ତଳୁ ଉପର ପର୍ଯ୍ୟନ୍ତ ଲମ୍ବିଛି !
ବଲାଙ୍ଗୀର / ସୋନପୁର : ଆଦିବାସୀ ଜନଜାତି ଶିକ୍ଷା ପାଇଁ ସରକାର ଅନୁସୂଚିତ ଜାତି ଓ ଜନଜାତିର ସ୍ବତନ୍ତ୍ର ବିଭାଗ ଖୋଲି ଜିଲ୍ଲା ପ୍ରଶାସନ ଅଧୀନସ୍ଥ ଜିଲ୍ଲା କଲ୍ଯାଣ ବିଭାଗର ଆବାସିକ ସେବାଶ୍ରମ, ଆଶ୍ରମ , କନ୍ଯାଶ୍ରମ , ‘ ଅନ୍ବେଷା ‘ ହଷ୍ଟେଲ ସହିତ ପ୍ରାଥମିକ ସ୍କୁଲ୍ , ହାଇସ୍କୁଲ ଓ ହାୟର ସେକେଣ୍ଡାରୀ ସ୍କୁଲ୍ ବା କଲେଜ ଇତ୍ୟାଦି ଜରିଆରେ ବିଦ୍ୟାଳୟ ନିର୍ମାଣ, ହଷ୍ଟେଲ୍ ନିର୍ମାଣ, ପାଚେରୀ ଓ ପାଇଖାନା ନିର୍ମାଣ, ପନିପରିବାବଗିଚା , ମେସ୍ , ଆଧୁନିକୀ କରଣ , ଛାତ୍ରଛାତ୍ରୀ ବୃତ୍ତି ପ୍ରଦାନ, ପୋଷାକପତ୍ର ଓ ଆନୁଷଙ୍ଗିକ ଉପକରଣ ଯୋଗାଇ ଦେବାରେ ପ୍ରତିବର୍ଷ କୋଟି କୋଟି ଟଙ୍କାର ବ୍ୟୟ କରିଆସୁଥିବା ବେଳେ , ବିଭାଗୀୟ କର୍ମଚାରୀ ଓ ଅଧିକାରୀଙ୍କ ଦ୍ବାରା ଏଥିରୁ ନିୟମିତ ସିଂହଭାଗ ଲୁଣ୍ଠିତ ହୋଇଚାଲିଛି । ଏହି ବାଟମାରଣାର ରାକେଟ୍ ତଳୁ ଉପରସ୍ତର ପର୍ଯ୍ୟନ୍ତ ଅବାରିତ ରହିଛି । ବିଗତ ବର୍ଷ ବର୍ଷ ଧରି ଏହା ଚାଲିଆସି ଥିଲେ ହେଁ , ନା ବିଗତ ୨୪ ବର୍ଷର ବିଜେଡିର ନବୀନ ସରକାର , ନା ଗତ ପ୍ରାୟ ଦେଢବର୍ଷର ଡବଲଇଞ୍ଜିନ୍ ମୋହନ ସରକାରଙ୍କ ଏଥିପ୍ରତି ବାରମ୍ବାର ଗଣମାଧ୍ୟମର ଦୃଷ୍ଟିଆକର୍ଷଣ ସତ୍ତ୍ବେ ତଦନ୍ତ ହେଉଛି !
