ଓଡ଼ିଶା

ବିଧାନସଭାରେ ବିରୋଧୀଙ୍କ ଦୃଷ୍ଟି ହଟାଇବାର କୌଶଳ  !

Email :

ସରିଲା ଡିଜି- ଆଇ ଜି ସମ୍ମିଳନୀ

ଭୁବନେଶ୍ବର : ଗତ ନିର୍ବାଚନରେ ବିପୁଳ ସଂଖ୍ୟାଗରିଷ୍ଠତା ହାସଲ କଲାପରେ ମୋଦୀ-ବିଜେପିର ନିରଙ୍କୁଶ ଜନସମର୍ଥନ ଅମଳର ଖଳା ପାଲଟିଛି ଓଡିଶା ।  ସେମାନେ ଜାଣିଗଲେଣି ଏଥର ଓଡିଶାର ଆଦାନୀ ଜମିକିଣା – ଗନ୍ଧମାର୍ଦ୍ଦନ ଖଣିଖୋଳା ପ୍ରସଙ୍ଗ ସହିତ ଅନ୍ୟାନ୍ୟ ଆଦିବାସୀଙ୍କ ଆମ୍ବଟାକୁଆଖାଇ ମୃତ୍ୟୁ ବନାମ ସରକାରୀ ଚାଉଳବଣ୍ଟନର ଚରମ ଅବ୍ୟବସ୍ଥା ଇତ୍ୟାଦି ନେଇ ରାଜ୍ୟର ଦୀର୍ଘ ୨୪ ବର୍ଷର ଚେର ପୋତିଥିବା ୫୧ ସଦସ୍ୟ ବିଶିଷ୍ଟ ସୁଦୃଢ ବିରୋଧୀ ବିଜେଡିଦଳ କଂଗ୍ରେସ ସହ ମିଶି  ମାତ୍ର ୬ ମାସର ଅପରିପକ୍ବ ଶାସକ ବିଜେପିଦଳକୁ ଅଡୁଆରେ ପକାଇବାର ଯଥେଷ୍ଟ ସମ୍ଭାବନା ରହିଛି ।  ସବୁଠାରୁ ଗୁରୁତର ପ୍ରସଙ୍ଗଟି ହେଉଛି , ଆମେରିକାର ଗୁରୁତର ଲାଞ୍ଚ ଅଭିଯୋଗ ସହ ଆନ୍ତର୍ଜାତିକ ସ୍ତରରେ ଅଭିଯୁକ୍ତ ଆଦାନୀର ଗନ୍ଧମାର୍ଦ୍ଦନ ପର୍ବତର ପାଦଦେଶରେ ବ୍ୟାପକ ଜମିକିଣିନେବାରୁ ସ୍ଥାନୀୟ ଲୋକଙ୍କର ଧୀରେ ଧୀରେ କୁହୁଳି ଉଠୁଥିବା ବିଦ୍ରୋହର ନିଆଁ ସବୁଆଡକୁ ସଂଚରି ଯିବା ଏତେ ଅସମ୍ଭବ ନୁହେଁ । ଏଣୁ ବିଧାନସଭା ସମେତ ସଂସଦର ଶୀତକାଳୀନ ଅଧିବେଶନ କେବଳ ଉଷ୍ଣ ନୁହେଁ , ଉତପ୍ତ ହୋଇପଡିବାର ଆଶଙ୍କାକୁ ପ୍ରତିହତ କରିବା ପାଇଁ  ଓଡିଶାକୁ ଗୁରୁତ୍ୱ ଦେବା ଅବଶ୍ୟମ୍ଭାବୀ ହୋଇପଡିଛି ।  ତେଣୁ ‘ ଏବେ ଓଡିଶାକୁ ପ୍ରାଥମିକତା ‘ ଶୀର୍ଷକସମ୍ବାଦ ହେଉ ବା ‘ଦେଶର ବିକାଶ ରେଳରେ ଓଡିଶା ପ୍ରଥମ ବଗି ହେବ ‘ ବୋଲି ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ହେଉ ଅଥବା ଶାହଙ୍କ ‘ ପୂର୍ବ ସୀମାରେ ମୁଣ୍ଡ ଟେକୁଥିବା ସୁରକ୍ଷା ଆହ୍ୱାନକୁ ଗୁରୁତ୍ୱ ଦିଅ ‘ ର ଉଦ୍ ବୋଧନ ହେଉ କିମ୍ବା ଆଭ୍ୟନ୍ତରୀଣ ସୁରକ୍ଷା ଆଳରେ  ମୋଦୀମନ୍ତ୍ର ହେଉ  ; ଏସବୁ ନିମନ୍ତେ ଅମୂଳକ ‘ଆତଙ୍କୀପନ୍ନୁ’ ଆତଙ୍କର ପ୍ରଚାର କରାଇ ବିରୋଧୀ ଓ ଲୋକଙ୍କ ଦୃଷ୍ଟି ହଟାଇବାକୁ ଏହା ଏକ ଯୋଜନାବଦ୍ଧ ରଣକୌଶଳ ବୋଲି ଚର୍ଚ୍ଚା ହେଉଛି ।

