ନରହତ୍ୟା ଓ କୋଟି କୋଟି ଠକେଇରେ କାଳକ୍ଷେପଣର କାରଣ କ’ଣ ?
ସୋନପୁର : ସୁବର୍ଣ୍ଣପୁର ବନାମ ସୋନପୁର ଜିଲ୍ଲାର ପୁଲିସ୍ ଓ ଅନ୍ୟାନ୍ୟ ତଦନ୍ତକାରୀ ସରକାରୀ ସଂସ୍ଥା ଦ୍ବାରା ବହୁଚର୍ଚ୍ଚିତ ନରହତ୍ୟା ଓ କୋଟି କୋଟି ଟଙ୍କାର ଠକେଇ ପରି ଗୁରୁତ୍ୱପୂର୍ଣ୍ଣ ମାମଲାଗୁଡିକର ତଦନ୍ତରେ ଅବହେଳା କରାଯାଇଆସୁଥିବା ଲୋକଙ୍କ ପକ୍ଷରୁ ଅଭିଯୋଗ ପ୍ରକାଶ ପାଇଛି । ତେବେ ଏପରି ଅହେତୁକ କାଳକ୍ଷେପଣର କାରଣ ସମ୍ପର୍କରେ କେବେ ବି ନିର୍ବାଚିତ ଲୋକପ୍ରତିନିଧି ବା ଗଣମାଧ୍ୟମରେ ଉଠାଯାଉ ନଥିବା ଆଶ୍ଚର୍ଯ୍ୟର ବିଷୟ ! କହିବାବାହୁଲ୍ୟ ଯେ , ଏଭଳି କାରଣରୁ କିଛିବର୍ଷ ତଳର ଏକାଧିକ ଏଭଳି ମାମଲାର ତଦନ୍ତ ଫୁସ୍ ହେଇଯାଇଛି ।
ଉଦାହରଣ ସ୍ୱରୂପ , ଗତବର୍ଷ ନଭେମ୍ବର ୨୨ ତାରିଖରେ ଘଟିଥିବା ବୀରମହାରାଜପୁର ଥାନା ହିକୁଡି ଫାଣ୍ଡି ଅନ୍ତର୍ଗତ କେଶଲପୁରା ଗ୍ରାମର ଶିକ୍ଷକ ଲୋକନାଥ ନାଏକଙ୍କ ମୃତଦେହ ପରଦିନ ସୋନପୁର ଥାନା ପୁଲିସ୍ ଦ୍ବାରା ମହାନଦୀରୁ ଉଦ୍ଧାର କରାଯିବା ହତ୍ୟା ଅଭିଯୋଗ ମାମଲା ! ଯାହାର ଭେସରା ରିପୋର୍ଟ ଅଦ୍ୟାବଧି ଆସି ନଥିବା ବେଳେ ପରିବାର ପକ୍ଷରୁ ବାରମ୍ବାର ଏସପିଙ୍କୁ ଭେଟି ଦାବି କରାଯାଇ ଆସୁଥିବା ସତ୍ତ୍ୱେ ପୁଲିସ୍ ଆଜିକାଲି କହି ଦିନ ଗଡାଉଛି ।
ଆହୁରି ମଧ୍ୟ ଏଇ ନରହତ୍ୟା ମାମଲାଟିର ଅନ୍ୟାନ୍ୟ ଜରୁରୀ ତଦନ୍ତକୁ ତଦନ୍ତକାରୀ ଅଧିକାରୀଙ୍କ ସମେତ ସୁପରିଭିଜନ୍ ଅଧିକାରୀମାନେ ଜାଣିଶୁଣି ଅବହେଳା କରି ଆସୁଥିବା ଅଭିଯୋଗ କରାଯାଇଛି । ଯଥା : ଶବ ଉଦ୍ଧାର ବେଳର ମୃତଦେହଟି ପାଣିରେ ଭାସୁଥିବାବେଳେ ଭିତରକୁ ପାଣି ପଶି ନଥିବାବା