ବଲାଙ୍ଗୀର ଜିଲ୍ଲାରେ ଗତ ଫେବୃୟାରୀରେ ପୂର୍ବତନ ଡିଡବ୍ଲୁଓ ଅଲେଖ ବିଶ୍ବାଳଙ୍କ ଅବସର ଗ୍ରହଣ ପରେ ଆଉ କେହି ରେଗୁଲାର୍ ଡିଡବ୍ଲୁଓଙ୍କୁ ଅବସ୍ଥାପିତ କରାଯିବ ନଯାଇ ଏଡିଡବ୍ଲୁଓ ଥିବା ପ୍ରତାପ ଚନ୍ଦ୍ର ମହାନ୍ତି ଭାରପ୍ରାପ୍ତ ଡିଡବ୍ଲୁଓ ଅଛନ୍ତି । ତାଙ୍କର ଏହି ପ୍ରାୟ ୯ ମାସର କାର୍ଯ୍ୟକାଳ ମଧ୍ଯରେ ବିଭିନ୍ନ ଅନିୟମିତତାର ଅଭିଯୋଗ ଉଠିଛି । ଏପରିକି ଏକ ନିଯୁକ୍ତି ମାମଲାରେ ଜଣେ ତାଙ୍କ ନାଁ’ରେ ଉକ୍ତ ଚାକିରୀ ପାଇଁ ୨ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିବା କେବଳ ଗଣମାଧ୍ୟମରେ ଅଭିଯୋଗ ପ୍ରକାଶ ନୁହେଁ , ସରକାରଙ୍କ ବହୁ ଉଚ୍ଚାଧିକାରୀଙ୍କ ଠାରେ ଅଭିଯୋଗ କରିବା ସହ ସ୍ଥାନୀୟ ବଲାଙ୍ଗୀର ଟାଉନ୍ ଥାନାରେ ଏତଲା କ୍ରମେ ଏକ ମାମଲା ଋଜୁ କରାଯାଇ ତଦନ୍ତାଧୀନ ରହିଛି । ଏ ସମ୍ପର୍କରେ ତାଙ୍କୁ ପଚରାଯିବାରୁ ସେ ଏଭଳି ଅଭିଯୋଗକୁ ଖଣ୍ଡନ କରିଥିଲେ ହେଁ , ଉକ୍ତ ନିଯୁକ୍ତି ପରିଚାଳନା କରିଥିବା ଏକ ଆଉଟ୍ ସୋର୍ସିଂ ସଂସ୍ଥାର ଅଧିକାରୀ ଓ ଚୟନକମିଟିର ଅଧ୍ୟକ୍ଷ ଥିବା ବଲାଙ୍ଗୀର ଅତିରିକ୍ତ ଜିଲ୍ଲାପାଳ ( ରାଜସ୍ବ ) ଏଥିରୁ ନିଜ ନିଜ ପିଛା ଛଡାଇ ନେଇଥିବା ଏବଂ ଉକ୍ତ ଅଧିକାରୀଙ୍କ ଜିଲ୍ଲାରେ ଅନ୍ଯାନ୍ଯ ନିଯୁକ୍ତି ଓ ବିଭାଗୀୟ ପରିଚାଳନାରେ ତାଙ୍କର ଗୁରୁତର ଦୋଷତ୍ରୁଟି ରହିଥିବା ଜଣାପଡିଛି । ଏଥିମଧ୍ୟରେ ଜିଲ୍ଲାର ଆବାସିକ ସ୍କୁଲ୍ ଗୁଡିକରେ ସିସିଏ ବା ରାନ୍ଧୁଣିଆ ନିଯୁକ୍ତି , ହଷ୍ଟେଲ ମେଟ୍ରନ୍ ନିଯୁକ୍ତି , ଗେଷ୍ଟ ଟିଚର ନିଯୁକ୍ତି ଆଦି ନିମନ୍ତେ ଅଫିସ୍ ର କେତେକ କିରାଣୀ , ଜିଲ୍ଲାର କେତେକ ଶିକ୍ଷକଙ୍କ ଜରିଆରେ ଲକ୍ଷ ଲକ୍ଷ ଟଙ୍କାର ଲାଞ୍ଚ କାରବାର ଚାଲିଥିବା ଓ ଏହା ଉପରସ୍ତର ପର୍ଯ୍ୟନ୍ତ ଲମ୍ବିଥିବା ଚର୍ଚ୍ଚାର ବିଷୟ ପାଲଟିଛି । ତଳସ୍ତରରେ ଦୁହାଁଳିଆ ପଦରେ ଦୁର୍ନୀତିଗ୍ରସ୍ତ କିରାଣୀଙ୍କୁ ଥଇଥାନ ଏବଂ ଅଧିକ ଛାତ୍ରଛାତ୍ରୀ ଥିବା ସୁବିଧାଜନକ ସ୍କୁଲ୍ ମାନଙ୍କରେ ଅସାଧୁ ଶିକ୍ଷକ/ ଶିକ୍ଷୟିତ୍ରୀଙ୍କୁ ଦୀର୍ଘଦିନ ଅବସ୍ଥାପିତ ବା ଏଠୁ ସେଠିକି ବଦଳି , ନିର୍ମାଣ ଓ ମରାମତି କାମ ଦେଇ ଅଧିକାରୀଙ୍କ ଜ୍ଞାତସାରରେ ଏଠାରେ ନିୟମିତ ହାତଚିକ୍କଣ କରାଯାଉଛି । ବିଭାଗର କାଷ୍ଠୋପକରଣ ବା ଆସବାବପତ୍ରର ଯୋଗାଣ , ସିସିଟିଭି , ସ୍କୁଲ୍ ଓ ହଷ୍ଟେଲର ବୈଦ୍ୟୁତିକ ସାମଗ୍ରୀ ଯୋଗାଣ , ସେଣ୍ଟ୍ରାଲ ପରଚେଜ୍ ହେଉଥିଲେ ହେଁ ତହିଁରେ ସ୍ଥାନୀୟ ଅଧିକାରୀଙ୍କ ଭୂମିକାରେ ଅନିୟମିତତାର ଗନ୍ଧ ରହିଛି । ଏତଦ୍ ବ୍ଯତୀତ ବିଭିନ୍ନ ପଦପୂରଣରେ ଖେଳ ଚାଲିଛି । ଏହି ଲୁଣ୍ଠନର ପରିମାଣ ଏତେ ଯେ , ବଲାଙ୍ଗୀର ଜିଲ୍ଲା କାର୍ଯ୍ୟାଳୟରେ ଦୀର୍ଘଦିନ ଧରି ଅବସ୍ଥାପିତ ଜଣେ ସଦ୍ୟ ସ୍ଥାନାନ୍ତରିତ ପୂର୍ବତନ ଆକାଉଣ୍ଟାଣ୍ଟଙ୍କର ଅନ୍ୟତ୍ର ବଦଳି ସତ୍ତ୍ବେ ସେ ଏଠାରୁ ଜମା ଚଙ୍କୁ ନାହାଁନ୍ତି ! ସହରର ଭୀମଭୋଇ ମେଡିକାଲ କଲେଜ ଗେଟ୍ ପାଖର ତାଙ୍କର ଏକ ତିନିମହଲା କୋଠା ଓ ତାଙ୍କର ବେଆଇନ୍ ଅର୍ଜିତ ସମ୍ପତ୍ତି ସମ୍ପର୍କରେ ଭିଜିଲାନ୍ସ ତଦନ୍ତର ଆବଶ୍ୟକତା ଥିବା ଚର୍ଚ୍ଚା ହେଉଛି । ଏହି ଅଧିକାରୀ ନିୟମିତ ଭାବରେ ସମସ୍ତ ସ୍କୁଲ୍ ଓ ହଷ୍ଟେଲରୁ ବଟି ଆଦାୟ କରୁଥିବା ବିଶ୍ବସ୍ତସୂତ୍ରରୁ ଜଣାଯାଇଛି ।
ବଲାଙ୍ଗୀର ଜିଲ୍ଲାରେ ମୋଟ ୨୫ ଟି ଆଶ୍ରମ ସ୍କୁଲ, ୨ଟି ସେବାଶ୍ରମ, ୭ ଟି ହାଇସ୍କୁଲ, ୩ ଟି ହାୟର ସେକେଣ୍ଡାରୀ ସ୍କୁଲ ବା କଲେଜ , ୪ ଟି ଅନ୍ବେଷା ହଷ୍ଟେଲ ଓ ପୁଇଁତଳା ବ୍ଳକର ଡୁମେର ବାହାଲଠାରେ ଗୋଟିଏ ଏକଲବ୍ଯ ହଷ୍ଟେଲ ରହିଛି ।
ଗତ ୧୫ ତାରିଖ ଶେଷତାରିଖ ସୁଦ୍ଧା ୭୦ ଟି ଗେଷ୍ଟ ଟିଚର ପଦ ପାଇଁ ଫର୍ମ ପକାଯାଇଛି । ଜିଲ୍ଲାରେ ୩୦ ହଷ୍ଟେଲରୁ ୧୫ ଟି ଖୋଲିଛି । ସେଥିପାଇଁ ମେଟ୍ରନ୍ ନିଯୁକ୍ତି ହେଉଛି ।
