ପୁରୀରୁ ବୌଦ୍ଧ, ସୋନପୁର ଓ ବଲାଙ୍ଗିରଜିଲ୍ଲାରେ ଜାଲ
ଆତ୍ମହତ୍ୟା ,ଫେରାର୍ , ସରକାରୀ ତହବିଲ୍ ଓ ବ୍ୟାଙ୍କ୍ ଠକେଇରେ ହଜାର ହଜାର ସର୍ବସ୍ବାନ୍ତ !
ସୋନପୁର : ବର୍ଷ ବର୍ଷ ଧରି ମୋବାଇଲ୍ ଆପ୍ ରେ ଅନ୍ ଲାଇନ୍ ଜୁଆଖେଳରେ କୋଟି କୋଟି ଟଙ୍କାର ଠକେଇ ଚାଲିଛି । ଏ ସମ୍ପର୍କରେ ଅନେକ ଅପରାଧଘଟଣା ଘଟୁଥିବା ଗଣମାଧ୍ୟମରେ ପ୍ରକାଶ ପାଇଆସୁ ଥିଲେ ହେଁ , ପୁଲିସ୍ ବା ସରକାର ଆଦୌ ଧ୍ୟାନ ଦେଉନାହାଁନ୍ତି । ଏ ସମ୍ପର୍କରେ ଏତଲା ହୋଇ ନଥିବା ଆଳରେ ଥାନାପୁଲିସ୍ , ସାଇବର ପୁଲିସ୍ , ଭିଜିଲାନ୍ସ , ଅର୍ଥନୈତିକ ଅପରାଧ ଶାଖା ବା ଇଣ୍ଟରପୋଲ୍ ଆଦି ତଦନ୍ତେଜେନ୍ସିର ନିଷ୍କ୍ରିୟତା ଆଶ୍ଚର୍ଯ୍ୟଜନକ ! ଅନେକତ୍ର ଏପରିକି ବୌଦ୍ଧଜିଲ୍ଲାରେ ପୁଲିସ୍ କର୍ମଚାରୀମାନେ ମଧ୍ୟ ଏଥିରେ ଜଡିତ ରହୁଥିବା ଖବର ପ୍ରକାଶ ପାଇଛି ।
ଅନୁସନ୍ଧାନରୁ ପ୍ରକାଶ ଯେ , ଗତବର୍ଷ ବରପାଲିର ଏକ ବ୍ୟାଙ୍କ୍ ରେ କାର୍ଯ୍ୟରତ ବଲାଙ୍ଗୀରର ଜଣେ ଯୁବ ବ୍ୟାଙ୍କ ଅଧିକାରୀ ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ବଲାଙ୍ଗୀର- ସମ୍ବଲପୁର ମୁଖ୍ୟରାସ୍ତାର ଅଙ୍ଗନଦୀ ବ୍ରିଜ୍ ଉପରେ ବାଇକ୍ ଆଦି ରଖିଦେଇ ପାଣିକୁ ଡେଇଁପଡି ଆତ୍ମହତ୍ୟା କରିଥିଲେ ଓ ଏହାପଛରେ ରାଜ୍ୟବାହାରର କେତେକ ସାଇବର ଲୁଟେରା ରହିଥିବା ସୂଚନା ମିଳିଥିଲା । ଶେଷରେ ଉକ୍ତ ଅଧିକାରୀଙ୍କର ମୃତଦେହ ସେହି ନଦୀରୁ କିଛିଦୂରସ୍ଥ ତେଲେଣ୍ଡା ନିକଟରୁ ପୁଲିସ୍ ଉଦ୍ଧାର କରିଥିଲା । ତେବେ ପରେ ଅପରାଧୀମାନଙ୍କୁ ମହାରାଷ୍ଟ୍ରରେ ଠାବ କରାଯାଇଥିବା ଶୁଣିବାକୁ ମିଳିଥଲେ ହେଁ , ସୋନପୁର ଜିଲ୍ଲାର ଡୁଙ୍ଗୁରିପାଲି ଥାନାପୁଲିସ୍ ରଏହି ମାମଲାର ପରିଣତି କୁଆଡେ ଗଲା , ଏଯାବତ୍ ଅସ୍ପଷ୍ଟ ରହିଛି ।
ଦ୍ୱିତୀୟରେ ଗତବର୍ଷ ସୁବର୍ଣ୍ଣପୁର ଜିଲ୍ଲାର ଲଛିପୁର ଥାନାଅନ୍ତର୍ଗତ ଲଛିପୁର ଗ୍ରାମରେ କାଳିଆ ମେହେର ନାମକ ଜଣେ ଯୁବଦୋକାନୀ ଆତ୍ମହତ୍ୟା କରିଥିବା ଓ ତାଙ୍କ ପରିବାରର ଅଭିଯୋଗ ଅନୁଯାୟୀ , କିଛିଦିନପରେ ଏଥିରେ ଯୁବକଟିର ଭିଣୋଇ ଦାୟୀ ବୋଲି ଏତଲାକ୍ରମେ ତାଙ୍କୁ ଗିରଫ ହେବାକୁ ପଡିଥିଲା ।
