ସଜଡା ହେବାକୁ ଟାଇମ୍ ଲାଗିବ !
ଭୁବନେଶ୍ବର : ‘ଓଡିଶାରେ ଏବେ ଡବଲଇଞ୍ଜିନ୍ ସରକାର । ତେବେ ପୁରୁଣା ସରକାରର କୌଣସି ବ୍ୟବସ୍ଥାକୁ ସଜଡା ଯାଇ ପାରିନାହିଁ । ମାସ ଛ’ଟା ହେଇଚି ମାତ୍ର ! ଟାଇମି ଲାଗିବ । ଏଣେ ଫୁଉଣି ଲୋକାଲ୍ ନୂଆ ମେକାନିକ୍ କୁ ବାହାରିଆ ଇଞ୍ଜିନିୟରିଂ କଳକୌଶଳ । ସବୁଆଡକୁ ନଜର ଦେଇ ଏପଟକୁ ଆଖି ବୁଲେଇଲା ବେଳୁକୁ ଟିକେ ବିଳମ ତ ହବ ନା ! ‘ ଏମିତି ଆଲୋଚନା କରୁଛନ୍ତି ନୋକେ ଏଠି ।
ତେବେ ପୁରୁଣା ବୋତଲରେ ନୂଆ ମଦ ପରି ଲାଗୁଥିଲେ ବି ଏତକ ଦିନ ଭିତରେ ଯୋଉ ବମ୍ବାଷ୍ଟିକ୍ ବଡ ବଡ ବାଣ ବନାମ ଯୋଜନାର ଘୋଷଣା ଓ ପ୍ରଚାର କଲେଣି ନୂଆ ସରକାର , ଲାଗୁଛି ସେସବୁ କାର୍ଯ୍ୟକାରୀ ହେଇଗଲେ ସତକୁସତ ଆମ ଓଡିଶାଟା ଏ ଡବଲଇଞ୍ଜିନ୍ ରେଳଗାଡିର ପ୍ରଥମ ବଗି ହେଇ ସମସ୍ତଙ୍କ ଠାରୁ ଆଗ ପହଞ୍ଚିଯିବ ବିକଶିତ ଲକ୍ଷ୍ୟ ସ୍ଥଳରେ । ଗନ୍ଧମାର୍ଦ୍ଦନର ଖଣିଖୋଳା ସାଙ୍ଗକୁ ସୁନ୍ଦରଗଡଠାରୁ ତିନିଶ କିମି ବା ରାଇଜସାରା କ୍ଷତିପୂର୍ତ୍ତି ବନୀକରଣ କରାଯାଇ ସବୁଜବଳୟର ସୃଷ୍ଟି ସହ ସେ ପର୍ବତର ପାଦଦେଶ ଦେଇ ନୂଆ ରେଳଲାଇନ୍ ହେଉ ବା ପାଟଣାଗଡରେ ଗୋଟେ ଏରୋଡ୍ରମ୍ , ଓଡିଶାରେ ଔଷଧ ପରୀକ୍ଷଣାଗାର , ସଡକପଥ , ନୂଆ ନୂଆ ଯୋଜନାର ଆରମ୍ଭ ସହିତ ସବୁ ଜିଲ୍ଲାରେ କେନ୍ଦ୍ରୀୟ ବିଦ୍ୟାଳୟ ଠାରୁ ମେଡିକାଲ କଲେଜ୍ ବା ଆଉ ଆଉ ଅଭିନବ ବସ୍ ଷ୍ଟାଣ୍ଡ୍ କି ରେଳଷ୍ଟେସନର ଆଧୁନିକୀ ସୌନ୍ଦର୍ଯ୍ୟକରଣ ହେଉ ; ପୁରା ଓଡିଶାର ରଙ୍ଗ ବଦଳାଇ ଦିଆଯିବ । ସେଇପରି