ଡାଏଟମ୍ ଟେଷ୍ଟ୍ ରିପୋର୍ଟ , ପାରିପାର୍ଶ୍ବିକ ସ୍ଥାନର ସଠିକ୍ ନିରୀକ୍ଷଣ , ସନ୍ଦିଗ୍ଧ ଅଭିଯୁକ୍ତ ପତ୍ନୀ , ସମ୍ପର୍କୀୟା ପର୍ବତାରୋହିଣୀ , ହିକୁଡି ଫାଣ୍ଡିର ହୋମ୍ ଗାର୍ଡ , କନେଷ୍ଟବଳ , ଫାଣ୍ଡି ଅଧିକାରୀ ପ୍ରମୁଖଙ୍କୁ ପଚରାଉଚୁରା , ଶବବ୍ୟବଚ୍ଛେଦ ରିପୋର୍ଟରେ ଥିବା ପ୍ଳୀହା ଆଘାତଜନିତ ମୃତ୍ୟୁର ସମ୍ଭାବନା ଓ ମୃତକର ମୋବାଇଲ୍ ର ସନ୍ଧାନ ଇତ୍ୟାଦି ।
ଗତବର୍ଷ ଲଛିପୁର ଥାନାନ୍ତର୍ଗତ ଲଛିପୁରର କାଳିଆ ମେହେର ଆତ୍ମହତ୍ୟା ମାମଲାରେ ବାରମ୍ବାର ପରିବାର ଲୋକଙ୍କ ଦାବିକ୍ରମେ ଭିଣେଇ ଡଗର ମେହେରକୁ ଦାୟୀ ଭାବେ ଯଥେଷ୍ଟ ବିଳମ୍ବରେ ଗିରଫ କରାଯାଇ ଥିଲେ ହେଁ , ସେହି ଅଞ୍ଚଳରେ ହେଉଥିବା ମୋବାଇଲ୍ ଅନ୍ ଲାଇନ୍ ଜୁଆଖେଳର ଦିଗ ପ୍ରତି ପୁଲିସ୍ ଆଦୌ ଦୃଷ୍ଟି ଦେଇ ନଥିଲା ।
ସେହିପରି ସୋନପୁରର ଜଣେ କନେଷ୍ଟବଳକୁ ବଲାଙ୍ଗୀର ରେଳଷ୍ଟେସନ ନିକଟସ୍ଥ ଲଜ୍ ରେ ହତ୍ୟାକାଣ୍ଡର ପ୍ରକୃତ କାରଣ ଓ ଆହୁରି ଜଡିତ ସନ୍ଦିଗ୍ଧ ଆସାମୀଙ୍କୁ ତଦନ୍ତକାରୀ ପୁଲିସ୍ ଛାଡିଦେଇଥିବା ଚର୍ଚ୍ଚା । ନିକଟରେ ସୋନପୁର ଉଠା ଜଳସେଚନ ନିଗମର ସହକାରୀ ହିସାବ ରକ୍ଷକଙ୍କ ୧ କୋଟି ୧୯ ଲକ୍ଷଟଙ୍କା ହଡପ ମାମଲାରେ ସୋନପୁର ଥାନା ପୁଲିସ୍ ନିଜ ମୁଣ୍ଡରୁ ଦାୟିତ୍ୱ ଖସାଇ ଭିଜିଲାନ୍ସକୁ ମାମଲାର ହସ୍ତାନ୍ତର ପରେ ସୋନପୁର ଭିଜିଲାନ୍ସର ଅହେତୁକ କାଳକ୍ଷେପଣ । ଏଥିରେ ଅଭିଯୁକ୍ତକୁ ହାଇକୋର୍ଟରେ ଜାମିନ୍ ମିଳିବାକୁ ସୁଯୋଗ ଦିଆ ଯାଉଥିବା ଓ ନିଗମର ନିର୍ବାହୀ ଯନ୍ତ୍ରୀଙ୍କୁ ଭୁବନେଶ୍ବର ମୁଖ୍ୟ କାର୍ଯ୍ୟାଳୟକୁ ବଦଳି ଘଟଣା ମଧ୍ୟ ସନ୍ଦେହଜନକ ।