ତୃତୀୟତଃ ଚଳିତବର୍ଷ ଫେବୃୟାରୀରେ ତରଭାଥାନା ଅନ୍ତର୍ଗତ କମସରା ପେକ୍ସରେ ଖରିଫ୍ ଧାନବିକ୍ରିର ପ୍ରାୟ ୧୫ ଲକ୍ଷଟଙ୍କା ହେରଫେର ଅଭିଯୋଗରେ ଉକ୍ତ ପେକ୍ସର ଡିଇଓ ଓ ତାଙ୍କ ସ୍ବୀକାରୋକ୍ତି ଅନୁଯାୟୀ ସୁବର୍ଣ୍ଣପୁର ଜିଲ୍ଲା ଯୋଗାଣ ବିଭାଗ ଏବଂ ଭୁବନେଶ୍ବରର ଯୋଗାଣବିଭାଗର ମୁଖ୍ୟକାର୍ଯ୍ୟାଳୟର ଜଣେ କମ୍ପ୍ୟୁଟର ଅପରେଟରଙ୍କ ମିଳିତ ଦୁର୍ନୀତିର ପଛରେ ଏଇଭଳି ଅନ୍ ଲାଇନ୍ ଜୁଆଖେଳର ଗନ୍ଧ ଉଠିଥିଲା , ଯାହାକି ଯୋଗାଣ ବିଭାଗ , ସମବାୟ ବିଭାଗ , ଜିଲ୍ଲାପ୍ରଶାସନ ଓ ଗ୍ରାମରେ ଅଭିଯୁକ୍ତଙ୍କ ପକ୍ଷରୁ ଏକ କଙ୍ଗାରୁକୋର୍ଟରେ ହାତକାଟି ହେଣ୍ଡ୍ ନୋଟ୍ ଲେଖାରେ ସମାଧାନ କରିଦିଆଯାଇଛି ।
ଚତୁର୍ଥଘଟଣାରେ ଗତବର୍ଷ ଜୁଲାଇରୁ ଚଳିତ ଅଗଷ୍ଟମାସ ମଧ୍ୟରେ ସୋନପୁର ଉଠା ଜଳସେଚନ ବିଭାଗର ଜଣେ ଡିଇଓରୁ ପଦୋନ୍ନତି ପାଇ ସହକାରୀ ହିସାବରକ୍ଷକ ହୋଇଥିବା ସୋନପୁର ଘୋଡାଘାଟପଡାର ବଳରାମ ମେହେର ପ୍ରାୟ ଦେଢ କୋଟି ଟଙ୍କା ହଡପ ଅଭିଯୋଗରେ ଫେରାର୍ ହୋଇ ଯାଇଛି । ଯାହାକି ସୋନପୁର ଭିଜିଲାନ୍ସର ତଦନ୍ତାଧୀନ ରହିଛି । ଏହାପଛରେ ବି ସେଇ ଅନ୍ ଲାଇନ୍ ଜୁଆଖେଳ ରହିଥିବା ଚର୍ଚ୍ଚା ହେଉଛି । ପହିଲେ ଗୋ ଆପ୍ ରେ ୮୦ ଲକ୍ଷ ହାରିବାପରେ ପୁଣି ୭୬ ଲକ୍ଷ ବ୍ୟାଙ୍କ୍ ରୁ ଉଠାଇବାବେଳେ ଧରାପଡି ଅଭିଯୁକ୍ତ ଫେରାର୍ ହୋଇଯାଇଥିବା କୁହାଯାଉଛି ।
ଏତେସବୁ ଘଟଣା ଘଟିଥିବା ପରେ ଏବେ ଯେଉଁ ଚର୍ଚ୍ଚା ହେଉଛି , ତାହାହେଲା , ପୁରୀରୁ ସ୍ବିଜରଲ୍ଯାଣ୍ଡର ରନ୍ ଲିଭ୍ ନାମକ ଏକ ଆପ୍ ରେ ଅନ୍ ଲାଇନ୍ ଆପ୍ଲିକେସନ୍ ର ବିଭିନ୍ନ ସ୍କିମରେ ଟଙ୍କା ଲଗାଣ କରି ବୌଦ୍ଧ , ସୋନପୁର ଓ ତରଭାର ହଜାର ହଜାର ଲୋକେ ସର୍ବସ୍ବାନ୍ତ ହୋଇପଡିବା । କିଛିଦିନତଳେ ପୁରୀ ଚନ୍ଦନପୁର ପୁଲିସ୍ ତୁଳସୀଚଉରା ଅଞ୍ଚଳର କୀର୍ତ୍ତି ପ୍ରକାଶ ନାମକ ଜଣେ ଏଜେଣ୍ଟ ଓ ତାଙ୍କର ଜଣେ ସହଯୋଗୀଙ୍କୁ କ୍ଷତିଗ୍ରସ୍ତ ଜମାକାରୀଙ୍କ କବଳରୁ ଉଦ୍ଧାର କରି ହେପାଜତରେ ରଖିଛି । ଅଭିଯୋଗ ଅନୁଯାୟୀ , ବିଦେଶରେ ରହୁଥିବା ଏହି ଆପ୍ ର ମାଷ୍ଟରମାଇଣ୍ଡ୍ ୨୦ କୋଟି ଟଙ୍କା ଠକିନେଇଛି । ସେହିପରି ବୌଦ୍ଧରେ ଏଇ ଅନ୍ ଲାଇନ୍ ଆପ୍ ର ବହୁଳ ପ୍ରଚାର ଫଳରେ ଆକୃଷ୍ଟ ହୋଇ ଲୋକେ ୨ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଜମାକରି ହତାଶ ହୋଇପଡିଥିବା ପ୍ରକାଶ ।
