ବଲାଙ୍ଗୀର : ଜିଲ୍ଲା ଲେଖକ ପରିଷଦର ସଭାପତି ମଳୟ ମିଶ୍ରଙ୍କୁ ଜିଲ୍ଲା ଲେଖକ ପରିଷଦରୁ ବହିଷ୍କାର କରିବାକୁ ଆୟୋଜିତ ଏକ ପରିଷଦ ବିରୋଧୀ ବୈଠକକୁ ଡାକି ସେ ନଗଲେ ପରିସ୍ଥିତି ଭୟାବହ ହେବ ବୋଲି ସୁଶାନ୍ତ ବାଗ ନାମକ ଜଣେ ଧମକ ଦେଇଛନ୍ତି । ଶ୍ରୀ ମିଶ୍ର ପରିଷଦର ବିନା ସହମତିରେ ସେ କିପରି ଓ କାହିଁକି ସେଭଳି ଏକ ଅବୈଧ ଗୋଷ୍ଠୀର ଅକାରଣ ବିରୋଧୀ ସମାବେଶକୁ ଯିବେ ବୋଲି ପଚାରିବାରୁ ଉକ୍ତ ବ୍ୟକ୍ତି ଫୋନ୍ ରେ ତାଙ୍କୁ ଧମକଚମକ ଦେବା ସହ ନ ଆସିଲେ , ତମକୁ ବହିଷ୍କାର କରାଯିବ , ତମ ଘରକୁ ଯିବୁ ବୋଲି ଧମକ ଦେଇଛନ୍ତି । ସଭାପତି ଶ୍ରୀ ମିଶ୍ର ‘ ଏପରି ହେଲେ , ସେ ଆଇନକାନୁନର ଆଶ୍ରୟ ନେଇ ଥାନାକୁ ଯିବେ ବୋଲି କହିବାରୁ ,ତୁମେ ଥାନାକୁ ଯିବ ବୋଲି ଆମେ ଜାଣିଛୁ , ସେ ବାଟ ମଧ୍ଯ ଆମେ କରି ରଖିଛୁଁ ‘ ବୋଲି ଆହୁରି ଧମକ ଦେଇଛନ୍ତି ।
ଏଣୁ ଏ ସମ୍ପର୍କରେ ଶ୍ରୀ ମିଶ୍ର ଜିଲ୍ଲା ଲେଖକ ପରିଷଦର ସମ୍ପାଦକ କପିଳେଶ୍ଵର ଖମାରୀ , ଉପସଭାପତି ମୁରଲୀଧାରୀ ପତି , ଯୁଗ୍ମ ସମ୍ପାଦକ ମହେନ୍ଦ୍ର କୁମାର ଦର୍ଜୀ , କୋଷାଧ୍ୟକ୍ଷ ଅଜିତ କୁମାର ମହାନ୍ତି , ସହ ସମ୍ପାଦକ ରଘୁ ନନ୍ଦନ ସିଂ ଓ ବଲାଙ୍ଗୀର, ପାଟଣାଗଡ, ଟିଟିଲାଗଡ, ତରଭା ଓ ସୋନପୁରର ଉପସଭାପତି ତଥା କାର୍ଯ୍ୟନିର୍ବାହୀ ସମସ୍ତ ସଦସ୍ୟଙ୍କୁ ଅବଗତ କରିବା ସହ ପରିଷଦର ଏକ ଜରୁରୀକାଳୀନ ବୈଠକ ଆହୂତ କରାଯିବାକୁ ପରିଷଦର ସମ୍ପାଦକଙ୍କୁ ନିର୍ଦ୍ଦେଶ ଦେବା ସହ ସ୍ଥାନୀୟ ବଲାଙ୍ଗୀର ଟାଉନ୍ ଥାନାରେ ଏହି ବ୍ଯକ୍ତି ଓ ତାଙ୍କ ସମେତ ଏଭଳି ଚକ୍ରାନ୍ତକାରୀ ବିରୋଧୀ ଗୋଷ୍ଠୀଙ୍କ ଆପରାଧିକ ଆକ୍ରମଣର ଧମକ ବିରୁଦ୍ଧରେ ଏକ ଆଇନଗତ ଏତଲା ଦେବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ପ୍ରକାଶ ।
ଉଲ୍ଲେଖଯୋଗ୍ଯ ଯେ , ଶ୍ରୀ ମିଶ୍ର ଓଡିଶାର ଜଣେ ପ୍ରତିଷ୍ଠିତ ଲେଖକ ଓ ସେ ବିଗତ ଦୀର୍ଘ ୮ ବର୍ଷରୁ ଉର୍ଦ୍ଧ୍ବକାଳ ଧରି ବଲାଙ୍ଗୀର ଜିଲ୍ଲା ଲେଖକ ପରିଷଦର ସର୍ବ ସମ୍ମତ ସଭାପତି ଭାବେ ନିର୍ବାଚିତ ହୋଇ ଅବସ୍ଥାପିତ ରହିଛନ୍ତି । ତାଙ୍କ ନେତୃତ୍ୱରେ ଚଳିତବର୍ଷର ‘୧୮ ତମ ବଲାଙ୍ଗୀର ବହିହାଟ- ୨୦୨୬ ‘ ନିମନ୍ତେ ପ୍ରସ୍ତୁତି ଚାଲିଛି । ପରିଷଦ ପକ୍ଷରୁ ବହିହାଟ ସକାଶେ ସ୍ଥାନୀୟ କୋଶଳ କଳାମଣ୍ଡଳ ପଡିଆର ପୂର୍ବବର୍ଷଗୁଡ଼ିକ ପରି ଆଗାମୀ ଜାନୁଆରୀ ୮ ରୁ ୧୦ ଦିନ ପର୍ଯ୍ୟନ୍ତ ବୁକିଂ ପାଇଁ ଆବେଦନ କରାଯାଇଥିଲା , ଯାହାକି ଆଗାମୀ ବଲାଙ୍ଗୀର ଲୋକଉତ୍ସବ ସକାଶେ ଘୁଞ୍ଚାଇ ଦିଆଯାଇ ଆଗାମୀ ଫେବୃୟାରୀରେ କରାଯିବାକୁ ସ୍ଥିର କରାଯାଇଛି ।