ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବପରିଷଦର ଗଣଧାରଣା

ଖପ୍ରାଖୋଲ : ପୂର୍ବର ବାଲକୋ କମ୍ପାନୀ ପରି ଗନ୍ଧମାର୍ଦ୍ଦନରେ ଖଣିଖୋଳା ଆଶଙ୍କା ଓ ଏହି ପାର୍ବତ୍ୟ ଉପତ୍ୟକାର ଚାରିପଟେ ଆଦାନୀ ଖଣିକମ୍ପାନୀର ସୁନ୍ଦରଗଡର ଖଣି ପାଇଁ ତିନିଶହ କିମିରେ ଏତେଦୂର ଆସି ବଲାଙ୍ଗୀର ଜିଲ୍ଲାର ଏଠାରେ କ୍ଷତିପୂର୍ତ୍ତି ବନୀକରଣ ଆଳରେ ବ୍ୟାପକ ଜମିକିଣିନେବା ବିରୋଧରେ ସ୍ଥାନୀୟ ଲୋକଙ୍କ ବିରୋଧ ପରିପ୍ରେକ୍ଷୀରେ ଖପ୍ରାଖୋଲ ତହସିଲ ଅଫିସ୍ ଆଗରେ ଚାଲିଯିବା ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ପକ୍ଷରୁ ଗଣଧାରଣାକୁ ୩୦ ଦିନରେ ପହଁଞ୍ଚିଛି । ଇତିମଧ୍ୟରେ ରାଜ୍ୟ ବିଧାନସଭା ଓ କେନ୍ଦ୍ରରେ ଲୋକସଭାର ଶୀତକାଳୀନ ଅଧିବେଶନ ସରିଯାଇଛି । ତଥାପି ଲୋକଙ୍କର ଏହି ବିରୋଧର ସ୍ବର ପ୍ରତିଧ୍ବନିତ ହେଲାନାଇଁ ବିଧାନସଭା ବା ଲୋକସଭାରେ ! ଅବଶ୍ୟ ଏକଦା ଏହି ପର୍ବତର ସୁରକ୍ଷା ପାଇଁ ବାଲକୋ ଆନ୍ଦୋଳନରୁ ରାଜନୀତି ଆରମ୍ଭ କରିଥିବା ବରଗଡ ସାଂସଦ ପ୍ରଦୀପ ପୁରୋହିତ ଲୋକସଭାରେ ଗନ୍ଧମାର୍ଦ୍ଦନରେ ଖଣିଖୋଳାକୁ ବିରୋଧ ପ୍ରଦର୍ଶନ କରିଥିଲେ । କିନ୍ତୁ ଏପଟେ ନିଜ ନିର୍ବାଚନ ମଣ୍ଡଳୀରେ ଏହି ଆନ୍ଦୋଳନ ଓ ଗଣଧାରଣା ଚାଲିଥିବା ସତ୍ତ୍ୱେ ପାଟଣାଗଡ ବିଧାୟକ ତଥା ଉପମୁଖ୍ଯମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏହାକୁ ‘ଶସ୍ତା ରାଜନୀତି’ ବୋଲି କହିଥିବା ସହ ବିଧାନସଭାରେ କେବଳ ଖଣିଖୋଳା ଯିବା ଅଭିଯୋଗର ଏକ ସ୍ପଷ୍ଟୀକରଣ ଦେଇଥିବା ବ୍ୟତୀତ ଏଥିପାଇଁ ଆଦାନୀ ଖଣିକମ୍ପାନୀର ଏହି ଅଞ୍ଚଳରେ ବ୍ୟାପକ ଜମିକିଣା ବିରୋଧରେ ସ୍ଥାନୀୟ ଲୋକଙ୍କ ପ୍ରତିକ୍ରିୟା ସମ୍ପର୍କରେ ପ୍ରସଙ୍ଗ ଉପସ୍ଥାପନ କରିନାହାଁନ୍ତି ! ଏପରିକି କିଛିଦିନ ତଳେ ଖପ୍ରାଖୋଲଠାରେ ତିନିଶହରୁ ଉର୍ଦ୍ଧ୍ବ ମହିଳା ଆନ୍ଦୋଳନକାରିଣୀମାନେ ଏକ ବିଶାଳ ରାଲିରେ ଧାରଣାସ୍ଥଳୀକୁ ଆସୁଥିବା ବେଳେ ବ୍ଲକ୍ ପାଖରେ ରାସ୍ତାରେ ମୁହାଁମୁହିଁ ହେବା ସତ୍ତ୍ୱେ ସେ ମୁହଁ ଲୁଚାଇ ପୁଲିସ୍ ସୁରକ୍ଷାରେ ପଦେ ବି କିଛି ନକହି ୮ ଟି ଗାଡିରେ ଦଳବଳ ଧରି ଚାଲିଯାଇଥିଲେ !

