ଅପରାଧ

ହନିଟ୍ରାପ୍ ଠକକୁ ଖସାଇବାକୁ ଉଦ୍ୟମ !

Email :

ଚାର୍ଜସିଟ୍ ଦାଖଲ ପୂର୍ବରୁ ବେଆଇନ୍ ଆଇନଗତ ଚକ୍ରାନ୍ତ ?

ଆସନ୍ତାକାଲି ପୁଣି ଜାମିନ ଆବେଦନ !

ବଲାଙ୍ଗୀର / ସୁନ୍ଦରଗଡ : ଦୁଇବର୍ଷ ତଳେ ୨୦୨୪ ରେ ଜନୈକା ବିଧବା ଗରିବ ଆଦିବାସୀ ମହିଳାଙ୍କୁ ଜାଲରେ ଫସାଇ ତାଙ୍କ ପୁଅକୁ ଚାକିରୀ ପ୍ରଲୋଭନ ଦେଇ ୧୫ ଲକ୍ଷ ଟଙ୍କା ଠକିନେଇଥିବା ଜଣେ ଆନ୍ତଃଜିଲ୍ଲା ଠକକୁ ଗତ ୨୭ ତାରିଖରେ ବରଗଡ ପୁଲିସ ସହାୟତାରେ ସୁନ୍ଦରଗଡ ପୁଲିସ ବଲାଙ୍ଗୀରରୁ ଗିରଫ କରି ସୁନ୍ଦରଗଡ କୋର୍ଟଚାଲାଣ କରିବା ମାମଲାରେ ପୂର୍ବରୁ ଥରେ ଜାମିନ ଆବେଦନ କରି ବିଫଳ ହେବା ପରେ ଆସନ୍ତାକାଲି ଆଉଥରେ ଅଭିଯୁକ୍ତ ଠକକୁ ଜାମିନ ଆବେଦନ ଜରିଆରେ ଖଲାସ କରିବାକୁ ଆଇନଗତ ଚକ୍ରାନ୍ତ କରାଯାଉଥିବାର ସୂଚନା ମିଳିଛି ।

ଏଥିପାଇଁ ରାଜନୈତିକ ଲିଙ୍କ୍ ର ଜନୈକା ମହିଳା ଓକିଲ ଓ ତାଙ୍କ ସହକାରୀ ଡରାଇ ଧମକାଇ ବଲାଙ୍ଗୀରରୁ ଅଭିଯୁକ୍ତର ପତ୍ନୀଙ୍କୁ ଡକାଇ ତାଙ୍କଠାରୁ ୫ ଲକ୍ଷ ଟଙ୍କା ଦିଆଇବା ସହ ଆଉ ୩ ଟି ଚେକ୍ ରେ ଆଗାମୀ ୨ ମାସ ମଧ୍ଯରେ ଅବଶିଷ୍ଟ ଠକେଇ ଟଙ୍କା ଦେବାର ପ୍ରତିଶ୍ରୁତି ଦେଇ ଏକ ବଣ୍ଡ୍ କାଗଜରେ ଅଭିଯୋଗକାରିଣୀଙ୍କର ଦସ୍ତଖତ କରାଇ ନେଇ ଆସନ୍ତାକାଲି କୋର୍ଟକୁ ଡକାଇ ଥିବା ପ୍ରକାଶ । ଅଧିକନ୍ତୁ ଏହାର ଏକକିତା ନକଲ ସମ୍ପୃକ୍ତ ତଦନ୍ତକାରୀ ପୁଲିସ ଅଧିକାରୀଙ୍କୁ ଦିଆଯାଇଥିବା ଜଣାଯାଇଛି ।

