ଦୁର୍ନୀତି

ଛତୁଆ ୟୁନିଟ୍ ବନ୍ଦ କରି  ଆକାଉଣ୍ଟ୍ ରେ ଟଙ୍କା ପଡୁ  !

Email :

ଏସ୍ .ଏଚ୍ .ଜି. ମହିଳା ସ୍ବାବଲମ୍ବୀ ଅନ୍ତରାଳେ ?

ଭୁବନେଶ୍ବର  :  ଯେଉଁ ମହତ ଉଦ୍ଦେଶ୍ୟ ରଖି  ସ୍ବୟଂ ସହାୟିକା ଗୋଷ୍ଠୀ ବନାମ ଏସ୍ ଏଚ୍ ଜି ମହିଳା ଗୋଷ୍ଠୀର ପରିକଳ୍ପନା କରାଯାଇ ଥାଉନା କାହିଁକି ,  ଏବେ ସେଗୁଡିକ ଏହାର କର୍ମକର୍ତ୍ତୀଙ୍କର ଉପାର୍ଜନର ଟଙ୍କାଥଳି ପାଲଟିଥିବା ସହ ପରୋକ୍ଷରେ ବେପାରୀଙ୍କ ହାତବାରିସୀ ସାଜିଛି ।  ବିଭିନ୍ନ ସରକାରୀ ବିଭାଗର ଅଧିକାରୀଙ୍କ ସହ ମଧୁଚନ୍ଦ୍ରିକାରେ ଗୋଟିଏ ଗୋଟିଏ ୟୁନିଟ୍ ରୁ କାଳବିଶେଷରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିଭାଗୀୟ ଜିଲ୍ଲା ଅଧିକାରୀଙ୍କର ହାତଚିକ୍କଣ ହେଉଥିବା ସହ ଅନ୍ୟାନ୍ୟ ଅମଲା/ଅଧିକାରୀମାନଙ୍କର ନିୟମିତ ବଟି ଅବୈଧଭାବରେ ନିର୍ଦ୍ଧାରିତ ହୋଇ ରହିଛି । ଏସବୁ ବ୍ୟତୀତ ସେମାନଙ୍କୁ ଦଳୀୟ ରାଜନୀତିରେ ବ୍ୟବହୃତ କରି ଦଳୀୟ ସଭାସମିତିରେ ଠୁଳେଇବା ସହ ଭୋଟସଂଗ୍ରହରେ ବ୍ୟବହାର କରିବା ଇ ଗତ ଅମଲାତାନ୍ତ୍ରିକ ସରକାରର ମୁଖ୍ୟ ଉଦ୍ଦେଶ୍ୟ ଥିଲା ।  ଏବେ ନୂଆ ସରକାର ଗଠନ ହେବାପରେ ନୂତନ ସରକାରର ରାଜତଣ୍ଡ ଅସୁଲର ଏକ ଏକ ହାତମୁଣା ପାଲଟିଛି ଏଇସବୁ ଛତୁଆ ପ୍ରସ୍ତୁତକାରୀ ୟୁନିଟ୍ ଗୁଡିକ । ତେବେ ଏତେଦୀର୍ଘ ଉପକ୍ରମଣିକା ଏହି ରିପୋର୍ଟର ଉଦ୍ଦେଶ୍ୟ ନୁହେଁ ।  ସଂପ୍ରତି ଯାହା ଚର୍ଚ୍ଚାରେ ରହିଛି , ତା’ ହେଲା , ଏଯାବତ୍ ନିୟମିତ ବାଟମାରଣାର ପେଣ୍ଠ ପାଲଟିଥିବା ଏହି ଛତୁଆୟୁନିଟ୍ ରୁ କେତେକ ଜିଲ୍ଲାରେ ଶାସକଦଳର ସାଂସଦ , ମନ୍ତ୍ରୀ , ବିଧାୟକଙ୍କର ଜିଜିୟାକର ପରି ଲକ୍ଷ ଲକ୍ଷ ଟଙ୍କାର ତଣ୍ଡ ଅସୁଲି  !  