ଏହାପରେ କିଛିଦିନତଳେ ସୁବର୍ଣ୍ଣପୁର ଜିଲ୍ଲାର ତରଭାରେ ସଂସିଦ ସାହୁ ନାମକ ଜଣେ କଲ୍ୟାଣମଣ୍ଡପ ମାଲିକ ଭୋଜିଭାତ କରି ଏଇ ଆପ୍ ର ପ୍ରଚାର କରିଥିଲେ ଓ ଏଥିରେ ଆକୃଷ୍ଟ ହୋଇ ତରଭା ଅଞ୍ଚଳରେ ୩ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଠକେଇ ହୋଇଥିବା ଚର୍ଚ୍ଚା ହେଉଛି । ଏ ସମ୍ପର୍କରେ ତରଭାଥାନାରେ ବିଧିବଦ୍ଧ ଭାବେ କେହି ଏତଲା ଦେଇ ନଥିବା କହୁଥିଲେ ହେଁ , ପୁଲିସ୍ ଅବଗତ ରହିଛି । ଆଗାମୀକାଲି ଏ ସମ୍ପର୍କରେ ବିଧିବଦ୍ଧ ଭାବରେ ଏତଲା ଦିଆଯିବ ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ପ୍ରକାଶ ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଖବର ଏହା ଯେ , ଗତ ୨ ତାରିଖରେ ମହାନଦୀ ବିଜୁସେତୁ ଉପରେ ଏକ ଆପାଚି ବାଇକ୍ , ପର୍ସ ଓ ଚପଲ ରଖି ରାତିରେ ବଲାଙ୍ଗୀରର କୁଲଦୀପ ପାଢୀ ନାମକ ଜଣେ ଯୁବକ ନଈକୁ ଡେଇଁ ପଡିଥିବା ସନ୍ଦେହଜନକ ଖବର ମିଳିଛି । ସୋନପୁର ପୁଲିସ୍ ର ପେଟ୍ରୋଲିଂ ଟିମ୍ ଉକ୍ତ ବାଇକ୍ ଟିକୁ ଉଦ୍ଧାର କରି ଥାନାରେ ରଖିଥିବା ବେଳେ , ସୋନପୁର ଅଗ୍ନିଶମ ବାହିନୀ ପକ୍ଷରୁ ନଦୀଭିତରେ ଖୋଜିଖୋଜି କରାଯାଇଛି । ଦେଢବର୍ଷତଳେ ବିବାହିତ ଉକ୍ତ ଯୁବକଜଣକର କୌଣସି ପତ୍ତା ମିଳିନାହିଁ ! ଏ ସମ୍ପର୍କରେ ବଲାଙ୍ଗୀର ଟାଉନ ଥାନାରେ ପରିବାର ପକ୍ଷରୁ ଏକ ନିଖୋଜ ଏତଲା ଦିଆଯାଇଥିବା ଜଣାଯାଇଛି ।
ଏହାପଛରେ ଏହି ଅନ୍ ଲାଇନ୍ ଆପ୍ ଜୁଆ ରେ ସେ କ୍ଷତିଗ୍ରସ୍ତ ହେବାପରେ ଏଭଳି କୌଣସି ଚରମ ପଦକ୍ଷେପ ନେଇଥିବା ଆଶଙ୍କା କରାଯାଉଛି । ଆହୁରି କେତେକ ଲୋକେ ଏଥିରେ ସର୍ବସ୍ବାନ୍ତ ହେଲେଣି , ଜଣାପଡି ନଥିଲେ ହେଁ , ହଜାର ହଜାର ଲୋକ ଠକେଇର ଶିକାର ହୋଇଥିବା ଅନୁମାନ କରାଯାଉଛି ।ତେଣୁ ଏତେସବୁ ଘଟଣା ପରେ ସରକାର ନିଜଆଡୁ ଏଭଳି ଏକ ସର୍ବଗ୍ରାସୀ ଅନ୍ ଲାଇନ୍ ଆପ୍ ମୋବାଇଲ୍ ଜୁଆଖେଳ ଉପରେ ପ୍ରତିବନ୍ଧକ ଲଗାଇବାକୁ ଜନସାଧାରଣଙ୍କ ପକ୍ଷରୁ ଦାବି ହେଉଛି ।