ସଦ୍ୟତମ ସୋନପୁର ମହାନଦୀ ସେତୁ ଉପରୁ ମେଣ୍ଡାର ବଲାଙ୍ଗୀରରେ ରହି ଓଟିଭି ତରଙ୍ଗ ଚ୍ୟାନେଲ୍ ର ମାର୍କେଟିଂ କର୍ମଚାରୀଙ୍କ ପର୍ସ , ବାଇକ୍ , ଚପଲ ଆଦି ଛାଡି ନିଖୋଜ ହୋଇଯାଇଥିବା ଘଟଣାକୁ ହାଲୁକା ଭାବେ ନେଇଥିବା ଇତ୍ୟାଦି ଅନେକ ଚର୍ଚ୍ଚିତ ମାମଲାରେ ସୋନପୁର ପୁଲିସ୍ ର ଅବହେଳାକୁ ଲୋକେ ସମାଲୋଚନା କରିଛନ୍ତି ।
ଉଲ୍ଲେଖନୀୟ ଯେ , ପୂର୍ବର ଖମ୍ବେଶ୍ବରୀପାଲି ମଦ କୁଚିଆ ହତ୍ୟାକାଣ୍ଡ , ଉଲୁଣ୍ଡା ଥାନାନ୍ତର୍ଗତ ନିମନା ଗ୍ରାମର ଶରତ ପାଣ୍ଡିଆ ହତ୍ୟାକାଣ୍ଡ ଓ ଆହୁରି ଅନେକ ଚାଞ୍ଚଲ୍ୟକର ନରହତ୍ୟାମାମଲାର ଶେଷକୁ କୌଣସି ତଦନ୍ତ ଫଳାଫଳ ବାହାରି ପାରି ନଥିଲା ।
ତେଣୁ ଏଥିପ୍ରତି ଗୃହବିଭାଗର ସ୍ବତନ୍ତ୍ର ଦୃଷ୍ଟି ଆକର୍ଷଣ କରାଯାଉଛି ।

“ଦୃଷ୍ଟିପାତ “ଓଡିଆ ନିଉଜ୍ ପୋର୍ଟାଲ୍ ହେଉଛି , ୧୯୯୪ ରୁ ବଲାଙ୍ଗୀରରୁ ପ୍ରକାଶ ପାଉଥିବା ‘ପାକ୍ଷିକ ଦୃଷ୍ଟିପାତ ‘ ଓ ପରେ ପ୍ରକାଶିତ ‘ ସାପ୍ତାହିକ ‘ ଦୃଷ୍ଟିପାତ ‘ ସମ୍ବାଦପତ୍ରର ଆଧୁନିକ ଇ- ପତ୍ରିକା ସଂସ୍କରଣର ରୂପାନ୍ତରିତ ଉଏବ୍ ପୋର୍ଟାଲ୍ । ଏହା ମୁଖ୍ୟତଃ ରାଜ୍ୟ ତଥା ଦେଶର ଗଣମାଧ୍ୟମରେ ପ୍ରକାଶିତ ଖବରର ଏକ ତର୍ଜମାତ୍ମକ ଉପସ୍ଥାପନା ଓ ବିଭିନ୍ନ ଗଣମାଧ୍ୟମ ସୂତ୍ରରୁ ସଂଗୃହୀତ ତଥ୍ୟର ନିଜସ୍ୱ ଅନୁସନ୍ଧାନମୂଳକ ନିରପେକ୍ଷ ଖବର ପରିବେଷଣ । ଏଥିରେ କାହାର ମାନହାନୀ ବା ଏହା କ୍ଷତିସାଧନ ନିମନ୍ତେ ଉଦ୍ଦିଷ୍ଟ ନୁହେଁ ଓ ଜନହିତରେ ପ୍ରସାରିତ ସରକାର ବା ପ୍ରଶାସନର ଦୃଷ୍ଟିଆକର୍ଷଣର ଜନମତ ସମ୍ବଳିତ ଏକ ପ୍ରୟାସ ମାତ୍ର । ଏକ ଦୁର୍ନୀତିମୁକ୍ତ ସୁସ୍ଥ ସମାଜ ଗଠନ ଏହାର ଲକ୍ଷ୍ୟ ଓ ଏକାନ୍ତ ଉଦ୍ଦେଶ୍ୟ ଅଟେ।