ଦୁର୍ନୀତି

ଏସ୍ ପି ଙ୍କ ନିର୍ଦ୍ଦେଶରେ ଦିବ୍ୟାଙ୍ଗ ଠକ ଗିରଫ

Email :

ଏସ୍ ଏଚ୍ ଜି ମହିଳାଙ୍କ ଠାରୁ ଠକି ନେଇଥିଲା ୧୪ ଲକ୍ଷ

ବଲାଙ୍ଗୀର : ଭିନ୍ନକ୍ଷମ କୋଟାରେ ଶିକ୍ଷକ ଚାକିରୀ କରୁଥିବା ଜଣେ ଅଭ୍ୟାସଗତ ଠକ ଓ ତା’ର ଗ୍ୟାଙ୍ଗ୍ ପ୍ରେସ୍ ଖଲି ମେସିନ୍ ଯୋଗାଇଦେବାକୁ ମିଛ ପ୍ରତିଶ୍ରୁତି ଦେଇ କେତେକ ଗ୍ରାମାଞ୍ଚଳ ଏସ୍ ଏଚ୍ ଜି ମହିଳାଙ୍କୁ ବ୍ୟାଙ୍କରେ ଋଣ କରାଇଦେଇ ୧୪ ଲକ୍ଷ ଟଙ୍କାର ଠକେଇ କରିଥିବା ଓ ଥାନାରେ ଅଭିଯୋଗ ସତ୍ତ୍ବେ ୨ ଟି ଥାନାର ପୁଲିସ୍ ଏହାକୁ ଚପାଇ ଦେଇ ଆସୁଥିବାର ଅଭିଯୋଗ ହେବାରୁ ବଲାଙ୍ଗୀର ଏସ୍ ପିଙ୍କ ହସ୍ତକ୍ଷେପ ପରେ ଉକ୍ତ ଠକକୁ ଶେଷରେ ପାଟଣାଗଡ ପୁଲିସ ଗିରଫ କରି କୋର୍ଟଚାଲାଣ କରିଥିବା ଜଣାଯାଇଛି ।

