ଠିକାଦାରୀ ଆଦି ବେପାର ପାଇଁ ନଉଥିଲେ କର୍ଲଗାର୍ଲଙ୍କ ସହାୟତା
ବଲାଙ୍ଗୀର : ଗିରଫ ଠକଯୋଡି ହଂସିତା-ଅନୀଲଙ୍କ ମହାଠକେଇର ବିସମ୍ବାଦ ପ୍ରାୟ ପ୍ରତ୍ୟେକଦିନ ଗଣମାଧ୍ୟମରେ ମୁଖ୍ୟସମ୍ବାଦ ହେଉଛି । ସେମାନେ ବିଭିନ୍ନ କମ୍ପାନୀର ସିଏସଆର୍ ଫଣ୍ଡ୍ , ଖଣି ବେପାର ଓ ଠିକାଦାରୀ ଆଦି ବେପାର ପାଇଁ ଅନ୍ ଲାଇନ୍ ରେ ଏସ୍ କର୍ଟ ସଂସ୍ଥାରୁ ଦିଲ୍ଲୀ , ବେଙ୍ଗାଲୁରୁ ଓ ଝାଡଖଣ୍ଡ ସହ ରୁଷିଆନ୍ କର୍ଲଗାର୍ଲଙ୍କୁ ଭଡାରେ ଆଣି ବଡବଡିଆଙ୍କୁ ଖୁସ୍ କରାଇ ସେସବୁ ହାତେଇଥିବା କ୍ରାଇମବ୍ରାଞ୍ଚ ତଦନ୍ତରୁ ଜଣାପଡିଥିବା ପ୍ରକାଶ । ସେହିପରି ଦୁଇଜଣ ବ୍ୟବସାୟୀଙ୍କୁ ରଷୀୟ ଓ ଥାଇଲାଣ୍ଡର ଯୁବତୀ ପଠାଇ ବଡବଡ ଡିଲ୍ କରୁଥିବା ପ୍ରକାଶ । ଏ ଦୁଇ ବ୍ୟବସାୟୀ କିଏ ? ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି , ନିକଟରେ ଆୟକର ବିଭାଗ ପକ୍ଷରୁ ଯେଉଁ ୭ ଜଣ ଠିକାଦାରଙ୍କ ଘରେ ଚଢଉ କରିଛି , ସେମାନଙ୍କ ମଧ୍ୟରୁ ଜଣେ ହଂସିତାଙ୍କ ଲିଙ୍କ୍ ରେ ଥିବା ଏବଂ ସେହି ଠିକାଦାରଙ୍କ ଜରିଆରେ ହଂସିତା ତାଙ୍କର କଳାସାମ୍ରାଜ୍ୟକୁ ବିସ୍ତାର କରି ଚାଲିଥିବାର ସୂଚନା ମିଳିଥିବା ପ୍ରକାଶ ପାଇଛି । ଆହୁରି ଅନେକ ରହସ୍ୟ ସେମାନଙ୍କ ହ୍ବାଟ୍ସଅପ୍ ରୁ ମିଳିଥିବା ପ୍ରକାଶ ।

ଉଲ୍ଲେଖନୀୟ ଯେ , ହଂସିତା ବଲାଙ୍ଗୀରର ପଡୋଶୀ କଳାହାଣ୍ଡି ଜିଲ୍ଲାର ନିକଟସ୍ଥ ନର୍ଲାର ହୋଇଥିବା ବେଳେ , ଉକ୍ତ ଆୟକର ଫାଙ୍କୁ ଠିକାଦାରମାନଙ୍କ ମଧ୍ୟରେ ବଲାଙ୍ଗୀର ଜିଲ୍ଲାର କେତେଜଣ ଠିକାଦାରମାନେ ମଧ୍ୟ ସମ୍ପୃକ୍ତ ଥିବା ଏବଂ ଗତ ୨୦୨୩ରେ ପଶ୍ଚିମଓଡିଶାର ଜଣେ ପ୍ରତିଷ୍ଠିତ ଠିକାଦାରଙ୍କ ଠାରୁ ୨୮୨ କୋଟିର କାମ ଦିଆଇ ସେମାନେ ୨୫ କୋଟି ଟଙ୍କାର କମିଶନ୍ ନେଇଥିଲେ । ଏହା ଏବେ ଆୟକର ବିଭାଗର ଚଢାଉ ବେଳେ ଜଣାପଡ଼ିଛି ବୋଲି ଗଣମାଧ୍ୟମରେ ପ୍ରକାଶ ପାଇଛି । ତେଣୁ ଏଇ ଖବରକୁ ନେଇ ଏଠାରେ ମଧ୍ୟ ବିଭିନ୍ନ ଚର୍ଚ୍ଚା ହେଉଛି । ସର୍ବୋପରି ଏଇ ବିଳାସୀ ଯୌନଲାଳସୀ କଳାକାର ଠିକାଦାର ଜଣକ କିଏ , ଜାଣିବାକୁ ଲୋକେ ଉତ୍ସୁକ ହୋଇ ଉଠିଛନ୍ତି ।
ତେବେ ରାଜ୍ୟର ତଥା ଦେଶର ବଡ ବଡ ସ୍କାଣ୍ଡାଲ୍ ଓ କଳାକାରନାମାରେ ଦରିଦ୍ରତମ ଜିଲ୍ଲା ଭାବେ ଜଣାଶୁଣା ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲାର ଅର୍ଚ୍ଚନା ନାଗ ଓ ହଂସିତାଙ୍କ ପରି ସୁନ୍ଦରୀ ସୋସାଇଟି ଗର୍ଲ ଏବଂ ସେମାନଙ୍କ ସହ ଜଡିତ ରାଜନେତାମାନେ ବାଟରେ ହଗି ନାଁ’ କମାଇଥିବା ବେଳେ ବିକାଶ ଓ ଉନ୍ନୟନର କାମ କରୁଥିବା ଠିକାଦାରମାନେ ମଧ୍ୟ ରାଜ୍ୟର ଦରିଦ୍ରତମ ଅଞ୍ଚଳର ସ ବାବଦର ସରକାରୀ ଅର୍ଥ ଅନୁଦାନକୁ ଏଭଳି ମସ୍ତିରେ ଉଡାଇ କୁଖ୍ୟାତି ଅର୍ଜନ କରୁଥିବା ବାସ୍ତବିକ୍ ଶୋଚନୀୟ କଥା ! ତେବେ ଏସବୁ ଖବର ଗଣମାଧ୍ୟମର ମସଲାମ୍ୟାଟର୍ ହୋଇ ତଦନ୍ତର ଫାଇଲ୍ ତଳେ ଅନ୍ୟାନ୍ୟ ମାମଲା ପରି ଚପି ନଯାଉ ବୋଲି ଲୋକେ ଆଲୋଚନା କରୁଛନ୍ତି ।