ଜଣେ କିରାଣୀ ନିଜକୁ ଅଫିସର କହି ଲୁଟୁଥିଲେ
୨୬ ବର୍ଷପରେ ରାୟ ପ୍ରକାଶ : ୭ ବର୍ଷ ଜେଲ୍ ଓ ଜୋରିମାନା
ସୋନପୁର : ରାଜୁଡା ଅମଳରୁ ସୋନପୁର ରାଜା ବୀରମିତ୍ର ଦେଓଙ୍କ ଦ୍ଵାରା ସ୍ଥାପିତ ସୋନପୁର ଟ୍ରଷ୍ଟଫଣ୍ଡ୍ ଟି ସ୍ବାଧୀନତା ପରେ ସରକାରଙ୍କ ଅଧୀନକୁ ଆସିଥିଲା ଓ ସୋନପୁର ଜିଲ୍ଲାପାଳ ଏହାର ପ୍ରଶାସନିକ ଦାୟିତ୍ୱରେ ଥିଲାବେଳେ ସେ ଜଣେ କିରାଣୀ ବା ହିସାବ ନିରୀକ୍ଷକଙ୍କୁ ନିଯୁକ୍ତି ଦେଇଥିଲେ । ଏଇ ଆକାଉଣ୍ଟାଣ୍ଟ୍ ଭକ୍ତବନ୍ଧୁ ମିଶ୍ର ପରବର୍ତ୍ତୀ ସମୟରେ ନିଜକୁ ଆତ୍ମଘୋଷିତ ଟ୍ରଷ୍ଟଫଣ୍ଡ୍ ଅଫିସର ଓ ସେକେଣ୍ଡ୍ କ୍ଲାସ୍ ଗେଜେଟେଡ୍ ଅଫିସର ଦର୍ଶାଇ ସମସ୍ତ ଅର୍ଥର ଲୁଣ୍ଠନ କରିଚାଲିଲେ । ତାଙ୍କ ବିରୋଧରେ ବହୁବାର ଲୋକେ ଆନ୍ଦୋଳନ କରିବା ସହ ଅଭିଯୋଗ କରିଆସିଥିଲେ ହେଁ , ସେ ସମସ୍ତଙ୍କୁ ଧରାଧରି କରି ନିଜ କାର୍ଯ୍ୟକଳାପ ଚଳାଇ ଆସୁଥିଲେ । କୋର୍ଟସୁଟ୍ ଟାଇ ପିନ୍ଧା ତାଙ୍କର ଠାଣୀମାଣି ଓ ମୁକ୍ତହସ୍ତରେ ଖର୍ଚ୍ଚବାର୍ଚ୍ଚ ଯୋଗୁଁ ତାଙ୍କର ବେଶ୍ ପ୍ରଭାବ ରହିଥିଲା ।
ତେବେ ସ୍ଥାନୀୟ ଜନସାଧାରଣଙ୍କ ଅଭିଯୋଗକୁ ଭିତ୍ତିକରି ଗତ ୯ । ୮ । ୧୯୯୮ ତାରିଖରେ ତତ୍କାଳୀନ ସୋନପୁର ଉପଜିଲ୍ଲାପାଳ ପ୍ରେମାନିଧି ସେଠ୍ ତାଙ୍କ ବିରୋଧରେ ଲିଖିତ ଅଭିଯୋଗ ଦାଖଲ କରିଥିଲେ । ଦୀର୍ଘ ୨୬ ବର୍ଷ ଧରି ଏହି ମାମଲା କୋର୍ଟରେ ବିଚାରାଧୀନ ରହିବାପରେ ନିକଟରେ ଏହାର ରାୟ ପ୍ରକାଶ ପାଇଛି । ମାନ୍ୟବର ଅଦାଲତର ମୁଖ୍ୟ ବିଚାରପତି ଶ୍ରୀଯୁକ୍ତ ବିଶ୍ବବିସୃତ କର ଆବଶ୍ୟକୀୟ କାଗଜପତ୍ର ଓ ୮ ସାକ୍ଷୀଙ୍କ ତଥ୍ୟପ୍ରମାଣ ଆଧାରରେ ବିଚାର କରି ତତ୍କାଳୀନ ହିସାବ ନିରୀକ୍ଷକ ଭକ୍ତବନ୍ଧୁ ମିଶ୍ରଙ୍କୁ ୭ ବର୍ଷ ଜେଲ୍ ଦଣ୍ଡ ସହିତ ଜୋରିମାନାର ରାୟ ପ୍ରକାଶ କରିଛନ୍ତି ।
