ପୁଞ୍ଜିଲାଲ ଦୋଷୀ ସାବ୍ୟସ୍ତ
ପାଟଣାଗଡ : ଗତ ୨୦୧୮ ଫେବୃୟାରୀ ୨୩ ତାରିଖରେ ପାଟଣାଗଡ ନିବାସୀ ଅଧ୍ୟାପକ ରବୀନ୍ଦ୍ର କୁମାର ସାହୁ ଓ ନିକଟସ୍ଥ ଭଇଁଷା କଲେଜର ଅଧ୍ୟକ୍ଷା ପ୍ରଫେସର ସଂଯୁକ୍ତା ସାହୁଙ୍କ ପୁଅ ବାହାଘରର ୫ ଦିନ ପରେ ରାୟପୁରରୁ କୋରିଅରରେ ଏକ ଉପହାର ପ୍ୟାକେଟ୍ ରେ ଆସିଥିବା ପାର୍ଶଲ ବୋମା ବିସ୍ଫୋରଣରେ ନବବିବାହିତ ଇଂ ସୌମ୍ଯ ଶେଖର ଓ ବାହାଘରକୁ ଆସିଥିବା ତାଙ୍କ ବୃଦ୍ଧା ଜେଜେ ମା’ ଜେମାମଣିଙ୍କର ମର୍ମନ୍ତୁଦ ମୃତ୍ଯୁ ଘଟିଥିବା ସହ ନବବଧୂ ରୀମାରାଣୀ ଗୁରୁତର ଆହତ ହୋଇ ଚିକିତ୍ସିତା ହୋଇ ବର୍ତ୍ତି ଯାଇଥିବା ଚାଞ୍ଚଲ୍ୟକର ବହୁଚର୍ଚ୍ଚିତ ଘଟଣାର ଦୀର୍ଘ ୭ ବର୍ଷ ପରେ ଗତ ମେ ୨୮ ତାରିଖରେ ପାଟଣାଗଡ ଏଡିଜେ କୋର୍ଟର ରାୟ ପ୍ରକାଶ ପାଇଛି । ଏଥିରେ କ୍ରାଇମବ୍ରାଞ୍ଚ ଦ୍ବାରା ଗିରଫ ହୋଇ ଜେଲ୍ ହାଜତରେ ଥିବା ମାମଲାର ଏକମାତ୍ର ଅଭିଯୁକ୍ତ ସେହି କଲେଜର ପୂର୍ବତନ ଭାରପ୍ରାପ୍ତ ଅଧ୍ୟକ୍ଷ ତଥା ଇଂରାଜୀ ଅଧ୍ୟାପକ ପାଟଣାଗଡ ନିବାସୀ ପୁଞ୍ଜିଲାଲ ମେହେର ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡ ସହ ୧ ଲକ୍ଷ ୭୦ ହଜାର ଟଙ୍କାର ଜୋରିମାନାର ଦଣ୍ଡାଦେଶ ପାଇଥିବା ପ୍ରକାଶ । ଏହା ଶୁଣିବାକୁ କୋର୍ଟପରିସର ଲୋକାରଣ୍ୟ ହୋଇପଡିଥିଲା ।
ଆଜୀବନ କାରାଦଣ୍ଡ ଓ ଜୋରିମାନା
ଉଲ୍ଲେଖଯୋଗ୍ଯ ଯେ , କ୍ରାଇମବ୍ରାଞ୍ଚ ପକ୍ଷରୁ ଦାଖଲ ୨୦୦୦ ପୃଷ୍ଠାର ଚାର୍ଜସିଟ୍ , ୬୨ ଜଣ ସାକ୍ଷୀ ଇତ୍ୟାଦି ସତ୍ତ୍ବେ ଜଣେ ବି ପ୍ରତ୍ୟକ୍ଷଦର୍ଶୀ ବା ସେପରି କୌଣସି ଠୋସ୍ ପ୍ରମାଣ ଯୋଗାଡ କରିପାରି ନଥିଲେ ହେଁ , ପାରିପାର୍ଶ୍ବିକ, ସାଇଣ୍ଟିଫିକ୍ ଓ ଟେକ୍ନିକାଲ୍ ଏଭିଡେନ୍ସ ଇତ୍ୟାଦିର ପ୍ରୋସିକ୍ୟୁସନ୍ ପ୍ରସ୍ତୁତ କରିଥିଲା । ତେଣୁ ସମ୍ଭବତଃ ତଦନ୍ତର ଉପରୋକ୍ତ ଦୁର୍ବଳତାକୁ କାଳେ ଅଦାଲତ ଗୁରୁତ୍ବ ନ ଦେବା ଆଶଙ୍କାରେ ଆଉ ଏକ ବାହ୍ୟ ଚାପ ସୃଷ୍ଟିର ଅବକାଶ ପଡିଥିଲା । ତାହା ହେଲା , ଆରମ୍ଭରୁ ଏହି ମାମଲାର ମିଡିଆ ଟ୍ରାଏଲ୍ । କାରଣ ଏହି ମାମଲାର ରାୟ ସଂରକ୍ଷିତ ଥିଲାବେଳେ ରାୟପ୍ରକାଶର ଶେଷମୁହୂର୍ତ୍ତ ପର୍ଯ୍ୟନ୍ତ ଘନଘନ ମିଡିଆରେ କ୍ରାଇମବ୍ରାଞ୍ଚ ପକ୍ଷରୁ ପ୍ରସ୍ତୁତ ଏକ ଭିଡିଓ ଡେମୋ ଭାଇରାଲ୍ ହେବା !
ଏହା ବ୍ୟତୀତ ପ୍ରତିପକ୍ଷ ଓକିଲଙ୍କ କହିବାନୁଯାୟୀ , ଏହି ମାମଲାର ଅନ୍ଯାନ୍ଯ ସମଅଭିଯୋଗ ରହିଥିଲେ ହେଁ , ପ୍ରୋସିକ୍ୟୁସନ୍ ପକ୍ଷରୁ ସେଗୁଡିକ ସମ୍ପର୍କରେ କୋର୍ଟକୁ ଅବଗତ କରାଯାଇ ନ ଥିଲା !
ପାର୍ଶଲ ବୋମା ମାମଲାର ରାୟ
ତେବେ ପୂର୍ବରୁ କୋର୍ଟରେ ପ୍ରଦର୍ଶିତ ଉକ୍ତ ଭିଡିଓର ଡେମୋକୁ ଇ ଉକ୍ତ ଭାଇରାଲ୍ ଦୃଶ୍ୟରେ ବ୍ୟବହାର କରାଯାଇଥିବା ଓ ଏହା ଏକ ଏଡିଟ୍ ଭିଡିଓ ରେକର୍ଡିଙ୍ଗ୍ ବୋଲି ଅଭିଯୁକ୍ତର ପତ୍ନୀ ଓ ପୁଅ ପକ୍ଷରୁ ଗଣମାଧ୍ୟମରେ ଅଭିଯୋଗ ପ୍ରକାଶ ପାଇଥିବା ସହ ପ୍ରତିପକ୍ଷର ଓକିଲ ମଧ୍ଯ ଏ ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀରେ ଆପତ୍ତି ପ୍ରକାଶ କରିଥିଲେ ହେଁ , କୋର୍ଟରେ ଗ୍ରହଣୀୟ ହେଉ ନ ଥିବା ଆପାତତଃ ଏହି ଭିଡିଓରେ ଅଭିଯୁକ୍ତର ଅବଲୀଳାକ୍ରମେ ଚଟାପଟ୍ ୟୁ ଟ୍ୟୁବ୍ ରୁ ବୋମା ତିଆରି ଓ ତଦନ୍ତକାରୀଙ୍କ ଆଗରେ ସ୍ବୀକାରୋକ୍ତିର ପ୍ରମାଣ ଦେଖଣାହାରୀଙ୍କ ମସ୍ତିଷ୍କରେ ଏକ ଛାପ ପକାଇବାକୁ ଯଥେଷ୍ଟ ଥିଲା ।