ସବୁଠାରୁ ହାସ୍ୟାସ୍ପଦ ହେଉଛି , ଦୁଇଜଣ ସାମ୍ବାଦିକଙ୍କୁ ଇ- ମେଲ୍ ରେ ଆସିଥିବା ଆକସ୍ମିକ ତଥାକଥିତ ଧମକ , ଯାହା ଏଯାବତ୍ ପ୍ରମାଣିତ ହୋଇପାରିନାହିଁ ! ଏହାକୁ ବିରୋଧୀ ‘ ଜୁମଲା ‘ ବା ଡାହାମିଛ ବୋଲି ସମାଲୋଚନା କରିବାରେ ଆଦୌ ଅଯୌକ୍ତିକତା ନାହିଁ ।  ସବୁଦିନ ଓଡିଶାବାସୀ ରାଜନୈତିକ ପ୍ରତାରଣାର ଶିକାର ହୋଇଆସିଛନ୍ତି । ଅପରପକ୍ଷରେ କେବଳ ରାଜନୈତିକ ବୟାନବାଜି ଓ ନୀତିଆଦର୍ଶବିହୀନ ଦଳୀୟ ସ୍ବାର୍ଥସାଧନର  କ୍ଷମତାହାସଲର ନିକୃଷ୍ଟ ତଥାକଥିତ ରାଜନୀତି ଛଡା  ଲେଖକ , ସାମ୍ବାଦିକ , ଆଇନଜୀବୀ , ଶିକ୍ଷିତ ସମାଜ , ଛାତ୍ରସମାଜ , ସଚେତନ ବୁଦ୍ଧିଜିବୀ , କୌଣସି ସଂଗଠନ ବା ଆଉ କୌଣସି ଗୋଷ୍ଠୀର ସ୍ବର ଏଠି ଶୁଭେନାଇଁ  !  ତେଣୁ ଓଡିଶାରେ ଯାବତୀୟ କ୍ଷମତା ରାଜନୀତିର ନୀତିନିୟମ ବହିର୍ଭୂତ ଅପପ୍ରଚାରର ଅନୁକୂଳ ବାତାବରଣ ସୃଷ୍ଟି ହୋଇରହିଛି । 

ବିନା କୌଣସି ବିପଦଆପଦର ସୂଚନା  ବା ସେମିତି କିଛି ଅଘଟଣର କାରଣ ନଥାଇ ହଠାତ୍ ବିନା ପୂର୍ବପ୍ରସ୍ତୁତିରେ ପ୍ରଥମଥର  ଏଠାରେ ଆନ୍ତଃରାଜ୍ୟ ପୁଲିସ୍ ଡିଜି-ଆଇଜି ସମ୍ମିଳନୀର ଆୟୋଜନ କରାଯିବା ଏବଂ ସାଇବର ଅପରାଧ , ବାଂଲାଦେଶୀ ଅନୁପ୍ରବେଶ ରୋକିବା ଓ ସୁରକ୍ଷା ପାଇଁ ପୁଲିସ୍ ସଜାଗ ରହିବା ଇତ୍ୟାଦିର ମନ୍ତ୍ର ଦେଇ  ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଓ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପ୍ରମୁଖଙ୍କ ଗହଣରେ ଆସି ଏହି ୫୯ତମ ସର୍ବଭାରତୀୟ ପୁଲିସ୍ ର ଶୀର୍ଷଅଧିକାରୀଙ୍କ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଉଦ୍ ବୋଧନ ଦେବାର ଉଦ୍ଦେଶ୍ୟକୁ ଲୋକେ ବୁଝିପାରିଲେନାହିଁ  !  ମୋଦୀ ହଠାତ୍ କାହିଁକି ଏଠି ଆସି ଏସବୁ କହିଗଲେ  ?  ସତରେ ଏଠି କ’ଣ ସେଭଳି କିଛି ଜାତୀୟ ନିରାପତ୍ତା ପରିସ୍ଥିତି ସୃଷ୍ଟି ହୋଇଛି  ?

ଅବଶ୍ୟ ଓଡିଶାରେ ମାଓ ବା ନକ୍ସଲ ଦମନ , ସାଇବର ଅପରାଧ ଇତ୍ୟାଦିର ଦମନ ପାଇଁ ଏହାର ଅନିବାର୍ଯ୍ୟ ଆବଶ୍ୟକତା ରହିଛି । କିନ୍ତୁ ବିନା ବିଜୁଳି ଘଡଘଡିରେ ଛତାଛାତ ନିରାପତ୍ତାର ଏତେବଡ ଆୟୋଜନ ଏଠି ହେଇଯିବାର ଜରୁରୀ ଆବଶ୍ୟକତା ଆମ ପ୍ରଧାନମନ୍ତ୍ରୀ ଆଗତୁରା ଅନୁଭବ କରିପାରିଲେ  !

ଖଲିସ୍ଥାନ ପାଇଁ ଦାବି କରୁଥିବା ବିଦେଶରେ ରହୁଥିବା ଏଇ ଖଲିସ୍ଥାନୀ ଆତଙ୍କୀ ଗୁରୁପନ୍ତ ବନ୍ତ ସିଂ ପନ୍ନୁ  ହଠାତ୍ ମାତ୍ର ଦୁଇଟି ଇ- ମେଲ୍  ସାମ୍ବାଦିକ ଅକ୍ଷୟ ସାହୁ ଓ ସାମ୍ବାଦିକ ନବୀନ ଦାସଙ୍କୁ ପଠାଇଦେଇ ଓଡିଶାକୁ ‘ଟେମ୍ପୁଲ୍ ସିଟି’ରୁ ‘ଟେରର୍ ସିଟି ‘ , ‘ଡିସେମ୍ବର ୧ କୁ ଡି ଡେ’ ଓ ‘ଭୁବନେଶ୍ବର ବିମାନ ବନ୍ଦରରୁ ୧ ତାରିଖରେ ଉଡାଣ ବନ୍ଦ ‘ ଇତ୍ୟାଦି ବିଦେଶରୁ ଆସିଥିବା ଇ- ମେଲ୍ ର ଧମକର ଏନ୍ ଆଇ ଏ ତଦନ୍ତ ଆରମ୍ଭ ହୋଇଥିବାରୁ ନିଶ୍ଚିତ ଭାବରେ ଏହାର ଗୁରୁତ୍ବ ରହିଛି । ଯଦିଓ ଏହା ଫେକ୍ ମେଲ୍ ବୋଲି ମଧ୍ୟ ମିଡିଆରେ ପ୍ରକାଶ ପାଇଛି ।  କିନ୍ତୁ ଓଡିଶାକୁ ଏ ଟାର୍ଗେଟ୍ କିଆଁ  ? ଖଲିସ୍ଥାନ ଦାବି ସହ ଓଡିଶାର ସମ୍ପର୍କ କିସ ? ଦେଶର ସବୁ ବଡବଡିଆ ପୁଲିସ୍ ବାବୁ ମାନଙ୍କ ପାଇଁ କି  ? ଆଜିକାଲି ସେଠିକା ଏଠିକା  ସମସ୍ୟା ବୋଲି କିଛି ନାଇଁ ।  ୟୁକ୍ରେନ୍ ରେ ରୁଷିଆ ପରମାଣୁ ବୋମା ପକେଇଇଲେ , ତୃତୀୟବିଶ୍ବଯୁଦ୍ଧର ଧାସରେ ବୁକ୍ରାମୁଣ୍ଡା ଧ୍ବଂସ ହେଇଯାଇପାରେ  !  ଅବଶ୍ୟ  ଡୋଭାଲ୍ ଏହାର କୌଣସି ସୂଚନା ପାଇଥିବେ ବୋଲି ଏବେ ଏଠାରେ ଖଟିଚର୍ଚ୍ଚା ଚାଲିଛି ।

ପଶ୍ଚିମଓଡିଶାରେ କିନ୍ତୁ ଭିନ୍ନ ଚର୍ଚ୍ଚା ହେଉଛି ।  ଆଦାନୀଙ୍କ ସୁନ୍ଦରଗଡର କୋଇଲାଖଣିର କ୍ଷତିପୂର୍ତ୍ତି ବନୀକରଣ ପାଇଁ ବଲାଙ୍ଗୀର ଓ ବରଗଡର ବଣପାହାଡ ପରିବେଷ୍ଟିତ ଭରୁଆମୁଣ୍ଡା ବା ପାଇକମାଳରେ ଜମିକିଣିନେବା ପରି ଆଇନ୍ ରହିଥିବାରୁ କୌଣସି ଅସୁବିଧା ନାଇଁ  !  ଅତୀତର ବାଲକୋ ଆନ୍ଦୋଳନକୁ ସ୍ମରଣ କରି ଗନ୍ଧମାର୍ଦ୍ଦନ ପର୍ବତରେ ଖଣିଖୋଳା ଆଶଙ୍କାରେ ସ୍ଥାନୀୟ ଲୋକଙ୍କ ଆନ୍ଦୋଳନର ନିଆଁ କୁହୁଳିଲାଣି ।  ଏହା ଏକ ଛୋଟିଆ ପ୍ରସଙ୍ଗ ନୁହେଁ ।  କାରଣ ଏପଟେ ଜଣେ ଉପ- ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ତ ସେପଟ ଗନ୍ଧମାର୍ଦ୍ଦନର ଖଣିଖୋଳାକୁ ବିରୋଧ କରି ବାଲକୋ ଆନ୍ଦୋଳନର ନେତୃତ୍ବ ନେଇ ନେତା ଓ ଏବେ କେନ୍ଦ୍ର ସରକାରଙ୍କର ସାଂସଦ ହୋଇଥିବା ପ୍ରଦୀପ ପୁରୋହିତ ।  ବିଧାନସଭାରେ ଗନ୍ଧମାର୍ଦ୍ଦନ ପର୍ବତରେ ଖଣିଖୋଳା ହେବନାହିଁ ଓ ଅଞ୍ଚଳରେ ବୁଲି ବୁଲି ସଭାସମିତିରେ ଯେତେ ‘ ଗନ୍ଧମାର୍ଦ୍ଦନରୁ ଇଞ୍ଚେ ଖୋଳିବାକୁ ଦିଆଯିବ ନାହିଁ ‘ ବୋଲି ଭେଣ୍ଡିଆବୋଧ ଦେଉଥିଲେ ବି ଲୋକଙ୍କର ରାଜନେତାଙ୍କ କଥାରେ ବିଶ୍ବାସ ନାଇଁ । କାରଣ କିଛିଦିନ ଆଗରୁ ଆଦାନୀପୁତ୍ର ଉପ- ମୁଖ୍ୟମନ୍ତ୍ରୀଙ୍କୁ ଫୁଲତୋଡା ଧରାଉଥିବାର ଫଟୋ ଭାଇରାଲ୍ ହେଉଛି । କେଉଁ ଉଦ୍ଦେଶ୍ୟରେ ଶାସକଦଳର ଉପ- ମୁଖ୍ୟମନ୍ତ୍ରୀଙ୍କର ଏ  କମ୍ପାନୀପ୍ରେମ ?

