ପଞ୍ଜିକରଣ ଅନୁମୋଦନ ବିନା ପରିଷଦ ନାଁ’ରେ ଠକେଇ
ବଲାଙ୍ଗୀର : ଅଦ୍ୟାବଧି କୌଣସି ସରକାରୀ ପଞ୍ଜିକରଣର ଅନୁମୋଦନ ବିନା ଜିଲ୍ଲାର ଏକ ପୁରାତନ ମର୍ଯ୍ୟାଦାବନ୍ତ ପଞ୍ଜିକୃତ ଅନୁଷ୍ଠାନ ଜିଲ୍ଲା ଲେଖକ ପରିଷଦର ପଞ୍ଜିକରଣ ନମ୍ବର ଓ ନାମର ଅପବ୍ୟବହାର କରି କିଛିବ୍ୟକ୍ତି ନିହାତି ଅବୈଧ ଭାବେ ସଭାସମିତି କରୁଥିବା ସହିତ ମନମୁଖୀ ଭାବରେ ନିଜକୁ ଜିଲ୍ଲା ଲେଖକ ପରିଷଦର କର୍ମକର୍ତ୍ତା ବୋଲି ଗଣମାଧ୍ୟମରେ ଅପପ୍ରଚାର କରୁଥିବା ପରିଷଦର ଦୃଷ୍ଟିକୁ ଆସିଛି ।
ନିକଟରେ ପରିଷଦର ଅଧ୍ୟକ୍ଷ ଭାବରେ ଜଣେ ଅଧ୍ୟାପକ ଜୟ କୁମାର ଆଚାର୍ଯ୍ଯ ଓ ସମ୍ପାଦକ ଭାବେ ଜଣେ ଆଇନଜୀବୀ ତଥା କବି ସୁଶାନ୍ତ ବାଗଙ୍କ ନାମ ତୁଷୁରା ତୋଷାଳୀ ମହୋତ୍ସବ- ୨୦୨୬ର ନିମନ୍ତ୍ରଣ ପତ୍ରରେ ପରିଷଦର ସହ ବିନା ମତାମତରେ ମୁଦ୍ରିତ ହୋଇଥିବା ସହ ଉତ୍ସବର ସାଧାରଣ ସଭାରେ ଉକ୍ତ ବ୍ୟକ୍ତିମାନେ ମଞ୍ଚାସୀନ ହୋଇ ଜନସାଧାରଣଙ୍କୁ ବିଭ୍ରାନ୍ତ କରିଛନ୍ତି ।
ଉଲ୍ଲେଖଯୋଗ୍ଯ ଯେ , କିଛିଦିନ ହେଲା କେତେକ ବ୍ୟକ୍ତି ଜିଲ୍ଲା ଲେଖକ ପରିଷଦ ବିରୁଦ୍ଧରେ ଏଭଳି ବେଆଇନ କାର୍ଯ୍ଯକଳାପ ଜାରୀ ରଖିଥିବା ଓ ପରିଷଦର ବିରୁଦ୍ଧାଚରଣ କରୁଥିବା ବିରୋଧରେ ସ୍ଥାନୀୟ ବଲାଙ୍ଗୀର ଟାଉନ ଥାନାରେ ପରିଷଦ ପକ୍ଷରୁ ଏକ ଲିଖିତ ଅଭିଯୋଗକ୍ରମେ ପୁଲିସ ଜେରା କରିଛି । ଅଦ୍ୟାପି ସରକାରୀ ପଞ୍ଜିକରଣ ଅଧିକାରୀ ଅତିରିକ୍ତ ଜିଲ୍ଲାପାଳଙ୍କ ଠାରୁ ଉକ୍ତ ବିରୋଧୀଗୋଷ୍ଠୀକୁ କୌଣସିପ୍ରକାର ଅନୁମୋଦନ ମଧ୍ଯ ମିଳିନାହିଁ । ତେଣୁ ଗୋଟିଏ ପଞ୍ଜିକୃତ ଅନୁଷ୍ଠାନ ଥାଉଁ ଥାଉଁ ସେହି ନାଁ’ ଓ ସମାନ ପଞ୍ଜିକରଣ ନମ୍ବରରେ କିପରି ଆଉ ଏକ ଅନୁଷ୍ଠାନକୁ ଅନୁମୋଦନ ମିଳିବ ?ଏଣୁ ସେମାନଙ୍କର ଏତାଦୃଶ ବେଆଇନ୍ ଜନବିରୋଧୀ କାର୍ଯ୍ୟକଳାପକୁ ପରିଷଦ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି ।
