ଜିଲ୍ଲା

ଦୁର୍ନୀତିର ଖଜୁରୀଗଛ ସମବାୟ ବିଭାଗ

Email :

ମଞ୍ଜି ପୋତି ବଢାଇଥାନ୍ତି ମନ୍ତ୍ରୀ ଓ ଅଧିକାରୀ

କର୍ମଚାରୀଙ୍କ ନିଯୁକ୍ତିଠାରୁ ମିଥ୍ୟାଧାନକିଣା , ଶଠକମିଟି ଓ ଚାଷୀଶୋଷଣର ରାକେଟ୍

ବରଗଡ : କେବଳ ପଶ୍ଚିମଓଡିଶାରେ ନିୟନ୍ତ୍ରିତ ବଜାର କମିଟିଗୁଡ଼ିକ ଠାରୁ ପ୍ରାଥମିକ କୃଷି ସମବାୟ ସମିତି ବା ପେକ୍ସଗୁଡିକର କାର୍ଯ୍ୟକଳାପର ଗତ କିଛିବର୍ଷର ପ୍ରକୃତ ସମୀକ୍ଷା କରାଯାଏ , ଦୁର୍ନୀତିମାମଲା ଓ ଅଡିଟ୍ ରିପୋର୍ଟ ବ୍ୟତୀତ ସମ୍ପାଦକ ନିଯୁକ୍ତିବେଳୁଁ କିଭଳି ଭାବରେ ଖଜୁରୀଗଛର ତଳୁ ପାହାଚ ପାହାଚ ପରି ଦୁର୍ନୀତି ସଜ୍ଜିତ ହୋଇ ରହିଛି ଜଳଜଳ ହୋଇ ଦିଶିଯାଏ । ଏବଂ ଏହାମୂଳରେ ବିଭାଗୀୟ ମନ୍ତ୍ରୀଙ୍କ ଠାରୁ ସଚିବ , ନିର୍ଦ୍ଦେଶକ, ଜିଲ୍ଲାପାଳ , ସମ୍ପାଦକ, ବିଭିନ୍ନ କମିଟି ଓ ବୋର୍ଡ କର୍ମକର୍ତ୍ତାଙ୍କର ସମ୍ପୃକ୍ତି ରହିଆସିଛି ।

ଏଥିଯୋଗୁଁ ନିୟନ୍ତ୍ରିତ ବଜାର କମିଟି , ବଜାର ପ୍ରାଙ୍ଗଣ, ଆନୁସଙ୍ଗିକ ନିର୍ମାଣାଦି ବ୍ୟବସ୍ଥା , କର୍ମଚାରୀ ନିଯୁକ୍ତି , ପେକ୍ସରେ ସମ୍ପାଦକ ଓ ଅନ୍ଯାନ୍ଯ କର୍ମଚାରୀ ନିଯୁକ୍ତି , ଉପକରଣ , ସାମଗ୍ରୀ ଓ ଯନ୍ତ୍ରପାତି କ୍ରୟ , ଧାନକିଣା ଇତ୍ୟାଦିରେ ହେଉଥିବା ଅନିୟମିତତାରେ ସେମାନଙ୍କର ସମ୍ପୃକ୍ତି ରହିଆସୁଛି ।