ଅଭିଯୋଗରୁ ପ୍ରକାଶ ଯେ , କିଛିଦିନ ତଳେ ପାଟଣାଗଡରେ ରହୁଥିବା ବେହେରାବନ୍ଧ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ଖପ୍ରାଖୋଲ ଥାନାନ୍ତର୍ଗତ ଧଣ୍ଡାମୁଣ୍ଡା ଗ୍ରାମ ନିବାସୀ ଜଣେ ଦିବ୍ୟାଙ୍ଗ ଦୀପକ କୁମାର ଭୋଇ ସଦର ଥାନାନ୍ତର୍ଗତ କୁସଙ୍ଗ ଗ୍ରାମର ପ୍ରଦ୍ୟୁମ୍ନ ସାହୁ ଗ୍ରାମର ମିଶନଶକ୍ତିର ସିଆରପି ମହିଳାଙ୍କ ଜରିଆରେ ପୁଇଁତଳା ଥାନାନ୍ତର୍ଗତ ବୁଢୀସିଣ୍ଢୋଲ ଗ୍ରାମର ମା ସନ୍ତୋଷୀ ଏସ୍ ଏଚ୍ ଜି ଓ ନିକଟସ୍ଥ ବାଦୀବାହାଲର ଅମ୍ବିକା ଏସ୍ ଏଚ୍ ଜି , ଦୁର୍ଗାପାଲି ଓ ସଦର ଥାନାନ୍ତର୍ଗତ ମାଧିଆପାଲି ଗ୍ରାମର ଅନ୍ଯାନ୍ଯ ଏସ୍ ଏଚ୍ ଜି ର ୧୮ ଜଣ ମହିଳାଙ୍କୁ ତା’ର ଏକ ତଥାକଥିତ ‘ ଏଲୋରା ଅଗରବତୀ ଉଦ୍ୟୋଗ ‘ ତରଫରୁ ବଲାଙ୍ଗୀର ଦେନା ବ୍ୟାଙ୍କ , ଏଲ ଏମ ଟି ଓ ଅନ୍ଯାନ୍ଯ ବ୍ୟାଙ୍କରୁ ଋଣ କରାଇଦେଇଥିଲା । ସେମାନଙ୍କୁ ପାଟଣାଗଡ ଡକାଇ ୨ ଟି ଅଟୋମେଟିକ୍ ପ୍ରେସ୍ ଖଲି ମେସିନ୍ ୭ ଦିନ ମଧ୍ଯରେ ଦେବାକୁ ନଚେତ୍ ଟଙ୍କା ଫେରସ୍ତ ଦେବାର ସର୍ତ୍ତରେ କେତୋଟି ଏଗ୍ରିମେଣ୍ଟ୍ ଲେଖି ଦେଇ ୧୪ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା କୁସଙ୍ଗ ଗ୍ରାମର ସହଯୋଗୀ ପ୍ରଦ୍ୟୁମ୍ନ ସାହୁ ଜରିଆରେ ଠକି ନେଇଥିଲା । ପ୍ରଦ୍ୟୁମ୍ନ ସାହୁ ଉକ୍ତ ମହିଳାଙ୍କ ଏଟିଏମ ମାଗିନେଇ ସବୁ ଟଙ୍କା ଉଠାଇ ନେଇ ଆଉ ଧରାଛୁଆଁ ନ ଦେବାରୁ ଉକ୍ତ ମହିଳାମାନେ ପ୍ରଥମେ ସ୍ଥାନୀୟ ପୁଇଁନ୍ତଳା ଥାନାକୁ ଯାଇ ଅଭିଯୋଗ କରିଥିଲେ । ଏପରିକି ସେମାନେ ଯାଇ ପାଟଣାଗଡରୁ ଉକ୍ତ ଦିବ୍ୟାଙ୍ଗ ଠକ ଦୀପକ ଭୋଇକୁ ଆଣି ଥାନାରେ ପୁଲିସକୁ ଜିମା ଦେଇଥିଲେ । ଏପରି ଠକେଇର ଟଙ୍କା ଆକାଉଣ୍ଟକୁ ଟ୍ରାନ୍ରଫର୍ କରୁଥିବା ଅଭିଯୁକ୍ତର ପତ୍ନୀ ମଧ୍ଯ ଥାନାକୁ ଆସିଥିବା ପ୍ରକାଶ । ସେତେବେଳେ ଅଭିଯୁକ୍ତ ନିଜେ ସବୁ ଟଙ୍କା ହଡପ କରିଥିବା ଥାନାରେ ପୁଲିସ ଆଗରେ ସ୍ବୀକାର କରି ଲେଖିଦେଇଥିବା ଓ ତତ୍କାଳୀନ ଜଣେ ପୁଲିସ ଅଧିକାରୀ ମନୋଜ ପ୍ରଧାନ ମାମଲା ଋଜୁ ନ କରିବାକୁ ବୁଝାସୁଝା କରି ସେ କିଛିଦିନ ପରେ ଟଙ୍କା ଫେରାଇ ଦେବାର ପ୍ରତିଶ୍ରୁତି ଦେଇ ଏଭଳି ଜଣେ ଦିବ୍ୟାଙ୍ଗ ଶିକ୍ଷକକୁ ଦୟାପୂର୍ବକ ଏହାର ସମାଧାନ କରିଦେବାକୁ ପରାମର୍ଶ ଦେଇ ଫେରାଇ ଦେଇଥିବା ଏବଂ ତାରାବତୀ ପ୍ରଧାନ ନାମ୍ନୀ ଜନୈକା ମହିଳା ପୁଲିସ ଅଧିକାରୀଙ୍କ ହସ୍ତକ୍ଷେପରେ ସେମାନେ ଅଭିଯୁକ୍ତକୁ ଛାଡିଦେଇଥିବା ପ୍ରକାଶ ।