ଖପ୍ରାଖୋଲ ତହସିଲ ଅଫିସ୍ ସମ୍ମୁଖରେ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ପକ୍ଷରୁ ଦିବାନିଶି ଗଣଧାରଣା ଚାଲିଛି । ପ୍ରଚଣ୍ଡ ଶୀତକାକରରେ ରାତିଦିନ କାଠଗଣ୍ଡି ଜାଳି ପଡିରହିଛନ୍ତି ପରିଷଦର ବଲାଙ୍ଗୀର ଓ ବରଗଡ ଜିଲ୍ଲାର ସଂଗ୍ରାମୀ ନେତା ଓ ଉତ୍ସର୍ଗୀକୃତ କର୍ମୀମାନେ ।  ଚାରିଆଡୁ ରାଜନୈତିକ ଓ ବିଭିନ୍ନ ସଂଗଠନ , ପରିବେଶବିତ୍ , ବୁଦ୍ଧିଜିବୀ , ଆଦିବାସୀ ତଥା ଜନସାଧାରଣଙ୍କ ପକ୍ଷରୁ ସେମାନଙ୍କୁ  ଅକୁଣ୍ଠ ସମର୍ଥନ ମିଳୁଥିବା ଲକ୍ଷ୍ୟ କରାଯାଉଛି  । ଆନ୍ଦୋଳନକାରୀମାନେ ଦାବି କରୁଛନ୍ତି , ‘ଗନ୍ଧମାର୍ଦ୍ଦନକୁ ‘ଜାତୀୟସମ୍ପତ୍ତି ‘ ଘୋଷଣା କରାଯାଇ ସରକାର ସଂକଳ୍ପପତ୍ର ପ୍ରଦାନ କରାଯାଉ ! ‘

ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଜାଣୁଛନ୍ତି , ଆଖିକି ଛୋଟ ଦେଖାଯାଉ ଥିଲେ ବି ଭବିଷ୍ୟତରେ କେତେ ବ୍ୟାପକ ହେଇରାଇପାରେ ଏ ବିଦ୍ରୋହ ! ତେଣୁ ହଠାତ୍ ରାଜଧାନୀରେ ଆକସ୍ମିକ ଏ ଆୟୋଜନ କି  ? ସରକାରର ଇଏ ଏକ ବଳପ୍ରୟୋଗର ପ୍ରଦର୍ଶନ କି  ? ‘ – ଲୋକେ ଆଲୋଚନା କରୁଛନ୍ତି ।

ଲୋକେ କହିଲେ  :  ଆମର ଡଙ୍ଗର ଦେ ବ୍ ତା ଗନ୍ଧମାର୍ଦ୍ଦନ ଉପରେ ଆଖି ପକାଇଲାରୁ କେମିତି ଆମେରିକା ଆଦାନୀକି ବାନ୍ଧିବ କହିଲାଣି । ଯିଏ ଯେତେ ଗାତ ଖୋଳିଲେ ବି ନୃସିଂହନାଥ – ହରିଶଙ୍କର ମାହାପ୍ରୁ ମୂଷିକଦୈତ୍ୟକୁ ଦୁଇପଟେ ବିଡାଳବଂଶୀ ବାଘସିଂହ ଜଗିଲା ପରାୟେ ଜଗିରହିଛନ୍ତି । ଇତିହାସ ପ୍ରସିଦ୍ଧ , ପୁରାଣପ୍ରସିଦ୍ଧ , ବିରଳ ବନ୍ୟପ୍ରାଣୀ , ବିବିଧ ଔଷଧୀୟ ବୃକ୍ଷଲତା ଗୁଳ୍ମ ସମୃଦ୍ଧ ଜୈବବିବିଧତାର ବୃଷ୍ଟିଛାୟାପୁଷ୍ଟ ଆମ ଗନ୍ଧମାର୍ଦ୍ଦନ ଖାଲି ଏକ ପର୍ବତ ନୁହଁ , ଇଏ ଆମର ଦେବତା  ! ଯିଏ ହାତ ମାରିବ , ଉଡିଯିବ ! ‘ ଏହା ଅଞ୍ଚଳବାସୀଙ୍କର ଭାବପ୍ରବଣତା ହେଇପାରେ , କିନ୍ତୁ କ୍ଷମତା ଲି ପ୍ ସୁ  ସରକାରଙ୍କ ଖଣିପ୍ରୀତି ବିରୁଦ୍ଧରେ ଏହା ଏକ ମସ୍ତବଡ ଆହ୍ବାନ ବୋଲି କୁହାଯାଉଛି । ସଂସଦ ଓ ବିଧାନସଭାରେ ଏ ତାତି ସବୁଠାରୁ ବଡତାତି !

ଏଣୁ ଲୋକଙ୍କର ଏଭଳି ଚର୍ଚ୍ଚା  ଓ ସରକାରଙ୍କର ଏତାଦୃଶ କୂଟନୈତିକ କୌଶଳକୁ ତର୍ଜମା କରିବାର ନିତାନ୍ତ ଆବଶ୍ୟକତା ରହିଛି ।

Leave a Reply

Your email address will not be published. Required fields are marked *

Related Post