ପୂର୍ବ ସରକାରର ‘ ଚାଷୀଙ୍କୁ ‘ କାଳିଆ ‘ ର ବିକଳ୍ପ ଭାବରେ ମହିଳାଙ୍କୁ ‘ସୁଭଦ୍ରା ‘ ଯୋଜନାରେ ଆକାଉଣ୍ଟ୍ ରେ ହଜାର ହଜାର ଟଙ୍କା ପକା , ତାଙ୍କ ଛାତ୍ରବୃତ୍ତି ସହାୟତା ପରି ଛାତ୍ରଛାତ୍ରୀଙ୍କ ପାଇଁ ପାଠପଢା- ପରୀକ୍ଷା ପରର ନିଯୁକ୍ତିସୁଯୋଗ ସବୁର ଢାଞ୍ଚା ବଦଳାଇଦେବେ । ନିର୍ବାଚନ ଇସ୍ତାହାରର ସବୁ ପ୍ରତିଶ୍ରୁତି ପାଳିତ ହେବ । ବିନା ଭିତ୍ତିଭୂମିରେ ଚାଷୀଙ୍କୁ ରାଜ୍ୟ ଇନ୍ ପୁଟ୍ ପ୍ରଦାନମେଳାରେ ଧାନର ( ପରେ ମିଲେଟ୍ ଓ ଅନ୍ୟାନ୍ୟ ସମସ୍ତ କୃଷିଜାତ ଦ୍ରବ୍ୟର ବି ) ସର୍ବନିମ୍ନସହାୟକ ମୂଲ୍ୟ ପ୍ରଦାନ କରାଯାଉଛି ଓ କରାଯିବ । ଅପେକ୍ଷା କର , ପିଲେ ! ରାଜ୍ୟରେ ଆଉ ଆଦୌ ଚାଷୀ ଆତ୍ମହତ୍ୟା ଘଟିବନି । କାଇଁ ଘଟିବ ?
ତେବେ ବିରୋଧୀଦଳ ହଟିବା ପରେ ତାଙ୍କର ୨୪ ବର୍ଷର ଶାସନକାଳରେ କରିଯାଇଥିବା ଅପକର୍ମକୁ ଭୁଲିଯାଇ ତାଙ୍କରି ଦ୍ବାରା ସୃଷ୍ଟ ଯୋଉସବୁ ପ୍ରସଙ୍ଗକୁ ଉଠାଇ ସରକାରଙ୍କ ମୁଣ୍ଡରେ ଦୋଷ ଲଦୁଛନ୍ତି , ସେଗୁଡା ଶସ୍ତା ରାଜନୀତି ! ଆମ୍ବଟାକୁଆ ଖାଇ ଆଦିବାସୀଙ୍କ ମୃତ୍ୟୁ ହେଉ ବା ଶିଶୁବିକ୍ରି ଅଭିଯୋଗ ହେଉ ଅଥବା ଆଉଟ୍ ସୋର୍ସଂ ଠିକାରେ ଚାକିରୀ ବିକ୍ରି ଅଭିଯୋଗ ; ସବୁ ତାଙ୍କରି ସମୟର ଅପକର୍ମ !
ତେବେ ଏସବୁ ବ୍ୟତୀତ ନୂଆ ସରକାର ଯୋଉ ବଡମୁଣ୍ଡିଆଙ୍କୁ ଭିଜିଲାନ୍ସ ଧରପଗଡରେ ଦୁର୍ନୀତି ନିରାକରଣ ଅଭିଯାନରେ ଶୂନ୍ୟ ସହନ ନୀତି ଧରିଛନ୍ତି , ଅମଲାତାନ୍ତ୍ରିକ ବଦଳଉଦଳ କରୁଛନ୍ତି ବା ବିଭାଗ ବଦଳ କରୁଛନ୍ତି ; ତାକୁ ଦେଖ !
