ଓଡିଶା ଓ ଆନ୍ଧ୍ର ସରକାରଙ୍କୁ ପରିବାରର ନିବେଦନ
ବଲାଙ୍ଗୀର : କାମଧନ୍ଦା ଖୋଜି ବଲାଙ୍ଗୀର ଜିଲ୍ଲା ଲରମ୍ଭା ଥାନାନ୍ତର୍ଗତ ବଡଉଡେନ ଗ୍ରାମର ଗିରିଧାରୀ ବନଛୋର ( ୩୯ ) ଗାଁ’ର ୪ ଜଣଙ୍କ ସହ ମିଶି ଦାଦନଶ୍ରମିକ ଭାବରେ ଯାଇ ଓଡିଶା ସୀମାନ୍ତବର୍ତ୍ତୀ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍ ଜିଲ୍ଲାର ଇଚ୍ଛାପୁର ଥାନାନ୍ତର୍ଗତ ବିଲେଙ୍ଗି ଗ୍ରାମର ଲକ୍ଷ୍ଣଣ କୁମାରଙ୍କ ଆର୍ କେ ବି କ୍ଲିନ୍ ଇଟାଭାଟିରେ ପହଞ୍ଚି କାମ କରୁଥିଲେ । ସେଠାରେ ସେ ବହୁଦା ନଦୀରେ ଭାସିଯାଇଥିବା ଘରଲୋକଙ୍କ ପାଖକୁ ଖବର ଆସିଲା । ଘରଲୋକେ ପ୍ରଥମେ ଏ ସମ୍ପର୍କରେ ସ୍ଥାନୀୟ ଲରମ୍ଭା ଥାନାରେ ଗତ ୨୩। ୯ । ୨୦୨୪ ତାରିଖରେ ଏତଲା ଦେଇଥିଲେ । ତେବେ ଲରମ୍ଭା ଥାନା ପୁଲିସ୍ ସେଠାରେ ଯାଇ ଏତଲା ଦେବାକୁ କହି ସୂଚନା ରଖି ଏକ ରସିଦ୍ ଦେଇ ଫେରାଇଦେବାରୁ ପରିବାରର ଲୋକେ ଇଛାପୁର ଯାଇ ସେଠିକା ଇଚ୍ଛାପୁର ଥାନାରେ ଇଟାଭାଟି ମାଲିକ ବା ସେଠ୍ ଲକ୍ଷ୍ମଣ କୁମାର ଏକ ଏତଲା ଦେଇଥିବା ଜାଣିବାକୁ ପାଇଲେ । ସେଠ୍ ଗିରିଧାରୀକୁ ଡଙ୍ଗା ଲଗାଇ ଖୋଜାଖୋଜି ଚାଲିଛି କହି ପିଛା ଛଡାଇ ନେଲା । ସେମାନେ ଗିରିଧାରୀ ସହିତ ଯାଇ ସେଠାରେ ଇଟାଭାଟିର କାମ କରୁଥିବା ବଡଉଡେନ ଗ୍ରାମର ଚାରିଜଣ ରୋହିତ ମାଝି , ମୋତିଲାଲ ବେହେରା , ଡମ୍ବରୁ ବରିହା ଓ ଦୀନେଶ ବରିହାଙ୍କୁ ଭେଟି ପଚାରିବାରୁ ସେମାନେ ବି ଗିରିଧାରୀ ନଈରେ ଭାସି ଯାଇଥିବା କହୁଛନ୍ତି ।
ତେଣୁ ସେମାନେ ଫେରିଆସିଥିଲେ । ପୁଣି ଦ୍ବିତୀୟଥର ଚଳିତ ସପ୍ତାହରେ ଇଚ୍ଛାପୁର ଯାଇ ଖବର ଜାଣିବାକୁ ସେଠ୍ କୁ ଭେଟିବାକୁ ଚାହିଁବାରୁ ସେଠ୍ ଆଉ ଦେଖା ଦେଲାନି । ଶେଷରେ ଘରଲୋକେ ଓ ତୁରେକେଲା ଥାନାନ୍ତର୍ଗତ ଗଇଁଦିମାଲର ବାପଘରକୁ ଆସିଥିବା ତିନୋଟି ଛୋଟ ଛୋଟ ଛୁଆଙ୍କ ସହ ଗିରିଧାରୀର ପତ୍ନୀ ମାଧବୀ ବନଛୋର ଅସହାୟ ହୋଇ ପଡିଛି ।