ଉଦାହରଣସ୍ୱରୂପ ଦୁଇବର୍ଷ ତଳେ ସୁବର୍ଣ୍ଣପୁର ଜିଲ୍ଲାର ତରଭା ବ୍ଲକର କମସରା ପେକ୍ସର ଖରିଫ ଧାନକିଣାରେ ଡିଇଓ ଓ ସେକ୍ରେଟାରୀଙ୍କ ଦ୍ବାରା ୨୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଫେକ୍ ଭେଣ୍ଡିଂ ଅଭିଯୋଗ ଚାଷୀଙ୍କ ପକ୍ଷରୁ କରାଯାଇ ସୋନପୁର ଡି ଆର୍ ସି ଏସ୍ , ଜିଲ୍ଲାପାଳ, ସିସି ଏସ୍ ଓ ଏବଂ ତରଭା ଥାନାରେ ଅଭିଯୋଗ ପରେ ଗାଁ’ ରେ କଙ୍ଗାରୁ କୋର୍ଟ କରାଯାଇ ଅଭିଯୁକ୍ତ ଜମି ବନ୍ଧକ ଦେଇ ୧୫ ଲକ୍ଷ ଫେରାଇବାକୁ ପ୍ରତିଶୃତି ଦେବାରୁ ଜିଲ୍ଲାପାଳଙ୍କୁ ଅଭିଯୋଗ ଫେରାଇ ନେବାକୁ ଦରଖାସ୍ତ , ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲି ନିୟନ୍ତ୍ରିତ ବଜାର କମିଟିର ପୂର୍ବତନ ସମ୍ପାଦକ ଉଦିତ ବାବୁଙ୍କ ବିରୁଦ୍ଧରେ କୋଟି କୋଟି ଟଙ୍କାର ଆର୍ଥିକ ଅନିୟମିତତାର ଅଭିଯୋଗ ଗଣମାଧ୍ୟମରେ ଘନ ଘନ ପ୍ରକାଶିତ ଜନଅଭିଯୋଗ ସହିତ ବିଭାଗୀୟ ମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ଅନ୍ୟତ୍ର ବଦଳି ସତ୍ତ୍ବେ ତାଙ୍କର ବିଭିନ୍ନ ହାତବାରିସୀ ଲୋକଙ୍କ ଜରିଆରେ ବଜାଜ୍ ଆଲିଏନ୍ସ ନାମକ ଏକ ବୀମାକମ୍ପାନୀ ଜରିଆରେ ଅର୍ଥ ତୋଷରପାତ ଓ ବହୁମୂଲ୍ୟର ଯନ୍ତ୍ରପାତି ,ସିସିଟିଭି ଯୋଗାଣରେ ଟେଣ୍ଡର ଫିକ୍ସିଂ, ତୁଷୁରା ଥାନାରେ ସମାଧାନ କରାଯାଇଥିବା ବୋର୍ଡ ସଭାପତି ଓ ନିର୍ଦ୍ଦେଶକଙ୍କର ଲାଞ୍ଚ ନେବା ଅଭିଯୋଗ ଏତଲାର ବଲାଙ୍ଗୀର ଜିଲ୍ଲାର ଦେଓଗାଁ ବ୍ଲକର ବହୁଚର୍ଚ୍ଚିତ ଅର୍ଜୁନପୁର ସମ୍ପାଦକ ଟୁନା ପ୍ରଧାନ ନିଯୁକ୍ତି କେଳେଙ୍କାରୀ ସହିତ ଗତ ମାର୍ଚ୍ଚ ମାସର ବରଗଡ ଜିଲ୍ଲାର ୪ ଜଣ ପେକ୍ସ ସମ୍ପାଦକଙ୍କୁ ଭିଜିଲାନ୍ସ ଗିରଫ ଓ ଅନ୍ଯାନ୍ଯ ଅନିୟମିତତାର ଅଡିଟ୍ ରିପୋର୍ଟ ମାମଲା ଇତ୍ୟାଦି ।

