ବଲାଙ୍ଗୀର : ଗତ ସେପ୍ଟେମ୍ବରରେ ଟିଟିଲାଗଡରେ ଏକ ସଦ୍ୟଜାତ ଶିଶୁପୁତ୍ରକୁ ବିକିଦେବାର ଉଦ୍ୟମ ଘଟଣା ପରେ ଏବେ ବଲାଙ୍ଗୀର ଜିଲ୍ଲାର ଖପ୍ରାଖୋଲ ବ୍ଲକ୍ ର ଲାଠୋର ଅଞ୍ଚଳରେ ଆଉ ଏକ ନବଜାତ ଶିଶୁକନ୍ୟାକୁ ବିକ୍ରିକରି ଦିଆଯାଇଥିବା ଘଟଣା ଗଣମାଧ୍ୟମର ମୁଖପୃଷ୍ଠ ଖବର ପାଲଟିଛି । ଗତ ନଭେମ୍ବର ୨ ତାରିଖରେ ଶିଶୁକନ୍ୟାଟିର ଜନ୍ମ ପରେ ପରଦିନ ତା’ର ମାଆବାପ ତା’କୁ ବିକ୍ରିକରି ଦେଇଥିବା ସନ୍ଦେହ ପ୍ରଘଟ ହେବାର ୧୦ ଦିନ ପରେ ଆଶାକର୍ମୀ ଓ ସ୍ୱାସ୍ଥ୍ୟକର୍ମୀ ଖପ୍ରାଖୋଲ ସ୍ବାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସରଙ୍କୁ ବାଧ୍ୟ ହୋଇ ଜଣାଇଥିବା ପ୍ରକାଶ। ଏହାସହିତ ଲାଠୋର ସୁପରଭାଇଜର ବାସନ୍ତୀରାଣୀ ରଥଙ୍କ ସୂଚନାକ୍ରମେ ଖପ୍ରାଖୋଲ ସିଡିପିଓ ସୁଜାତା ଦୋରା ବଲାଙ୍ଗୀର ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ କୁ ଏହା ଜଣାଇବାରୁ ଆଜି ବଲାଙ୍ଗୀର ଶିଶୁ ସୁରକ୍ଷା ୟୁନିଟ୍ ( ଡିସିପିୟୁ ) ଓ ସି ଡବ୍ଲୁ ସି ର ଅଧିକାରୀମାନେ ଉକ୍ତ ଗ୍ରାମରେ ପହଞ୍ଚି ପ୍ରାଥମିକ ତଦନ୍ତ ପରେ ଲାଠୋର ଥାନାରେ ଏକ ଏତଲା ଦେଇଥିବା ପ୍ରକାଶ ।

ଡି ସି ପି ୟୁ ଓ ସି ଡବ୍ଲୁ ସି ର ତନାଘନା : ଥାନାରେ ଏତଲା
ଏହି ସୂତ୍ରରୁ ପ୍ରକାଶ ଯେ , ଖପ୍ରାଖୋଲ ବ୍ଲକ୍ ର କରୁଆଁଝର ପଞ୍ଚାୟତର ସାନଗୁର୍ଜିଭଟା ଗ୍ରାମର ପାଲିପଡାର ଏକ ଦାଦନଶ୍ରମିକ ପରିବାରର ଅମୃତ ନାଗଙ୍କ ପତ୍ନୀ ଅରୁଣାବତୀ ନାଗଙ୍କୁ ପ୍ରସବ ନିମନ୍ତେ ଗ୍ରାମର ଆଶାକର୍ମୀ ସୁନାମୁଦି ସ୍ବାସ୍ଥ୍ୟ ଉପକେନ୍ଦ୍ରକୁ ନେଇଥିଲେ ଓ ଗତ ନଭେମ୍ବର ୨ ତାରିଖରେ ସେଠାରେ ତାଙ୍କର ଏକ ସୁସ୍ଥ ଶିଶୁକନ୍ୟା ଜନ୍ମ ହୋଇଥିଲା । ପରଦିନ ମାଆ ଓ ଛୁଆଙ୍କୁ ଆଶାକର୍ମୀ ତାଙ୍କ ଘରକୁ ନେଇଦେଇଥିଲେ । ପରଦିନ ସେ ତାଙ୍କ ଘରକୁ ଶିଶୁର ସ୍ବାସ୍ଥ୍ୟାବସ୍ଥା ତଦାରଖ କରିବାକୁ ଗଲାବେଳେ , ଶିଶୁଟି ନଥିଲା । ପଚାରିବାରୁ ପ୍ରଥମେ ଏଣୁତେଣୁ କହି କଥା ବୁଲାଇବା ପରେ ଶେଷରେ ପ୍ରସୂତୀ ମହିଳା ଜଣକ ଶିଶୁଟିକୁ ବରଗଡର ତାଙ୍କର ଜଣେ ସମ୍ପର୍କିୟଙ୍କୁ ଦେଇ ଦେଇଥିବା ପ୍ରକାଶ କରିଥିଲେ । ଏଥିରେ ତାଙ୍କର ସନ୍ଦେହ ହେବାରୁ ସେ ସ୍ଥାନୀୟ ସାନଗୁର୍ଜିଭଟା ସ୍ବାସ୍ଥ୍ୟ ଉପକେନ୍ଦ୍ରର ମହିଳା ସ୍ବାସ୍ଥ୍ୟକର୍ମୀଙ୍କୁ ଜଣାଇଥିଲେ। ହେଲେ ଉକ୍ତ ମହିଳା ସ୍ବାସ୍ଥ୍ୟକର୍ମୀ ତାଙ୍କ ଉପରିସ୍ଥ ସୁପରଭାଇଜରଙ୍କୁ ଜଣାଇଥିବା ସତ୍ତ୍ୱେ ସେମାନେ ୧୦ ଦିନ ପରେ ଗତ ୧୨ ତାରିଖରେ ଖପ୍ରାଖୋଲ ସ୍ବାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ମେଡିକାଲ ଅଫିସରଙ୍କୁ ଜଣାଇଲେ । ଏହି ଘଟଣା ସମ୍ପୃକ୍ତ ଅଞ୍ଚଳରେ ଶିଶୁବିକ୍ରି ବୋଲି ଯୋର୍ ଦାର୍ ଚର୍ଚ୍ଚା ହେବାରୁ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଏ ସମ୍ପର୍କରେ ଖପ୍ରାଖୋଲ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ସୁରଜ କୁମାର ଦୀପ ଘଟଣାକୁ ସ୍ବୀକାର କରିବା ସହ ଶିଶୁଟିର ପରିବାର ପକ୍ଷରୁ ତଦନ୍ତରେ ବାଧା ସୃଷ୍ଟି କରୁଥିବାରୁ ପୁଲିସ୍ କୁ ଜଣାଇ ତଦନ୍ତ ପାଇଁ ଯିବୁ ବୋଲି ପ୍ରକାଶ କରିଥିଲେ । ଏହାପରେ ଏହା ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଓ ଖପ୍ରାଖୋଲ ସିଡିପିଓଙ୍କ ଚିଠି ପରେ ବଲାଙ୍ଗୀର ଶିଶୁ ସୁରକ୍ଷା ୟୁନିଟ ଓ ସିଡବ୍ଲୁସି ପକ୍ଷରୁ ଜିଲ୍ଲା ପ୍ରକଳ୍ପ ସଂଯୋଜକ ବିକ୍ରମ ପଣ୍ଡା , ବସନ୍ତ ହରପାଲ ଓ ସିଡବ୍ଲୁସିର ଡା ସନ୍ଧ୍ୟାରାଣୀ ପଣ୍ଡା , ଏସ୍ ଲତାଶ୍ରୀ ଏବଂ ଲାଠୋର ଆଇସିଡିଏସ୍ ସୁପରଭାଇଜର ପ୍ରମୁଖ ଉକ୍ତ ଗ୍ରାମକୁ ଯାଇ ତଦନ୍ତ କରିଥିବା ସହ ଲାଠୋର ଥାନାରେ ଏକ ଲିଖିତ ଏତଲା ଦେଇଥିବା ପ୍ରକାଶ । ଉକ୍ତ ତଦନ୍ତକାରୀ ଦଳ ଗଣମାଧ୍ୟମ ଆଗରେ , ଏଥିରେ କିଛି ରହିଥିବା ଓ ସନ୍ଦେହ ସୃଷ୍ଟି ହୋଇଥିବା ପ୍ରକାଶ କରିଛନ୍ତି । କରୁଆଁଝର ମହିଳା ସରପଞ୍ଚ ଜପସ୍ବିନୀ ସାହୁ ମଧ୍ୟ ଘଟଣାଟି ଦୁଃଖଦାୟକ ଓ ଘଟଣାର ଉପଯୁକ୍ତ ତଦନ୍ତ ସପକ୍ଷରେ କହିଛନ୍ତି ।
