ପ୍ରଥମେ ବନକର୍ମଚାରୀ / ଗଜସାଥୀ
ପରେ ସାଧାରଣ ଲୋକ ?
ବଲାଙ୍ଗୀର : ଗତ ୨୦ ତାରିଖରେ ବନ ବିଭାଗର କଣ୍ଟାବାଞ୍ଜି ରେଞ୍ଜ୍ ର ଢୋଲମାନ୍ଦଲ ସେକ୍ସନ ଅନ୍ତର୍ଗତ ତୁରେକେଲା ବ୍ଲକ୍ ଘୁନେଶ ପଞ୍ଚାୟତର ବାନ୍ଧନପାଲି ଜଙ୍ଗଲ ନିକଟରେ ବନ କର୍ମଚାରୀମାନେ ଜଙ୍ଗଲୀ ହାତୀ ଘଉଡାଉଥିଲା ବେଳେ , ରୂପେଶ ଛତ୍ରିଆ ନାମକ ଜଣେ ଯୁବକ ଗୁରୁତର ଆହତ ହେବାରୁ ତାଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହାସପାତାଳରେ ମୃତ୍ୟୁ ଘଟିଛି। ତାଙ୍କ ସମେତ ଆଉ ଦୁଇଜଣ ଲର୍କି ପାରାସ୍କ୍ବାର୍ଡର ପ୍ରଶାନ୍ତ ନାଏକ ଓ ବଙ୍ଗୋମୁଣ୍ଡା ବନ୍ୟପ୍ରାଣୀ ସ୍କାର୍ଡର ତାରେଶ୍ବର ରଣା ସେହି ଦନ୍ତାହାତୀ ଆକ୍ରମଣରେ ଆହତ ହୋଇ ଚିକିତ୍ସିତ ହେଉଛନ୍ତି ।

ତେବେ ଦୀର୍ଘ ପ୍ରାୟ ୮ ବର୍ଷ ହେଲା ଲର୍କି ଫରେଷ୍ଟର ସୁନୀଲ ଛତ୍ରିଆଙ୍କ ପାଖରେ ରହି ବନ ବିଭାଗର ସମସ୍ତକାମରେ ସକ୍ରିୟ ଥିବା ଦେଓଗାଁ ବ୍ଲକ୍ ର ଡଙ୍ଗରପଡା ଗ୍ରାମ ନିବାସୀ ରୂପେଶ ଛତ୍ରିଆଙ୍କୁ ପ୍ରଥମେ ବନବିଭାଗ ତରଫରୁ ଉକ୍ତ ଫରେଷ୍ଟରଙ୍କ ଠାରୁ ଆରମ୍ଭ କରି ଡିଏଫଓଙ୍କ ସମେତ ସମସ୍ତେ ଜଣେ ବନକର୍ମଚାରୀ ବା ଗଜସାଥୀ ବୋଲି କହିଥିଲେ ହେଁ ଏବେ ଡିଏଫଓ ସୁଦର୍ଶନ ବେହେରା ସେ ଗଜସାଥୀ ନୁହଁନ୍ତି , ଜଣେ ସାଧାରଣ ଗ୍ରାମବାସୀ ବୋଲି କହିଥିବାରୁ ସମାଲୋଚନା ପ୍ରକାଶ ପାଇଛି।

