କୌଣସି ବ୍ୟବସ୍ଥାର ସଂସ୍କାର ନାହିଁ । ବରଂ ବଢୁଛି ଦୁର୍ନୀତି ।
ଛତୁଆରୁ ପଞ୍ଚାୟତ ନିଯୁକ୍ତି ଯାଏଁ ସବୁଠି ଉତ୍କୋଚ ଖୋଲାଖୋଲି !
ବଲାଙ୍ଗୀର : ରାଜ୍ୟରେ ନୂଆସରକାର ଆସିଲା ପରେ ବି କୌଣସି ସରକାରୀବିଭାଗର ସଂସ୍କାର ପରିଲକ୍ଷିତ ହୋଇପାରିନାହିଁ । ବରଞ୍ଚ କେତେକ ବିଭାଗରେ ଖୋଲାଖୋଲି ଉତ୍କୋଚ ଆଦାୟ ନିରଙ୍କୁଶ ହୋଇପଡିଥିବା ଚର୍ଚ୍ଚା ହେଉଛି । ଯାହା ଗତସରକାର ଅମଳରେ ଚାଲିଛିଥିଲା , ତାହା ଏବେ ବି ଏ ସରକାର ଅମଳରେ ଚାଲିଥିବାର ଅଭିଯୋଗ ହେଉଛି । ଜନସାଧାରଣଙ୍କର ଜନମତ ସମ୍ବଳିତ କୌଣସି ଜନଅଭିଯୋଗ ଗଣମାଧ୍ୟମରେ ପ୍ରକାଶ ପାଇଲେ ବି ସରକାରଙ୍କ କାନକୁ ଯାଉନାହିଁ କିମ୍ବା ସରକାର ଜାଣିଶୁଣି ନୀରବ ରହିଛନ୍ତି । ତେଣୁ କଥାରେ କୁହାଯାଏ : ‘ ତୁ ତ ମୁତୁରୀ , ମୁଁ ତ ମୁତୁରୀ , ହେଁସ କାହିଁପାଇଁ ଧୋଇବା ? ଆ’ଲୋ ମୁତୁରୀ , ଶୋଇବା ! ‘ ତୃଣମୂଳରୁ ଶୀର୍ଷ ପର୍ଯ୍ୟନ୍ତ ଦୁର୍ନୀତିର ଅସହ୍ୟ ମୁତଗନ୍ଧରେ ଗନ୍ଧାଉଛି ଚାରିଆଡ ! ଲୋକେ ପସ୍ତାଇଲେଣି !
ଯଦି ବଲାଙ୍ଗୀର ଜିଲ୍ଲାକୁ ଉଦାହରଣ ରୂପେ ନିଆଯାଏ , ଏହି ଜିଲ୍ଲାରେ ଶିଶୁଖାଦ୍ୟ ଛତୁଆରୁ ବାଟମାରଣା ଗତ କିଛି ବର୍ଷହେଲା ସୀମାଲଙ୍ଘନ କରିଛି । ସମନ୍ବିତ ଶିଶୁବିକାଶ ଯୋଜନା ବନାମ ଶିଶୁ ବିକାଶ ପ୍ରକଳ୍ପରେ ଗର୍ଭବତୀ ମହିଳା , ଜନ୍ମଠାରୁ ୬ ବର୍ଷ ବୟସ ପର୍ଯ୍ୟନ୍ତ ଶିଶୁ ଓ ପ୍ରସୂତୀ ମାଆମାନଙ୍କର ପୁଷ୍ଟିକର ଖାଦ୍ୟ ଯୋଗାଇଦିଆଯିବାକୁ ସରକାର ମିଶନଶକ୍ତି ଜରିଆରେ ମହିଳାଙ୍କୁ ସ୍ବାବଲମ୍ବୀ କରିବା ଲକ୍ଷ୍ୟରେ ଏସ୍ ଏଚ୍ ଜି ମାଧ୍ୟମରେ ଏଇ ଶିଶୁଖାଦ୍ୟ ବା ଛତୁଆ ପ୍ରସ୍ତୁତକାରୀ ୟୁନିଟ୍ ସ୍ଥାପନ ନିମନ୍ତେ ପ୍ରୋତ୍ସାହିତ କରିଆସୁଛନ୍ତି । ଏଥିରେ ପରିଷ୍କାର ପରିଚ୍ଛନ୍ନ ପରିବେଶରେ ଗୃହିଣୀମହିଳାମାନେ ଗହମ , ବାଦାମ , ଚଣା , ଚିନି ଆଦି ଭାଜି ଗୁଣ୍ଡକରି ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଅଙ୍ଗନବାଡି କେନ୍ଦ୍ରଗୁଡ଼ିକୁ ଯୋଗାଇବାର ବ୍ୟବସ୍ଥା କରିଛନ୍ତି ।