ରାଜ୍ୟରେ ଡିଡବ୍ଲୁଓ ପଦ ପାଇଁ ଆଉ ଅଧିକ ବରିଷ୍ଠ ଅଧିକାରୀଙ୍କ ଅଭାବ ରହିଥିବାରୁ ଏଡିଡବ୍ଲୁଓ ମାନଙ୍କୁ ଭାରପ୍ରାପ୍ତ ଡିଡବ୍ଲୁଓ ଦାୟିତ୍ବ ଦିଆଯାଉଥିବା କୁହାଯାଉଛି । ଏଠାରୁ ଯାଇ ମଳୟ ଶତପଥୀ ବରଗଡ ଡିଡବ୍ଲୁଓ ଅଛନ୍ତି ଓ ତାଙ୍କ ନାଁ’ରେ ବହୁ କେଳେଙ୍କାରୀର ଅଭିଯୋଗ ପ୍ରକାଶ ପାଇଛି । ଅଳ୍ପଦିନ ତଳେ ଏହି ଜିଲ୍ଲାର ପଦ୍ମପୁର ଉପଖଣ୍ଡର ସାପଲହର ସେବାଶ୍ରମର ଜଣେ ଛାତ୍ରୀ ତାଙ୍କ ମାମୁଁଘର ଗାଁ’ ଫିରିଙ୍ଗିମାଲରେ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା କରିଥିବା ଘଟଣା ରାଜ୍ୟବ୍ୟାପି ଆଲୋଡନ ସୃଷ୍ଟି କରିଥିଲା । ତେବେ ଏହି ଛାତ୍ରୀ ଅପମୃତ୍ୟୁର ପ୍ରକୃତ କାରଣ ଜଣାପଡି ନଥିଲା ଓ ‘ ମାର୍ ମାର୍ ଭଣ୍ଡାରିଆକୁ ମାର୍ ‘ ନୀତିରେ ଗାଇସିଲେଟ ବିଡିଓଙ୍କ ଡ୍ରାଇଭରର ଭାଣିଜୀ ଏହି ନାବାଳିକାର ମୃତ୍ୟୁ ପାଇଁ ଦାୟୀ ଉକ୍ତ ଗାଁ’ର ବୋତଲରେ ପେଟ୍ରୋଲ ବିକିଥିବା ଅଭିଯୋଗରେ ଜଣେ କିରାନା ଦୋକାନୀକୁ ପୁଲିସ ଗିରଫ କରି ଦାୟିତ୍ବ ସାରି ଦେଇଥିଲା । ଯଦିଓ ଏହି ଘଟଣା ପଛରେ ଥିବା ସ୍କୁଲରେ ଚାଲିଥିବା ଛାତ୍ରଛାତ୍ରୀଙ୍କ ମଧ୍ଯରେ ପ୍ରେମ ସମ୍ପର୍କକୁ ଲୁଚାଇ ମିଡିଆ ଆଗରେ କିଛି ନ କହିବାକୁ ଡିଡବ୍ଲୁଓ ସେବାଶ୍ରମର ହଷ୍ଟେଲ ୱାଡେନଙ୍କୁ ତାଗିଦ୍ କରି ଚପାଇ ଦେଇଥିବା ପ୍ରକାଶ ପାଇଥିଲା । ଦ୍ବିତୀୟତଃ ଏହି ଉପଖଣ୍ଡର ପଦ୍ମପୁର କନ୍ଯାଶ୍ରମରେ ଜଣେ ପୂର୍ବତନ ବିବାଦୀୟ ପ୍ରଧାନଶିକ୍ଷକଙ୍କ କାର୍ଯ୍ୟକଳାପ ସମ୍ପର୍କରେ ଅଭିଯୋଗ ପ୍ରକାଶ ପାଇଥିଲା । ତାହାକୁ ମଧ୍ଯ ତଦନ୍ତକୁ ଚାପିଦେବାରେ ଉକ୍ତ ଡିଡବ୍ଲୁଓଙ୍କ ଭୂମିକା ସନ୍ଦେହଜନକ ଥିଲା ।
ସୁବର୍ଣ୍ଣପୁର ଡିଡବ୍ଲୁଓ ଅଚ୍ୟୁତାନନ୍ଦ ସିଂ ଥିବା ବେଳେ ଏଡିଡବ୍ଲୁଓ ସଂଯୁକ୍ତା ମାଝି ସବୁ ସୁପରିଚାଳନା କରନ୍ତି । ୧୧ ଟି ସ୍କୁଲ ବିଶିଷ୍ଟ ଏହି ଜିଲ୍ଲାର ବୀରମହାରାଜପୁର ଉପଖଣ୍ଡର କୁଞ୍ଜାପାଲି ଠାରୁ ତରଭା ବ୍ଲକର ଅସୁରମୁଣ୍ଡା ହାଇସ୍କୁଲ ଓ ଚାରଭଟା କଲେଜର