାର ଆଶଙ୍କା ରହିଥିବା କ୍ଷତିକାରକ କପାଚାଷ ବିକଳ୍ପ ଭାବରେ ଉଦ୍ୟାନ କୃଷିର ପ୍ରଚଳନକୁ ପ୍ରୋତ୍ସାହିତ କରାଯିବାକୁ ଯୋଜନା ରହିଛି ବୋଲି ସେ ପ୍ରକାଶ କରିଛନ୍ତି । ଏବେ ୨ କୋଟି ୨୭ ଲକ୍ଷ ଟଙ୍କାର ମୁଖ୍ଯମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର କରାଯାଉଛି । ଏହି ଯୋଜନାର ୭୬ଟି ଉଦ୍ୟୋଗ ମଧ୍ଯରୁ କେବଳ ୩୬ ଟି ଉଦ୍ୟୋଗ ଉଦ୍ୟାନକୃଷି ବିଭାଗର । ଏଥର ରାଜ୍ୟ ଯୋଜନା ବା ଜିଲ୍ଲା ଯୋଜନାରେ ନଥିବା ଉଦ୍ୟାନ ବିଭାଗ ପକ୍ଷରୁ ଜିଲ୍ଲାର ୧୪ ଟି ବ୍ଲକରେ ୫୩୫ ଟି ପୋଖରୀ ବା ଫାର୍ମପଣ୍ଡ୍ ର ପ୍ରସ୍ତାବ ଦିଆଯାଇଥିବା ତାଙ୍କ ସୂତ୍ରରୁ ପ୍ରକାଶ ।
ଛତୁଆ ମଧ୍ଯ ଏକ ପ୍ରଚୁର ଲାଭଦାୟକ କୃଷି ଓ ଏବେ ପାଳଛତୁ ଓ ଧିଙ୍ଗିରୀଛତୁ ଚାଷ କରାଯାଉଛି । ବ୍ୟୟବହୁଳ ବଟମ୍ ଛତୁଚାଷ ମଧ୍ଯ କରାଯିବାର ଲକ୍ଷ୍ୟ ରହିଛି ।
ସମସ୍ୟା ମଧ୍ଯରେ ମଞ୍ଜୁରୀପ୍ରାପ୍ତ ପଦରୁ ୫୦ ପ୍ରତିଶତ କର୍ମଚାରୀ କମ୍ ଅଛନ୍ତି ଓ ଆଉ ନୂତନ ନିଯୁକ୍ତି ହେଉନାହିଁ ।
ଯଦି ସମସ୍ତଙ୍କର ସହଯୋଗ ମିଳନ୍ତା , ତେବେ ଅନ୍ଯାନ୍ଯ ୧୮ ଟି ବିଭାଗ ମଧ୍ଯରୁ ଉପରୋକ୍ତ କୃଷିରେ କେବଳ ଉଦ୍ୟାନକୃଷିରେ ଦାଦନପ୍ରବଣ ବଲାଙ୍ଗୀର ଜିଲ୍ଲାର ଚିତ୍ର ବଦଳାଇ ଦିଆଯାଇ ପାରିବ ବୋଲି ସେ ଦୃଢଆଶା ପ୍ରକାଶ କରିଛନ୍ତି ।
ଏଣୁ ବଲାଙ୍ଗୀର ଉଦ୍ୟାନକୃଷି କ୍ଷେତ୍ରରେ ଯଦି ସରକାର ସତରେ ଉଲ୍ଲେଖନୀୟ ଉନ୍ନତି ଚାହୁଁଥାନ୍ତି , ତେବେ ମୁଖ୍ୟମନ୍ତ୍ରୀ ଓ କୃଷିମନ୍ତ୍ରୀ ଏଠାକାର ମୁଖ୍ୟ ଅଭାବଗୁଡିକ ମଧ୍ଯରେ ରହୁଥିବା ୫୦ ପ୍ରତିଶତ କର୍ମଚାରୀ ଅଭାବର ପୂରଣ , ଘରୋଇ ଶୀତଳଭଣ୍ଡାର ସ୍ଥାପନ ପାଇଁ ପ୍ରୋତ୍ସାହନ ପ୍ରଦାନ ସହ ଉଦ୍ୟାନକୃଷି ପ୍ରତି ବିଶେଷ ଧ୍ୟାନ ଦେବାକୁ ଜିଲ୍ଲାର ଚାଷୀମାନେ ଦାବି କରିଛନ୍ତି ।