ରାଜନୀତି

ପ୍ରସଙ୍ଗ ଥାଇ ବି ବିରୋଧୀ କୋହଳ  !

Email :

ଶୀତଳ ଶୀତକାଳୀନ ଅଧିବେଶନ 

ଭୁବନେଶ୍ବର  :  ଚଳିତ ବିଧାନସଭାର ଶୀତକାଳୀନ ଅଧିବେଶନ ବସ୍ତୁତଃ ଶୀତଳ ବୋଲି ଧରିନିଆ ଗଲାଣି  ! ରାଜ୍ୟରେ ବିଗତ ୨୪ ବର୍ଷର ଅମଲାତାନ୍ତ୍ରିକ ଏକଚ୍ଛତ୍ରବାଦ ଚଳାଇ ପତନ ଘଟିଲାପରେ ଏବେ ୫୧ ସଭ୍ୟସଂଖ୍ୟା ବିଶିଷ୍ଟ ବିରୋଧୀଦଳ ହୋଇଥିଲେ ବି ନୂତନ ସରକାରର ଏଇ ଦ୍ବିତୀୟ ଶୀତକାଳୀନ ଅଧିବେଶନରେ ବିରୋଧୀ ବିଜେଡିର ନୈରାଶ୍ଯଜନକ ପ୍ରଦର୍ଶନ ବିଚିତ୍ର ସ୍ଥିତି ଚର୍ଚ୍ଚାର ବିଷୟ ହୋଇଛି ।  ଗତ ବିଧାନସଭାରେ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ଅଧିକାଂଶଦିନ ବିଧାନସଭାକୁ ଆସୁ ନଥିଲେ । ଯଦିଓ ଏଥର ସେ ଆସୁଛନ୍ତି , ଅଧଘଣ୍ଟା ବସି କିଛି କହୁ ନଥିବା ପ୍ରକାଶ । ସେ କୌଣସି ପ୍ରସଙ୍ଗରେ ମୁହଁ ନ ଖୋଲିବା ବା ତାଙ୍କ ଦଳର ସଦସ୍ୟମାନେ ପ୍ରାୟତଃ ନୀରବତା ଅବଲମ୍ବନ କରୁଥିବାରୁ ଲୋକଙ୍କ ମନରେ ସଂଶୟ ସୃଷ୍ଟି ହେବା ସ୍ବାଭାବିକ୍ ।

ରାଜ୍ୟରେ ବଡ ବଡ ପ୍ରସଙ୍ଗ ରହିଛି । ଗଣମାଧ୍ୟମରେ ପ୍ରତିଦିନ ବହୁ ଗୁରୁତର ଜନସ୍ବାର୍ଥବିରୋଧୀ ପ୍ରସଙ୍ଗ ପ୍ରକାଶ ପାଉଛି ।  ଆଦାନୀର ଗନ୍ଧମାର୍ଦ୍ଦନ ପାଦଦେଶରେ ସୁନ୍ଦରଗଡର ଖଣିଖୋଳାର କ୍ଷତିପୂର୍ତ୍ତି ଆଳରେ ଏତେଦୂରରେ ବଲାଙ୍ଗୀର ଓ ବରଗଡରେ ଗନ୍ଧମାର୍ଦ୍ଦନ ପର୍ବତର ପାଖାପାଖି ବ୍ୟାପକ ଜମିକିଣାରୁ ଅତୀତରେ ବାଲକୋ ଇତ୍ୟାଦି କମ୍ପାନୀ ହାତରେ ସରକାର ଖଣିଲିଜ୍ ଦେବାର ସନ୍ଦେହ ସୃଷ୍ଟି ହୋଇଥିବା ଗନ୍ଧମାର୍ଦ୍ଦନରେ ଖଣିଖୋଳା ପ୍ରସଙ୍ଗ ଉଭୟ ରାଜ୍ୟ ଓ କେନ୍ଦ୍ରରେ ଲୋକଙ୍କ ଆନ୍ଦୋଳନ ଯୋଗୁଁ ଆଲୋଡନ ସୃଷ୍ଟି କରିଛି । ଅବଶ୍ୟ ଥରେ ବିରୋଧୀଦଳ ଉପନେତା ରାଣ ମେଣ୍ଟାଇବା ପରି ଗନ୍ଧମାର୍ଦ୍ଦନ ପ୍ରସଙ୍ଗ ଉଠାଇ ପରେ ବିରୋଧୀଦଳ ଚୁପ୍ ରହିଛି ।