ପରିଚାଳନାଗତ ଅନିୟମିତତାର ତଦନ୍ତ ଆବଶ୍ୟକ । ଏଠାରେ ଗତଥର ୫ ଟି ନିର୍ମାଣରେ ଯଥେଷ୍ଟ ନିମ୍ନମାନର କାମ କରାଯାଇ ଲକ୍ଷ ଲକ୍ଷ ଟଙ୍କାର ବାଟମାରଣାର ଅଭିଯୋଗ ପ୍ରକାଶ ପାଇଥିଲା । ତରଭା ବ୍ଲକର ଜଣେ ଜେଇଙ୍କ ନାମରେ କାର୍ଯ୍ୟାଦେଶ ଥିବା ଏହି କାମ ପ୍ରକୃତପକ୍ଷେ ଚାରଭଟା ଗାଁ’ର ଜଣେ କୁଜି ଠିକାଦାର ଏହା ଠିକାରେ କରିଥିଲେ । ଏହାଛଡା ପିଲାମାନଙ୍କ ମେସ୍ ଖର୍ଚ୍ଚ ଓ ସ୍କୁଲର ଅନ୍ଯାନ୍ଯ ସାମଗ୍ରୀଯୋଗାଣରେ ଅନିୟମିତତାର ଅଭିଯୋଗକୁ ନଜରଅନ୍ଦାଜ କରାଯାଇ ଆସୁଛି ।
ଏଣୁ ଏହି ବିଭାଗର ବିଶେଷକରି ବଲାଙ୍ଗୀର, ସୁବର୍ଣ୍ଣପୁର ଓ ବରଗଡ ଜିଲ୍ଲାର ଆଦିବାସୀ ବହୁଳ ପଦ୍ମପୁର ଉପଖଣ୍ଡର ଆବାସିକ ବିଦ୍ୟାଳୟର ପରିଚାଳନା ପ୍ରତି ଲୋକେ ସଂପ୍ରତି ଆମ ଆଦିବାସୀ ମୁଖ୍ଯମନ୍ତ୍ରୀଙ୍କ ସଦୟ ଦୃଷ୍ଟିଆକର୍ଷଣ କରିଛନ୍ତି । ଏସବୁ ଅଞ୍ଚଳର ଏତାଦୃଶ ସମ୍ବେଦନଶୀଳ ଖବରର ତଦନ୍ତ କ୍ଷେତ୍ରରେ ସରକାର ସଚେତନ ରହିବା ଆବଶ୍ୟକ ବୋଲି ମତପ୍ରକାଶ ପାଇଛି ।


“ଦୃଷ୍ଟିପାତ “ଓଡିଆ ନିଉଜ୍ ପୋର୍ଟାଲ୍ ହେଉଛି , ୧୯୯୪ ରୁ ବଲାଙ୍ଗୀରରୁ ପ୍ରକାଶ ପାଉଥିବା ‘ପାକ୍ଷିକ ଦୃଷ୍ଟିପାତ ‘ ଓ ପରେ ପ୍ରକାଶିତ ‘ ସାପ୍ତାହିକ ‘ ଦୃଷ୍ଟିପାତ ‘ ସମ୍ବାଦପତ୍ରର ଆଧୁନିକ ଇ- ପତ୍ରିକା ସଂସ୍କରଣର ରୂପାନ୍ତରିତ ଉଏବ୍ ପୋର୍ଟାଲ୍ । ଏହା ମୁଖ୍ୟତଃ ରାଜ୍ୟ ତଥା ଦେଶର ଗଣମାଧ୍ୟମରେ ପ୍ରକାଶିତ ଖବରର ଏକ ତର୍ଜମାତ୍ମକ ଉପସ୍ଥାପନା ଓ ବିଭିନ୍ନ ଗଣମାଧ୍ୟମ ସୂତ୍ରରୁ ସଂଗୃହୀତ ତଥ୍ୟର ନିଜସ୍ୱ ଅନୁସନ୍ଧାନମୂଳକ ନିରପେକ୍ଷ ଖବର ପରିବେଷଣ । ଏଥିରେ କାହାର ମାନହାନୀ ବା ଏହା କ୍ଷତିସାଧନ ନିମନ୍ତେ ଉଦ୍ଦିଷ୍ଟ ନୁହେଁ ଓ ଜନହିତରେ ପ୍ରସାରିତ ସରକାର ବା ପ୍ରଶାସନର ଦୃଷ୍ଟିଆକର୍ଷଣର ଜନମତ ସମ୍ବଳିତ ଏକ ପ୍ରୟାସ ମାତ୍ର । ଏକ ଦୁର୍ନୀତିମୁକ୍ତ ସୁସ୍ଥ ସମାଜ ଗଠନ ଏହାର ଲକ୍ଷ୍ୟ ଓ ଏକାନ୍ତ ଉଦ୍ଦେଶ୍ୟ ଅଟେ।