ତେବେ ଲକ୍ଷ୍ୟକରାଯାଉଛି ଯେ , ଏଇ ତଥାକଥିତ ମିଶନଶକ୍ତିର ଏସ୍ ଏଚ୍ ଜି ର ପଛରେ ବେପାରୀମାନେ , ଉକ୍ତ ଗୋଷ୍ଠୀର ସ୍ବାମୀ ଭାଇ ପୁଅ ଆଦି ପୁରୁଷମାନେ ଓ ମୁଖ୍ୟତଃ ଏହାର ସଭାନେତ୍ରୀ ଓ ସମ୍ପାଦିକାମାନଙ୍କର ଏହା ବାଟମାରଣାର ମୁଖ୍ୟମାଧ୍ୟମ ପାଲଟିଯାଇଛି । ଏଥିରେ ସିଡିପିଓ , ସୁପରଭାଇଜର , ବିଡିଓ , ଏସିଇଓ , ବ୍ଲକ୍ ଅଧ୍ୟକ୍ଷ , ସରପଞ୍ଚ ଓ କ୍ୟାସିଅର ଆକାଉଣ୍ଟାଣ୍ଟ୍ ଙ୍କ ଠାରୁ ଆରମ୍ଭ କରି ଉପଖଣ୍ଡ ସାମାଜିକ କଲ୍ୟାଣ ଅଧିକାରୀ , ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ , ଗୁଣବତ୍ତା ଯାଞ୍ଚ ଅଧିକାରିଣୀ ବା ଡିସିଓ , ଉପଜିଲ୍ଲାପାଳ , ଏଡିଏମ୍ ଓ ଜିଲ୍ଲାପାଳ , ବିଧାୟକ , ସାଂସଦ , ମନ୍ତ୍ରୀ , ତଦୁର୍ଦ୍ଧ୍ବ ଅଧିକାରୀ ଓ ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ପ୍ରାୟ ସମସ୍ତେ ମୁନାଫାର ଅଂଶୀଦାର ରହିଆସିଥିବା ଅଭିଯୋଗ ଚର୍ଚ୍ଚାରେ ରହିଆସିଛି !
ଏହାପୂର୍ବରୁ ଗତ ସରକାରଙ୍କ ଅମଳରେ ଟିଟିଲାଗଡ ବିଧାୟିକା ଟୁକୁନୀ ସାହୁ ଏହିବିଭାଗ ମହିଳା ଓ ଶିଶୁବିକାଶ ବିଭାଗର ମନ୍ତ୍ରୀ ଥିଲାବେଳେ ଅନେକବାର ଏଭଳି ଦୁର୍ନୀତି ନିମନ୍ତେ ତାଙ୍କ ଉପରକୁ ମଧ୍ୟ ଲୋକଅଭିଯୋଗର ଅଙ୍ଗୁଳିନିର୍ଦ୍ଦେଶ ପ୍ରକାଶ ପାଇଥିଲେ ହେଁ , ସରକାର ଏଥିପ୍ରତି କର୍ଣ୍ଣପାତ ସୁଦ୍ଧା କରି ନଥିଲେ । ଏକାଧିକବାର ଏଇ ଜିଲ୍ଲାରେ ଛତୁଆ ପ୍ରସ୍ତୁତକାରୀ ଏସଏଚଜିଙ୍କ ସହ ବିଭାଗୀୟ ସିଡିପିଓ ଓ ସୁପରଭାଇଜରଙ୍କ।ମଧ୍ୟରେ ବିବାଦୀୟ ପରିସ୍ଥିତି ସୃଷ୍ଟିହୋଇ ଭିଜିଲାନ୍ସ ଧରପଗଡ ଓ ଗିରଫ ହେଲାପରି ଅପ୍ରିୟପରିସ୍ଥିତି ଘଟିସାରିଛି ।
ସଦ୍ୟତମ ଚର୍ଚ୍ଚା ଓ ଅଭିଯୋଗ ଅନୁଯାୟୀ , ଜିଲ୍ଲାରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀଙ୍କ ଅଫିସ୍ ରେ ଗତ ୭/୮ ମାସ ହେଲି ଛତୁଆବିଲ୍ ଅଟକି ରହିଛି । ଶୁଣିବାକୁ ମିଳେ ଯେ ଗତ ନୂଆଖାଇ ନିମନ୍ତେ ମାତ୍ର ଗୋଟିଏ ମାସର ବିଲ୍ କରିଦିଆଯାଇ ଅବଶିଷ୍ଟ ବିଲ୍ କରିବାକୁ ପ୍ରତି ଏସ୍ ଏଚ୍ ଜି କୁ ଲକ୍ଷେଟଙ୍କାର ବଟି ନିର୍ଦ୍ଦେଶ ଦିଆଯାଇଛି । ଏ ନିର୍ଦ୍ଦେଶ କୁଆଡେ ବଡଭାଇ ବଳିଆଙ୍କର ? ଏବେ ଭଉଣୀ ସୁଭଦ୍ରାଙ୍କ ହାତରେ ଏଇ ବିଭାଗଟି ରହିଛି । କାଳିଆଭାଇ ହାତରେ କ’ଣ ଅଛି ? ସେ ତ ଦାରୁଭୂତ ମୁରାରୀ କାଠପୁତୁଳୀଟିଏ । ଯେମିତି ନଚାଇଲେ , ନାଚୁଛନ୍ତି !