ଖଜୁରୀଗଛ ତଳୁ ଉପର ପାହାଚ ପାହାଚ

ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ଯେ , ଏହିସବୁ ସ୍ଥାନରେ ଦୀର୍ଘ ବର୍ଷ ବର୍ଷ ଓ ଦଶନ୍ଧି ଧରି ପଦୋନ୍ନତି / ଡେପୁଟେସନ୍ ଓ ଏଠୁ ସେଠିକି ବଦଳି ଆଳରେ ପୁରୁଣାମୂଷାମାନଙ୍କୁ ସୁଯୋଗ ଦିଆଯାଇ ଆସୁଛି ! ବଲାଙ୍ଗୀର ଡିଆର୍ ଅଫିସ୍ ର ଏ ଆର୍ ରବୀନ୍ଦ୍ର ପଣ୍ଡା , ସୋନପୁର ଡିଆର୍ ଅଫିସ୍ ର ଏ ଆର୍ ପାଣୁ ଚରଣ ସାହୁ , ସଂପ୍ରତି ବରଗଡ ଡି ଆର୍ ଭାବେ ଯୋଗ ଦେଇଥିବା ଯୁଗଳ ଦାଶ , ଡୁଙ୍ଗୁରିପାଲି ଆର୍ ଏମ୍ ସି ର ହିସାବରକ୍ଷକ ସୁଶାନ୍ତ ମେହେର ଓ ଅନ୍ଯାନ୍ଯ କେତେକ ଅଧିକାରୀ / କର୍ମଚାରୀଙ୍କ ନାଁ’ ଉଠିଥିବା ଲୋକଙ୍କ ଚର୍ଚ୍ଚାରୁ ପ୍ରକାଶ । ଯଦିଓ ଏମାନେ ଉକ୍ତ ଚର୍ଚ୍ଚା ଓ ଅଭିଯୋଗକୁ ଖଣ୍ଡନ କରନ୍ତି । ଏ ସମ୍ପର୍କରେ କ୍ରମାନ୍ବୟରେ ସ୍ବତନ୍ତ୍ର ଅନୁସନ୍ଧାନମୂଳକ ରିପୋର୍ଟ ପ୍ରକାଶ ପାଇବ । ତେବେ ଏହି ଅଧିକାରୀଙ୍କ ସେମାନଙ୍କ କାର୍ଯ୍ୟକାଳ ମଧ୍ଯରେ ବହୁ ଅଭିଯୋଗ ଉଠିଥିଲେ ହେଁ , ସେ ସବୁକୁ ବିଭାଗ ପକ୍ଷରୁ ଚପାଇ ଦିଆଯାଇଥିବା କୁହାଯାଏ । ଏ ମାନଙ୍କୁ ସେମାନଙ୍କ ସୁବିଧାଜନକ ପୋଷ୍ଟିଂ ରେ ରାଜନୈତିକ ହସ୍ତକ୍ଷେପ ରହିଥିବାର କୁହାଯାଉଛି ।

କିଛିଦିନ ତଳେ ପଦୋନ୍ନତି ପାଇ ବରଗଡ ଡିଆର୍ ସି ଏସ୍ ଭାବରେ ଯୋଗଦେଇଥିବା ଯୁଗଳ ଦାଶଙ୍କୁ ବରଗଡ ଜିଲ୍ଲା ବନାମ ଡିଆର୍ ସି ଏସ୍ ଙ୍କ ଅଧୀନସ୍ଥ ଉକ୍ତ ଭିଜିଲାନ୍ସ କାର୍ଯ୍ୟାନୁଷ୍ଠାନ ଓ ଅଡିଟ୍ ରେ ଧରାପଡିଥିବା ଆର୍ଥିକ ଅନିୟମିତତା ସମ୍ପର୍କରେ ଅନୌପଚାରିକ ଆଲୋଚନା ବେଳେ , ସେ ଏସବୁକୁ ସ୍ବାଭାବିକ୍ ବୋଲି କହି ଏମିତି ପେଣ୍ଡା ପେଣ୍ଡା ଧରାପଡୁଛନ୍ତି । ଅଡିଟ୍ ରିପୋର୍ଟ କ’ଣ ସବୁ ସତ କି ? – ବୋଲି ଓଲଟା ପଚାରି ବେଖାତିର୍ ରେ ଉଡାଇ ଦେଇଥିଲେ ।