ତେବେ କିଛିଦିନ ପରେ ମଧ୍ଯ ଟଙ୍କା ନ ଫେରାଇବାରୁ ଉକ୍ତ ଠକେଇର ଶିକାର ହୋଇଥିବା ମହିଳାମାନେ ବାରମ୍ବାର ଉକ୍ତ ଥାନାକୁ ଦୌଡି ଦୌଡି ନିରାଶ ହୋଇ ପଡିବାରୁ ଶେଷରେ ଗତ ୧୮ । ୩ । ୨୦୨୫ ତାରିଖରେ ବଲାଙ୍ଗୀର ଏସ୍ ପିଙ୍କୁ ଭେଟି ଅଭିଯୋଗ କରିଥିଲେ । ଏ ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ମଧ୍ଯ ପ୍ରକାଶ ପାଇଥିଲା । ସେଠାରେ ଥିବା ଉକ୍ତ ମହିଳା ପୁଲିସ ଅଧିକାରୀଙ୍କ ହସ୍ତକ୍ଷେପରେ ଏହା ପାଟଣାଗଡରେ ଏଗ୍ରିମେଣ୍ଟ୍ କରାଯାଇଥିବାରୁ ପାଟଣାଗଡ ଥାନାକୁ ଏସ୍ ପି ଅଭିଳାଷ ଜି ଅଭିଯୋଗକାରିଣୀମାନଙ୍କୁ ପଠାଇ ଦେଇଥିଲେ । ପାଟଣାଗଡ ଥାନାରେ ଏ ସମ୍ପର୍କରେ ମାମଲା ନ୦ ୮୧ / ୨୦୨୫ ରେ ୟୁ / ଏସ୍ ଭାରତୀୟ ନ୍ୟାୟ ସଂହିତା ୪୮୨ ଦଫାରେ ଏକ ମାମଲା ଋଜୁ କରାଯାଇଥିଲେ ହେଁ , ଅଭିଯୁକ୍ତ ଦୀପକ କୁମାର ଭୋଇ , ପ୍ରଦ୍ୟୁମ୍ନ ସାହୁ ଓ ଅନ୍ଯମାନଙ୍କୁ ଫେରାର୍ ଦର୍ଶାଯାଇ ଦିନ ଗଡାଯାଇଥିଲା ।

ଇତିମଧ୍ୟରେ ଅନ୍ୟତନ ଅଭିଯୁକ୍ତ ପ୍ରଦ୍ୟୁମ୍ନ ସାହୁ ଅଗ୍ରୀମ ଗିରଫ ପ୍ରତିଶେଧକ ଜାମିନ୍ ପାଇଁ ହାଇକୋର୍ଟରେ ଆବେଦନ କରିଥିଲା ଓ ହାଇକୋର୍ଟରୁ ଏକ ନୋଟିସ ଅଭିଯୋଗକାରିଣୀଙ୍କ ନିକଟକୁ ଆସିଥିଲା । ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ , ଗତ ମାସ ୯ ଓ ୧୩ ତାରିଖରେ ଅଭିଯୋଗକାରିଣୀ ଠକେଇର ଶିକାର ମହିଳାମାନେ କଟକ ଯାଇ କୋର୍ଟରେ ହାଜର ମଧ୍ଯ ହେବାପରେ ଅଭିଯୁକ୍ତ ପ୍ରଦ୍ୟୁମ୍ନ ସାହୁକୁ ଅଗ୍ରୀମ ଜାମିନ ମିଳିଯାଇଥିଲା । ଏ ସମ୍ପର୍କରେ ପଚାରିବାରୁ ପାଟଣାଗଡ ଥାନାର ତଦନ୍ତକାରୀ ଅଧିକାରୀ ବିଶ୍ବରଞ୍ଜନ ମହାନ୍ତି ଚଢାଗଳାରେ ଆମ ପ୍ରତିନିଧିଙ୍କୁ ‘ କେହି ଫେରାର୍ ହୋଇଯାଇ ନାହାଁନ୍ତି ତ ! ସେ ତ ନିଜେ ହାଇକୋର୍ଟର ବେଲ୍ ଅର୍ଡର ଧରି ମୋ ପାଖକୁ ଆସିଥିଲା । ଏଇ ମାମଲାରେ ମୁଁ ଟଙ୍କା ଖାଇଛି ବୋଲି ଭାବୁଛ କି ? ମୁଁ ସଚ୍ଚୋଟ ‘ ଇତ୍ୟାଦି ବାହାସ୍ଫୋଟ ମାରି କହିଥିଲେ ।