ଉଲ୍ଲେଖଯୋଗ୍ଯ ଯେ , ଶ୍ରୀ ସିଂହଦେଓଙ୍କୁ ଆଦାନୀ ଏହି ଅଞ୍ଚଳରୁ ଜମି କିଣିନେବା ନିମନ୍ତେ ସିଧାସଳଖ ଦାୟୀ କରାଯାଇ ଅଭିଯୋଗ ପ୍ରକାଶ ପାଇଛି । କିଛିବର୍ଷ ହେଲା ଶ୍ରୀ ସିଂହଦେଓଙ୍କର ପାଟଣାଗଡ – ଘୁମେର , ଘସିଏନ୍ , ପଡିଆବାହାଲ , ଭାଲୁଡୁଙ୍ଗୁରି , ତେଲେନପାଲି ଓ ଅନ୍ୟାନ୍ୟ ଗ୍ରାମରୁ ରାଜ୍ୟ ବାହାରର ଲୋକ ଆସି ବିଭିନ୍ନ ଜାଲ୍ କମ୍ପାନୀ ନାଁ’ରେ ଜମିକିଣିନେଉଥିବା ପ୍ରସଙ୍ଗରେ ସମ୍ପୃକ୍ତି ରହିଥିବା ଅଭିଯୋଗ ମଧ୍ୟ ଉଠିଛି। ଏହାସହିତ କିଛିଦିନ ତଳେ ଆଦାନୀଙ୍କ ପୁଅ ତାଙ୍କୁ ଫୁଲତୋଡା ଉପହାର ଦେଉଥିବାର ଫଟୋ ଭାଇରାଲ୍ ହୋଇଥିବା ସହ ତାଙ୍କର ଏତାଦୃଶ ଜନବିରୋଧୀ କାର୍ଯ୍ୟକଳାପ ଲୋକଙ୍କୁ ଏଥିପାଇଁ ଖୋରାକ୍ ଯୋଗାଇଛି । ଏହି ଅଞ୍ଚଳରେ ନିହାତି ସନ୍ଦେହଜନକ ଭାବରେ ବାହାରର ବଡବଡ ଖଣିକମ୍ପାନୀ ବା ଆଦାନୀର ଖଣିକମ୍ପାନୀର ଗରିବପ୍ରଜାଙ୍କ ଠାରୁ ଶାଗମାଛ ଦରରେ ରାତିଅଧିଆ ଜମିକିଣାର ଉଦ୍ଦେଶ୍ୟ ଗନ୍ଧମାର୍ଦ୍ଦନରେ ଖଣିଖୋଳା ବ୍ୟତୀତ ଆଉ କ’ଣ ହୋଇପାରେ ବୋଲି ଲୋକଙ୍କର ଦୃଢ ସନ୍ଦେହ ହିଁ ଏହି ବିରୋଧ ଆନ୍ଦୋଳନର ମୂଳଭିତ୍ତି । ତେଣୁ ଗନ୍ଧମାର୍ଦ୍ଦନର ସ୍ଥାୟୀ ସୁରକ୍ଷା ନିମନ୍ତେ ଏହାକୁ ଜାତୀୟ ସଂପଦ ରୂପେ ଘୋଷଣା କରିବାକୁ ଆନ୍ଦୋଳନକାରୀଙ୍କ ପକ୍ଷରୁ ଦାବି କରାଯାଇଛି । କିନ୍ତୁ ସଦ୍ୟସମାପ୍ତ ବିଧାନସଭାରେ କିମ୍ବା ଲୋକସଭାରେ ସରକାର ଜାଣିଶୁଣି ଲୋକଙ୍କ ଦାବିକୁ ଏଡାଇଯିବା ଘୋର ଦୁଃଖ ଓ ପରିତାପର ବିଷୟ । ଲୋକଙ୍କ ଅଭିଯୋଗ ଅନୁଯାୟୀ , ଆଦାନୀ ହାତରେ ଦେଶ ବନ୍ଧାପଡିଛି ଓ ଗନ୍ଧମାର୍ଦ୍ଦନ ବିକ୍ରିହୋଇଯାଇଛି ! ଡବଲଇଞ୍ଜିନ୍ କୁହାଯାଉଥିବା ଓଡିଶା ସରକାର ଏକ ଅନୁଗତ ଛାୟାସରକାର ଓ ଏହି ସ୍ଥାନୀୟ ବିଧାୟକ-ଉପମୁଖ୍ଯମନ୍ତ୍ରୀ ବା ସାଂସଦମାନେ ଏଭଳି ଲାଭଖୋର୍ ଖଣିକମ୍ପାନୀର କିଣାପ୍ରତିନିଧି ! କିନ୍ତୁ ଲୋକଙ୍କ ପ୍ରବଳ ଜନମତ ଆଗରେ ଅତୀତର ବାଲକୋକମ୍ପାନୀର ଖଣିଖୋଳା ବିଫଳ ହେଲାପରି ଏବେ ଏହା କଦାପି ସଫଳ ହେବନାହିଁ ।