ବଲାଙ୍ଗୀର ଓ ସୁବର୍ଣ୍ଣପୁର ଜିଲ୍ଲାରେ ପ୍ରାୟ ସମସ୍ତ ଛତୁଆୟୁନିଟ୍ ରୁ ଚାର ବା ନୋମିନୀ ଲଗାଇ ଗୋଟିଏ ମାସର ବିଲ୍ ମହାରାଣୀଙ୍କ ଖମାରରେ ପଇଠ କରାଯାଉଥିବା ଅଭିଯୋଗ ଚର୍ଚ୍ଚା ହେଉଛି । ବଲାଙ୍ଗୀର ଜିଲ୍ଲାର ବଲାଙ୍ଗୀର ଗୋଟିଏ ବଡ ଛତୁଆୟୁନିଟ୍ ରୁ କିଛିଦିନତଳେ ୧୩ ଲକ୍ଷ ଟଙ୍କା ସର୍ବାଧିକ ଅସୁଲ କରାଯାଇଥିବା ଓ  ଏଇ ଥରକର ବିଲ୍ ୪ ଲକ୍ଷ / ୫ ଲକ୍ଷ ଟଙ୍କା ହେଉଥିବା ଏସଏଚଜି ଗୁଡିକର ଆଲୋଚନାରୁ ପ୍ରକାଶ । ବଲାଙ୍ଗିର ସମେତ ପୁଇଁତଳା  ଲୋଇସିଂହା , ପାଟଣାଗଡ , ଖପ୍ରାଖୋଲ , ତୁରେକେଲା , ଆଗଲପୁର , ଦେଓଗାଁ , ଟିଟିଲାଗଡ , କଣ୍ଟାବାଞ୍ଜି ଓ ମୁରିବାହାଲ ଆଦି ସାରାଜିଲ୍ଲାର ପ୍ରାୟ ୧୪ଟି ଯାକ ବ୍ଲକ୍ ର ଶିଶୁ ବିକାଶ ପ୍ରକଳ୍ପର ଏଭଳି ଏସ୍ ଏଚ୍ ଜି ମହିଳା ଗୋଷ୍ଠୀ ପରିଚାଳିତ ଛତୁଆୟୁନିଟ୍ ରୁ ରାଜତଣ୍ଡ ଅସୁଲିରେ ସେମାନେ ତ୍ରାହି ତ୍ରାହି ଡାକିଲେଣି । ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ସମେତ ଡୁଙ୍ଗୁରିପାଲି , ସୋନପୁର , ବିନିକା , ବୀରମହାରାଜ ପୁର ଓ ତରଭାର ଛତୁଆୟୁନିଟ୍ ରୁ ବି ସେଇ ସମାନ ଅବସ୍ଥା ବୋଲି ଚର୍ଚ୍ଚା ହେଉଛି । ଉଲୁଣ୍ଡାର ଏକ ଛତୁଆୟୁନିଟ୍ ର ସଭାନେତ୍ରୀଙ୍କ ସ୍ବାମୀ ମହାରାଣୀ ଓ ମହାରାଜାଙ୍କ ବାସଭବନ ଖମାରରେ ରାଇସ୍ ମିଲର୍ସ ଓ ଛତୁଆୟୁନିଟ୍ ର ସଭାନେତ୍ରୀ/ ସମ୍ପାଦିକାମାନେ ଟଙ୍କା ଥଳି ନେଇ ପହଞ୍ଚାଉଥିବା ଘଟଣାର ମୂକସାକ୍ଷୀ ଥିବା ପ୍ରକାଶ କରିଛନ୍ତି । ଏପରି ନିରଙ୍କୁଶ ବେଫିକର୍ ତଣ୍ଡଅସୁଲି ଆଗରୁ କେବେ ଘଟି ନଥିଲା ବୋଲି ସେମାନେ ପ୍ରତ୍ୟେକ୍ଷରେ ମୁହଁ ନ ଖୋଲୁଥିଲେ ବି ବାରାନ୍ତରେ କ୍ଷୋଭପ୍ରକାଶ କରିଛନ୍ତି ।

ଏଥକୁ  ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ ରାଇସ୍ ମିଲ୍ ଗୁଡିକରୁ ୫ ରୁ ୭ ଲକ୍ଷଟଙ୍କା ଲେଖାଏଁ ବିକାଶ ଆଳରେ ବିଜେପି ନେତାମାନେ ଉତ୍କୋଚ ଅସୁଲି କରିଥିବା ବରିଷ୍ଠ କଂଗ୍ରେସନେତା ନରସିଂହ ମିଶ୍ରଙ୍କ ପ୍ରେସ୍ ବିବୃତିରେ ଯୋଗାଣ ମନ୍ତ୍ରୀଙ୍କ ‘ ଠୋସ୍ ପ୍ରମାଣ ପାଇଲେ କାର୍ଯ୍ୟାନୁଷ୍ଠାନ ହେବ ‘ ଅଲଣାକଥା ପରି ଏହାର ‘ ଠୋସ୍ ପ୍ରମାଣ ‘ କିଏ ଦେବ ? – ର ଉତ୍ତରରେ କେତେକ ଛତୁଆୟୁନିଟ୍ କରିଥିବା କ୍ଷତିଗ୍ରସ୍ତ ଏସ୍ ଏଚ୍ ଜି ର ସଦସ୍ୟାମାନେ ଆବଶ୍ୟକ ପଡିଲେ , ଆମେ ସମସ୍ତେ ଏକଜୁଟ୍ ହୋଇ ବାହାରିବୁ ବୋଲି ଦୃଢୋଽକ୍ତି ପ୍ରକାଶ କରିଛନ୍ତି ।  ସେମାନେ କହିଛନ୍ତି ଯେ ନୋମିନୀ ଲଗାଇ ମହାରାଣୀ ନିଜେ ଏହା ନେଉଛନ୍ତି । ଏକଥା ଆମେ ଆମଖାତା ଓ କେସ୍ ବୁକ୍ ରେ ଲେଖି ରଖିଛୁଁ । କାରଣ ଅଡିଟ୍ ଆମକୁ ଧରିଲେ , ଆମେ ଏତେଟଙ୍କାର ହିସାବ କେଉଁଠୁ ଆଣି ଦେବୁ ? 

ପ୍ରକାଶଯୋଗ୍ୟ ଯେ , ଗତ ୭/ ୮ ରୁ ୪/ ୫ ମାସ ଧରି ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀଙ୍କ ଅଫିସ୍ ରେ ଛତୁଆବିଲ୍ ବାକି ପଡିଥିଲା ।  ବିଶ୍ବସ୍ତସୂତ୍ରରୁ ପ୍ରକାଶ ଯେ , ଜିଲ୍ଲା ଅଧିକାରୀଙ୍କ ଜରିଆରେ ଏହି ଅଧସ୍ତନ ବିଭାଗୀୟ ଅଧିକାରୀଙ୍କୁ ବିଲ୍ ନ କରିବାକୁ ଗତ ନୂଆଖାଇରୁ ଭିତିରିଆ ନିର୍ଦ୍ଦେଶ ଦିଆଯାଇଛି  ? ଯିଏ ଗୋଟିଏ ମାସର ବିଲ୍ ମହାରାଣୀଙ୍କ ଠାରେ ପଇଠ ନ କଲା , ତାଙ୍କର ସରକାରୀ ସ୍ବୀକୃତି କାଟିଦିଆଯିବାର ଧମକ ଦିଆଯାଇଛି ବୋଲି ଜନୈକା ଏସ୍ ଏଚ୍ ଜିର ସଭାନେତ୍ରୀଙ୍କ ଠାରୁ ପ୍ରକାଶ । 

ସିଡିପିଓମାନେ ବି ଏ ସମ୍ପର୍କରେ ପାଟିଫିଟାଇ କିଛି କହିପାରୁ ନଥିଲେ ହେଁ , ବଲାଙ୍ଗୀର ଓ ସୁବର୍ଣ୍ଣପୁରର କେତେକ ସିଡିପିଓ ଏହା ସ୍ବୀକାର କରିଛନ୍ତି ।

