ଜିଲ୍ଲା

ବିରିମାଡରେ କୋଳଥ ଚେପା  ?

Email :2

ବଲାଙ୍ଗୀର  :  ସମ୍ବଲପୁରରେ ଏକ ମାନସିକ ରୋଗୀ ଥଇଥାନ କେନ୍ଦ୍ରରେ ଉକ୍ତ କେନ୍ଦ୍ରର ପରିଚାଳକ ଓ ସହାୟିକାଙ୍କ ଦ୍ବାରା ଅନ୍ତେବାସୀଙ୍କୁ ଅକଥନୀୟ ନିର୍ଯାତନାର ଭିଡିଓ ଭାଇରାଲ୍ ହେବା ସହ ବଲାଙ୍ଗୀରର ଜଣେ ସହାୟିକାଙ୍କ ସଚେତନତା ଫଳରେ ପ୍ରଶାସନ ପକ୍ଷରୁ ଉକ୍ତ ୪ଜଣ ଅଭିଯୁକ୍ତଙ୍କୁ ଗିରଫ ଓ ଏହି ସଂସ୍ଥାକୁ କଳା ତାଲିକାଭୁକ୍ତ କରିଦିଆଯିବା ସହ ଅନ୍ତେବାସୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରିଦିଆଯିବା ଘଟଣା ପ୍ରକାଶ ପାଇବା ପରେ , ‘ବିରିମାଡରେ କୋଳଥ ଚେପା’ ନ୍ୟାୟରେ ପୂର୍ବରୁ ଅଭିଯୋଗ ପ୍ରକାଶ ପାଇଥିବା କେତେକ ପ୍ରଭାବଶାଳୀ ପରିବାରର ମହିଳାଙ୍କ ଦ୍ବାରା ପରିଚାଳିତ ବଲାଙ୍ଗୀର ସହରର ଏକ ତଥାକଥିତ ସ୍ବେଚ୍ଛାସେବୀ ସଂସ୍ଥା ‘ ସମ୍ପୂର୍ଣ୍ଣା ‘ ର ‘ ମାତୃଛାୟା ବୃଦ୍ଧାଶ୍ରମ’କୁ ଅଚାନକ ବନ୍ଦ କରିଦିଆଯାଇଥିବା ଜଣାଯାଇଛି ।

ଉଲ୍ଲେଖନୀୟ ଯେ , ସମ୍ବଲପୁରର ଉପରୋକ୍ତ ସଂସ୍ଥାକୁ ସରକାରୀ ଅନୁଦାନ ମିଳୁଥିବା ସହ ସରକାରୀ ଅନୁମତି ଦିଆଯାଇଥିବା ବେଳେ , ବଲାଙ୍ଗୀରର ଏହି ତଥାକଥିତ ସ୍ବେଚ୍ଛାସେବୀ ଅନୁଷ୍ଠାନର  ପ୍ରାୟ ତିନିବର୍ଷ ଧରି ଖୋଲାଯାଇ ଥିବା ଉକ୍ତ ବୃଦ୍ଧାଶ୍ରମକୁ  କୌଣସି ଅନୁଦାନ ବା ଅନୁମତି ମିଳି ନଥିଲା । ଲୋକଙ୍କ ଦାନରେ ଓ ଏହାକୁ ଆଳ କରି ସଂସ୍ଥା ପକ୍ଷରୁ ବିଭିନ୍ନ ଦାତବ୍ଯ ଅନୁଦାନରେ ଏହା ଚାଲି ଆସୁଥିବା ବେଳେ ଏଠାରେ ଯାବତୀୟ କେଳେଙ୍କାରୀ , ନିର୍ଯାତନା ଓ ବ୍ୟଭିଚାର ଇତ୍ୟାଦି ଚାଲିଆସୁଥିବାର ଅଭିଯୋଗ ହୋଇଆସୁଥିଲା । ଏପରିକି ମାତ୍ର ତିନିଜଣ ବୃଦ୍ଧା ଓ ଜଣେ ସାମାନ୍ୟ ମାନସିକ ବିକାରଗ୍ରସ୍ତ ମଧ୍ୟବୟସ୍କ ପୁରୁଷଙ୍କୁ ନେଇ ଚାଲୁଥିବା ଏହି ବୃଦ୍ଧାଶ୍ରମରେ ଜଣେ ନରହନ୍ତା ଜେଲ୍ ଫେରନ୍ତା ଆସାମୀକୁ କେୟାର୍ ଟେକର୍ ଭାବେ ମୁତୟନ କରାଯାଇଥିବା ଓ ସେ  ଆଶ୍ରମର ଅନ୍ତେବାସିନୀ ଅନାଥିନୀ ବୃଦ୍ଧାମାନଙ୍କୁ ଶାରିରୀକ ଶୋଷଣ କରୁଥିବା ମଧ୍ୟ ଅଭିଯୋଗ ପ୍ରକାଶ ପାଇଥିଲେ ହେଁ , ସଂସ୍ଥାର ପରିଚାଳିକାମାନେ ଜାଣିଶୁଣି ଚୁପ୍ ରହୁଥିଲେ । ଫଳତଃ କିଛିଦିନ ତଳେ ଏହି ଆଶ୍ରମର ଜଣେ ଅନ୍ତେବାସୀ ବିରେନ୍ ଅଗ୍ରବାଲଙ୍କର ସନ୍ଦେହଜନକ ଆଝାତଜନିତ ଅପମୃତ୍ଯୁ ଘଟିଥିଲା । ଏ ସମ୍ପର୍କରେ ରାୟପୁରରେ ରହୁଥିବା ଉକ୍ତ ବ୍ୟକ୍ତିଙ୍କର ଭାଇ ଅନ୍ ଲାଇନ୍ ରେ ବଲାଙ୍ଗୀର ପୁଲିସ୍ ଓ ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ । ଏହିକ୍ରମରେ ବଲାଙ୍ଗୀର ପୁଲିସ୍ ମଧ୍ୟ ଉକ୍ତ ଆଶ୍ରମକୁ ଯାଇ ତଦନ୍ତ କରିଥିବା ପ୍ରକାଶ ।