ଦରଦାମ ବୃଦ୍ଧି ହେଉ ବା ହାତୀମୃତ୍ୟୁ , ଦାଦନସମସ୍ୟା ହେଉ ବା ଶିଶୁବିକ୍ରି , ଜଣେ ସାଂସଦଙ୍କର ରାଇସ୍ ମିଲ୍ ରୁ ଓ ଶିଶୁଖାଦ୍ୟ ଛତୁଆ ଏସଏଚଜିରୁ ଲକ୍ଷ ଲକ୍ଷ ଟଙ୍କା ଉତ୍କୋଚ ଅସୁଲି ଅଭିଯୋଗ ହେଉ ବା  ବିଧାୟକଙ୍କ ଭାଇ ଦାଦନଶ୍ରମିକଙ୍କୁ ନିର୍ଯାତନା ଅଭିଯୋଗ ହେଉ ; କୌଣସି ଚର୍ଚ୍ଚିତ ପ୍ରସଙ୍ଗରେ ବିରୋଧୀଦଳ ଆଶ୍ଚର୍ଯ୍ୟଜନକ ଭାବେ ଚୁପ୍ ପଡିଛି  ! ପୋଲାଭରମ୍ ପ୍ରସଙ୍ଗକୁ ନେଇ  ବାହାରେ ବିଜେଡିର ସକ୍ରିୟତା ସତ୍ତ୍ୱେ ସଂସଦ କିମ୍ବା ବିଧାନସଭାରେ ବିଜେଡି ସ୍ବରୋତ୍ତଳନ କରିନି । ଯଦିଓ ପୋଲାଭରମ୍ ପ୍ରସଙ୍ଗରେ କଂଗ୍ରେସ ଦଳ ପକ୍ଷରୁ ହୋହଲ୍ଲା ହୋଇଯାଇଛି । ପୂର୍ବ ବିଧାନସଭାରେ ବିରୋଧୀଦଳ ନେତା ନବୀନ ରାଜ୍ୟପାଳଙ୍କ ପୁଅର ଜଣେ ସୁରକ୍ଷାକର୍ମଚାରୀଙ୍କୁ ଆକ୍ରମଣ ଘଟଣାରେ ପୁଲିସ୍ କାର୍ଯ୍ୟାନୁଷ୍ଠାନ ନ ହେବାରୁ ଗୃହତ୍ୟାଗ କରି ଚାଲିଯାଇଥିଲେ । ଏଥର ସେପରି କୌଣସି ଆଇନ୍ ଶୃଙ୍ଖଳା ପରିସ୍ଥିତି ଘଟଣା ବିରୋଧୀଙ୍କ ଦୃଷ୍ଟିକଟୁ ହୋଇପାରି ନାହିଁ  !

ହୁଏତ ସବୁଠାରୁ ବଡ ପ୍ରସଙ୍ଗ ଆଦାନୀ ସହ ବିଜେଡିର ପୂର୍ବ ସରକାରଙ୍କ ସମ୍ପୃକ୍ତିକୁ ନେଇ କିଛିଟା କେଁ’ ରହିଛି  ! ତେଣୁ ତାହାକୁ ଉଖାରିବାକୁ ବିଜେଡି ଡରୁଛି  ? ଅନ୍ୟ ଏକ ପ୍ରମୁଖ ପ୍ରସଙ୍ଗ ସାଂସଦଙ୍କ ଛତୁଆରୁ ପିସି ନେଉଥିବା ବା ପୁଲିସ୍  ଦାଦନସେଠ୍ ସର୍ଦ୍ଦାରଙ୍କ ଠାରୁ ଉତ୍କୋଚ ନେଇଥିବାର  ଅଭିଯୋଗ ତାଙ୍କ ଶାସନକାଳରେ ବି ଘଟିଥିବାରୁ  ଏସବୁ ତାଙ୍କ ପୂର୍ବସରକାରଙ୍କ ପାଇଁ ବୁମେରାଂ ହେଇଯିବ ବୋଲି ମଧ୍ୟ ତାଙ୍କର ଭୟ ରହିଥାଇପାରେ  !

ତେବେ ସେ ଯାହାହେଉ , ଅଦ୍ୟାବଧି ଶୀତକାଳୀନ ଅଧିବେଶନରେ ବିଜେଡିର ରହସ୍ୟମୟ କୋହଳତାର କାରଣକୁ ନେଇ ଜନସାଧାରଣଙ୍କ ମଧ୍ୟରେ ବିଭିନ୍ନ ଚର୍ଚ୍ଚା ହେଉଛି ।

Leave a Reply

Your email address will not be published. Required fields are marked *

Related Post