ପଶ୍ଚିମ ଓଡିଶାର ଭାତହାଣ୍ଡି କୁହାଯାଉଥିବା ହୀରାକୁଦ ବନ୍ଧ ଜଳସେଚିତ ଅଞ୍ଚଳ ବରଗଡ ଜିଲ୍ଲାରେ ବରଗଡ ସମବାୟ ଉପ ନିବନ୍ଧକଙ୍କ ଅଧୀନରେ ୫୩ ଟି ପେକ୍ସ , ୧୪ ଟି ଡବ୍ଲୁ ଏସ୍ ଏଚ୍ ଜି , ୧୮୯ ଟି ପିପିସି ସହିତ ବରଗଡ, ପଦ୍ମପୁର, ଅତାବିରା ୩ ଟି ଆର୍ ଏମ୍ ସି ରହିଛି । ଏହି ଜିଲ୍ଲାର ପେକ୍ସଗୁଡିକର ସ୍ଥିତି କିପରି ଗତ ମାର୍ଚ୍ଚ ମାସରେ ୪ ଜଣ ସେକ୍ରେଟାରୀଙ୍କ ଆର୍ଥିକ ଅନିୟମିତତାରେ ଭିଜିଲାନ୍ସ ହାତରେ ଗିରଫ ଘଟଣାରୁ ସୁସ୍ପଷ୍ଟ । ସେମାନଙ୍କ ବିରୋଧରେ ସାର ବିହନ ହେରଫେର , ଋଣ ପୁନଃପ୍ରଦାନରେ ଖାତାପତ୍ରରେ ଅନିୟମିତତା ଓ ଅବୈଧ ଟଙ୍କା ଉଠାଣର ଗୁରୁତର ଅଭିଯୋଗ ରହିଥିଲା । ଅଭିଯୁକ୍ତ ଭୁବନେଶ୍ବର ସାହୁ , ଭଗବାନ ପଟେଲ , ଛବିଳ ବେହେରା ଓ କାନ୍ତିଲାଲ ଭୋଇଙ୍କ ବିରୋଧରେ ୬୪ ୧୩୭୩୦ ଟଙ୍କାର ଅନିୟମିତତାର ଅଭିଯୋଗ ହୋଇଥିବା ପ୍ରକାଶ । ଆହୁରି କେଉଁଠି କେତେ ଦୁର୍ନୀତି ହୋଇଛି , ପରେ ଜଣା ପଡିବ ।

ତେବେ ଏଭଳି ପେକ୍ସଗୁଡିକର ସମ୍ପାଦକ ବା କର୍ମଚାରୀଙ୍କ ନିଯୁକ୍ତି ସହ ବୋର୍ଡ ର ଅବୈଧ କାର୍ଯ୍ୟକଳାପର ଚୂଡାନ୍ତ ମୋହର କିଏ ମାରନ୍ତି ଓ ଏଥିସକାଶେ ସମବାୟ ବିଭାଗର ନିବନ୍ଧକ , ଏମ୍ ଡି, ଉପନିବନ୍ଧକ ଓ ଏ ଆର୍ ସିଏସ୍ ମାନେ କେତେ ଦାୟୀ , ନୂତନ ସରକାରଙ୍କ ତର୍ଜମାସାପେକ୍ଷ ବୋଲି ଲୋକେ ପଚାରିଛନ୍ତି । କିଛିବର୍ଷ ତଳେ ସମବାୟ ବିଭାଗ ସବୁଠୁଁ ବେଶି ଦୁର୍ନୀତିଗ୍ରସ୍ତ ବୋଲି ପୂର୍ବତନ ସମବାୟ ମନ୍ତ୍ରୀ ୰ ଡା ଦାମୋଦର ରାଉତ କହିଥିବା ବେଳେ , ଏ ସରକାରଙ୍କ ବିଭାଗୀୟ ମନ୍ତ୍ରୀଙ୍କ ଅନୁଭବ ନିମନ୍ତେ ଅପେକ୍ଷା ରହିଛି । ଏହି ଜିଲ୍ଲାରୁ ହିଁ ଚଳିତ ସରକାର ବର୍ଦ୍ଧିତ ଦରର ଖରିଫ ଧାନକିଣା ଆରମ୍ଭ କରିଥିଲେ । କିଛିଦିନ ତଳେ ଏଠାକୁ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଗସ୍ତ କରିଥିଲେ।