କ୍ରାଇମବ୍ରାଞ୍ଚ ତଦନ୍ତ ଦାବି
କିନ୍ତୁ ମାଆ ଶିଶୁକନ୍ୟାଟିକୁ ବିକି ନାହାଁନ୍ତି । ତାଙ୍କର ୫ ଟି ସନ୍ତାନ ଥିବାରୁ ( ଦୁଇ ଝିଅଙ୍କର ବିବାହ ପରେ ) ଏହି ୬ଷ୍ଠ ଶିଶୁକନ୍ୟାଟିକୁ ସେମାନେ ପୋଷିବାକୁ ଅକ୍ଷମ ହେବାରୁ ଜଣକୁ ଦେଇ ଦେଇଥିବା ଓ ତାଙ୍କର ଠିକଣା ବା ପରିଚୟ ଜାଣି ନଥିବା ଏବଂ ୩ ଦିନ ମଧ୍ୟରେ ଶିଶୁଟିକୁ ଫେରାଇ ଆଣିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ତେବେ ସେମାନେ ଦାଦନ ଯାଇଥିବା ବେଳେ ତାମିଲନାଡୁରେ ଜଣେ ବ୍ୟକ୍ତିଙ୍କ ସହ ପରିଚୟ ହୋଇଥିଲା ଓ ତାଙ୍କ ଗ୍ରାମକୁ ୪ / ୫ ଜଣ ଅଜଣା ମହିଳା ଓ ପୁରୁଷ ଏକ ବୋଲେରୋ ଗାଡିରେ ଆସି ଛୁଆଟିକୁ ନେଇ ଯାଇଥିବା କହୁଛନ୍ତି । ଏଣୁ ତାଙ୍କ କଥାରେ ସନ୍ଦେହ ବୃଦ୍ଧି ପାଇଛି । ଆହୁରି ମଧ୍ୟ ତାଙ୍କର ୧୦ / ୧୨ ଟି ସନ୍ତାନ ଜନ୍ମ ହୋଇଥିଲେ ଓ ସେମାନଙ୍କ ମଧ୍ୟରୁ ୫ ଜଣ ଜୀବିତ ଥିବା ଗ୍ରାମବାସୀଙ୍କ ସୂତ୍ରରୁ ପ୍ରକାଶ । ଏହାପରେ ସେମାନେ ପୁଣି ଦାଦନ ଖଟିଯିବେ ବୋଲି ମଧ୍ୟ ପ୍ରକାଶ କରିଛନ୍ତି । ଏଣୁ ସଚେତନତା ଅଭାବରୁ ଜନ୍ମ ନିୟନ୍ତ୍ରଣ ନ କରି ଅଧିକ ସନ୍ତାନ ଜନ୍ମ କରି ସେମାନଙ୍କୁ ପୋଷି ପାରୁ ନଥିବା , କାମଧନ୍ଦା ନ ପାଇ ଅଗ୍ରୀମ ପ୍ରଲୋଭନରେ ପଡି ତାମିଲନାଡୁ ଇତ୍ୟାଦି ବାହାରରାଜ୍ୟକୁ ଇଟାଭାଟିରେ କାମ କରିବାକୁ ଦାଦନଶ୍ରମିକ ହୋଇ ପଳାଉଥିବା ସହ ଟଙ୍କା ଲୋଭରେ ସଦ୍ୟଜାତ ସନ୍ତାନଙ୍କୁ ଅଜଣା ଲୋକ ( ? )ଙ୍କୁ ବିକି ଦେଉଥିବା ସରକାରଙ୍କ ପାଇଁ ଅତ୍ୟନ୍ତ ଲଜ୍ଜାଜନକ କଥା ! ଏହା ପୁଣି ଘଟିଛି ୫ ଥର ବିଧାୟକ/ ମନ୍ତ୍ରୀ ଓ ତାଙ୍କ ପତ୍ନୀ ୫ ଥର ସାଂସଦ ହୋଇଥିବା ଉପ-ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ନିର୍ବାଚନ ମଣ୍ଡଳୀରେ ! ସେ ଏବେ ଦାଦନ ସମସ୍ୟାର ନିରାକରଣ ପାଇଁ ଗଠିତ ଟାସ୍କଫୋର୍ସର ଅଧ୍ୟକ୍ଷ !