ଏହି ଆନ୍ଦୋଳନର ଧାରଣାସ୍ଥଳୀକୁ ଆସି ବିଭିନ୍ନ ସଂଗଠନ ଓ ବିଭିନ୍ନ ରାଜନୈତିକ ଦଳର ନେତାମାନେ ଯୋଗଦେଇ ସମର୍ଥନ ଘୋଷଣା କରିଯାଇ ଥିଲେ ହେଁ , ଏଥିରେ ଯେ ଆଦୌ ରାଜନୀତି ପ୍ରବେଶ କରିନାହିଁ ; ଏହା ବିଧାନସଭା ଓ ଲୋକସଭାର ଅଧିବେଶନ ସରିଗଲା ପରେ ମଧ୍ୟ ଗଣଧାରଣା ଜାରୀ ରହିଥିବାର ପ୍ରମାଣ । ଗତ ୨୩ ତାରିଖରେ ପରିଷଦର କୋର୍ କମିଟି ବୈଠକରେ ନିଷ୍ପତ୍ତି ଅନୁଯାୟୀ ଆଗାମୀ ନୂଆବର୍ଷର ଜାନୁଆରୀ ୧୨ ତାରିଖରେ ଖପ୍ରାଖୋଲ ଠାରେ ବଲାଙ୍ଗୀର , ବରଗଡ ଓ ନୂଆପଡା ୩ ଟି ଜିଲ୍ଲାକୁ ନେଇ ମହାସମାବେଶ ଅନୁଷ୍ଠିତ ହୋଇ ଅଞ୍ଚଳର ନେତୃବୃନ୍ଦ ଓ ଜନସାଧାରଣଙ୍କ ଉପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ଛାଡି ଦିଆଯିବ ବୋଲି କୁହାଯାଇଛି । ଏହିଦିନ ମହରାପଦର ପଞ୍ଚାୟତର ଚାଉଳବାଞ୍ଜି ଗ୍ରାମର ଶତାଧିକ ମହିଳା ସାମିଲ୍ ହୋଇ ଏକ ଶୋଭାଯାତ୍ରାରେ ଖପ୍ରାଖୋଲ ଗ୍ରାମ ପରିକ୍ରମା କରିଥିଲେ । ଏଥିରେ ଆନ୍ଦୋଳନକାରୀମାନେ ‘ ମୋଦୀ- ଅମ୍ବାନୀ ଭାଇ ଭାଇ , ଦେଶକେ ଦେବେ ବିକି ଖାଇ ‘ ଓ ‘ ଜାନ୍ ଯାଉ ଜୀବନ୍ ଯାଉ , ଗନ୍ଧମାର୍ଦ୍ଦନ ବଞ୍ଚିଥାଉ ‘ ଇତ୍ୟାଦି ସ୍ଲୋଗାନ୍ ଦେଇଥିଲେ । ଗନାର ସ୍ଥାୟୀ ସୁରକ୍ଷା ନିମନ୍ତେ ସରକାର ଶ୍ବେତପତ୍ର ଜାରୀ ନକଲେ , ଆଗାମୀ ଦିନରେ ଏହା ଏକ ବିପ୍ଳବର ରୂପ ନେବ ବୋଲି ପରଷଦ ପକ୍ଷରୁ ଚେତାବନୀ ଦିଆଯାଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାହେଉଛି , ମାଓପ୍ରବଣ ଖପ୍ରାଖୋଲ ଠାରେ ଚାଲିଥିବା ଏହି ଆନ୍ଦୋଳନରେ ପ୍ରଥମ ସମାବେଶରେ କିଛି ମାଓ ସମର୍ଥକ ଭାବେ ଜଣାଶୁଣା ବ୍ୟକ୍ତି ମଞ୍ଚରେ ‘ ଲାଲ୍ ସଲାମ୍ ‘ ନାରା ଦେଇଥିବା ବେଳେ , ଗତକାଲି ଅତୀତରେ ମାଓ ମାଲାସିଆ ଅଭିଯୋଗରେ ଗିରଫ ହୋଇଥିବା କିଛିବ୍ୟକ୍ତି ମଧ୍ୟ ସାମିଲ୍ ହୋଇଥିବା ଦେଖାଯାଇଥିଲା ।
ଯାହା ସଂକେତ ମିଳୁଛି , ଏହି ଆନ୍ଦୋଳନ ଅତୀତର ବାଲକୋ ଆନ୍ଦୋଳନ ଠାରୁ ଆହୁରି ବ୍ୟାପକ ଓ ପ୍ରଭାବଶାଳୀ ହେବ । ଏବଂ ଯଦି କୌଣସି ଚରମ ପରିସ୍ଥିତି ଉପୁଜିବ , ଏଥିପାଇଁ ସରକାର ଦାୟୀ ରହିବେ।