ତେବେ ସବୁଠାରୁ ଗୁରୁତର ବିଷୟ ଯେ , ରେଞ୍ଜରଙ୍କ ସମ୍ପୂର୍ଣ୍ଣ ଜ୍ଞାତସାରରେ ଦୀର୍ଘ ପ୍ରାୟ ୮ ବର୍ଷକାଳ ଜଣେ ଅନ୍ୟ ବ୍ଲକ୍ ର ଯୁବକ ଲର୍କି ଫରେଷ୍ଟରଙ୍କ ପାଖରେ ରହି ବନବିଭାଗର ସମସ୍ତକାମ କରୁଥିଲେ ହେଁ , ଡିଏଫଓଙ୍କୁ ଜଣା ନଥିଲା ! ଉକ୍ତ ଯୁବକଙ୍କ ହାତୀ ଆକ୍ରମଣରେ ମୃତ୍ୟୁପରେ ଏହି ନକଲି ବନକର୍ମଚାରୀଙ୍କ ଅସଲ ପରିଚୟ ଲୋକଲୋଚନକୁ ଆସିଛି । ଏପରିକି ମୃତଯୁବକ ଜଣକ ତାଙ୍କ ସୋସିଆଲ୍ ମିଡ଼ିଆରେ ଓ ବିଭିନ୍ନସ୍ଥାନରେ ନିଜକୁ ଜଣେ ବନକର୍ମଚାରୀ ଭାବେ ପରିଚୟ ଦେଉଥିବା ପ୍ରକାଶ । ଲର୍କି ଫରେଷ୍ଟରଙ୍କର ସେ ସମ୍ପର୍କୀୟ ଭାଇ ବୋଲି କୁହାଯାଉଛି । ତେବେ ସେ କେଉଁଠୁ କିପରି ଦୀର୍ଘ ୮ ବର୍ଷ ହେଲା କୌଣସି ପାରିଶ୍ରମିକ ନେଉଥିଲେ ନା ନାହିଁ , ଏହା ସ୍ପଷ୍ଟ ହୋଇପାରିନାହିଁ ! ସର୍ବପପରି ବଲାଙ୍ଗୀର ବନଖଣ୍ଡ ଅଧିକାରୀ ତାଙ୍କ ଡିଭିଜନରେ କେଉଁଠି କେତେ କିଏ କିଏ ବନକର୍ମଚାରୀ , ପାରାସ୍କ୍ବାର୍ଡ , ଗଜସାଥୀ ଇତ୍ୟାଦି ରହୁଛନ୍ତି , ଖବର ନ ରଖିବା ଆଶ୍ଚର୍ଯ୍ୟର ବିଷୟ ବୋଲି ଲୋକେ କହୁଛନ୍ତି । ଏଥିରୁ ତାଙ୍କର କାର୍ଯ୍ୟ ଦକ୍ଷତା ଅନୁମେୟ ! ଅବଶ୍ୟ ଉକ୍ତ ଡିଏଫଓ କିଛିଦିନ ହେଲା ବିଭିନ୍ନ ଘଟଣାରେ ବିବଦମାନ ହୋଇ ପଡିଛନ୍ତି । ଜିଲ୍ଲାରେ ଏକାଧିକ ହାତୀମୃତ୍ୟୁର ପ୍ରକୃତ ସତକୁ ଚପାଇଦେବା , ଉପ- ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ଦ୍ବାରା ପାଟଣାଗଡ ରେଞ୍ଜ୍ ଲରମ୍ଭା ସେକ୍ ସନ୍ ର ବନୀକରଣ ଯୋଜନାରେ ଅନିୟମିତତା ଧରାପଡିବା ଇତ୍ୟାଦି ତାଙ୍କ ବିରୋଧରେ ଗୁରୁତର ଅଭିଯୋଗ ପ୍ରକାଶ ପାଇଛି ।
ଏଣୁ ବଲାଙ୍ଗୀର ବନବିଭାଗରେ ଚାଲିଥିବା କାମ୍ପା , ମୋ ଜଙ୍ଗଲ ଯୋଜନା , ବନୀକରଣ , ଚାରା ରୋପଣ , ବନ୍ୟପ୍ରାଣୀ ସୁରକ୍ଷା , ଉନ୍ନୟନ , ମନରେଗା ଓ ଅନ୍ୟାନ୍ୟ ଯୋଜନା ଓ ପ୍ରକଳ୍ପ ସହିତ ବିଭାଗରେ କୋଟି କୋଟି ଟଙ୍କାର ସାମଗ୍ରୀକିଣା ଏବଂ ଆଉଟ୍ ସୋର୍ସିଂ କର୍ମଚାରୀ ନିଯୁକ୍ତି ଇତ୍ୟାଦି ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରାଗଲେ , ଅନେକ କଥା ବାହାରିବ ବୋଲି ଜନମତ ପ୍ରକାଶ ପାଉଛି ।



“ଦୃଷ୍ଟିପାତ “ଓଡିଆ ନିଉଜ୍ ପୋର୍ଟାଲ୍ ହେଉଛି , ୧୯୯୪ ରୁ ବଲାଙ୍ଗୀରରୁ ପ୍ରକାଶ ପାଉଥିବା ‘ପାକ୍ଷିକ ଦୃଷ୍ଟିପାତ ‘ ଓ ପରେ ପ୍ରକାଶିତ ‘ ସାପ୍ତାହିକ ‘ ଦୃଷ୍ଟିପାତ ‘ ସମ୍ବାଦପତ୍ରର ଆଧୁନିକ ଇ- ପତ୍ରିକା ସଂସ୍କରଣର ରୂପାନ୍ତରିତ ଉଏବ୍ ପୋର୍ଟାଲ୍ । ଏହା ମୁଖ୍ୟତଃ ରାଜ୍ୟ ତଥା ଦେଶର ଗଣମାଧ୍ୟମରେ ପ୍ରକାଶିତ ଖବରର ଏକ ତର୍ଜମାତ୍ମକ ଉପସ୍ଥାପନା ଓ ବିଭିନ୍ନ ଗଣମାଧ୍ୟମ ସୂତ୍ରରୁ ସଂଗୃହୀତ ତଥ୍ୟର ନିଜସ୍ୱ ଅନୁସନ୍ଧାନମୂଳକ ନିରପେକ୍ଷ ଖବର ପରିବେଷଣ । ଏଥିରେ କାହାର ମାନହାନୀ ବା ଏହା କ୍ଷତିସାଧନ ନିମନ୍ତେ ଉଦ୍ଦିଷ୍ଟ ନୁହେଁ ଓ ଜନହିତରେ ପ୍ରସାରିତ ସରକାର ବା ପ୍ରଶାସନର ଦୃଷ୍ଟିଆକର୍ଷଣର ଜନମତ ସମ୍ବଳିତ ଏକ ପ୍ରୟାସ ମାତ୍ର । ଏକ ଦୁର୍ନୀତିମୁକ୍ତ ସୁସ୍ଥ ସମାଜ ଗଠନ ଏହାର ଲକ୍ଷ୍ୟ ଓ ଏକାନ୍ତ ଉଦ୍ଦେଶ୍ୟ ଅଟେ।