ଆହୁରି ମଧ୍ଯ ପରିଷଦର କମିଟି ସଦସ୍ୟଙ୍କ ସମେତ ୪/୫ ଦିନ ତଳେ ଭୁବନେଶ୍ୱର ଯାଇ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶାଳୟରେ ଉପନିର୍ଦ୍ଦେଶକଙ୍କୁ ଭେଟି ଆଗାମୀ ବହିହାଟ ସକାଶେ ଆବେଦନ ପୂର୍ବକ ଆଲୋଚନା କରି ଫେରିଛନ୍ତି ।
ପ୍ରକାଶ ଯୋଗ୍ଯ ଯେ , ଚଳିତ ଜିଲ୍ଲା ଲେଖକ ପରିଷଦର ସୁପରିଚାଳନାରେ ବିଗତ ୮ ବର୍ଷ ଧରି ରାଜ୍ୟସ୍ତରୀୟ ‘ବଲାଙ୍ଗୀର ବହିହାଟ ‘ ଅନୁଷ୍ଠିତ ହୋଇ ଆସୁଥିବା ସହ ବିଭିନ୍ନ ପୁସ୍ତକ ଉନ୍ମୋଚନ, ଦିବଂଗତ ଲେଖକଙ୍କର ସ୍ମୃତିସଭା ଓ ସାରସ୍ବତ ଉତ୍ସବ ମାନ ଅନୁଷ୍ଠିତ ହୋଇ ଆସୁଛି । ଏସବୁ ନିମନ୍ତେ କୌଣସିପ୍ରକାର ବାହାରୁ ଚାନ୍ଦା କିମ୍ବା ଆର୍ଥିକ ଅନିୟମିତତା ନାହିଁ ।
ତେବେଏଥିରେ କେତେକ ପୂର୍ବ କର୍ମକର୍ତ୍ତାଙ୍କ ସହ ମିଶି କିଛି ସ୍ବାର୍ଥାନ୍ବେଷୀ ତଥାକଥିତ ବିରୋଧୀ ଈର୍ଷାପରାୟଣ ହୋଇ ଅସହିଷ୍ଣୁତା ବଶତଃ ମଝିରେ ମଝିରେ ଏଭଳି ପରିଷଦବିରୋଧୀ କାର୍ଯ୍ୟକଳାପରେ ଜଡିତ ରହି ଆସୁଛନ୍ତି । ଏଣୁ ଜନସାଧାରଣଙ୍କ ଅବଗତି ନିମନ୍ତେ ଏହା ଏକ ପ୍ରେସ୍ ବିଜ୍ଞପ୍ତି ଜରିଆରେ ପ୍ରକାଶ କରାଗଲା ।


“ଦୃଷ୍ଟିପାତ “ଓଡିଆ ନିଉଜ୍ ପୋର୍ଟାଲ୍ ହେଉଛି , ୧୯୯୪ ରୁ ବଲାଙ୍ଗୀରରୁ ପ୍ରକାଶ ପାଉଥିବା ‘ପାକ୍ଷିକ ଦୃଷ୍ଟିପାତ ‘ ଓ ପରେ ପ୍ରକାଶିତ ‘ ସାପ୍ତାହିକ ‘ ଦୃଷ୍ଟିପାତ ‘ ସମ୍ବାଦପତ୍ରର ଆଧୁନିକ ଇ- ପତ୍ରିକା ସଂସ୍କରଣର ରୂପାନ୍ତରିତ ଉଏବ୍ ପୋର୍ଟାଲ୍ । ଏହା ମୁଖ୍ୟତଃ ରାଜ୍ୟ ତଥା ଦେଶର ଗଣମାଧ୍ୟମରେ ପ୍ରକାଶିତ ଖବରର ଏକ ତର୍ଜମାତ୍ମକ ଉପସ୍ଥାପନା ଓ ବିଭିନ୍ନ ଗଣମାଧ୍ୟମ ସୂତ୍ରରୁ ସଂଗୃହୀତ ତଥ୍ୟର ନିଜସ୍ୱ ଅନୁସନ୍ଧାନମୂଳକ ନିରପେକ୍ଷ ଖବର ପରିବେଷଣ । ଏଥିରେ କାହାର ମାନହାନୀ ବା ଏହା କ୍ଷତିସାଧନ ନିମନ୍ତେ ଉଦ୍ଦିଷ୍ଟ ନୁହେଁ ଓ ଜନହିତରେ ପ୍ରସାରିତ ସରକାର ବା ପ୍ରଶାସନର ଦୃଷ୍ଟିଆକର୍ଷଣର ଜନମତ ସମ୍ବଳିତ ଏକ ପ୍ରୟାସ ମାତ୍ର । ଏକ ଦୁର୍ନୀତିମୁକ୍ତ ସୁସ୍ଥ ସମାଜ ଗଠନ ଏହାର ଲକ୍ଷ୍ୟ ଓ ଏକାନ୍ତ ଉଦ୍ଦେଶ୍ୟ ଅଟେ।