ବୋମା ତିଆରି ଓ ସ୍ବୀକାରୋକ୍ତିର ଭିଡିଓ ଭାଇରାଲ୍
ଏଭଳି ଗୁରୁତର ତଥ୍ଯ ପ୍ରମାଣ ହାସଲ କରିବାରେ ନିଶ୍ଚିତ ଭାବରେ ତଦନ୍ତକାରୀ କ୍ରାଇମବ୍ରାଞ୍ଚର ମୁଖ୍ଯ ଅରୁଣ ବୋଥ୍ରାଙ୍କର ପୁଞ୍ଜିଲାଲ ବଲାଙ୍ଗୀର ପୁଲିସକୁ ଦିଗହରା କରିବାକୁ ପଠାଇଥିବା ବେନାମୀ ଚିଠିର ସୂତ୍ର ଧରି ଡଷ୍ଟବିନର ବାରୁଦ ସହ ବୋମାବାରୁଦର ଅବଶିଷ୍ଟାଂଶର ମେଳ କରାଇବାର ବିଚକ୍ଷଣ ତଦନ୍ତ ଦକ୍ଷତାକୁ ଶ୍ରେୟ ଦିଆଯାଇପାରେ ! ତଦନ୍ତ ବେଳେ ସେ କାହିଁକି ଅଭିଯୁକ୍ତକୁ ରାୟପୁର ନେଇଥିଲେର କାରଣ ସମ୍ପର୍କରେ କିଛିଟା କଳ୍ପନାଜଳ୍ପନାର ଚର୍ଚ୍ଚା ମଧ୍ଯ ହେଉଛି । ଏହି କଳ୍ପନାଜଳ୍ପନା ମଧ୍ଯରେ କିଛିଦିନ ତଳର ଛତିଶଗଡ ର ଜଣେ ସାମ୍ବାଦିକଙ୍କ ହତ୍ୟାକାଣ୍ଡ ରହସ୍ଯ ଉନ୍ମୋଚନ ବ୍ୟବହୃତ ଆମେରିକାର ‘ ଟ୍ରୁଥ୍ ପିଲ୍ ‘ ଠାରୁ ସ୍ବଭାବଗତ ଭାବେ ପୁଞ୍ଜିଲାଲର ମାତ୍ରାଧିକ ଆତ୍ମବିଶ୍ବାସ ବା ପିଲାଦିନରୁ ବିଚକ୍ଷଣ ଅପରାଧ ମାନସିକତାଦି ଯାହାହେଉ ନା କାହିଁକି , ଉକ୍ତ ଭିଡିଓର ଭୂମିକା ବା ପ୍ରଭାବ ପକାଇଥିବା ଚର୍ଚ୍ଚା ହେଉଛି ।
ଉଲ୍ଲେଖଯୋଗ୍ଯ ଯେ , ପରୀକାଣ୍ଡ ଠାରୁ ନବ ଦାସ ହତ୍ୟାକାଣ୍ଡ ପର୍ଯ୍ୟନ୍ତ ବିବଦମାନ ହୋଇପଡିଥିବା ଅରୁଣ ବୋଥ୍ରାଙ୍କର ପୂର୍ବୋକ୍ତ ସମସ୍ତ କାଦୁଅଫିଙ୍ଗା ଛବିକୁ ଏହି ତଦନ୍ତର ସଫଳତା ଧୋଇଦେଲା । ଏହି ପରିପ୍ରେକ୍ଷୀରେ ଗଣମାଧ୍ୟମର ପକ୍ଷରୁ ସେସବୁ ମାମଲା ସମ୍ପର୍କରେ ପଚାରିବା ଏଥିର ପ୍ରମାଣ ।
