ଦୁର୍ନୀତି

ଜାତୀୟରାଜପଥ ସଂପ୍ରସାରଣର କ୍ଷତିପୂରଣ ପ୍ରଦାନରେ ହେରଫେର !

Email :

ହରିଜନବିଧବାଙ୍କ ପ୍ରାପ୍ଯ ନେଇଗଲେ ବେଆଇନ୍ ଘରମାଲିକ ?

ଟିଟିଲାଗଡ : ଟିଟିଲାଗଡ ଉପଖଣ୍ଡର ଏବେ ୨ ଟି ସ୍ଥାନରେ ଚାଲିଛି ରାସ୍ତା ନିର୍ମାଣ ପାଇଁ ଜମିର ଅଧିଗ୍ରହଣ । ଏଥିରୁ ବେଲଗାଁ- ରିଗଡୋଲ ଏନ୍ ଏଚ୍ – ୫୯ ଜାତୀୟରାଜପଥର ବିଜେପୁର ପଞ୍ଚାୟତର ତରାସିଂହା ଗ୍ରାମ ଦେଇ ଯାଇଥିବା ରାସ୍ତାର ରାସ୍ତାପାର୍ଶ୍ବ ଘରଭଙ୍ଗା କ୍ଷତିପୂରଣ ପ୍ରଦାନରେ ହେରଫେର ହୋଇଥିବା ଅଭିଯୋଗର ଚର୍ଚ୍ଚା ପ୍ରକାଶ ପାଇଛି।

ଏହି ଅନୁଯାୟୀ , ଏହି ଗ୍ରାମର ୰ ଶିବ ଶଙ୍କର ନାଗ , ଅଶୋକ ବେହେରା , ବିଷାଦ ଭୋଇ , ବିଶ୍ବମ୍ବର ରଣା ଓ ଚୈତନ୍ୟ ଭୋଇ ପ୍ରମୁଖଙ୍କ ଘର ଭଙ୍ଗା ଯାଇଥିବା ବେଳେ ୰ ଶିବ ଶଙ୍କର ନାଗଙ୍କ ରାସ୍ତାପାର୍ଶ୍ବ ମୌଜା -ତରାସିଂହା ଖାତା ନଂ ୧୬୪/୨୪୮ ର ୭୫୦ ପ୍ଲଟ୍ ନଂରେ ଥିବା ୧୪ ଡେସମିଲ୍ ଜମିରେ ଦନାର ବେହେରା ନାମକ ଶୁଣ୍ଢି ଜାତିର ସେହି ଗ୍ରାମର ଜଣେ ବ୍ୟକ୍ତି ଘର ନିର୍ମାଣ କରି ରହୁଥିବାରୁ ମୃତ ପ୍ରକୃତ ଜମିମାଲିକଙ୍କ ବିଧବା ପତ୍ନୀ ଜ୍ୟୋତ୍ସ୍ନାମୟୀ ନାଗଙ୍କ ସହ ସଲାସୁତୁରା କରି ପ୍ରାୟ ୭୦ ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ନେଇଯାଇଥିବା କଥା ଉଠିଛି । ୰ ଶିବ ଶଙ୍କର ନାଗ ଜଣେ ଅନୁସୂଚିତ ଜାତିର ଜମିମାଲିକ ଓ ତାଙ୍କର ଉକ୍ତ ଜମିଟି ଏକ ଅଣରେଜିଷ୍ଟ୍ରିକୃତ ଜମି ହୋଇଥିବା ବେଳେ ଓ ଏହାର ସମ୍ମୁଖ ଭାଗର ଭଙ୍ଗା ଅଂଶଟି ମାତ୍ର ଅଳ୍ପ ଦେଖା ଯାଉଥିବା ସ୍ଥଳେ ଏହାର ଅଧିଗ୍ରହଣ ଓ ମୂଲ୍ୟାୟନ ଏତେ କିପରି ହେଲା ବୋଲି ଅଞ୍ଚଳରେ ସନ୍ଦେହ ସୃଷ୍ଟି ହୋଇଛି ? ଅଧିକାରୀମାନଙ୍କୁ ହାତ କରି ଲକ୍ଷାଧିକ ଟଙ୍କାର ହାତଗୁଞ୍ଜା ଦିଆଯାଇ ଏପରି ଅନିୟମିତତା କରାଯାଇଥିବାର ଚର୍ଚ୍ଚା ହେଉଛି । ଆହୁରି ମଧ୍ଯ ଯଦି ଏହି ଗୋଟିଏ କ୍ଷେତ୍ରରେ ଏପରି ହୋଇଛି , ଏହି ଦୁଇଟି ରାସ୍ତାର କ୍ଷତିପୂରଣ ପ୍ରଦାନରେ କ’ଣ ହେଉ ନଥିବ ବୋଲି ଲୋକେ ଆଶଙ୍କା ପ୍ରକାଶ କରିଛନ୍ତି !

