ଓ ଏସ୍ ଏସ୍ ଏସ୍ ପରୀକ୍ଷାକୁ ଅଧିକ ନଜର୍
ଇ ନ୍ ସା ଇ ଡ ର୍ ଟ୍ରେଡିଂ ବା ମେରିଟ୍ ଦୁର୍ନୀତି କୌଶଳ
ଭୁବନେଶ୍ବର : ସୀମିତ ସରକାରୀ ଚାକିରୀ ବାହାରୁଥିବା ସହିତ ମୁଖ୍ୟତଃ ଆଉଟ୍ ସୋର୍ସିଂ ଜରିଆରେ ପିଲାଙ୍କୁ ଚାକିରୀ ଦିଆଯାଉଥିବାରୁ ରାଜ୍ୟରେ ବେକାରୀସମସ୍ୟା ଉତ୍କଟ ହୋଇପଡିଛି । ଏହାର ଫାଇଦା ନେଇ ଠକମାନେ ଚାକିରୀ ଆଶାୟୀଙ୍କୁ ବିଭିନ୍ନ ଅଭିନବ କୌଶଳରେ ଠକି ଚାଲିଛନ୍ତି । ଏବେ ଖୋଦ୍ ଓଡିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ ବା ଓ ଏସ୍ ଏସ୍ ଏସ୍ ସି ପରୀକ୍ଷାରେ ମଧ୍ୟ ଚଞ୍ଚକତା ପୂର୍ବକ ଚାକିରୀବିକ୍ରି ରାକେଟ୍ ସକ୍ରିୟ ରହିଥିବା ସମ୍ପର୍କିତ ଏକ ଖବର ପ୍ରକାଶ ପାଇ ଚାଞ୍ଚଲ୍ଯ ସୃଷ୍ଟି କରିଛି ।
ଏହି ଅନୁଯାୟୀ , ଚାକିରୀ ନିମନ୍ତେ ହେଉଥିବା ପରୀକ୍ଷାରେ କୌଣସି ପାଠଶାଠ ନ ପଢି କେବଳ ପରୀକ୍ଷା ହଲ୍ ରେ ବସି କମ୍ପ୍ୟୁଟର ମାଉସ୍ କୁ ଏପଟ ସେପଟ କରିବାର ଅଭିନୟ କରି ଟଙ୍କା ଦେଇ ଚାକିରୀ ପାଇବାକୁ ଏହି ଠକରାକେଟ୍ ଆଶାୟୀମାନଙ୍କୁ ପ୍ରବର୍ତ୍ତାଉଛି । ଏଥିରେ ଅଗ୍ରୀମ ସ୍ବରୂପ ୧ ଲକ୍ଷରୁ ୨ ଲକ୍ଷ ଓ ତିନିଲକ୍ଷ ଦେବାପରେ ଆର୍ ଆଇ ପାଇଁ ୧୭ ଲକ୍ଷ , ଫରେଷ୍ଟର ଓ ପଶୁଧନ ନିରୀକ୍ଷକ ବା ଏଲ୍ ଆଇ ଚାକିରୀ ପାଇଁ ୧୬ ଲକ୍ଷ ଟଙ୍କା ଦେବାକୁ କୁହାଯାଉଛି । ଏପରିକି ଚାକିରୀ ପାଇସାରିବାର ଦୁଇମାସ ମଧ୍ୟରେ ୟୁପିଆଇ ଜରିଆରେ ମଧ୍ୟ ଟଙ୍କା ଦେଇ ଚାକିରୀ କିଣିବାକୁ ସିଧା ସିଧା ଅଫର୍ ଦିଆଯାଉଥିବା ପ୍ରକାଶ ।
ନିକଟରେ ଜଣେ ଫରେଷ୍ଟର ଚାକିରୀ ଆଶାୟୀଙ୍କୁ ଶାରିରୀକ ପରୀକ୍ଷା କରା ନଯିବାରୁ ସେ ପର୍ଯ୍ୟାୟକ୍ରମେ ୧ , ୨ ଓ ୩ ଲକ୍ଷ ଦେବାପରେ ଆଉ ୧ ଲକ୍ଷ ଦେବାକୁ ଦାବି କରାଯିବାରୁ ତାଙ୍କର ସନ୍ଦେହ ସୃଷ୍ଟି ହୋଇଥିଲା । ଏହାପରେ ଘଟଣା ଲୋକଲୋଚନକୁ ଆସିଛି । ଏଭଳି ଅବୈଧ କାରବାରରେ ନିଶ୍ଚିତ ଭାବରେ ଆୟୋଗ ଅଫିସ୍ ର କେହି କେହି ଜଡିତ ଥାଇ ବଡବଡିଆ ସମ୍ପୃକ୍ତ ଥିବାରୁ ଏଭଳି ଚାକିରୀବିକ୍ରିର ଠକରାକେଟ୍ ନିର୍ଭୟରେ ଚଳାଇଥିବା ଅନୁମାନ କରାଯାଉଛି । ଏଥିରେ ଆୟୋଗର ସ୍ବଚ୍ଛତା ଓ ବିଶ୍ବସନୀୟତା ପ୍ରତି ସନ୍ଦେହ ସୃଷ୍ଟି ହୋଇଥିବା ପ୍ରକାଶ ।