ଅବଶ୍ଯ ଏହାପରେ ପୁଞ୍ଜିଲାଲ ଏଡିଜେ କୋର୍ଟ ରାୟ ବିରୁଦ୍ଧରେ ହାଇକୋର୍ଟକୁ ଯିବ ବୋଲି ପ୍ରକାଶ ପାଇଛି । ରାୟପ୍ରକାଶ ପରେ ତାକୁ ବଲାଙ୍ଗୀର ଜେଲ୍ କୁ ଫେରାଇ ଅଣାଯାଉଥିବା ବେଳେ ସେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦେଖି ‘ ମୋତେ ବରବାଦ କରିଦେଲ ‘ ବୋଲି ଚିତ୍କାର କରି ବର୍ଷିଥିଲା । ସେ ମଧ୍ଯ ଏତେବର୍ଷ ଜେଲ୍ ହାଜତରେ ରହିବା ଭିତରେ ସାମ୍ବାଦିକତା ପାଠ ପଢି ଉତ୍ତୀର୍ଣ୍ଣ ହେବା ମିଡିଆ ଟ୍ରାଏଲ୍ ବିରୁଦ୍ଧରେ ତା’ର ଦୃଢ ବିରୋଧଭାବନାର ପ୍ରମାଣ । ପାଟଣାଗଡ ଉପ- କାରାଗାରରୁ ସେ ଜେଲ୍ ପାଚେରୀ ଡେଇଁ ପଳାଉଥିଲା ବୋଲି ମିଥ୍ୟା ଅଭିଯୋଗ ଓ ଗଣମାଧ୍ୟମର ମିଛପ୍ରଚାରର ଶିକାର ହୋଇ ବଲାଙ୍ଗୀର ଜିଲ୍ଲାଜେଲ୍ କୁ ସ୍ଥାନାନ୍ତରିତ ହୋଇଥିଲା । ଉକ୍ତ ରାୟ ବିରୋଧରେ ସେ ‘ ମୋତେ ଫସାଇ ଦିଆଯାଇଛି ‘ ବୋଲି ପ୍ରତିବାଦ ପ୍ରକାଶ କରିଛି । ରାୟ ପ୍ରକାଶ ଦିନ ସେ ବଲାଙ୍ଗୀର ଜେଲ୍ ରୁ ପାଟଣାଗଡ କୋର୍ଟକୁ ଅଣାଗଲା ବେଳେ ସହବନ୍ଦୀମାନଙ୍କୁ ଏହା ତା’ର ଶେଷ ଜେଲ୍ ରହଣୀ ଓ ସେ ମୁକୁଳିଯିବ ବୋଲି କହିଥିବା ପ୍ରକାଶ ।
ଯାହାହେଉ ନା କାହିଁକି , ଉକ୍ତ ଭିଡିଓର ଡେମୋ ମିଛ ହୋଇ ନ ପାରେ ବୋଲି ଲୋକଙ୍କ ଆଲୋଚନାରୁ ପ୍ରକାଶ ।
ଏଥିସହ ଏତେବର୍ଷର ଅଭିଯୁକ୍ତ ହୋଇ ସେ ନିଜ ସହକର୍ମୀଙ୍କ ପୁଅ ଓ ଜଣେ ନିରପରାଧିନୀ ବୁଢୀଲୋକର ଏଭଳି ମର୍ମନ୍ତୁଦ ମୃତ୍ୟୁ ଏବଂ ଜଣେ ନବବଧୂର ସୁନାସଂସାରକୁ ଉଜାଡି ଦେଇଥିବାର ଦୁର୍ଘଟଣା ବା ତା’ର ପ୍ରଚଣ୍ଡ ଈର୍ଷା ଓ କ୍ରୋଧବଶତଃ ହତ୍ୟାକାଣ୍ଡ ପାଇଁ ଏହି ଭିଡିଓରେ ବ୍ୟତୀତ ଆଉ କେବେ କେଉଁଠି ଥରଟିଏ ଦୁଃଖପ୍ରକାଶ ବା ଅନୁତାପ କରିଥିବାର ଶୁଣାଯାଇନାହିଁ ! ତଥାପି ଯଦି ସେ ନିର୍ଦୋଷ , ଈଶ୍ବର ତା’କୁ ସହାୟ ହୁଅନ୍ତୁ !