ଡିଏଫଓ ନିଲମ୍ବିତ
ଭବାନୀପାଟଣା : ଜାରିଂ ହାଇଟେକ୍ ସିଲଭିକଲଚର୍ ନର୍ସରୀର ପୂର୍ବତନ ଭାରପ୍ରାପ୍ତ ରେଞ୍ଜର ଥିବା ଫରେଷ୍ଟରଙ୍କର ସ୍ଥାନୀୟ ସରକାରୀ କ୍ବାର୍ଟରରେ ଆତ୍ମହତ୍ୟା ମାମଲାର ସୁଇସାଇଡ୍ ନୋଟ୍ ରେ ଅଭିଯୁକ୍ତ ସିଲଭିକଲଚରିଷ୍ଟ ବନାମ ରାୟଗଡା ସିଲଭିକଲଚର୍ ଡିଏଫଓ ଦେବେନ୍ଦ୍ର କୁମାର ବେହେରାଙ୍କର ନାଁ’ ଲେଖିଯାଇଥିବା ଓ ତାଙ୍କ ଭାଇଙ୍କ ପକ୍ଷରୁ ଥାନାରେ ଏତଲା ସତ୍ତ୍ୱେ ବିଳମ୍ବରେ ପୁଲିସ୍ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି । ଗତ ୪ ତାରିଖରେ ଭବାନୀପାଟଣା ଟାଉନ୍ ଥାନାରେ ଅଭିଯୁକ୍ତ ଡିଏଫଓଙ୍କ ସମେତ ଅନ୍ୟ ୩ ଜଣଙ୍କୁ ମାରାଥନ୍ ଜେରା ଓ ପଚରାଉଚୁରା ଚାଲିଥିବା ପ୍ରକାଶ । ତେବେ ‘ଜଣେ ଆତ୍ମହତ୍ୟା କରିବା ପୂର୍ବରୁ ଅଭିଯୁକ୍ତର ନାମୋଲ୍ଲେଖ କରିବା ପରେ ଆଉକ’ଣ ପ୍ରମାଣର ଆବଶ୍ୟକତା ରହିଛି ? ବୋଲି ମୃତକର ପରିବାର ଓ ଜନସାଧାରଣଙ୍କ ପକ୍ଷରୁ ପ୍ରଶ୍ନ କରାଯାଇଛି । ପୁଲିସ୍ ଅଭିଯୁକ୍ତକୁ ଗିରଫ କରୁନି କାହିଁକି ଓ ଅଯଥାରେ କାହା ଚାପରେ କାଳକ୍ଷେପଣ କରିଚାଲିଛି ? ଫଳତଃ ପୁରୀରେ ଦଶାହ ବେଳେ ଧୈର୍ଯ୍ଯହରା ହୋଇ ତାଙ୍କର ବିଧବାପତ୍ନୀ ପୋଖରୀର ପାଣିକୁ ପଶିଯାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ପରି ଅଘଟଣ ଘଟିଛି ।
ଗୁରୁତର ବିଷୟ ଏହା ଯେ ଅଭିଯୁକ୍ତ ଡିଏଫଓ ତାଙ୍କର ଆକାଉଣ୍ଟ୍ ଷ୍ଟାଫ୍ ଙ୍କ ଜରିଆରେ ମୃତ ଫରେଷ୍ଟର ସଞ୍ଜୟ ନାୟକଙ୍କୁ ଦଶଲକ୍ଷ ଟଙ୍କାର ପିସି ପାଇଁ ଚାପ ପକାଇ ଶେଷରେ ବଲାଙ୍ଗୀରକୁ ବଦଳି କରିଦେବାରୁ ସେ ସମ୍ପୂର୍ଣ୍ଣ ରୂପେ ମାନସିକଭାବେ ଭାଙ୍ଗିପଡି ଆତ୍ମହତ୍ୟା କରିଥିଲେ । ଏ ସମ୍ପର୍କରେ ମୃତକଙ୍କ ଭାଇ ରବିନାରାୟଣ ନୟକଙ୍କ ତରଫରୁ ଭବାନୀପାଟଣା ଟାଉନ୍ ଥାନାରେ ଏତଲା ଦିଆଯାଇଥିଲା ଓ ଅଭିଯୁକ୍ତ ଫେରାର୍ ହୋଇଯାଇଥିଲେ । ଆହୁରି ମଧ୍ୟ ଜଙ୍ଗଲ ବିଭାଗ ମନ୍ତ୍ରୀ ମୃତ ଫରେଷ୍ଟରଙ୍କ ଘରକୁ ଯାଇ ସାନ୍ତ୍ବନା ଦେବା ସହ ବିଭାଗ ପକ୍ଷରୁ କ୍ରାଇମବ୍ରାଞ୍ଚ ତଦନ୍ତ ସକାଶେ ସରକାରଙ୍କୁ ଆବେଦନ କରାଯିବ ବୋଲି କହିଲେ । ଏହା ମାମଲାଟିର କାଳକ୍ଷେପଣର ସଙ୍କେତ ନୁହେଁ କି ? ବୋଲି ଚର୍ଚ୍ଚା ହେଉଛି । ତେଣୁ ପୁଲିସ୍ ର କାଳକ୍ଷେପଣ ଯୋଗୁଁ ଅଭିଯୁକ୍ତ ଡିଏଫଓ ଗିରଫଦାରୀ ଏଡାଇବାକୁ କୋର୍ଟରୁ ଆଗୁଆଜାମିନ୍ ଆଣିଥିବା ପ୍ରକାଶ । ଶେଷତମ ଖବରରୁ ଅଭିଯୁକ୍ତ ଡିଏଫଓଙ୍କୁ ବିଭାଗ ତରଫରୁ ନିଲମ୍ବିତ କରାଯାଇଥିବା ଜଣାପଡିଛି ।
ଅଭିଯୁକ୍ତ ଓଏଫଏସ ଡିଏଫଓ ରାୟଗଡା ସମେତ ଭୁବନେଶ୍ବରରେ ମଧ୍ୟ ଯୁଗ୍ମଦାୟିତ୍ୱରେ ଥିବାରୁ ଅଧକାଂଶ ସମୟ ରାଜଧାନୀରେ ରହି ବଡବଡିଆଙ୍କ ସାଙ୍ଗରେ ମିଳାମିଶା କରିଆସୁଥିବାରୁ ତାଙ୍କପାଇଁ କୋହଳ କାର୍ଯ୍ୟାନୁଷ୍ଠାନ ନିମନ୍ତେ ରାଜନୈତିକ ଓ ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ତରଫରୁ ଚାପ ପଡୁଛି କି ? ‘ ବୋଲି ଲୋକେ ସନ୍ଦେହ ପ୍ରକାଶ ମଧ୍ୟ କରିଛନ୍ତି ।
ଏଣୁ କେତେକ ସମ୍ବେଦନଶୀଳ ମାମଲାରେ ମୋହନ ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବାରୁ ଏହା ଉପରେ ଦୃଷ୍ଟିଦେବାକୁ ଜନସାଧାରଣଙ୍କ ପକ୍ଷରୁ ଦାବି କରାଯାଇଛି ।