ଏ ସମ୍ପର୍କରେ ଟିଟିଲାଗଡ ଉପଜିଲ୍ଲାପାଳଙ୍କ ଅଫିସ୍ କୁ ଯାଇ ପଚାରିବାରୁ ଅଫିସ୍ ର କେତେକ କର୍ମଚାରୀ ଏହି ବାଇପାସ୍ ରାସ୍ତା ଅଧିଗ୍ରହଣ ସେକ୍ ସନ୍ କୁ ଏହା ତାଙ୍କ ଅଫିସ ପଛପଟେ ଥିବା ଉକ୍ତ ବିଭାଗକୁ ‘ କାଲା ଅଫିସ୍ ‘ ବା ‘ କଳା କାରବାର ‘ ଚାଲିଥିବା ବିଭାଗ ବୋଲି କହି ଦେଖାଇ ଦେଇଥିଲେ । ସେଠାରେ ଉକ୍ତ ୫ ଜଣିଆ କର୍ମଚାରୀଙ୍କ ଅସ୍ଥାୟୀ ବିଭାଗଟିରେ ୩/୪ ଜଣ ଅବସରପ୍ରାପ୍ତ ସ୍ଥାନୀୟ ବାସିନ୍ଦା ଆର୍ ଆଇ – କ୍ଷୀରସିନ୍ଧୁ ବାରିକ , ହେଡକ୍ଲର୍କ ଲୁକମଲ୍ ଖାନ୍ , ଅମିନ ନରୋତ୍ତମ ପ୍ରଧାନ ଓ ଜଣେ ମହିଳା ଡାଟା ଏଣ୍ଟ୍ରି ଅପରେଟର ସୁନୀତା ବାରିକ ଏବଂ ଜଣେ ପିଅନ ହୀରାଲାଲ ବେହେରା ଥିବା ଦେଖାଯାଇଥିଲା । ଆମେମାନେ ଅସ୍ଥାୟୀ ୬ ମାସିଆ କର୍ମଚାରୀ ଓ ଉପଜିଲ୍ଲାପାଳଙ୍କ ଅଧୀନସ୍ଥ ବୋଲି ଆର୍ ଆଇ କହିଥିଲେ । ମୁଖ୍ଯ କିରାଣି ସାମାନ୍ଯ ଗୁଁ ପୁଁ ହେଉଥିଲେ ହେଁ, ଆଇ ମହାଶୟ ଜଣେ ନିହାତି ଭଦ୍ରବ୍ୟକ୍ତି ଓ ସେ ସମସ୍ତ ମାଗିଥିବା ତଥ୍ଯ ଫାଇଲ୍ କାଢି ଯୋଗାଇ ଦେଇଥିଲେ ।

ଏଥିରୁ ଜଣାଯାଇଥିଲା ଯେ , ଏହି ଉପଖଣ୍ଡର ୨ ଟି ଏଭଳି ରାସ୍ତାକାମ ଚାଲିଛି । ଏଥିରୁ ଗୋଟିଏ ଏହି ଏନ୍ ଏଚ୍ – ୫୯ ବେଲଗାଁ-ରିଗଡୁଲ ଓ ଅନ୍ୟଟି ଏନ୍ ଏଚ୍ – ୫୯ ସତୀଘାଟ – ଚାରଭଟା । ଏହି ଉଭୟ ରାସ୍ତାର ଜମି ଅଧିଗ୍ରହଣର କ୍ଷତିପୂରଣ ପ୍ରଦାନ ୭୫% ସରିଗଲାଣି ବୋଲି ଆର୍ ଆଇ କହିଥିଲେ । ସତୀଘାଟ-ଚାରଭଟା ରାସ୍ତାର କ୍ଷତିପୂରଣ ପାଇଁ ୧୭୭ଟି କେସ୍ ର ମୋଟ ୨୨ କୋଟି ୮୩ ଲକ୍ଷ ୭୫ ହଜାର ୫୪୦ ଟଙ୍କାରୁ ୧୭ କୋଟି ୬ ଲକ୍ଷ ୪୬୩ ଟଙ୍କା ଓ ବେଲଗାଁ-ରିଗଡୋଲ ରାସ୍ତାର ୧୭୭ଟି କେସ୍ ର ମୋଟ ୫ କୋଟି ୫୭ ଲକ୍ଷ ୬୮ ହଜାର ୮୮୬ ଟଙ୍କାରୁ ୩ କୋଟି ୯୩ ଲକ୍ଷ ୫୨ ୫୨୦ ଟଙ୍କା ଦିଆଯାଇ ସାରିଲାଣି ବୋଲି ସେ ପ୍ରକାଶ କରିଥିଲେ ।