ଆହୁରି ମଧ୍ୟ ଇତିମଧ୍ୟରେ ନିମ୍ନମାନର ଛତୁଆ ପରୀକ୍ଷାରିପୋର୍ଟ ପଠାଯାଇ ଜିଲ୍ଲା ପ୍ରଶାସନକୁ ଏଭଳି ୟୁନିଟ୍ ଗୁଡିକ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଥିବା ପ୍ରକାଶ । ସୁବର୍ଣ୍ଣପୁର ଜିଲ୍ଲାର ତରଭା ଓ ବିନିକାର ଦୁଇଟି ୟୁନିଟ୍ ର ନାମ ପ୍ରକାଶ ପାଇଛି । ବଲାଙ୍ଗୀର ଜିଲ୍ଲାରର ବି ଥିବ । ଏଣୁ ଏଠାରେ ପ୍ରଶ୍ନ ଉଠିବା ସ୍ବାଭାବିକ୍ ଯେ ଯଦି ଜିଲ୍ଲା ଅଧିକାରିଣୀ ଗୋଟିଏ ଛତୁଆୟୁନିଟ୍ ର ଦୋଷତ୍ରୁଟି ବାହାର କରିବାକୁ ତାଙ୍କ ଅଧସ୍ତନ ସିଡିପିଓଙ୍କୁ ଥରେ ମୌଖିକନିର୍ଦ୍ଦେଶ ଦେଇ ପୁଣି ଠିକ୍ ରିପୋର୍ଟ ଦେବାକୁ ଚାପ ପକାଇ ୫ରୁ ୭ ଲକ୍ଷଟଙ୍କା ହାତଚିକ୍କଣ କରୁଥା’ନ୍ତି , ଅଫିସର ଅମଲା ରାଜନେତା ମନ୍ତ୍ରୀ ବିଧାୟକ ସାଂସଦ ସାମ୍ବାଦିକ ଗ୍ରାମବାସୀଙ୍କ ଚାନ୍ଦାଭେଦା ସେଇଥିରୁ ଆଦାୟ ହୋଇ ଚାଲିଥାଏ ; ସେଇ ପରିପ୍ରେକ୍ଷୀରେ ଶିଶୁଖାଦ୍ୟ ଛତୁଆର ପୁଷ୍ଟିକର ଉପାଦାନର ମାନ କିପରି ଠିକ୍ ରହିବ  ? ସତରେ ବି ଏହା ଛୁଆ ଖାଆନ୍ତି କମ୍ , ଲୁଣବଦଳରେ ଅଧିକନ୍ତୁ ଛୋଟବେପାରୀମାନେ ସଂଗ୍ରହ କରିନେଇ ଗୋଖାଦ୍ୟ ଭାବେ ବିକ୍ରି କରିଦିଅନ୍ତି । ବିଭିନ୍ନ ସମୟରେ ଏଭଳି ଅଭିଯୋଗ ପ୍ରକାଶ ପାଇଛି ।

ଗତକିଛିବର୍ଷ ମଧ୍ୟରେ ଏହି ଛତୁଆୟୁନିଟ୍ ଚଳାଉଥିବା ଏସ୍ ଏଚ୍ ଜି ମହିଳା ଗୋଷ୍ଠୀଗୁଡିକର ସଭାନେତ୍ରୀ , ସମ୍ପାଦିକା ବା ପ୍ରଭାଶାଳିନୀ ସଦସ୍ୟା ଅଥବା ସେମାନଙ୍କ ପଛରେ ଥିବା ପୃଷ୍ଠପୋଷକମାନଙ୍କର ଯେଭଳି ସ୍ବଚ୍ଛଳତା ବଢିଛି , ସେମାନଙ୍କର ଗାଡିମଟର ଜମିଜମା କୋଠାବାଡି ଓ ଅନ୍ୟାୟୋପାର୍ଜନର ଭିଜିଲାନ୍ସ ତଦନ୍ତ କଲେ , ଧରାପଡିବ । ସେମାନେ ଏତେ ଅନ୍ୟାୟୋପାର୍ଜନ କଲେଣି ଯେ , ରାଜନୀତିରେ ପ୍ରାର୍ଥୀ/ ପ୍ରାର୍ଥିନୀ ବି ହୋଇ କୋଟି କୋଟି ଟଙ୍କା ପାଣିରେ ପକାଇ ସାରିଲେଣି । ଏଣୁ ଏବର ଏହି ରାଜତଣ୍ଡ କିଛିନୁହେଁ  ବୋଲି ମଧ୍ୟ ଲୋକେ ଆଲୋଚନା କରୁଛନ୍ତି ।  ବଲାଙ୍ଗୀର ଓ ସୁବର୍ଣ୍ଣପୁର ଜିଲ୍ଲାର ଯେଉଁ ମହାରାଜ ଓ ମହାରାଣୀଙ୍କର ଏଭଳି ରାଜତଣ୍ଡ ଅସୁଲିର ଅଭିଯୋଗ ଉଠିଛି , ସେମାନଙ୍କୁ ପଚାରିବାରୁ ସେମାନେ ଏଭଳି ଚର୍ଚ୍ଚା ଓ ଅଭିଯୋଗ କୁ ଅସ୍ବୀକାର କରିଛନ୍ତି । ସେମାନଙ୍କ ସଫେଇରେ କିଛି ନାହିଁ , ପୂର୍ବରୁ ଲୋକେ ଭଲଭାବରେ ଚିହ୍ନନ୍ତି ଭ୍ରାତାଭଗ୍ନୀଙ୍କ ବଦନ  !