ଏ ସମ୍ପର୍କରେ ଫୋନ୍ ଯୋଗେ ସେଠ୍ ଲକ୍ଷ୍ମଣ କୁମାର ( ମୋବାଇଲ୍ ନ୦. 8978671357 )ଙ୍କୁ ପଚାରିବାରୁ ସେ କହିଛନ୍ତି ଯେ , ମୁଁ ସେମାନଙ୍କୁ ଆଣିନାହିଁ । ସେମାନେ ବି ଅନ୍ୟଭାଟିରୁ ଆସି ଯେଉଁଦିନ ମୋ ଭାଟିକୁ କାମ କରିବେ ବୋଲି ଆସିଲେ , ସେହିଦିନ ନଈ ସେପାରି ବଜାରକୁ ଚାଉଳପତ୍ର ସଉଦା କିଣିବାକୁ ଗଲେ । ବାଟରେ ଭାଟିରେ ମଦ ପିଇଥିଲେ । ତା’ପରେ ଯାଇଥିବା ୫ ଜଣଙ୍କ ମଧ୍ୟରୁ ପହିଲେ ୩ ଜଣ ଓ ପରେ ଜଣେ ଫେରିଛି । ସେମାନେ ଗିରିଧାରୀ ନଈ ପାରହେଲାବେଳେ ଭାସି ଯାଇଥିବା କହିବାରୁ ମୁଁ ତାଙ୍କ ଘରକୁ ଖବର ଦେବାସହ ଥାନାରେ ଏତଲା ଦେଇଛି । ‘
ଏଣୁ ଏହି ନିଖୋଜ୍ ଗରିବ ଦାଦନଶ୍ରମିକଟିର ଅସହାୟ ପରିବାରଟିର ଦୁଃଖ କିଏ ଶୁଣିବ , ତାହା ଏବେ ସମସ୍ୟା ହୋଇଛି । ବଲାଙ୍ଗୀର ଜିଲ୍ଲାପାଳ , ଏସ୍ ପି , ଜିଲ୍ଲା ଶ୍ରମ ଅଧିକାରୀ , ରାଜ୍ୟ ଶ୍ରମ କମିଶନର , ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ତିନୋଟି ଅନାଥ ଛୋଟ ଛୋଟ ଛୁଆଙ୍କୁ ଧରି ଗଇଁଦିମାଲର ବାପଘରେ ପଡିଥିବା ମାଧବୀ ବନଛୋର ଏଇ ଖବର ଜରିଆରେ ଗୁହାରୀ କରୁଛି । କୌଣସି ସମାଜସେବୀ ବା ସ୍ବେଚ୍ଛାସେବୀ ଅନୁଷ୍ଠାନ ମାଧବୀର ଗୁହାରୀ ଶୁଣି ସାହାଯ୍ୟ କରିବାକୁ ଗଇଁଦିମାଲ ଓ ବଡଉଡେନ୍ ର ଗ୍ରାମବାସୀ ନିବେଦନ କରିଛନ୍ତି ।

“ଦୃଷ୍ଟିପାତ “ଓଡିଆ ନିଉଜ୍ ପୋର୍ଟାଲ୍ ହେଉଛି , ୧୯୯୪ ରୁ ବଲାଙ୍ଗୀରରୁ ପ୍ରକାଶ ପାଉଥିବା ‘ପାକ୍ଷିକ ଦୃଷ୍ଟିପାତ ‘ ଓ ପରେ ପ୍ରକାଶିତ ‘ ସାପ୍ତାହିକ ‘ ଦୃଷ୍ଟିପାତ ‘ ସମ୍ବାଦପତ୍ରର ଆଧୁନିକ ଇ- ପତ୍ରିକା ସଂସ୍କରଣର ରୂପାନ୍ତରିତ ଉଏବ୍ ପୋର୍ଟାଲ୍ । ଏହା ମୁଖ୍ୟତଃ ରାଜ୍ୟ ତଥା ଦେଶର ଗଣମାଧ୍ୟମରେ ପ୍ରକାଶିତ ଖବରର ଏକ ତର୍ଜମାତ୍ମକ ଉପସ୍ଥାପନା ଓ ବିଭିନ୍ନ ଗଣମାଧ୍ୟମ ସୂତ୍ରରୁ ସଂଗୃହୀତ ତଥ୍ୟର ନିଜସ୍ୱ ଅନୁସନ୍ଧାନମୂଳକ ନିରପେକ୍ଷ ଖବର ପରିବେଷଣ । ଏଥିରେ କାହାର ମାନହାନୀ ବା ଏହା କ୍ଷତିସାଧନ ନିମନ୍ତେ ଉଦ୍ଦିଷ୍ଟ ନୁହେଁ ଓ ଜନହିତରେ ପ୍ରସାରିତ ସରକାର ବା ପ୍ରଶାସନର ଦୃଷ୍ଟିଆକର୍ଷଣର ଜନମତ ସମ୍ବଳିତ ଏକ ପ୍ରୟାସ ମାତ୍ର । ଏକ ଦୁର୍ନୀତିମୁକ୍ତ ସୁସ୍ଥ ସମାଜ ଗଠନ ଏହାର ଲକ୍ଷ୍ୟ ଓ ଏକାନ୍ତ ଉଦ୍ଦେଶ୍ୟ ଅଟେ।