ପ୍ରକାଶ ଯେ , ପ୍ରଥମେ ଫେସ୍ ବୁକ୍ ରେ ବନ୍ଧୁତା ସ୍ଥାପନ କରି ବରଗଡ ଜିଲ୍ଲାର ଗାଇସିଲେଟ ଥାନାନ୍ତର୍ଗତ କନ୍ଦାଗାଡ ଗ୍ରାମର ଜଣେ ଅଭ୍ୟାସଗତ ଠକ ସରୋଜ କୁମ୍ଭାର ଓରଫ ସରୋଜ କୁମାର ଓରଫ ସରୋଜ ନନ୍ଦ ଓରଫ ରିତେଶ ତ୍ରିପାଠୀ ନିଜକୁ ଆୟକର ବିଭାଗର କମିଶନର ବୋଲି ଠକି ସୁନ୍ଦରଗଡ ଜିଲ୍ଲାର ଭସ୍ମା ଥାନାନ୍ତର୍ଗତ ଭାଲୁଗାଡର ବିଧବା ମହିଳା ରଞ୍ଜିତା କାଲୋଙ୍କ ଠାରୁ ତାଙ୍କ ପୁଅ ଫିରୋଜ କାଲୋକୁ ଚାକିରୀ କରାଇ ଦେବାର ମିଥ୍ୟା ପ୍ରଲୋଭନ ଦେଇ ଫୋନ୍ ପେ’ , ବ୍ୟାଙ୍କ ଓ ନଗଦ ମିଶାଇ ୧୫ ଲକ୍ଷ ଟଙ୍କା ଠକିନେଲା ପରେ ଆହୁରି ୧୦ ଲକ୍ଷ ଦାବି କରି ନ ଦେବାରୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ଆଉ ଧରାଛୁଆଁ ନ ଦେବାରୁ ସେ ଠକେଇର ଶିକାର ହୋଇଛନ୍ତି ଅନୁଭବ କରି ଗତ ୨୦୨୪ ରେ ଭସ୍ମାଥାନାରେ ଏକ ଲିଖିତ ଏତଲା ଦେଇଥିଲେ । ସେତେବେଳର ଆଇ ଆଇ ସି ସୁଶାନ୍ତ କୁମାର ପରିଡା ସୁନ୍ଦରଗଡ ଥାନାକୁ ବଦଳି ହୋଇ ଯିବା ପରେ ସୁନ୍ଦରଗଡ ଏସଡିପିଓ ନିର୍ମଳ ମହାପାତ୍ରଙ୍କ ତତ୍ତ୍ବାବଧାନରେ ନବନିଯୁକ୍ତ ଆଇ ଆଇ ସି ଅମର ହୋତାଙ୍କ ନେତୃତ୍ବରେ ଏକ ତଦନ୍ତକାରୀ ଟିମ୍ ସାଇବର ତଦନ୍ତ କରି ଅଭିଯୁକ୍ତକୁ ଠାବ କରି ଗତ ୨୬ ତାରିଖରେ ଆସି ବଲାଙ୍ଗୀର ପ୍ୟାଲେସ ଲାଇନ୍ ରେ ରହୁଥିବା ଅଭିଯୁକ୍ତ ଠକକୁ ବଲାଙ୍ଗୀର ଟାଉନଥାନାର ଭାଗିରଥୀ ଛକରୁ ଉଠାଇ ନେଇ ଗିରଫ କରିଥିବା ଓ ତା’ ଠାରୁ ଏକ ହୁଣ୍ଡାଇ ଭେରେନା କାର୍ , ୮ ଟି ବ୍ୟାଙ୍କ ପାସ୍ ବୁକ୍ , ୫ ଟି ଏଟିଏମ, ଗୋଟିଏ ସାମସଙ୍ଗ ଟାବଲେଟ୍ , ଚେକ୍ ବୁକ୍ ଆଦି ଜବତ କରି ପରଦିନ କୋର୍ଟ ଚାଲାଣ କରିଥିବା ଭସ୍ମାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ନିର୍ମଳ ମହାପାତ୍ରଙ୍କ ଠାରୁ ପ୍ରକାଶ । ଅଭିଯୁକ୍ତ ଏବେ ସୁନ୍ଦରଗଡ ଜିଲ୍ଲା କାରାଗାରରେ ରହିଛି ।

ଅଭିଯୁକ୍ତର ପତ୍ନୀ କରିସ୍ମା ବାରିକ ବଲାଙ୍ଗୀର ଟାଉନଥାନା ଅନ୍ତର୍ଗତ ପ୍ୟାଲେସ୍ ଲାଇନ୍ ର ଏମ୍ ସ ସ୍କୁଲ୍ ଗଳିର ଏଲ୍ ବି ଏସ୍ ହେରିଟେଜ୍ ନାମକ ଏକ ଭବ୍ୟ ଆପାର୍ଟମେଣ୍ଟରେ ଭଡାରେ ରହୁଛନ୍ତି ଓ ଏବେ ବି ତାଙ୍କ ପାଖରେ ଏକ କାର୍ ଓ ୫ ଟି ସ୍କୁଟି+ ବାଇକ୍ ରହିଥିବା ଦେଖାଯାଇଛି । ସେ ଗତ ୬ ତାରିଖରେ ସୁନ୍ଦରଗଡ ଯାଇ ଥରେ ଜାମିନ ଆବେଦନ କରି ବିଫଳ ହେବା ପରେ ଓକିଲଙ୍କ ଜରିଆରେ ଅଭିଯୋଗକାରିଣୀଙ୍କୁ ଡକାଇ ୫ ଲକ୍ଷ ଟଙ୍କା ଦେବା ସହ ଏକ ବଣ୍ଡ୍ ପେପରରେ ତାଙ୍କ ଠାରୁ ଇଂରାଜୀରେ ଲିଖିତ ଏକ ରାଜିନାମା ଲେଖାଇ ନେଇ ଆଉ ୩ ଟି ଚେକ୍ ରେ ଠକେଇର ବାକି ଟଙ୍କା ଦେବାର ପ୍ରଲୋଭନ ଦେଖାଇ ଥିବା ପ୍ରକାଶ । ଏହି ଅଗ୍ରୀମ ରାଜିନାମାର ଏକକିତା ନକଲ ମଧ୍ଯ ଭସ୍ମା ଥାନାରେ ଦିଆଯାଇଛି ।