ତେବେ ଏହି ଛତୁଆ କେଳେଙ୍କାରୀ କେବଳ ବଲାଙ୍ଗୀର ଓ ସୁବର୍ଣ୍ଣପୁର ଜିଲ୍ଲାରେ ନୁହେଁ , ରାଜ୍ୟର ପ୍ରାୟ ସବୁଜିଲ୍ଲାରେ ଚାଲିଛି । ସେସବୁ ଜିଲ୍ଲାରେ ବିଭାଗୀୟ ଅଧିକାରୀ ଓ  ରାଜନେତାଙ୍କ ଭାଗବଣ୍ଟୁରା କେମିତି ଚାଲିଛି , ଏହା ଅନୁସନ୍ଧାନ ସାପେକ୍ଷ । ତେବେ ଏ ଦୁର୍ନୀତି ଓ ଲାଞ୍ଚଖିଆ ରୋଗ ଖୁବ୍ ସଂକ୍ରାମକ ।

ଉଲ୍ଲେଖନୀୟ ଯେ , ଏଇ ମହିଳା ଓ ଶିଶୁ ବିଭାଗଟି ଆଉଜଣେ ଉପମୁଖ୍ଯମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ହାତରେ ରହିଛି । ତାଙ୍କ କାନରେ ଏଭଳି ଅଭିଯୋଗର ଚର୍ଚ୍ଚା ପଡିଛି କି ନା , ଜଣାପଡିପାରିନାହିଁ । ଏହା ସତ୍ୟ ହୋଇଥିଲେ , ସାଙ୍ଘାତିକ୍  ! ସାଧୁ ସାବଧାନ୍  ! ଡବଲଇଞ୍ଜିନ୍ ସରକାରରେ ଏଭଳି ଶୁଣାକଥା ବା ଉଡା ଅଭିଯୋଗରେ କିଛି ନ ହେଲେ ବି ଶିଶୁଙ୍କ ପେଟରୁ କାଟି ଖାଇଲେ ଧର୍ମ ସହିବନି । ମହାପାପ ହେବ !

ତେଣୁ ଶେଷରେ  ଏଭଳି ଶିଶୁଖାଦ୍ୟ ଅପବ୍ଯବହାରର ବିକଳ୍ପବ୍ୟବସ୍ଥା ସମ୍ପର୍କରେ ସରକାରଙ୍କୁ ଜଣେ ସିଡିପିଓଙ୍କ ପ୍ରସ୍ତାବ ଜଣେଇଦେବା ବୋଧହୁଏ ଉଚିତ୍ ହେବ । ତାହାହେଲା , ଏ ତଥାକଥିତ ସ୍ବତନ୍ତ୍ର ପୁଷ୍ଟିକର ଖାଦ୍ୟ ଯୋଜନା ବା ମହିଳାଙ୍କୁ ସ୍ବୟଂ ସହାୟିକା ଗୋଷ୍ଠୀ ମାଧ୍ୟମରେ ସ୍ବାବଲମ୍ବୀ କରିବା ପ୍ରହସନ ପରିବର୍ତ୍ତେ ବରଂ ସିଧା ଶିଶୁଙ୍କର ମାଆର ଆକାଉଣ୍ଟ୍ ରେ ଏ ବାବଦ ଟଙ୍କା ପକାଇଦିଆଯାଉ  ! ନା ରହେଗା ବାଁଶ୍ , ନା ବଜେଗା ବାଂଶୁରୀ  !

Related Tag:

Leave a Reply

Your email address will not be published. Required fields are marked *

Related Post