ତେବେ ଏମାନଙ୍କର ଏଭଳି ଅହେତୁକ ପ୍ରତିବନ୍ଧକ ସୃଷ୍ଟି କାରଣରୁ ଆଗାମୀ ଫେବୃୟାରୀ ୧୨ ରୁ ହେବାକୁ ଥିବା ବଲାଙ୍ଗୀର ବହିହାଟକୁ ବାଧ୍ଯହୋଇ ସ୍ଥଗିତ ରଖାଯାଇଛି ।
ଏଣୁ ସମସ୍ତ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ପରିଷଦ ପକ୍ଷରୁ ଅନୁରୋଧ ଯେ ସେମାନେ ପରିଷଦ ସହ ବିନା ଆଲୋଚନାରେ ଏଭଳି ବିଭ୍ରାନ୍ତକର ଖବର ପରିବେଷଣ କରନ୍ତୁ ନାହିଁ ବୋଲି ପରିଷଦର ସଭାପତି ମଳୟ ମିଶ୍ର ଓ ସମ୍ପାଦକ କପିଳେଶ୍ଵର ଖମାରୀଙ୍କ ସମେତ ସମସ୍ତ କାର୍ଯ୍ଯକର୍ତ୍ତା ଏକ ପ୍ରେସ୍ ବିବୃତିରେ ଜଣାଇଛନ୍ତି ।
ସ୍ବାକ୍ଷର : ( କପିଳେଶ୍ଵର ଖମାରୀ )
ସମ୍ପାଦକ : ଜିଲ୍ଲା ଲେଖକ ପରିଷଦ, ବଲାଙ୍ଗୀର ।
ତା ୨ । ୨ । ୨୦୨୬

“ଦୃଷ୍ଟିପାତ “ଓଡିଆ ନିଉଜ୍ ପୋର୍ଟାଲ୍ ହେଉଛି , ୧୯୯୪ ରୁ ବଲାଙ୍ଗୀରରୁ ପ୍ରକାଶ ପାଉଥିବା ‘ପାକ୍ଷିକ ଦୃଷ୍ଟିପାତ ‘ ଓ ପରେ ପ୍ରକାଶିତ ‘ ସାପ୍ତାହିକ ‘ ଦୃଷ୍ଟିପାତ ‘ ସମ୍ବାଦପତ୍ରର ଆଧୁନିକ ଇ- ପତ୍ରିକା ସଂସ୍କରଣର ରୂପାନ୍ତରିତ ଉଏବ୍ ପୋର୍ଟାଲ୍ । ଏହା ମୁଖ୍ୟତଃ ରାଜ୍ୟ ତଥା ଦେଶର ଗଣମାଧ୍ୟମରେ ପ୍ରକାଶିତ ଖବରର ଏକ ତର୍ଜମାତ୍ମକ ଉପସ୍ଥାପନା ଓ ବିଭିନ୍ନ ଗଣମାଧ୍ୟମ ସୂତ୍ରରୁ ସଂଗୃହୀତ ତଥ୍ୟର ନିଜସ୍ୱ ଅନୁସନ୍ଧାନମୂଳକ ନିରପେକ୍ଷ ଖବର ପରିବେଷଣ । ଏଥିରେ କାହାର ମାନହାନୀ ବା ଏହା କ୍ଷତିସାଧନ ନିମନ୍ତେ ଉଦ୍ଦିଷ୍ଟ ନୁହେଁ ଓ ଜନହିତରେ ପ୍ରସାରିତ ସରକାର ବା ପ୍ରଶାସନର ଦୃଷ୍ଟିଆକର୍ଷଣର ଜନମତ ସମ୍ବଳିତ ଏକ ପ୍ରୟାସ ମାତ୍ର । ଏକ ଦୁର୍ନୀତିମୁକ୍ତ ସୁସ୍ଥ ସମାଜ ଗଠନ ଏହାର ଲକ୍ଷ୍ୟ ଓ ଏକାନ୍ତ ଉଦ୍ଦେଶ୍ୟ ଅଟେ।