ତେବେ ଆଶ୍ଚର୍ଯ୍ୟର ବିଷୟ ଯେ , ଜଣେ ସରକାରୀ ଡାକ୍ତରଙ୍କ ପତ୍ନୀ , ଜଣେ ପ୍ରଶାସନିକ ଅଧିକାରୀଙ୍କର ସମ୍ପର୍କୀୟା , ନିର୍ବାହୀ ଯନ୍ତ୍ରୀଙ୍କ ପତ୍ନୀ ଓ ଜଣେ ବ୍ୟବସାୟୀଙ୍କ ପତ୍ନୀ ଏହି ସଂସ୍ଥାର କର୍ମକର୍ତ୍ତୀ ରହିଥିବା ବେଳେ ତଦନ୍ତକାରୀ ପୁଲିସ୍ ବା ପ୍ରଶାସନ ପକ୍ଷରୁ ଉକ୍ତ ତଥାକଥିତ ସଂସ୍ଥାର ସନ୍ଦେହଜନକ ହତ୍ୟା ଅଭିଯୋଗ ହୋଇଥିବା ମାମଲା ଓ ଅନ୍ୟାନ୍ୟ ଗୁରୁତର ଅଭିଯୋଗରେ କାହା ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ  !

ଉଲ୍ଲେଖନୀୟ ଯେ , ଉକ୍ତ କେୟାର୍ ଟେକର୍ ଜଣେ ଅନ୍ତେବାସିନୀ ବୃଦ୍ଧାଙ୍କୁ  ରକ୍ଷିତାଭାବେ ସାଙ୍ଗରେ ନେଇ ଯାଇ ରଖିଥିବା ବେଳେ ବଦାନ୍ୟଲୋକଙ୍କ ଦାନରେ ଦିଆଯାଇଥିବା ଆଶ୍ରମର ଖଟ , ଗ୍ୟାସ୍ ଚୁଲି ଓ ଅନ୍ୟାନ୍ୟ ଆସବାବପତ୍ର ମଧ୍ୟ ନେଇଯାଇଛି । ଅନ୍ୟାନ୍ୟ ଆଲମିରା , ଖଟ , କମ୍ବଳ , ଆସବାବପତ୍ରକୁ ମଧ୍ୟ କର୍ମକର୍ତ୍ତୀମାନେ ନେଇ ଯାଇ ଭଡାଘରେ ଚାଲୁଥିବା ଏହି ତଥାକଥିତ ବୃଦ୍ଧାଶ୍ରମକୁ ବନ୍ଦ କରି ଦେଇଥିବା ଦେଖାଯାଇଛି । ଏହିପରି ଅନୁଚିତ କାର୍ଯ୍ୟକଳାପ ଯୋଗୁଁ ସଂସ୍ଥା ଛାଡିଦେଇଥିବା  ସଂସ୍ଥାର ଅନ୍ୟ କର୍ମକର୍ତ୍ତୀମାନେ ଏହାର ବ୍ୟାଙ୍କ ଆକାଉଣ୍ଟକୁ ଜବତ କରାଯିବାକୁ ଲିଖିତଭାବେ ଉକ୍ତ ବ୍ୟାଙ୍କକୁ ଜଣାଇଥିବା ପ୍ରକାଶ ।  ପ୍ରକାଶଯୋଗ୍ୟ ଯେ , ଏହି ତଥାକଥିତ ମହିଳାଏନଜିଓଟି ଲକ୍ଷ ଲକ୍ଷ ଟଙ୍କାର  ଠିକାକାମ ଓ ଅନ୍ୟାନ୍ୟ ସରକାରୀ ଯୋଜନାରେ କାମ କରୁଥିବା ମଧ୍ୟ ଅଭିଯୋଗ ହୋଇଛି ।  ଅଥଚ ଏହାକୁ କଳାତାଲିକାଭୁକ୍ତ କରାଯାଉ ନଥିବାରୁ ଜନଅସନ୍ତୋଷ ପ୍ରକାଶ ପାଇଛି ।

ଏହା ସହ  ଜନସାଧାରଣଙ୍କ ପକ୍ଷରୁ ଉକ୍ତ ସଂସ୍ଥା ବିରୋଧରେ ପୂର୍ବରୁ ପ୍ରକାଶ ପାଇଥିବା ସମସ୍ତ ଗୁରୁତର ଅଭିଯୋଗର ତଦନ୍ତ ପୂର୍ବକ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସରକାରଙ୍କ ଠାରେ ଦାବି ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *

Related Post