ବାରମ୍ବାର ବଲାଙ୍ଗୀର ଜିଲ୍ଲାରେ ଶିଶୁବିକ୍ରି ଅଭିଯୋଗ । ବିଗତ ନବେ ଦଶକରୁ ଗଡି ଆସୁଥିବା ଏହି ଲଜ୍ଜାଜନକ ଶିଶୁବିକ୍ରି ଅଭିଯୋଗ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ବହୁଚର୍ଚ୍ଚିତ । ଗତ ସେପ୍ଟେମ୍ବର ୨୬ ତାରିଖରେ ଟିଟିଲାଗଡ ସହରର ଏମଗ ସି ଏଚ୍ ରେ ଏକ ଶିଶୁପୁତ୍ରକୁ ଅଢେଇଲକ୍ଷ ଟଙ୍କାରେ ବିକିବାର ଉଦ୍ୟମ ବେଳେ ଶିଶୁ ସୁରକ୍ଷା ୟୁନିଟ୍ ଓ ରାଇ ଚାଇଲଡ ଲାଇନ୍ ଦ୍ବାରା ଉଦ୍ଧାର କରାଯାଇ ସଂପ୍ରତି ଶିଶୁ ଓ ତା’ର ମାଆକୁ ବଲାଙ୍ଗୀର ସ୍ବତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରରେ ରଖାଯାଇଥିବା ଓ ଟିଟିଲାଗଡ ଥାନାରେ ଗଣମାଧ୍ୟମରେ ପ୍ରକାଶର ଚାପ ପରେ ଶେଷରେ ଏକ ମାମଲା ଋଜୁ ହୋଇ ଆନ୍ତଃରାଜ୍ୟ ଶିଶୁବିକ୍ରି ରାକେଟ୍ ର ଦଲାଲ୍ କୁ ଧରାଯିବାର ତଦନ୍ତ ଚାଲିଥିବା ପ୍ରକାଶ । ସେଇ ଟିଟିଲାଗଡ ହାଟପଦା ପଡାର ତା’ର କିଛିଦିନ ପୂର୍ବର ଏକ ଶିଶୁବିକ୍ରି ଘଟଣାରେ ବାପ ଗିରଫ ହୋଇଥିଲା । ଲାଠୋର ହାଟରୁ ମଧ୍ୟ କିଛିଦିନ ପୂର୍ବରୁ ଏକ ୫ ବର୍ଷର ବାଳକକୁ ବିକି ଦିଆଯିବା ଜଣାପଡିବା ପରେ କୋମନା ପୁଲିସ୍ ହାଇଦ୍ରାବାଦରୁ ଶିଶୁଟିକୁ ଉଦ୍ଧାର କରିଥିଲେ ।
ଉପ- ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ଦାଦନ ଦାରିଦ୍ର୍ଯ
ତେବେ ସବୁଠାରୁ ଗୁରୁତର ବିଷୟ ଏହା ଯେ , କିଛିଦିନତଳେ ଆମ ଖବରରେ ବଲାଙ୍ଗୀରରେ ଅନ୍ତର୍ଜାତୀୟ ଶିଶୁବିକ୍ରି ରାକେଟ୍ ସକ୍ରିୟ ରହିଥିବା ଓ ସେଥିରେ ଶିଶୁ ସୁରକ୍ଷା ୟୁନିଟ୍ ର କେତେକ ଅଧିକାରୀ ସମ୍ପୃକ୍ତ ରହୁଥିବା ସମ୍ପର୍କରେ ସିଡବ୍ଲୁସିର ଜଣେ ମହିଳା ସଦସ୍ୟା ଜଣେ ସାମ୍ବାଦିକବନ୍ଧୁଙ୍କୁ କହିଥିବା ସମ୍ପର୍କରେ ଏକ ସନ୍ଦିଗ୍ଧଖବର ପ୍ରକାଶ ପାଇଥିଲା । ମୁଖ୍ୟତଃ ବିଦେଶକୁ ଏଭଳି ଶିଶୁଙ୍କୁ ପଠାଉଥିବା ଅନ୍ତରାଳେ ମିଲିଅନସ୍ ଟଙ୍କାର ଅବୈଧ ବେପାର ଚାଲିଥିବା ସମ୍ପର୍କରେ ତାଙ୍କର ସୂଚନା ଚାଞ୍ଚଲ୍ୟକର ଥିଲା । ଏହା ସତ୍ୟ ହୋଇଥିଲେ , ସାଙ୍ଘାତିକ୍ ! ଆହୁରି ମଧ୍ୟ ଶିଶୁ ସୁରକ୍ଷା ୟୁନିଟ ଓ ସିଡବ୍ଲୁସି ର କେତେକ ଅଧିକାରୀ ଓ ସଦସ୍ୟାଙ୍କ ମଧ୍ୟରେ ତୀବ୍ର ମତଭେଦ ରହିଛି । ଯାହା ଜିଲ୍ଲାପାଳ ଅବଗତ ଥିବା ପ୍ରକାଶ । ଏହି ମତଭେଦର ପ୍ରଚ୍ଛନ୍ନ ଉଦ୍ଦେଶ୍ୟଟି କ’ଣ ସତରେ ? ଆର୍ଥିକ ଲାଳସା ନୁହେଁ ତ ? ‘ ବୋଲି ଚର୍ଚ୍ଚା ହେଉଛି ।

ଏହି ଶିଶୁବିକ୍ରି ସନ୍ଦେହ ଓ ଚର୍ଚ୍ଚା ସମ୍ପର୍କରେ ମଧ୍ୟ ଆମ ପକ୍ଷରୁ ବଲାଙ୍ଗୀର ଶିଶୁ ସୁରକ୍ଷା ୟୁନିଟ୍ ର ଅଧିକାରିଣୀ ଲକ୍ଷ୍ମୀ ସିଂ ଙ୍କ ସହ ମଧ୍ୟ ଆଲୋଚନା କରିଥିଲୁ । ସେ ଏଥିରେ ତୀବ୍ର ପ୍ରତିକ୍ରିୟାଶୀଳା ହୋଇପଡିଥିଲେ । ଅପରପକ୍ଷରେ ଉକ୍ତ ସିଡବ୍ଲୁସି ସଦସ୍ୟା ମଧ୍ୟ ଫୋନ୍ ରେ ବିଷୋଦ୍ ଗାର କରିଥିଲେ ।
ତେବେ ସେ ଏହି ଘଟଣାରେ ପଚାରିବାକୁ ଉଦ୍ୟମ କରାଯାଇ ଥିଲେ ହେଁ, ଡିସିପିଓ ଫୋନ୍ ଉଠାଇ ନଥିଲେ । ତେଣୁ ଏହାର ଏକ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ସରକାର ନିର୍ଦ୍ଦେଶ ଦେବାକୁ ଲୋକେ ଦାବି କରୁଛନ୍ତି ।
ସର୍ବୋପରି ଦାରିଦ୍ର୍ଯ , ପିଲାବିକ୍ରି ଓ ଦାଦନର ଅପବାଦ ବଲାଙ୍ଗୀର ଜିଲ୍ଲାର କପାଳରୁ କେବେ ଲିଭିବ ?