ସଦ୍ୟତମ ଘଟଣାନୁଯାୟୀ , ଜିଲ୍ଲା ଯୋଗାଣ ବିଭାଗରୁ ପ୍ରାପ୍ତ ଆର୍ ଟି ଏ ତଥ୍ଯ ଅନୁଯାୟୀ , ବଲାଙ୍ଗୀର ଜିଲ୍ଲାର ସଇଁନ୍ତଳା , ଲୋଇସିଂହା ଓ ଅନ୍ଯାନ୍ଯ ପେକ୍ସଗୁଡିକରୁ ଗତ ଖରିଫ ଧାନର ମିଲର୍ସଙ୍କୁ ଫଲ୍ ସ ଏଣ୍ଟ୍ରି ଅଭିଯୋଗର ତଦନ୍ତ ପାଇଁ ସିସିଏସ୍ ଓ ବଲାଙ୍ଗୀର ଡି ଆର୍ ଙ୍କୁ ଚିଠି କରିଥିବା ସହ ବରଗଡ ଜିଲ୍ଲାରେ ରବିଧାନ ଟ୍ରକ୍ ଧରାପଡିବା ଇତ୍ୟାଦିରେ ସମ୍ପୃକ୍ତ ପେକ୍ସଗୁଡିକର ସେକ୍ରେଟାରୀ ଓ ଡିଇଓମାନଙ୍କର କିଭଳି ସମ୍ପୃକ୍ତି ରହିଛି , ତଦନ୍ତକୁ ଅପେକ୍ଷା କରାଯାଇଛି । ସର୍ବୋପରି ଏଭଳି ପେକ୍ସଗୁଡିକର କର୍ମଚାରୀଙ୍କ ନିଯୁକ୍ତିରେ ମୋହର ମାରୁଥିବା ଡିଆର୍ ମାନେ କେତେ ସଚେତନ ?

ଏଣୁ ଲକ୍ଷ ଲକ୍ଷ ଟଙ୍କାର ଲାଞ୍ଚ ନେଇ ପେକ୍ସଗୁଡିକରେ ସମ୍ପାଦକ, ସହ ସମ୍ପାଦକ, ମଣ୍ଡିରେ ଡିଇଓ ମାନଙ୍କୁ ମନଇଚ୍ଛା ନିଯୁକ୍ତି ଦିଆଯାଇଥିବାରୁ ଏବଂ ସମିତିର ବୋର୍ଡର ଅନିୟମିତତାକୁ ଅଭିଯୋଗ ସତ୍ତ୍ବେ ସମର୍ଥନ କରି ଚାଲି ଥିବାରୁ ଦୁର୍ନୀତିର ମଞ୍ଜି ବୁଣି ସେମାନଙ୍କ ଠାରୁ ନିୟମିତ ବଟିଖାଇ ଏଭଳି ଦୁର୍ନୀତିଗ୍ରସ୍ତଙ୍କୁ ନିଯୁକ୍ତ କରି ସମବାୟ ବିଭାଗ ମୁଣ୍ଡଝାଳ ତୁଣ୍ଡରେ ମାରି ଫସଲ ଉପୁଜାଉଥିବା ଚାଷୀଙ୍କ ରକ୍ତ ଶୋଷୁଥିବା ଅଭିଯୋଗ କରାଯାଇଛି।

Leave a Reply

Your email address will not be published. Required fields are marked *

Related Post