ପ୍ରକାଶ ଯେ , ଦୋଷୀ ସାବ୍ଯସ୍ତ ଅଭିଯୁକ୍ତ ବିନା କୌଣସି ବୈଧ କାଗଜପତ୍ରରେ ନିଜକୁ ଟ୍ରଷ୍ଟଫଣ୍ଡ୍ ଅଫିସର ବୋଲି ପରିଚୟ ଦେଇ ଆସୁଥିବା ସହ ବିଭିନ୍ନ ଅନିୟମିତତାରେ ଜଡିତ ରହିଥିଲେ । ସେ ବିନା ସରକାରୀ ଅନୁମୋଦିତଏକ କଣ୍ଟ୍ରିବ୍ୟୁଟାରୀ ଫଣ୍ଡ୍ ପ୍ରଚଳନ କରିଥିଲେ । ୧୯୯୭-୯୮ ଅଡିଟ୍ ରିପୋର୍ଟ ଅନୁଯାୟୀ , ସେ ବଲାଙ୍ଗୀର ଆଞ୍ଚଳିକ ଗ୍ରାମ୍ୟବ୍ୟାଙ୍କରୁ ବିଭିନ୍ନ ତାରିଖରେ ୧ ଲକ୍ଷ ଟଙ୍କା ଉଠାଇ ତାହାର କ୍ୟାସ୍ ବୁକ୍ ରେ କୌଣସି ଖର୍ଚ୍ଚ ଦର୍ଶାଇ ନଥିଲେ । ଜଣେ ପିଅନ ଗଙ୍ଗାଧର କର ତା ୩୦ । ୬ । ୯୦ ରିଖରେ ଅବସର ଗ୍ରହଣ ପରେ ତାଙ୍କ କାର୍ଯ୍ୟକାଳକୁ ସେ ନିଜ ମନମୁଖୀ ଭାବେ ତା ୨୮ । ୭ । ୯୭ ରିଖ ପର୍ଯ୍ୟନ୍ତ ବଢାଇଦେଇଥିଲେ ।
ଏହି ଟ୍ରଷ୍ଟଫଣ୍ଡ୍ ଅଧୀନରେ ଏକ ଅନାଥାଶ୍ରମ ଚାଲୁଥିଲା ଓ ସେ ଏହି କାର୍ଯ୍ୟାଳୟ କୋଠାରେ ସପରିବାର ରହୁଥିଲେ । ସେ ଏହି ସୋନପୁର ଟ୍ରଷ୍ଟଫଣ୍ଡ୍ ର ଆତ୍ମଘୋଷିତ ଟ୍ରଷ୍ଟଫଣ୍ଡ୍ ଅଫିସର ଦର୍ଶାଇ ବର୍ଷ ବର୍ଷ ଧରି ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ୍ କରିଚାଲିଥିଲେ । ଏ ସମ୍ପର୍କରେ ଏଇ ପ୍ରତିନିଧିଙ୍କର ‘ ଟ୍ରଷ୍ଟଫଣ୍ଡ୍ ହାବାଲା ‘ ବୋଲି ଏକ ଖବର ପ୍ରକାଶ ପାଇ ବହୁ ଚର୍ଚ୍ଚିତ ହୋଇଥିଲା । ଏହି ବିବାଦୀୟବ୍ୟକ୍ତି ବା ହିସାବ ନିରୀକ୍ଷକଙ୍କ ବିରୁଦ୍ଧରେ ସ୍ଥାନୀୟଲୋକଙ୍କ ଦ୍ବାରା ଏକାଧିକ ଆନ୍ଦୋଳନ ଓ ଥରେ ଜଣେ ଯୁବକଙ୍କ ଦ୍ୱାରା ଅନଶନ ମଧ୍ୟ କରାଯାଇଥିଲେ ହେଁ , କୌଣସି ସୁଫଳ ମିଳି ନଥିଲା । ଅବଶ୍ୟ ଥରେ ଅବିଭକ୍ତ ବଲାଙ୍ଗୀର ଜିଲ୍ଲାର ଜଣେ ତତ୍କାଳୀନ ଜିଲ୍ଲାପାଳ ତାଙ୍କର ବ୍ୟାଙ୍କ୍ ଟ୍ରାଞ୍ଜେକ୍ ସନ୍ ବନ୍ଦ କରି ଦେଇଥିଲେ ।
ଉଲ୍ଲେଖନୀୟ ଯେ , ସୋନପୁର ରାଜାଙ୍କ ଦ୍ଵାରା ସ୍ଥାପିତ ଏହି ସୋନପୁର ଟ୍ରଷ୍ଟଫଣ୍ଡ୍ ଟିର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସୋନପୁର ସମେତ ବଲାଙ୍ଗୀର ବା ସମ୍ବଲପୁରଜିଲ୍ଲାର ସାଂସ୍କୃତିକ , ଶିକ୍ଷା , ସ୍ବାସ୍ଥ୍ୟ , ଆଞ୍ଚଳିକ ବିକାଶ , ମେଧାବୀ ଛାତ୍ରଛାତ୍ରୀଙ୍କୁ ସହାୟତା ତଥା ଅନ୍ୟାନ୍ୟ ବହୁମୁଖୀ ଆର୍ଥିକ ସହାୟତା ଯୋଗାଇଦେବା ନିମନ୍ତେ ଗଢାଯାଇଥିଲା । କିନ୍ତୁ ଉକ୍ତ ଲୁଣ୍ଠନକାରୀ କିରାଣୀ ସେସବୁ ମୂଳଲକ୍ଷ୍ୟ ଓ ଉଦ୍ଦେଶ୍ୟକୁ ଅବମାନନା କରି ବର୍ଷ ବର୍ଷ ଧରି ତାଙ୍କର ଜଣେ ରାଜନୈତିକ ସମ୍ପର୍କୀୟ ବା ବିଧାୟକଙ୍କ ପ୍ରଭାବରେ ନିରଙ୍କୁଶ ରହିଆସିଥିଲେ ।
ଏହା ଏକ ବେସରକାରୀ ଟ୍ରଷ୍ଟ ହୋଇଥିବାରୁ ତାଙ୍କର ଏପରି ଅବୈଧ କାର୍ଯ୍ୟକଳାପ ବିରୋଧରେ କୌଣସି ତଦନ୍ତ ବା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିଲା । ଏତେବର୍ଷ ପରେ ଏହି ରାୟ ପ୍ରକାଶ ପାଇବା ପରେ ସୋନପୁରବାସୀଙ୍କ ପକ୍ଷରୁ ବିଳମ୍ବିତ ହେଲେ ହେଁ , ତତ୍କାଳୀନ ଉପ- ଜିଲ୍ଲାପାଳଙ୍କ ପ୍ରାଶାସନିକ ପଦକ୍ଷେପ ପାଇଁ ଉଚ୍ଚପ୍ରଶଂସା ଓ ନ୍ୟାୟବ୍ୟବସ୍ଥା ପ୍ରତି ଆସ୍ଥା ପ୍ରକାଶ ପାଇଛି ।