ମ. ରାମପୁର : କଳାହାଣ୍ଡି ଜିଲ୍ଲାର ନର୍ଲା ରେଞ୍ଜ୍ ର ଉର୍ଲାଦାନୀ ସଂରକ୍ଷିତ ଜଙ୍ଗଲରେ ବନବିଭାଗ ଦ୍ବାରା ନିର୍ମାଣ କରାଯାଉଥିବା watch tower ନିର୍ମାଣରେ ନିମ୍ନମାନର ନିର୍ମାଣ କରାଯାଉଥିବା ଅଭିଯୋଗ ପ୍ରକାଶ ପାଇଛି । ଏହି ନିରୀକ୍ଷଣ ଗମ୍ବୁଜରୁ ସନ୍ତ୍ରୀ ବା ସୁରକ୍ଷାକର୍ମୀମାନ ଜଙ୍ଗଲ ଭିତରେ ବଣୁଆହାତୀ ସମେତ ବନ୍ୟପ୍ରାଣୀଙ୍କର ଗତିବିଧି ଲକ୍ଷ୍ୟ କରିପାରିବେ । କିଛିଦିନତଳେ ଏହି ରେଞ୍ଜ୍ ରେ ସେମେଲପଦର ଓ ରିପିଟିମାଲରେ ଦୁଇଟି ବଣୁଆହାତୀଙ୍କ ମୃତ୍ୟୁପରେ ହାତୀ ଚଲାପଥ ଓ ବିଚରଣସ୍ଥଳୀ ଥିବା ଏହି ବନାଞ୍ଚଳରେ ଏହାର ନିର୍ମାଣ ଜରୁରୀ ବୋଲି ଆବଶ୍ୟକତା ଅନୁଭବ କରାଯାଇଥିଲା ।

ବିଭାଗୀୟ କାମର ଏହି ତିନିମହଲା ବା ପ୍ରାୟ ୩୩ ଫୁଟ୍ ଉଚ୍ଚତାସମ୍ପନ୍ନ ସନ୍ତ୍ରୀ ନିରୀକ୍ଷଣ ଗମ୍ବୁଜଟିରେ ଅଟକଳ ମୁତାବକ ଲୁହାଛଡ ବଦଳରେ କମ୍ ଓଜନ ଓ ପରିମାଣର ଲୁହାଛଡ ଦିଆଯାଇଥିବା ଅଭିଯୋଗ ପ୍ରକାଶ ପାଇଛି । ଏତେ ଉଚ୍ଚତାସମ୍ପନ୍ନ ଗମ୍ବୁଜଟିର ଏପରି ନିମ୍ନମାନର ନିର୍ମାଣ ଯୋଗୁଁ ଏହାର ସ୍ଥାୟୀତ୍ବ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବିଭାଗୀୟ ତତ୍ତ୍ବାବଧାନରେ ପ୍ରାୟ ୨୮ ଲକ୍ଷ ଟଙ୍କାର ବ୍ୟୟଅଟକଳରେ ଏହାର ନିର୍ମାଣ ଜଣେ ସ୍ଥାନୀୟ ଠିକାଦାର କରୁଛନ୍ତି । ସଂପ୍ରତି ଗମ୍ବୁଜଟିର ଲୁହାଛଡ ବନ୍ଧାକାମ ଚାଲିଛି । ଏ ସମ୍ପର୍କରେ ରାମପୁରଠାରେ ଅବସ୍ଥାପିତ ନର୍ଲା ରେଞ୍ଜ୍ ର ଭାରପ୍ରାପ୍ତ ରେଞ୍ଜର ବନାମ ଡେପୁଟିରେଞ୍ଜର ଭରତବନ୍ଧୁ ଶବରଙ୍କୁ ଏ ସମ୍ପର୍କରେ ପଚରାଯାଇଥିଲା ଓ ସେ ସମ୍ପୃକ୍ତ ଠିକାଦାରଙ୍କୁ ପଚାରିବାରୁ ଠିକାଦାର ଜଣକ ଗୋଟିଏ ଖମ୍ବରେ ଏହି ମାପର ଛଡ ଏଷ୍ଟିମେଟ୍ ରୁ କମ୍ ଥିବା ( ୧୬ ମିମି ସ୍ଥାନରେ ୧୦ ମିମି ଗୋଲେଇ ) ସ୍ବୀକାର କରିବାରୁ ଉକ୍ତ ଅଧିକାରୀଜଣକ ତାହାକୁ ବଦଳାଇ ଦେବାକୁ ମୌଖିକ ନିର୍ଦ୍ଦେଶ ଦେଇଥିଲେ ।
ତେଣୁ ଏହି ଗମ୍ବୁଜ ନିର୍ମାଣରେ ଅଭିଯୋଗ ଅନୁଯାୟୀ ଆରମ୍ଭରୁ ଇ ଦୁର୍ନୀତି ହେଉଥିବା ସ୍ପଷ୍ଟ ହୋଇଯାଇଛି । ପରେ ଠିକାଦାର ଜଣକ ଏ ସମ୍ପର୍କରେ ସଫେଇ ଦେଇ ସେ କୌଣସି ଅନିୟମିତତା କରୁ ନଥିବା ପ୍ରକାଶ କରିଛନ୍ତି । ତେବେ ବନବିଭାଗର ଏଭଳି କାମରେ ସ୍ବଚ୍ଛତା ଅବଲମ୍ବନ କରାଯିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।