ଏଥିରେ ଉପରୋକ୍ତ ତରାସିଂହାର ୰ ଶିବ ଶଙ୍କର ନାଗଙ୍କ ଓରଫ ତାଙ୍କ ବିଧବାପତ୍ନୀ ଜ୍ୟୋତ୍ସ୍ନାମୟୀ ନାଗ ମାର୍ଫତଦାର ଦନାର ବେହେରାଙ୍କ କ୍ଷତିପୂରଣ ରାଶି ମୋଟ ୭୦ ଲକ୍ଷ ୩୪ ହଜାର ୧୦୫ ଟଙ୍କାରୁ ୧୦% ଟିଡିଏସ୍ କଟି ୬୩ ଲକ୍ଷ ୩୦ ହଜାର ୮୩୩ ଟଙ୍କା ସ୍ଥାନୀୟ ଟିଟିଲାଗଡ ଏକ୍ସିସ୍ ବ୍ୟାଙ୍କ ଜରିଆରେ ଅନ୍ ଲାଇନ୍ ରେ ପେମେଣ୍ଟ କରାଯାଇଛି ବୋଲି ତାଙ୍କ ଠାରୁ ପ୍ରକାଶ ।

ତେବେ ଏହି ଭଙ୍ଗାଘରର ଭିନ୍ନ ଫଟୋ ଫାଇଲରେ ଲଗାଯାଇଥିବା ଦେଖାଯାଇଥିଲା ! ଉକ୍ତ ଅଳ୍ପ ଅଂଶର ଏଭଳି ଭେଲୁଏସନ୍ ତତ୍କାଳୀନ କଣ୍ଟାବାଞ୍ଜିରୁ ଡେପୁଟେସନରେ ଆସିଥିବା ପୂର୍ତ୍ତ ବିଭାଗର ଏସ୍ ଡି ଓ ଇଂ ଡିଲେଶ୍ବର ମାଝୀ କରିଥିବା ଆର ଆଇ ଙ୍କ ସୂତ୍ରରୁ ପ୍ରକାଶ । ତେବେ ତାଙ୍କର ମତାମତ ପାଇଁ ବାରମ୍ବାର ଚେଷ୍ଟା କରାଯାଇ ଥିଲେ ହେଁ , ସମ୍ଭବ ହୋଇପାରିନାହିଁ । ସେହିପରି ଟିଟିଲାଗଡ ଉପଜିଲ୍ଲାପାଳ ରେହାନ୍ କ୍ଷେତ୍ରୀଙ୍କର ମତାମତ ମଧ୍ଯ ମିଳିପାରିନାହିଁ । ହିତାଧିକାରିଣୀ ଜ୍ୟୋତ୍ସ୍ନାମୟୀ ନାଗ , ମାର୍ଫତଦାର ଦନାର ବେହେରାଙ୍କ ମତ ମଧ୍ଯ ଚେଷ୍ଟା କରାଯାଇଥିଲେ ହେଁ , ମିଳିପାରି ନଥିଲେ ମଧ୍ୟ ତରାସିଂହା ଗ୍ରାମବାସିନ୍ଦା ତଥା ପୂର୍ବତନ ବିଜେପୁର ସରପଞ୍ଚ ସୁବାସ ମହାନନ୍ଦ ଏଭଳି ହେରଫେର ସମ୍ପର୍କରେ ‘ ଏହା ଉଭୟଙ୍କ ପାରସ୍ପରିକ ବୁଝାମଣାରେ ହୋଇଥିବା କହିଛନ୍ତି ।