ତେବେ ଏ ଚର୍ଚ୍ଚାରେ କେତେଦୂର ସତ୍ୟତା ରହିଛି , ତଦନ୍ତସାପେକ୍ଷ । କୁହାଯାଉଛି , ଖାଲି ଏଇ ଶିଶୁଖାଦ୍ୟରୁ ନୁହେଁ , ଜନସ୍ୱାସ୍ଥ୍ୟ , ପୂର୍ତ୍ତ , ବିଜୁଳି , କୃଷି , ବ୍ଲକ୍ , ପଞ୍ଚାୟତର ଜିଆରଏସ୍ ନିଯୁକ୍ତି ପର୍ଯ୍ୟନ୍ତ ସବୁଆଡେ ମହାଲକ୍ଷ୍ମୀଙ୍କର ନିରଙ୍କୁଶ ଆଦେଶର ସଂଗୀତ ଶୁଭୁଛି ! ଜୟ କଳା !
ସେମାନେ ତ ଏଇଆ କରୁଥିଲେ , ଏବେ ତମହାତରେ ଅଡା ! କ’ଣଟା କୋଉଠି ବଦଳିଛି ? କାହିଁକି ଉପେ କହିଥିଲେ ଆରମ୍ଭବେଳେ ଏଇଠି ଯେ , ଏଥରକ କୁଆଡେ ପିସିଫିସି ଲାଞ୍ଚଫାଞ୍ଚ ସବୁ ବନ୍ଦ ? କାହିଁକି କହୁଥିଲେ ଯେ ! ତେବେ ଏତେ ହାଁ ହାଁ ହେବାଟା ଜମା ଭଲ ନୁହଁ ମ !






“ଦୃଷ୍ଟିପାତ “ଓଡିଆ ନିଉଜ୍ ପୋର୍ଟାଲ୍ ହେଉଛି , ୧୯୯୪ ରୁ ବଲାଙ୍ଗୀରରୁ ପ୍ରକାଶ ପାଉଥିବା ‘ପାକ୍ଷିକ ଦୃଷ୍ଟିପାତ ‘ ଓ ପରେ ପ୍ରକାଶିତ ‘ ସାପ୍ତାହିକ ‘ ଦୃଷ୍ଟିପାତ ‘ ସମ୍ବାଦପତ୍ରର ଆଧୁନିକ ଇ- ପତ୍ରିକା ସଂସ୍କରଣର ରୂପାନ୍ତରିତ ଉଏବ୍ ପୋର୍ଟାଲ୍ । ଏହା ମୁଖ୍ୟତଃ ରାଜ୍ୟ ତଥା ଦେଶର ଗଣମାଧ୍ୟମରେ ପ୍ରକାଶିତ ଖବରର ଏକ ତର୍ଜମାତ୍ମକ ଉପସ୍ଥାପନା ଓ ବିଭିନ୍ନ ଗଣମାଧ୍ୟମ ସୂତ୍ରରୁ ସଂଗୃହୀତ ତଥ୍ୟର ନିଜସ୍ୱ ଅନୁସନ୍ଧାନମୂଳକ ନିରପେକ୍ଷ ଖବର ପରିବେଷଣ । ଏଥିରେ କାହାର ମାନହାନୀ ବା ଏହା କ୍ଷତିସାଧନ ନିମନ୍ତେ ଉଦ୍ଦିଷ୍ଟ ନୁହେଁ ଓ ଜନହିତରେ ପ୍ରସାରିତ ସରକାର ବା ପ୍ରଶାସନର ଦୃଷ୍ଟିଆକର୍ଷଣର ଜନମତ ସମ୍ବଳିତ ଏକ ପ୍ରୟାସ ମାତ୍ର । ଏକ ଦୁର୍ନୀତିମୁକ୍ତ ସୁସ୍ଥ ସମାଜ ଗଠନ ଏହାର ଲକ୍ଷ୍ୟ ଓ ଏକାନ୍ତ ଉଦ୍ଦେଶ୍ୟ ଅଟେ।