ଶେଷରେ ଏତେ ଧାଁ’ ଦଉଡ ଓ ଖର୍ଚ୍ଚାନ୍ତ ହେଲାପରେ ଗତ ମାସ ୨୭ ତାରିଖରେ ଉକ୍ତ ମହିଳାମାନେ ପୁଣି ଏସ୍ ପି ଅଭିଳାଷ ଜିଙ୍କୁ ଭେଟି ଗୁହାରୀ କରିଥିଲେ । ଏସ୍ ପି ସାଙ୍ଗେ ସାଙ୍ଗେ ୪୮ ଘଣ୍ଟା ଭିତରେ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଦୃଷ୍ଟିପାତ ପ୍ରଭାବ

ଇତିମଧ୍ୟରେ କୁସଙ୍ଗ ଗ୍ରାମରୁ ପ୍ରଦ୍ୟୁମ୍ନ ସାହୁର ଲୋକମାନେ ଅଭିଯୋଗକାରୀ ଗୋଷ୍ଠୀର ଜିତେନ୍ଦ୍ର ପାଣ୍ଡେଙ୍କୁ ବିଳମ୍ବିତ ରାତିରେ ଫୋନ୍ ରେ ହତ୍ୟା ଧମକ ଦେଲେ । ଏ ସମ୍ପର୍କରେ ପୁଣି ସେମାନେ ଯାଇ ଏସ୍ ପିଙ୍କୁ ଜଣାଇବାରୁ ଏସ୍ ପିଙ୍କ ନିର୍ଦ୍ଦେଶରେ ପାଟଣାଗଡ ପୁଲିସ ଗତ ୪ ତାରିଖ ମଧ୍ଯରାତ୍ରିରେ ବରଗଡ ଜିଲ୍ଲାର ପଦ୍ମପୁରରେ ଲୁଚିଥିବା ମୁଖ୍ଯ ଅଭିଯୁକ୍ତ ଦୀପକ ଭୋଇକୁ ଉଠାଇ ଆଣିଥିବା ଓ ଗତକାଲି ତାକୁ କୋର୍ଟଚାଲାଣ କରାଯାଇଥିବା ଜଣାଯାଇଛି । ‘ ଦୃଷ୍ଟିପାତ ‘ ନିଉଜ୍ ଦେଖାଇ ତା’ର ଜାମିନ ଆବେଦନ ମଧ୍ଯ ଖାରଜ ହୋଇଯାଇଥିବା ପ୍ରକାଶ । ତେବେ ଏହା ପରେ ପରେ ଉକ୍ତ ତଦନ୍ତକାରୀ ପୁଲିସ ଅଧିକାରୀ ଜଣକ ଛୁଟିନେଇ ଫାଇଲ୍ ରଖି ପଳାଇଥିବା କୁହାଯାଉଛି ।

ନିର୍ଭରଯୋଗ୍ୟ ସୂତ୍ରରୁ ଏହି ମାମଲାରେ ମୋଟ ୬ ଜଣଙ୍କ ବିରୁଦ୍ଧରେ ମାମଲା ରହିଛି ଓ ଏହା ବ୍ୟତୀତ ଏଇ ଅଭ୍ୟାସଗତ ଠକ ବିରୋଧରେ ପୂର୍ବରୁ ଅନ୍ଯତ୍ର କୋଟି କୋଟି ଟଙ୍କାର ଆହୁରି ଅନ୍ଯାନ୍ଯ ଏହିପରି ଠକେଇ ଅଭିଯୋଗ ରହିଛି । ତେବେ ଏହାର ତଦନ୍ତକୁ ଜାଣିଶୁଣି କାଳକ୍ଷେପଣ ଓ ବିଭ୍ରାନ୍ତ କରୁଥିବା ପୁଲିସ ଅଧିକାରୀଙ୍କ ବିରୋଧରେ ମଧ୍ଯ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଜନସାଧାରଣଙ୍କ ପକ୍ଷରୁ ଦାବି କରାଯାଏ ।

Leave a Reply

Your email address will not be published. Required fields are marked *

Related Post