ଚାନ୍ଦା ଫ୍ୟାକ୍ଟର୍ କି ?
କଥନୀ ଓ କରନୀ ଭିତରେ ଫରକ୍
ବରଗଡ : ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଧାନର ସର୍ବନିମ୍ନ ସହାୟକ ମୂଲ୍ୟର ଇ ନ୍ ପୁ ଟ୍ ପ୍ରଦାନର ମାତ୍ର ୩ ଦିନ ପରେ ବରଗଡରେ ସୃଷ୍ଟି ହୋଇଛି ଧାନକିଣାରେ ଅଭାବନୀୟ ପରିସ୍ଥିତି । ଗତକାଲି ମଣ୍ଡିରୁ ମିଲର୍ସ ଧାନ ନ ଉଠାଇବାରୁ ଚାଷୀମାନେ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କୁ ତାଙ୍କ ଅଫିସ୍ ରେ ତାଲା ପକାଇ ଦେଇଛନ୍ତି । ମିଲର୍ସ ଓ ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ ମିଲର୍ସମାନେ କଟନୀ ଛଟନୀ ଦାବି କରି ଧାନ ଉଠାଉ ନଥିବାର ଅଭିଯୋଗ କରାଯାଇଛି । ମଣ୍ଡିରେ ପ୍ରାୟ ୫ ହଜାର କ୍ବିଣ୍ଟାଲ୍ ଧାନ ଗଦା ହୋଇ ରହିଥିବା ପ୍ରକାଶ ।
ଉଲ୍ଲେଖନୀୟ ଯେ , ଗତ ୮ ତାରିଖରେ ରାଜ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭାରମ୍ଭ କରିଥିଲେ ଚଳିତବର୍ଷର ନୂଆକରି ସରକାର ବୃଦ୍ଧି କରିଥିବା ଧାନର ଆରଏସପିର ଇନ୍ ପୁଟ୍ ପ୍ରଦାନ ବରଗଡ ଜିଲ୍ଲା ସୋହେଲା ବ୍ଲକ୍ ର ଇଚ୍ଛାପାଲି ପଡିଆରେ , ଯେଉଁଠି ଗତ ୨୦୧୫ରେ ଗତ ସରକାରଙ୍କ ଅମଳରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିବା ଧାନର କ୍ବିଣ୍ଟାଲ୍ ପ୍ରତି ୧୦୦ ଟଙ୍କାର ବୋନସ୍ । ଏହା ସହିତ ଏହି ସରକାର ଏଣୁଏଣିକି ଆଦୌ କଟନୀଛଟନୀ ହେବନାହିଁ ବୋଲି ଆଗରୁ ପ୍ରତିଶ୍ରୁତି ଦେଇଥିଲେ । ତେବେ ଚାଷୀଙ୍କୁ ଏଫ୍ ଏ କ୍ୟୁ ଧାନ ଆଣିବାକୁ କୁହାଯାଇଥିଲା । କିନ୍ତୁ ଚାଷୀମାନେ ଯେଉଁ ଧାନ ଆଣିଥିଲେ , ତହିଁରୁ କଟନୀ ଛଟନୀ ଦାବି କରି ଉଠାଉ ନଥିଲେ ମିଲର୍ସ। ଶୁଣିବାକୁ ମିଳିଛି , କୁଆଡେ କ୍ବିଣ୍ଟାଲ୍ ପିଛା ୧୫ କେଜି ପର୍ଯ୍ୟନ୍ତ ବି କଟନିଛଟନୀ କରାଯିବାକୁ ଅଡି ବସିଥିଲେ ମିଲର୍ସ ।
ସେଇ ସଭା ପାଇଁ ଜିଲ୍ଲାରେ ପ୍ରତିମିଲ୍ ରୁ ୫ ଲକ୍ଷ ହିସାବରେ ଏକ କୋଟି ଟଙ୍କାର ଚାନ୍ଦା ସଂଗ୍ରହର ଖବର ପ୍ରକାଶ ପାଇଥିବା ସହ କଷ୍ଟମମିଲିଂ ଚାର୍ଜ ବୃଦ୍ଧି ପାଇଁ ୧୦ କୋଟିର ସରକାରୀ ତୋଫା ଚର୍ଚ୍ଚା ବି। ଏହା ସତ୍ୟ କି ?