ଏହାକୁ ଇନ୍ ସାଇଡର୍ ଟ୍ରେଡିଂ ବା ମେରିଟ୍ ଦୁର୍ନୀତି ବୋଲି କୁହାଯାଉଛି । ଏହି ଅନୁଯାୟୀ , ପରୀକ୍ଷାର୍ଥୀ ବା ପରୀକ୍ଷକ ପରୀକ୍ଷାରେ କୌଣସି ଅନିୟମିତତା ନ କରି ଫଳାଫଳ ଘୋଷଣା ପୂର୍ବରୁ ଏକ ଆଗତୁରା କାଳ୍ପନିକ ଅପଚେଷ୍ଟା କରାଯାଇଥାଏ । ଯିଏ ଚାକିରୀ ପାଇଯାଏ , ତା’ଠାରୁ ଏଇ ତଥାକଥିତ ଫିକ୍ସିଂ ଆଳରେ ଲକ୍ଷ ଲକ୍ଷ ଟଙ୍କା ମାରି ନିଆଯାଏ । ଏଥିରେ ଧରାପଡିବାର ବା ଧରାପଡିଲେ ବି କାହା ବିରୁଦ୍ଧରେ କୌଣସି ଅପରାଧର ଅଭିଯୋଗ ଲାଗୁ ହେଇପାରେନାହିଁ ! ଏହା ସତ୍ୟ ହୋଇଥିଲେ , ସାଙ୍ଘାତିକ୍ ! ସରକାର ତୁରନ୍ତ ଏଭଳି ସନ୍ଦେହର ନିଜପକ୍ଷରୁ ତଦନ୍ତ କରିବା ଆବଶ୍ୟକ ବୋଲି ଜନମତ ପ୍ରକାଶ ପାଇଛି ।

“ଦୃଷ୍ଟିପାତ “ଓଡିଆ ନିଉଜ୍ ପୋର୍ଟାଲ୍ ହେଉଛି , ୧୯୯୪ ରୁ ବଲାଙ୍ଗୀରରୁ ପ୍ରକାଶ ପାଉଥିବା ‘ପାକ୍ଷିକ ଦୃଷ୍ଟିପାତ ‘ ଓ ପରେ ପ୍ରକାଶିତ ‘ ସାପ୍ତାହିକ ‘ ଦୃଷ୍ଟିପାତ ‘ ସମ୍ବାଦପତ୍ରର ଆଧୁନିକ ଇ- ପତ୍ରିକା ସଂସ୍କରଣର ରୂପାନ୍ତରିତ ଉଏବ୍ ପୋର୍ଟାଲ୍ । ଏହା ମୁଖ୍ୟତଃ ରାଜ୍ୟ ତଥା ଦେଶର ଗଣମାଧ୍ୟମରେ ପ୍ରକାଶିତ ଖବରର ଏକ ତର୍ଜମାତ୍ମକ ଉପସ୍ଥାପନା ଓ ବିଭିନ୍ନ ଗଣମାଧ୍ୟମ ସୂତ୍ରରୁ ସଂଗୃହୀତ ତଥ୍ୟର ନିଜସ୍ୱ ଅନୁସନ୍ଧାନମୂଳକ ନିରପେକ୍ଷ ଖବର ପରିବେଷଣ । ଏଥିରେ କାହାର ମାନହାନୀ ବା ଏହା କ୍ଷତିସାଧନ ନିମନ୍ତେ ଉଦ୍ଦିଷ୍ଟ ନୁହେଁ ଓ ଜନହିତରେ ପ୍ରସାରିତ ସରକାର ବା ପ୍ରଶାସନର ଦୃଷ୍ଟିଆକର୍ଷଣର ଜନମତ ସମ୍ବଳିତ ଏକ ପ୍ରୟାସ ମାତ୍ର । ଏକ ଦୁର୍ନୀତିମୁକ୍ତ ସୁସ୍ଥ ସମାଜ ଗଠନ ଏହାର ଲକ୍ଷ୍ୟ ଓ ଏକାନ୍ତ ଉଦ୍ଦେଶ୍ୟ ଅଟେ।