ସେ ଯାହାହେଉ , ଏତେ ଟଙ୍କାର କ୍ଷତିପୂରଣ ରାଶିପ୍ରଦାନରେ ଅସ୍ଥାୟୀ କର୍ମଚାରୀଙ୍କ ଉପରେ ଦାୟିତ୍ବ ନ୍ୟସ୍ତ କରାଯିବା , ଉକ୍ତ ଟଙ୍କାକୁ କୌଣସି ଜାତୀୟକରଣ ବ୍ୟାଙ୍କରେ ରଖା ନ ଯିବା , ୨୨ ରାଜସ୍ବ ଧାରାର ଉଲଙ୍ଘନ ପୂର୍ବକ ଜଣେ ଅନୁସୂଚିତ ବର୍ଗର ବ୍ୟକ୍ତିଙ୍କ ଜମି ଉପରେ ଜଣେ ଭିନ୍ନ ବର୍ଗର ବ୍ୟକ୍ତିର ନିର୍ମାଣ କରିଥିବା ଘରର ଅତିରିକ୍ତ ମୂଲ୍ଯାୟନ ପୂର୍ବକ ଲକ୍ଷାଧିକଟଙ୍କାର କ୍ଷତିପୂରଣ ରାଶିର ହଡପ କାରବାରର ଉପଯୁକ୍ତ ଯାଞ୍ଚ କରା ନ ଯାଇ , ଉପଜିଲ୍ଲାପାଳଙ୍କ ସମେତ ବଲାଙ୍ଗୀର ଜାତୀୟରାଜପଥ ବିଭାଗ , ଭୁବନେଶ୍ବର ବିଭାଗୀୟ ରାଜ୍ୟକର୍ତ୍ତୃପକ୍ଷ ଓ କୋଲକାତା ମୁଖ୍ୟାଳୟର ଅଧିକାରୀଙ୍କୁ ଭୁଆଁବୁଲାଇ ଏଠାରେ ଚାଲିଥିବା ଏଭଳି ଅତ୍ୟନ୍ତ ସନ୍ଦେହଜନକ ଗୁରୁତର ଅନିୟମିତତାର କାର୍ଯ୍ୟକଳାପର ଏକ ଉଚ୍ଚସ୍ତରୀୟ ତଦନ୍ତ ଜରୁରୀ ବୋଲି ଜନସାଧାରଣଙ୍କ ପକ୍ଷରୁ ମତପ୍ରକାଶ ପାଇଛି । ଉଲ୍ଲେଖଯୋଗ୍ଯ ଯେ ଜନୈକ ସ୍ଥାନୀୟ ସାମ୍ବାଦିକ ଏ ସମ୍ପର୍କରେ କିଛିଦିନ ତଳେ ସୂଚନା ଅଧିକାର ବଳରେ ତଥ୍ଯ ମାଗିଥିବା ଓ ଏହାକୁ କୌଣସିପ୍ରକାର ଚପାଇ ଦିଆଯାଇଥିବାର ଚର୍ଚ୍ଚା ହେଉଛି ।
କୌତୁହଳର ବିଷୟ ଯେ , ଏ ସମ୍ପର୍କରେ ଦୁର୍ନୀତିର ଅଭିଯୋଗ ହେଉଥିବା କହିବାରୁ ଉକ୍ତ ଅଧିକାରୀ ଚିହିଁକି ଉଠି ‘ମୁଁ ତ ମୋ ଚାକିରୀଜୀବନରେ ଟଙ୍କାଟିଏ କାହାଠାରୁ ଖାଇନି । ମୋର ଦୁଇଟା ପୁତୁରା ଓକିଲ ଓ ଜଣେ ପ୍ରିନ୍ସିପାଲ ଅଛନ୍ତି ଓ ମୋତେ ଆପଣମାନେ ଅମୁକଙ୍କ ( ଜଣେ ସାମ୍ବାଦିକ ସଂଘର ସଭାପତି)ଙ୍କ ସାଙ୍ଗ ରେ ସବୁବେଳେ ବୁଲାବୁଲି କରୁଥିବା ଦେଖିଥିବେ’ ବୋଲି ବାହାସ୍ପୋଟ ମାରିଥିଲେ । ତେବେ ଏହି ଦୁଇଟି ରାସ୍ତାର ଜମି ଅଧିଗ୍ରହଣ ଓ ଘରଭଙ୍ଗା ଇତ୍ୟାଦିର କ୍ଷତିପୂରଣ ପ୍ରଦାନରେ ବହୁ ଅନିୟମିତତାର ଅଭିଯୋଗର ଚର୍ଚ୍ଚାର ସରକାରଙ୍କ ପକ୍ଷରୁ ଲୋକେ ଭିଜିଲାନ୍ସ ବା ସିବିଆଇ ତଦନ୍ତ ଦାବି କରୁଛନ୍ତି ।

Leave a Reply

Your email address will not be published. Required fields are marked *

Related Post