ଏଥିରୁ ଜଣାପଡୁଛି ଯେ ସରକାରଙ୍କୁ ଚାନ୍ଦା ଦେଇଥିବା ମିଲର୍ସ ଏତେ କଟନୀ ଛଟନୀ କଟକଣାକୁ ମାନିବେ କାହିଁକି ? ଏଥିରେ ଅଡୁଆ ସୃଷ୍ଟିହୋଇଛି ଯୋଗାଣ ବିଭାଗ ଉପରେ । ବିଭାଗ ଉପାୟ ବାହାର କରିଛି ଗ୍ରେନ୍ ଆନାଲାଇଜର ଆଳ ଧରି । ତେଣୁ ଫିଡକି ଯାଇଛନ୍ତି ଚାଷୀ !
ତେବେ ଖାଲି ବରଗଡରେ ନୁହେଁ , ଏଭଳି ଅଭାବନୀୟ ପରିସ୍ଥିତି ବି ସୃଷ୍ଟି ହୋଇଛି ନୂଆପଡା ଜିଲ୍ଲାରେ । ଖଡିଆଳରେ ଏସିଏସଓ ଙ୍କୁ ଚାଷୀମାନେ ଘେରାଉ କରିଛନ୍ତି ବୋଲି ଶୁଣିବାକୁ ମିଳୁଛି । ଅନେକତ୍ର ବି ଏଭଳି ପ୍ରତିକ୍ରିୟା ।
ସର୍ବୋପରି ଭିତ୍ତିଭୂମି , ଅଭିଜ୍ଞତା ଓ ଉପଯୁକ୍ତ ପରିଚାଳନା ଅଭାବରୁ ଅତିବାହାପିଆ ଘୋଷଣା ଶେଷରେ ସରକାରଙ୍କୁ ଅପଦସ୍ତ କରୁଥିବା କୁହାଯାଉଛି । ଲୋକେ ଅଭିଯୋଗ କରିଛନ୍ତି , ସରକାରଙ୍କ କଥନୀ ଓ କରନୀ ଭିତରେ ଫରକ୍ ରହୁଛି ।








“ଦୃଷ୍ଟିପାତ “ଓଡିଆ ନିଉଜ୍ ପୋର୍ଟାଲ୍ ହେଉଛି , ୧୯୯୪ ରୁ ବଲାଙ୍ଗୀରରୁ ପ୍ରକାଶ ପାଉଥିବା ‘ପାକ୍ଷିକ ଦୃଷ୍ଟିପାତ ‘ ଓ ପରେ ପ୍ରକାଶିତ ‘ ସାପ୍ତାହିକ ‘ ଦୃଷ୍ଟିପାତ ‘ ସମ୍ବାଦପତ୍ରର ଆଧୁନିକ ଇ- ପତ୍ରିକା ସଂସ୍କରଣର ରୂପାନ୍ତରିତ ଉଏବ୍ ପୋର୍ଟାଲ୍ । ଏହା ମୁଖ୍ୟତଃ ରାଜ୍ୟ ତଥା ଦେଶର ଗଣମାଧ୍ୟମରେ ପ୍ରକାଶିତ ଖବରର ଏକ ତର୍ଜମାତ୍ମକ ଉପସ୍ଥାପନା ଓ ବିଭିନ୍ନ ଗଣମାଧ୍ୟମ ସୂତ୍ରରୁ ସଂଗୃହୀତ ତଥ୍ୟର ନିଜସ୍ୱ ଅନୁସନ୍ଧାନମୂଳକ ନିରପେକ୍ଷ ଖବର ପରିବେଷଣ । ଏଥିରେ କାହାର ମାନହାନୀ ବା ଏହା କ୍ଷତିସାଧନ ନିମନ୍ତେ ଉଦ୍ଦିଷ୍ଟ ନୁହେଁ ଓ ଜନହିତରେ ପ୍ରସାରିତ ସରକାର ବା ପ୍ରଶାସନର ଦୃଷ୍ଟିଆକର୍ଷଣର ଜନମତ ସମ୍ବଳିତ ଏକ ପ୍ରୟାସ ମାତ୍ର । ଏକ ଦୁର୍ନୀତିମୁକ୍ତ ସୁସ୍ଥ ସମାଜ ଗଠନ ଏହାର ଲକ୍ଷ୍ୟ ଓ ଏକାନ୍ତ ଉଦ୍ଦେଶ୍ୟ ଅଟେ।