ତେବେ ଲୋକଙ୍କ କହିବାକଥା ହେଲା , ନୂଆ ସରକାରର ବିଭିନ୍ନ ସରକାରୀ ସଂସ୍ଥାରେ ସଭାପତି / ଅଧ୍ୟକ୍ଷ ଇତ୍ୟାଦି ଥଇଥାନ ବା ନିଗମ ଆବଣ୍ଟନ , ବଦନାମିଆ ଆଇଏଏସ / ଆଇପିଏସ୍ / ଆଇଏଫ୍ ଏସ୍ ବା ଆଉ ଆଉ ବଡମୁଣ୍ଡିଆଙ୍କୁ ସେଇ ସେଇଠି ଥାପନାରୁ ହଲେଇ ନାହାଁନ୍ତି ; ସେସବୁକୁ କେବଠାରୁ ଆରମ୍ଭ କରିବେ ? ଏଇ ଦେଖୁନା , ଯୋଉ ଓଡିଆ ଅସ୍ମିତାକୁ ଆଧାର କରି ଏ ସରକାର ଆଇଲା , ସେଇ ସଂସ୍କୃତି ବିଭାଗ ବନାମ ଓଡିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗର ଅମଲା ଆସନରେ ‘ ଆରେ ଢମଣା , ବୁଲିବାଲି କିରି ସେଇ ଅଗଣା ‘ ନ୍ୟାୟରେ ସେଇ କ ରି ତ୍ କ ର୍ମା ଆସି ହାଜର୍ ! ତ , କେବେ ଆଉ ହବ ଓଡିଶା ସାହିତ୍ୟ ଏକାଡେମୀର କର୍ମକର୍ତ୍ତା ଥଇଥାନ ଓ ବର୍ଷ ବର୍ଷ ତଳର ପୁରସ୍କାର ପ୍ରଦାନ ? ଅନ୍ୟାନ୍ୟ ନିଗମ ଅଧ୍ୟକ୍ଷ ଥଇଥାନ କେବେ କରିବ ? ଯୋଉମାନଙ୍କୁ ମନ୍ତ୍ରୀପଦ ଦେଇ ତାଙ୍କ ମୁଣ୍ଡରେ ପାଗ ଭିଡିଦେଇଛ , ସେମାନେ କେତେ ପାରଙ୍ଗମ , ଦିନ କେଇଟାରେ ଜଣାପଡିଗଲାଣି ! ଜିଲ୍ଲାରୁ ବ୍ଲକ୍ ଓ ପଞ୍ଚାୟତ ବା ଅନ୍ୟସବୁ ବିଭାଗରେ ସେଇ ଗତ ସରକାରଙ୍କ ଯୋଜନା / ଠିକା / ପିସି ପରମ୍ପରା କଣ୍ଟିନିଉ କରୁଛି । ବିଭାଗଗୁଡିକରେ ଖାଲି ପଦପୂରଣ କେବେ ? ସ୍ବାସ୍ଥ୍ୟ , ଶିକ୍ଷା , ଜମି , ଜଙ୍ଗଲ , ଜଳସେଚନ , ମୃତ୍ତିକା ସଂରକ୍ଷଣରୁ କୃଷି , ବିଜୁଳି , ପୂର୍ତ୍ତ , ଜଳସଂପଦ ଓ ଗୃହବିଭାଗରେ ସେଇ ପୁରୁଣା ବୋତଲରେ ପୁରୁଣାମଦ !
ମହାନଦୀଟାକୁ ଶୁଖିଲା ପକେଇଦେଲ ? ଛତିଶଗଡର ଦାଦାଗିରିକୁ ସେଠି ତମ ରମଣ ସିଂ ସରକାରୁ ଏବର ତମରି ସରକାର ଓ ଏବେ ଡବଲଇଞ୍ଜିନ୍ ସରକାର ନଦୀଜଳ ଆବଣ୍ଟନ ନୀତିରେ ସମାଧାନ କରି ପାରୁନ ? ଫୁଉଣି ପର୍ବତ ବିକି ଭୂଇଁ ଖୋଳିବାର ଉପକ୍ରମ ? ଲୋକେ ସବୁ ବୁଝିପାରନ୍ତି ।
‘ଯେତେ ଡବଲଇଞ୍ଜିନ୍ ଖଞ୍ଜିଲେ କି ବାହାରିଆ ଇଞ୍ଜିନିୟରିଂ କଳକୌଶଳ ଲଗାଇଲେ ବି ଠିକ୍ ରାସ୍ତାରେ ଗାଡି ଚଲେଇବା ଶିଖ , ବାବୁ ! ‘ – ତମ ରାଜ୍ୟବାସୀ କହୁଛନ୍ତି ।