ଉଲ୍ଲେଖଯୋଗ୍ଯ ଯେ , ପୂର୍ବରୁ ଏହି ଠକ ବିରୋଧରେ ବଲାଙ୍ଗୀର, ସୁବର୍ଣ୍ଣପୁର ଓ ଭୁବନେଶ୍ଵରରେ ଏକାଧିକ ଠକେଇ ଅଭିଯୋଗ ରହିଛି ଓ ସେ କେତେବେଳେ ନିଜକୁ ପ୍ରଫେସର ( ଜବତ କରାଯାଇ ନ ଥିବା ବଲାଙ୍ଗୀରରେ ରଖାଯାଇଥିବା ତାଙ୍କ ପତ୍ନୀଙ୍କ କାର୍ ପଛପଟେ ‘ ପ୍ରଫେସର ‘ ଲେଖାହୋଇଥିବା ) , କେତେବେଳେ ଆୟକର ବିଭାଗର କମିଶନର, ବିକ୍ରିକର କମିଶନର ଓ ଅନ୍ଯାନ୍ଯ ମିଥ୍ୟା ପରିଚୟ ଦେଇ ବର୍ଷ ବର୍ଷ ଧରି ବିଭିନ୍ନ ଠକେଇରେ ଜଡିତ ରହି ବିଳାସ ବ୍ୟସନରେ ରହିଆସୁଥିବା ସ୍ଥଳେ , ତା’ ପାଖରେ ଥିବା ଏତେ ସଂଖ୍ୟକ ଯାନବାହନକୁ କେତେଜଣ ଓ କେଉଁମାନେ ବ୍ୟବହାର କରୁଛନ୍ତି ; ଏହାର ସମ୍ପୂର୍ଣ୍ଣ ତଦନ୍ତ ଅନିବାର୍ଯ୍ୟ ଥିବା ବେଳେ , ତାଙ୍କ ପତ୍ନୀଙ୍କୁ ମଧ୍ଯ ଏପରି ଠକେଇରେ ସମ୍ପୃକ୍ତି ରହିଥିବା ତଦନ୍ତକାରୀ ପୁଲିସ ସୂତ୍ରରୁ ପ୍ରକାଶ । ଯଦି ଉକ୍ତ ଅଭିଯୁକ୍ତ ଠକ ଜଣକ ଜାମିନରେ ଜେଲ୍ ହାଜତରୁ ବାହାରକୁ ବାହାରନ୍ତି , ପତ୍ନୀଙ୍କ ସହ କେଉଁଆଡ଼େ ଫେରାର୍ ହୋଇଯିବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ଜନସାଧାରଣଙ୍କ ମଧ୍ଯରେ ଚର୍ଚ୍ଚା ହେଉଛି ।

ତେବେ ପ୍ରଶ୍ନ ଉଠିବା ସ୍ବାଭାବିକ୍ ଯେ , ଗତ ମାସ ୧୭ ତାରିଖରେ କୋର୍ଟଚାଲାଣ କରାଯାଇଥିବା ଜଣେ ଏଭଳି ଗିରଫ ଆନ୍ତଃଜିଲ୍ଲା ଠକ ବିରୁଦ୍ଧରେ ସମ୍ପୂର୍ଣ୍ଣ ତଦନ୍ତ ଓ ଅଭିଯୋଗଫର୍ଦ୍ଦ କୋର୍ଟରେ ଦାଖଲ ପୂର୍ବରୁ ତାଙ୍କୁ ପରୋକ୍ଷ ରାଜନୈତିକ ଲିଙ୍କ୍ ରେ ଉପରୋକ୍ତ ଆଇନଗତ ଚକ୍ରାନ୍ତ କେତେଦୂର ସ୍ପୃହଣୀୟ ବୋଲି ଲୋକେ ପ୍ରଶ୍ନ କରୁଛନ୍ତି ?

Leave a Reply

Your email address will not be published. Required fields are marked *

Related Post